Categories
ବିଶେଷ ଖବର ସ୍ବାସ୍ଥ୍ୟ

ବି.ଏସ୍.କେ.ୱାଇ ର କ୍ଷେତ୍ରସ୍ତରୀୟ କାର୍ଯ୍ୟାୟନ ସମୀକ୍ଷା: ଅନୁବନ୍ଧିତ ହସ୍ପିଟାଲ୍ ସଂଖ୍ୟା ୬୨୬ କୁ ବୃଦ୍ଧି

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ୍.କେ.ୱାଇ)ର ଦୃତବର୍ଦ୍ଧିଷ୍ଣୁ ପ୍ରସାର ଓ ଲୋକପ୍ରିୟତାକୁ ଲକ୍ଷ୍ୟ କରି ଏହାର ସଠିକ କ୍ଷେତ୍ରସ୍ତରୀୟ କାର୍ଯ୍ୟାୟନ ଉପରେ ସରକାର ଗୁରୁତ୍ୱ ଆରୋପ କରିଛନ୍ତି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ ଇତି ମଧ୍ୟରେ ଯୋଜନାର କ୍ଷେତ୍ରସ୍ତରୀୟ ରୂପାୟନ ସମ୍ବନ୍ଧିତ ବିଷୟ ସମୀକ୍ଷା କରି ଅନୁବନ୍ଧିତ ହସ୍ପିଟାଲ୍ ଗୁଡିକର ଅଧିକାରୀ ଜିଲ୍ଲା ସଂଯୋଜକ ଓ ସ୍ୱାସ୍ଥ୍ୟମିତ୍ର ଆଦି ତୃଣମୂଳସ୍ତରୀୟ ଅଧିକାରୀମାନଙ୍କ ନିମନ୍ତେ ନିୟମିତ ତାଲିମ ଓ ଅନୁପ୍ରେରଣା ଶିବିରମାନ ଆୟୋଜନ କରିବା ପାଇଁ ରାଜ୍ୟସ୍ତରୀୟ ଟିମ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟସେବା ପ୍ରତିଶ୍ରୁତି ସୋସାଇଟି ସଭାଗୃହଠାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଡାକ୍ତର ଡି. ବୃନ୍ଦା ଯୋଜନା କାର୍ଯ୍ୟାୟନର ପ୍ରଶାସନିକ ଓ ବୈଷୟିକ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ।

ଜିଲ୍ଲାସ୍ତରରେ ଜିଲ୍ଲା ସଂଯୋଜକ କାର୍ଯ୍ୟାଳୟଗୁଡ଼ିକୁ ଅଧିକ ଦୃଢ଼ୀଭୂତ କରିବା ପାଇଁ ଶାସନ ସଚିବ ଶ୍ରୀମତୀ ପଣ୍ଡିତ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ସେମାନଙ୍କୁ ଆବଶ୍ୟକୀୟ ଭିତ୍ତିଭୂମି, କମ୍ପ୍ୟୁଟର୍, ଇଣ୍ଟରନେଟ୍ ସୁବିଧା ଆଦି ଯୋଗାଇ ଦିଆଯିବ। ସେ କହିଥିଲେ ଯେ ସ୍ୱାସ୍ଥ୍ୟମିତ୍ର ଏବଂ ଜିଲ୍ଲା ସଂଯୋଜକମାନଙ୍କ ଦକ୍ଷତା ବୃଦ୍ଧି କରାଗଲେ ତୃଣମୂଳ ସ୍ତରରେ ଲୋକମାନଙ୍କୁ ବାସ୍ତବ ସହାୟତା ଯୋଗାଯାଇ ପାରିବ; ଏବଂ ତାଲିକାଭୂକ୍ତ ହସ୍ପିଟାଲ ସ୍ତରରେ ଲୋକମାନଙ୍କର ଚିକିତ୍ସା ସମ୍ବନ୍ଧିତ ଅଭିଯୋଗର ଆଶୁ ସମାଧାନ ହୋଇପାରିବ।

ସମୀକ୍ଷାରୁ ଜଣାପଡ଼ିଥିଲା ଯେ, ବି.ଏସ୍.କେ.ୱାଇ ରେ ଉଚ୍ଚ ଗୁଣାତ୍ମକ ମାନର ଚିକିତ୍ସା ନିମନ୍ତେ ବର୍ତ୍ତମାନ ସୁଦ୍ଧା ଉଭୟ ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରର ଥିବା ୬୨୬ ଟି ସୁପର ସ୍ପେସାଲିଟି ଘରୋଇ ହସ୍ପିଟାଲ୍କୁ ଅନୁବନ୍ଧିତ କରାଯାଇଛି। ‘ମୋ ସରକାର’ମାଧ୍ୟମରେ ସଂଗ୍ରହ ହେଉଥିବା ଲୋକମତ, ୧୦୪ କଲ୍ ସେଣ୍ଟର୍, ଅଭିଯୋଗ ଶୁଣାଣି, ଇ-ଅଭିଯୋଗ ଓ ଗଣମାଧ୍ୟମ ଆଦି ସୂତ୍ରରୁ ବର୍ତ୍ତମାନ ସୁଦ୍ଧା ମିଳିଥିବା ଅଭିଯୋଗ ଓ ମତାମତ ମଧ୍ୟରୁ ଶତକଡ଼ା ୯୫ ଭାଗ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ସେସବୁର ସମାଧାନ କରାଯାଇଛି। ଆଗାମି ବର୍ଷ ପାଇଁ ହସ୍ପିଟାଲ୍ମାନଙ୍କୁ ଅନୁବନ୍ଧିତ ବା ତାଲିକା-ଅନ୍ତର କଲାବେଳେ ସଂଗୃହୀତ ଲୋକମତ, ସଂପୃକ୍ତ ହସ୍ପିଟାଲ୍ରେ ଉପଲବ୍ଧ ରୋଗୀ-କୈନ୍ଦ୍ରିକ ସୁବିଧା ଓ ଆଧୁନିକ ଚିକିତ୍ସା ଉପକରଣ, ହସ୍ପିଟାଲ୍ର ନିଜସ୍ୱ ଅଭିଜ୍ଞ ଡାକ୍ତର ଆଦି ବିଷୟକୁ ବିଶେଷ ଗୁରୁତ୍ୱ ଦେବା ପାଇଁ ବୈଠକରେ ସ୍ଥିର ହୋଇଥିଲା।

କ୍ଷେତ୍ରସ୍ତରରେ ସୂଚନା, ଅନୁ ପ୍ରେରଣା ଓ ସଂଯୋଜନା କାର୍ଯ୍ୟକୁ ଅଧିକ ଦୃଢ଼ୀଭୂତ କରିବା ପାଇଁ ଲକ୍ଷ୍ୟଭେଦୀ କାର୍ଯ୍ୟକ୍ରମ ସ୍ଥିର କରିବା ନିମନ୍ତେ ଶ୍ରୀମତୀ ପଣ୍ଡିତ ନିର୍ଦ୍ଦେଶ ଦେଇଥିଲେ। ଅନୁବନ୍ଧିତ ହସ୍ପିଟାଲମାନଙ୍କରେ ସୁଦୃଶ୍ୟ ଭାବେ ବି.ଏସ୍.କେ.ୱାଇ ବୋର୍ଡ ଲଗାଇବା, ଲୋକମାନଙ୍କ ପାଇଁ ସୁବିଧା ଜନକ ସ୍ଥାନରେ କାଉଣ୍ଟର ଖୋଲିବା, ତ୍ୱରିତ ଆଡ୍ମିଶନ୍, ଡିସ୍ଚାର୍ଜ ଓ ବିଲ୍ ପୈଠ ପାଇଁ ସପ୍ଟୱେୟାର ନବୀକରଣ କରିବା, ଇଣ୍ଟରନେଟ୍ ସ୍ପିଡ୍ ବଢ଼ାଇବା ଆଦି ବଷୟରେ ସବିଶେଷ ସମୀକ୍ଷା ହୋଇଥିଲା।

ସୋସାଇଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ଡି. ବୃନ୍ଦା, ଅତିରିକ୍ତ ଶାସନ ସଚିବ ଶୁଭାନନ୍ଦ ମହାପାତ୍ର, ଯୁଗ୍ମ କାର୍ଯ୍ୟନିର୍ବାହୀ (ଅର୍ଥ) ଅରବିନ୍ଦ୍ ରାଉତରାୟ, ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ବିଷ୍ଣୁ ପ୍ରସାଦ ମହାପାତ୍ରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ନାବାଳିକା ବର୍ଷା ନାଇକ ପାଇଁ ବରଦାନ ହେଲା ବି.ଏସ୍.କେ.ୱାଇ.

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ୍.କେ.ୱାଇ.) ଏବଂ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ଟିମର ମିଳିତ ପ୍ରଚେଷ୍ଟା ଗଞାମ ଜିଲ୍ଲାର ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ କଇଥପୋଲି ହରିଜନ ସାହିର ନାବାଳିକା ବର୍ଷା ନାଇକ (୧୭ ବର୍ଷ) ପାଇଁ ବରଦାନ ସାବସ୍ତ୍ୟ ହୋଇଛି। ମାନସିକ ଭିନ୍ନକ୍ଷମ ହୋଇଯାଇଥିବା ବର୍ଷାର ମା’ ଙ୍କୁ ଉପଯୁକ୍ତ ଚିକିତ୍ସା ଦିଆଯାଇଛି। ସେ ଆରୋଗ୍ୟ ଲାଭ କରିଛନ୍ତି । ପାଠ ପଢା ପାଇଁ ମଧ୍ୟ ବର୍ଷାକୁ ସହାୟତା ମିଳିଛି।

ଘଟଣାର ବିବରଣୀରୁ ଜଣାପଡିଛି ଯେ ବର୍ଷାଙ୍କର ମା’ ପ୍ରଭାସିନୀ ନାଇକ ମାନସିକ ରୋଗଗ୍ରସ୍ତ ହୋଇପଡିଥିଲେ। ବର୍ଷାକୁ ଘରର କାମ, ଖାଦ୍ୟ ଯୋଗାଡ, ମା’ ଙ୍କର ଯତ୍ନ ଆଦି ସମସ୍ତ କାମ କରିବାକୁ ପଡୁଥିଲା। ଆର୍ଥିକ ଦୁରାବସ୍ଥା ମଧ୍ୟ ଆଉ ଏକ ବାଧକ ଥିଲା। ଗଣମାଧ୍ୟମରୁ ଏକଥା ଜାଣିବାମାତ୍ରେ ବି.ଏସ୍.କେ.ୱାଇ. ଟିମ୍ ମିଶନ୍ ମୋଡରେ କାମ ଆରମ୍ଭ କରିଥିଲେ। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ, ଗଞାମ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ଟିମ୍, ବେଲଗୁଣ୍ଠା କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରଙ୍କ ମିଳିତ ସହଯୋଗିତାରେ ଦଳଗତ ଉଦ୍ୟମ ଆରମ୍ଭ ହୋଇଥିଲା।
ପ୍ରଭାସିନୀ ରହୁଥିବା ଗ୍ରାମରେ ପହଞ୍ଚି ଏହି ଟିମ୍ ସ୍ଥାନୀୟ ଲୋକ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଆଶା ଓ ଅଙ୍ଗନବାଡ଼ି କର୍ମୀମାନଙ୍କ ସହାୟତାରେ ପ୍ରଭାସିନୀଙ୍କ ପରିବାର ସହ ଆଲୋଚନା କରିଥିଲେ। ତାଙ୍କର ଉପଯୁକ୍ତ ଚିକିତ୍ସା ପାଇଁ ମାନସିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବାକୁ ହେବ ବୋଲି ବୁଝାଇଥିଲେ।

ଲଗାତର ଦୁଇ ତିନିଥର ସିଧାସଳଖ ଆଲୋଚନା, ବୁଝାସୁଝା ଏବଂ ପ୍ରତିଶୃତି ଆଦି ପରେ ପରିବାରଙ୍କ ପୂର୍ଣ୍ଣ ସହମତିରେ ଜଣେ ଆତ୍ମୀୟ ସହାୟକଙ୍କ ସହିତ ପ୍ରଭାସିନୀଙ୍କୁ ଫେବୃଆରୀ ୧୬ ତାରଖ ଦିନ ସ୍ୱତନ୍ତ୍ର ଗାଡିରେ କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଆବଶ୍ୟକୀୟ ଚିକିତ୍ସାପରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ୍ ପରିସରରେ ଥିବା ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ଓ ନିଶାନିବାରଣ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଆଡମିଶନ କରି ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା।

ବିଶେଷଜ୍ଞମାନଙ୍କ ଦ୍ୱାରା ପଦ୍ଧତିଗତ ଚିକିତ୍ସା ଓ ନିରନ୍ତର ପର୍ଯ୍ୟବେକ୍ଷଣ ଯୋଗୁ ପ୍ରଭାସିନୀଙ୍କ ମାନସିକ ସ୍ଥିତିରେ ଦୃତ ଉନ୍ନତ୍ତି ସାଧନ ହୋଇଥିଲା। ସେ ଧିରେ ଧିରେ ଆରୋଗ୍ୟ ଲାଭ କରିଥିଲେ। ହସ୍ପିଟାଲରେ ତାଙ୍କ ପାଖରେ ଥିବା ନିଜ ପୁଅ ଏବଂ ଡ଼ାକ୍ତର ଓ ନର୍ସମାନଙ୍କ ସହ ସ୍ୱାଭାବିକ କଥାବାର୍ତ୍ତା କରିବା ଆରମ୍ଭ କଲେ। ଶେଷରେ ଗତକାଲି (ତା ୯/୩/୨୦୨୩ ରିଖ) ପ୍ରଭାସିନୀଙ୍କୁ ହସ୍ପିଟାଲରୁ ଡିସଚାର୍ଯ କରାଯାଇଥିଲା। ସଂପୂର୍ଣ୍ଣ ଚିକିତ୍ସା ଓ ଔଷଧ ଆଦି ତାଙ୍କୁ ମାଗଣାରେ ଯୋଗାଯାଇଥିଲା। ହସ୍ପିଟାଲରୁ ଡିସଚାର୍ଯ ସମୟରେ ଏକ ମାସ ପାଇଁ ଔଷଧ ଦିଆଯାଇଥିଲା। ପରବର୍ତ୍ତି ଅନୁସରଣ ଚିକିତ୍ସା ବିଷୟରେ ତାଙ୍କର ପୁଅ ଓ ପରିବାର ଲୋକମାନଙ୍କୁ ମଧ୍ୟ ବୁଝାଇ ଦିଆଯାଇଥିଲା। ଆଜି ମିଳିଥିବା ଖବର ଅନୁସାରେ ବର୍ତ୍ତମାନ ପ୍ରଭାସିନୀ ପ୍ରାୟ ସ୍ୱାଭାବିକ ଜୀବନ ଆରମ୍ଭ କରୁଛନ୍ତି। ବି.ଏସ୍.କେ.ୱାଇ. ଏବଂ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ଟିମ୍ ମଧ୍ୟ ତାଙ୍କ ପରିବାର ସହ ଯୋଗାଯୋଗରେ ଅଛନ୍ତି।

ଇତି ମଧ୍ୟରେ ବର୍ଷାଙ୍କୁ ଶିକ୍ଷା ବାବଦ ଜରୁରୀ ଖର୍ଚ୍ଚ ନିମନ୍ତେ ୫୦୦୦ ଟଙ୍କାର ଆର୍ଥିକ ସହାୟତା ଦିଆଯାଇଛି । ‘ବୁକ୍ ବ୍ୟାଙ୍କ୍’ ରୁ ମାଗଣାରେ ତାଙ୍କୁ ବହି ଯୋଗାଇ ଦିଆଯାଇଛି। ବର୍ଷାର +୨ ଶିକ୍ଷା ନିମନ୍ତେ ସମସ୍ତ ଫିସ୍ ଛାଡ କରିବା ପାଇଁ ଭଞନଗର ଉପଜିଲ୍ଲାପାଳ ସଂପୃକ୍ତ +୨ କଲେଜକୁ ନିର୍ଦେଶ ଦେଇଛନ୍ତି। ପରିବାରକୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଛି। ଗ୍ରାମୀଣ ଆବାସ ଯୋଜନାରେ ସାମିଲ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି।

ପ୍ରଭାସିନୀଙ୍କ ପୁଅ ଦୀପକ କହିଛନ୍ତି, “ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଜନା ମୋର ମା’କୁ ଭଲ କଲା ଏବଂ ଆମ ପରିବାରକୁ ରକ୍ଷାକଲା। ଆମେ ଏଥିପାଇଁ ଚିର କୃତଜ୍ଞ।” ପ୍ରଭାସିନୀଙ୍କୁ ସହାଯତା କରୁଥିବା ତାଙ୍କର ବଡ଼ ଭଉଣୀ ବିଭାସିନୀ କହିଛନ୍ତି, “ଓଡ଼ିଶା ସରକାରଙ୍କ ପାଇଁ ଦୀର୍ଘଦିନ ଧରି ମାନସିକ ରୋଗାଗ୍ରସ୍ତ ଥିବା ମୋର ଭଉଣୀ ଭଲ ହେଲା, ତା’ର ପିଲା ଛୁଆ ପରିବାର ରକ୍ଷା ହେଲା। ବି.ଏସ୍.କେ.ୱାଇ. ସତରେ ଜୀବନ ରକ୍ଷାକାରୀ ଯୋଜନା। ମୁଖ୍ୟମନ୍ତ୍ରୀଙ୍କୁ କୋଟି ପ୍ରଣାମ।”

Categories
ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଅଭୁତପୂର୍ବ ସଫଳତା, ଦେୟମୁକ୍ତ ଚିକିତ୍ସାରେ ୪୧୩ ପ୍ରତିଶତ ଅଭିବୃଦ୍ଧି

ଭୁବନେଶ୍ବର: ବିଗତ ୨ ବର୍ଷ ମଧ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଲୋକପ୍ରିୟତାରେ ଅଭୁତପୂର୍ବ ଅଗ୍ରଗତି ଘଟିଛି । ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦେଶକ ତଥା ଓଡ଼ିଶା ହେଲଥ୍ ଆସୁରାନସ୍ ସୋସାଇଟି ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ାକ୍ତର ବୃନ୍ଦା ଡ଼ି. ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଆନ୍ତରୀଣ ସମୀକ୍ଷା ବୈଠକରୁ ଏହା ଜଣାପଡ଼ିଛି ।

ସୋସାଇଟିର ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଶାସନ ସଚିବ ଶ୍ରୀ ଶୁଭାନନ୍ଦ ମହାପାତ୍ର କାର୍ଯ୍ୟାନ୍ବୟନ ସମ୍ବନ୍ଧିତ ସଦ୍ୟତନ ତଥ୍ୟ ଏବଂ ତତ୍ ସମ୍ବନ୍ଧିତ ପ୍ରଶାସନିକ ଓ ବୈଷୟିକ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ।

ଶ୍ରୀ ମହାପାତ୍ର ଜଣାଇଥିଲେ ଯେ ୨୦୨୧ କ୍ୟାଲେଣ୍ଡର ବର୍ଷରେ ବିଭିନ୍ନ ଘରୋଇ ହସପିଟାଲ୍ ମାନଙ୍କରେ ବି.ଏସ୍.କେ.ୱାଇ. ଅନ୍ତର୍ଭୁକ୍ତ ପ୍ରାୟ ୧.୨୬ ଲକ୍ଷ ଲୋକ ସୁପର ସ୍ପେସାଲିଟି କ୍ରିଟିକାଲ୍ ଭେଷଜ ଚିକିତ୍ସା ଓ ଓ୍ୟୖଷଧ ସଂପୂର୍ଣ ଦେୟମୁକ୍ତ ଭାବେ ଲାଭ ହାସଲ କରିଥିଲେ।

୨୦୨୨ କ୍ୟାଲେଣ୍ଡର ବର୍ଷରେ ଏହି ସଂଖ୍ୟା ୬.୪୫ ଲକ୍ଷକୁ ବୃଦ୍ଧିପାଇ ଏ କ୍ଷେତ୍ରରେ ପ୍ରାୟ ୪୧୩ ଶତକଡ଼ା ଅବିବୃଦ୍ଧି ହାସଲ କରାଯାଇଥିଲା। ସମାନ୍ତରାଳଭାବେ, ୨୦୨୧ ମସିହାରେ ଦେୟମୁକ୍ତ ଚିକିତ୍ସା ବାବଦକୁ ରାଜ୍ୟ ସରକାର ପ୍ରାୟ ୨୨୪.୮୭ କୋଟି ଟଙ୍କାର ବିଲ୍ ଘରୋଇ ହସ୍ପିଟାଲମାନଙ୍କୁ ପୈଠ କରିଥିବାବେଳେ ୨୦୨୨ ମସିହାରେ ଏହା ୧୪୫୬.୪୨ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା।

ବି.ଏସ୍.କେ.ୱାଇ. ଯୋଜନା ମାଧ୍ୟମରେ ଚିକିତ୍ସା ବାବଦ ପାଣ୍ଠି ବିନିଯୋଗରେ ୫୪୮ ଶତକଡ଼ା ବୃଦ୍ଧି ହୋଇଥିଲା। ଏହି ସମୟ ମଧ୍ୟରେ ତାଲିକାଭୁକ୍ତ ହସ୍ପିଟାଲ ସଂଖ୍ୟାରେ ମଧ୍ୟ ୩୩୩ ଶତକଡ଼ା ବୃଦ୍ଧି ହୋଇଥିଲା।

୨୦୨୧ ମସିହା ଆରମ୍ଭରେ ୧୮୭ ଟି ହସ୍ପିଟାଲ ତାଲିକାଭୁକ୍ତ ଥିବାବେଳେ ୨୦୨୨ ଶେଷସୁଦ୍ଧା ଏହି ସଂଖ୍ୟା ୫୫୪ କୁ ବୃଦ୍ଧି ପାଇଥିଲା। ବି.ଏସ୍.କେ.ୱାଇ. କାର‌୍ୟ୍ୟାନ୍ବୟନ ସମୀକ୍ଷାକରି ହସ୍ପିଟାଲ ମାନେ ଦେଉଥିବା ବିଲ୍ର ଅନୁମୋଦନ ପୂର୍ବରୁ ଅନଲାଇନ୍ ୱେବସାଇଟରେ ଦାଖଲ ହୋଇଥିବା ଦସ୍ତାବିଜ୍ ଓ ଚିକିତ୍ସା ପ୍ରମାଣ ଆଦିକୁ ସଠିକଭାବେ ତନଖି କରିବାପାଇଁ ଡ଼ାକ୍ତର ବୃନ୍ଦା ବିଭିନ୍ନ ବେସରକାରୀ ହସ୍ପିଟାଲ ଦାୟିତ୍ଵରେ ଥିବା ନୋଡ଼ାଲ୍ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ।

ବି.ଏସ୍.କେ.ୱାଇ. ଯୋଜନାର କ୍ରମବର୍ଦ୍ଧିଷ୍ଙୁ ଲୋକପ୍ରୀୟତା ବିଷୟ ଉଲ୍ଲେଖକରି ଆଗାମୀ ଦିନରେ ଘରୋଇ ହସ୍ପିଟାଲ ମାନଙ୍କରେ ଯୋଜନା ଅନ୍ତର୍ଭୁକ୍ତ ରୋଗୀଙ୍କ ସଂଖ୍ୟା ଅଧିକ ବଢିବ ବୋଲି ନୋଡ଼ାଲ ଅଫିସରମାନେ ଆଶା ପ୍ରକାଶ କରିଥିଲେ।

ଡ଼ାକ୍ତର ବିଷ୍ଙୁ ପ୍ରସାଦ ମହାପାତ୍ର, ଯୁଗ୍ମ କାର‌୍ୟ୍ୟ ନିର୍ବାହୀ ଅଧିକାରୀ ଅରବିନ୍ଦ ରାଉତରାୟ, ଡ଼େପୁଟି କାର‌୍ୟ୍ୟ ନିର୍ବାହୀ ଅଧିକାରୀ ଡ଼ାକ୍ତର ସମ୍ବିତ ବେହେରାଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।