Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପୋଲିସର ତଦନ୍ତ ଜାରି

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଜଗବନ୍ଧୁପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ଯୁବତୀ ପାରିବାରିକ କଳହ ଲାଗି ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି।

ସୂଚନା ମୁତାବକ ଜଗବନ୍ଧୁପୁର ଗ୍ରାମର ବସନ୍ତ ମାଝୀଙ୍କ ଝିଅ ବର୍ଷାରାଣୀ ମାଝୀ (୧୮) ଆଜି ପୂର୍ବାହ୍ନରେ କୌଣସି କାରଣବଶତଃ ଘର ବାରିପଟେ ଏକ ଗାମୁଛାକୁ ରଶି କରି ନିଜ ବେକରେ ଲଗାଇ ଝୁଲିଯାଇଥିଲେ। ତେବେ ପରିବାର ଲୋକ ଏହା ଜାଣିଲାପରେ ସଙ୍ଗେ ସଙ୍ଗେ ବର୍ଷାଙ୍କୁ ଉଦ୍ଧାର କରି ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

ଅଭିଯୋଗ ପାଇ ନାଚୁଣୀ ଫାଣ୍ଡି ପୋଲିସ ଏଏସଆଇ ହାଡିବନ୍ଧୁ ନାୟକ ଘଟଣାସ୍ଥଳରେ ପହଞ୍ଚି ବର୍ଷାଙ୍କ ଶବ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବାଣପୁର ମେଡିକାଲ ପଠାଇଦେଇଛନ୍ତି।

ଏ ସଂକ୍ରାନ୍ତରେ ବାଣପୁର ଥାନାରେ କେସ ନମ୍ବର ୨୦/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରିରହିଥିବାର ନାଚୁଣୀ ଫାଣ୍ଡି ଅଧିକାରୀ ମୁକେଶ ବେହେରା ସୂଚନା ଦେଇଛନ୍ତି। ତେବେ ଏହା ପଛରେ ପାରିବାରିକ କଳହ ରହିଥିବାର ପୋଲିସ ପ୍ରାଥମିକ ତଦନ୍ତରେ ଅନୁମାନ କରୁଛି।