Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟାନ ହେଲା ମୋବାଇଲ: ତେଜିଲା ଛାତ୍ର ଅସନ୍ତୋଷ

ସୀତାରାମ ଅଗ୍ରୱାଲ

ନାଚୁଣୀ: ଆଜିଠାରୁ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ମୋବାଇଲ ମନା। ଏ ନେଇ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରକୃତି ରଞ୍ଜନ ମିଶ୍ର ଦୁଇ ଦିନ ତଳେ ଏକ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଅଧ୍ୟକ୍ଷଙ୍କୁ ଏ ବିଷୟରେ ପଚାରିବାରୁ କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ବଜାୟ ରଖିବାକୁ ଏପରି ନିଷ୍ପତି ନିଆଯାଇଥିବା କହିଛନ୍ତି।

ତେବେ ଏହାକୁ ନେଇ ବର୍ତ୍ତମାନ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି।  ଆଜି ଏ ନେଇ ମହାବିଦ୍ୟାଳୟର ବହୁ ଯୁକ୍ତ ଦୁଇ ଛାତ୍ରମାନେ ଉକ୍ତ ନିଷ୍ପତ୍ତିକୁ ବିରୋଧ କରିବା ସହ ନିଜର ଅସନ୍ତୋଷ ଜାହିର କରିଛନ୍ତି। ଅଧ୍ୟକ୍ଷଙ୍କୁ ଭେଟି ନିଷ୍ପତ୍ତି ବଦଳାଇବା ପାଇଁ ଦାବି କରିଛନ୍ତି।

ତେବେ ଉକ୍ତ ଘଟଣାକୁ ନେଇ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ମହାବିଦ୍ୟାଳୟ ପରିସରରେ ଜନୈକ ଯୁକ୍ତ ଦୁଇ ଛାତ୍ର ଏକ ଭିଡ଼ିଓ ମାଧ୍ୟମରେ ଗଣମାଧ୍ୟମକୁ ଅନୁରୋଧ କରୁଥିବାର ଦେଖାଯାଇଛି।

ଛାତ୍ରଙ୍କ କହିବା କଥା ଯେହେତୁ କିଛି ଦିନ ତଳେ ମହାବିଦ୍ୟାଳୟରେ ମୌଳିକ ସୁବିଧା ଉପଲବ୍ଧ ନଥିବା ତଥା ବିପର୍ଯ୍ୟସ୍ତ ଅବସ୍ଥାରେ ଥିବା ପରିସ୍ରାଗାରର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେଲା, ସେଥିନିମନ୍ତେ ମହାବିଦ୍ୟାଳୟର ଦୋଷ ଦୁର୍ବଳତା ଲୁଚାଇବା ଲାଗି ଅଧ୍ୟକ୍ଷ ଏପରି ନିଷ୍ପତ୍ତି ନେଇଛନ୍ତି।