Categories
ଆଜିର ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ବରିଷ୍ଠ ସାମ୍ବାଦିକ ବୈଷ୍ଣବ ଜେନାଙ୍କ ହୃଦଘାତରେ ପରଲୋକ

ଭୁବନେଶ୍ବର: ଓଡିଶା ସାମ୍ବାଦିକ ଜଗତ ପାଇଁ ପୁଣି ଥରେ ଏକ ଦୁଃଖଦ ଖବର ଆସିଛି। ତାହା ହେଲା ଆଜି ଓଡିଶାର ବରିଷ୍ଠ ସାମ୍ବାଦିକ ବୈଷ୍ଣବ ଜେନାଙ୍କ ପରଲୋକ। ତାଙ୍କର ହୃଦଘାତରେ ପରଲୋକ ହୋଇଥିବାର ସୂଚନା ମିଳିଛି। ସେ ଓଡିଶାର ସାମ୍ବାଦିକ ମହଲରେ ବେଶ ପରିଚିତ।

ସେ ମାତୃଭାଷା, ନ୍ୟାୟବତୀ ଏବଂ ଶ୍ରୁତି ପ୍ରମୁଖ ଖବରକାଗଜରେ ସାମ୍ବାଦିକତା କରିଛନ୍ତି। ତେବେ ସେ ବିଧାନସଭା ସାମ୍ବାଦିକ ଭାବେ ସମସ୍ତଙ୍କର ଅତି ପ୍ରିୟ ଥିଲେ। କାରଣ ବିଧାନସଭାର ଟିକିନିକ ଖବର ସଂଗ୍ରହ କରିବାରେ ତାଙ୍କର ଥିଲା ସ୍ବତନ୍ତ୍ର ଆଗ୍ରହ।

ତାଙ୍କର ହାତଲେଖା ବିଧାନସଭା ଖବର ଅନ୍ୟ ସାମ୍ବାଦିକମାନେ ମଧ୍ୟ ନିଜ ଖବରକାଗଜକୁ ପଠାଉଥିଲେ। ତାଙ୍କ ବିୟୋଗରେ ଆଜି ଓଡିଶା ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳିଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ବୈଷ୍ଣବ ମହାନ୍ତିଙ୍କ ଦୁଇଟି ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସ ଠାରେ ବୈଷ୍ଣବ ପ୍ରସାଦ ମହାନ୍ତିଙ୍କ ଲିଖିତ ଦୁଇଟି ପୁସ୍ତକ ‘ଶେଷ ଚିଠି’ ଓ ‘ଭାଗବତ କଥାମୃତ’ ଉନ୍ମୋଚନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମହାନ୍ତିଙ୍କୁ ତାଙ୍କର ସାରସ୍ବତ କୃତି ପାଇଁ ଅଭିନନ୍ଦନ ଜଣାଇଥିଲେ ଏବଂ ଆଗାମୀ ଦିନରେ ଏହା ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ।

ଶେଷ ଚିଠି ଏକ କ୍ଷୁଦ୍ର ଗଳ୍ପ ସଂକଳନ । ଏଥିରେ ଉପକୂଳ ଓଡିଶାର ଅର୍ଦ୍ଧ ଶତାଦ୍ଦୀ ତଳର ସାମାଜିକ, ସାଂସ୍କୃତିକ ଓ ଆର୍ଥିକ ଅବସ୍ଥାର ନିଛକ ଚିତ୍ର ପ୍ରତିଫଳିତ ହୋଇଛି। ୨୩ଟି ଗଳ୍ପର ସମାହାରରେ ପ୍ରକାଶିତ ଏହି ପୁସ୍ତକଟି ପାଠକକୁ ହଜି ଯାଇଥିବା ଏକ ସମୟର ପରିଧିକୁ ଫେରାଇ ନେବାରେ ସକ୍ଷମ ହୋଇପାରିଛି । ବିଶିଷ୍ଟ ସାହିତ୍ୟିକ ଶ୍ରୀ ରାମଚନ୍ଦ୍ର ବେହେରା ଏହି ପୁସ୍ତକର ‘ଭୂମିକା’ ଲେଖିଛନ୍ତି ।

ଭାଗବତ କଥାମୃତ ଏକ ଆଧ୍ୟାତ୍ମିକଧର୍ମୀ ପୁସ୍ତକ । ଏଥିରେ ଭାଗବତର ବିଭିନ୍ନ ପ୍ରସଙ୍ଗକୁ ଆଧାର କରି ୪୪ଟି ଆଧ୍ୟାତ୍ମକ କଥାବସ୍ତୁ ସ୍ଥାନ ପାଇଛି। ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶୀ ଲାଲ ଏହି ପୁସ୍ତକରେ ନିଜର ଅଭିମତ ରଖିଛନ୍ତି । ଏହି ଦୁଇଟିଯାକ ପୁସ୍ତକ ଭୁବନେଶ୍ବରର ଅପୂର୍ବା ପ୍ରକାଶନ ସଂସ୍ଥା ଦ୍ବାରା ପ୍ରକାଶିତ ହୋଇଛି ।

ଲେଖକ ଶ୍ରୀ ବୈଷ୍ଣବ ପ୍ରସାଦ ମହାନ୍ତି ସୂଚନା ଓ ଲୋକସଂପର୍କ ବିଭାଗର ପ୍ରାକ୍ତନ ନିର୍ଦ୍ଦେଶକ ତଥା ମୁଖ୍ୟମନ୍ତ୍ରୀଙ୍କ ଲୋକସଂପର୍କ ଅଧିକାରୀ ଭାବରେ ଦୀର୍ଗ ଦିନ କାର୍ଯ୍ୟ କରିଥିଲେ । ସାହିତ୍ୟ, ସଂସ୍କୃତି, ସାମ୍ବାଦିକତା ଓ ସମାଜସେବା କ୍ଷେତ୍ରରେ ତାଙ୍କର ବିଶେଷ ରୁଚି ରହିଛି । ପୂର୍ବରୁ ସେ ଶ୍ରୀମଦ୍‌ ଭାଗବତ ଗୀତାର ଓଡିଆ ପଦ୍ୟାନୁବାଦ ପ୍ରସ୍ତୁତ କରିଛନ୍ତି ।