Categories
ଆଜିର ଖବର ରାଜ୍ୟ ଖବର

ପାରିତ ହେଲା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍‌

ଭୁବନେଶ୍ବର : ବିରୋଧୀଙ୍କ ହୋହଲ୍ଲା ଭିତରେ ବିଧାନସଭାରେ ପାରିତ ହେଲା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍‌ 2020 ।  ଚାରି ଦିନର ଆଲୋଚନା ପରେ ଗୃହରେ ବିଲ୍‌ ପାରିତ ହୋଇଛି ।  ବିଲ୍‌କୁ କଳା ଆଇନ କହି ନରସିଂହ ମିଶ୍ର ବିରୋଧ କରିଥିବାବେଳେ ଆଜିର ଆଲୋଚନାରେ ବିଜେପି ଭାଗ ନେଇନାହିଁ । ବିଶ୍ବବିଦ୍ୟାଳୟ ସଂଶୋଧନ ଅଧ୍ୟାଦେଶକୁ ଦୃଢ ବିରୋଧ କରିଥିଲେ ଉଭୟ କଂଗ୍ରେସ ଓ ବିଜେପି ।

ଏହି ନୂତନ ବିଲ୍‌ ଅନୁଯାୟୀ ଭିସିଙ୍କ କାର୍ଯ୍ୟକାଳରେ ବୃଦ୍ଧି କରାଯାଇଥିବାବେଳେ ସିନେଟ୍‌ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇ ସିଣ୍ଡିକେଟ୍‌ ବ୍ୟବସ୍ଥାକୁ ଶକ୍ତ କରାଯାଇଛି । ନୂଆ ନିୟମ ଅନୁସାରେ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଓ ପ୍ରଫେସର ଓଡ଼ିଶା ପବ୍ଲିକ୍‌ ସର୍ଭିସ କମିସନ ଜରିଆରେ କରାଯିବ। ଏହି ବିଲ୍‌ ଯୋଗୁଁ ବିଶ୍ବବିଦ୍ୟାଳୟର ଅଟୋନମି ନଷ୍ଟ ହେବ ବୋଲି ଉଭୟ ବିରୋଧ  ଯୁକ୍ତି ବାଢିଛନ୍ତି । ଏହି ବିଲ୍‌କୁ ଦୃଢ ବିରୋଧ କରିଛନ୍ତି ଉଭୟ ବିରୋଧୀ ।

ଆଜି ବିଜେପି ଗୃହରେ ଧାରଣା ଦେଇଥିବା ଯୋଗୁଁ ଆଲୋଚନାରେ ଭାଗ ନେଇପାରିନାହିଁ । ଗତକାଲି ମୁଲତବୀ ପ୍ରସ୍ତାବ ଆଲୋଚନାକୁ ନେଇ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା ।

ଅପରପକ୍ଷରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ ନେଇ ଆଜି ଗୃହରେ ନିଜର ବିବୃତ୍ତି ରଖିଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।ସଂଶୋଧିତ ବିଲରେ ସିନେଟର ଉଚ୍ଛେଦ ଓ ସିଣ୍ଡିକେଟକୁ ମଜଭୂତ କରାଯାଇଛି । ଜାତୀୟ ଶିକ୍ଷା ନୀତିକୁ ଅଧିକ ତର୍ଜମା ପାଇଁ କମିଟି ଗଠନ କରାଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଥିଲେ ।