Categories
ଆଜିର ଖବର ରାଜ୍ୟ ଖବର

ଭିଜିଲାନ୍ସ ମାମଲାରେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ଦଣ୍ଡିତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ପୋଲିସ ଜିଲ୍ଲାରେ କାର୍ଯ୍ୟରତ ପୁର୍ବତନ ପୋଲିସ ଅଧିକାରୀ ତପନ କୁମାର ପାଢ଼ୀଙ୍କୁ ବ୍ରହ୍ମପୁର ଭିଜିଲାନ୍ସ କୋର୍ଟ ଦୁଇ ବର୍ଷ ଜେଲ ଓ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ଜରିମାନା ଅନାଦେୟ ଅଧିକ ଏକ ମାସ ଜେଲ ଦଣ୍ଡ ଭୋଗିବେ ବୋଲି ବିଚାରପତି ଡଃ ଅରୁଣ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି।

ଘଟଣା ରୁ ପ୍ରକାଶ ଯେ, ଗତ ୨୦୦୨ ମସିହା ଏପ୍ରିଲ ମାସ ୨ ତାରିଖ ରେ ଦଣ୍ଡିତ ଅବସରପ୍ରାପ୍ତ ପୋଲିସ ଅଧିକାରୀ ତପନ କୁମାର ପାଢ଼ୀ ଙ୍କ ବିରୋଧରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଏକ ମକଦ୍ଦମା ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କ ଘର ଓ ବିଭିନ୍ନ ସ୍ଥାନରେ ଚଢାଉ କରି ସେତେବେଳେ ତାଙ୍କ ଠାରୁ ୮ ଲକ୍ଷ ୯୯ ହଜାର ୪୩୮ ଟଙ୍କା ର ଆୟ ବହିର୍ଭୁତ ସମ୍ପତ୍ତି ଜବତ ହୋଇଥିଲା ଓ ଏହା ପରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

ଏହି ମାମଲାର ବିଚାରଣା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ରେ ଚାଲିଥିବା ବେଳେ ଶ୍ରୀ ପାଢ଼ୀ ଜାମିନ ରେ ମୁକୁଳିଥିଲେ ଓ ଏହା ମଧ୍ୟରେ ସେ ଚାକିରୀ ରୁ ଅବସର ଗ୍ରହଣ କରିସାରିଛନ୍ତି। ଭିଜିଲାନ୍ସ ତଦନ୍ତ ଅଧିକାରୀ ଙ୍କ ଚାର୍ଜସିଟ୍ କୁ ଗ୍ରହଣ କରି ମୋଟ ୨୮ ଜଣ ସାକ୍ଷୀଙ୍କ ବୟାନ କୁ ଭିତ୍ତି କରି ମାନ୍ୟବର ଅଦାଲତ ଉକ୍ତ ରାୟ ଦେଇଛନ୍ତି।