Categories
ଆଞ୍ଚଳିକ

ନଦୀବନ୍ଧ ସୁଦୃଢିକରଣରେ ବ୍ୟାପକ ଅନିୟମିତତା ଅଭିଯୋଗ, ହାତ ମାରିଲେ ଉଠିଯାଉଛି ପିଚୁ

କୁଜଙ୍ଗ: ବନ୍ୟା ଦାଉରୁ ସୁରକ୍ଷା ଓ ଲୋକଙ୍କ ଯାତାୟତ ପାଇଁ ସରକାର ନଦୀବନ୍ଧକୁ ସୁଦୃଢିକରଣ ଓ ରାସ୍ତା ନିର୍ମାଣରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ନିମ୍ନମାନର କାର୍ଯ୍ୟ କରି ଠିକାଦାର ମାଲାମାଲ ହେଉଥିବା ବେଳେ ସରକାରଙ୍କ ଯୋଜନା ଫସର ଫାଟୁଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ମଣିଜଙ୍ଗା ଜଳସମ୍ପଦ ବିଭାଗ ସାଉଥ୍ ଡିଭିଜନ ଅଧୀନରେ ଥିବା ମହାନଦୀ ବନ୍ଧ ସୁଦୃଢିକରଣ ଓ ରାସ୍ତା ନିର୍ମାଣ କାର୍ଯ୍ୟରେ।

ମଣିଜଙ୍ଗା ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ଅଧିନ ମହାନଦୀ ବାମପାର୍ଶ୍ୱ ନଦୀବନ୍ଧର ତାର୍ତ୍ତୋଲ ଠାରୁ ବାଲିକଣୀ ପର୍ଯ୍ୟନ୍ତ ନଦୀବନ୍ଧକୁ ସୁଦୃଢିକରଣ ଓ ପିଚୁରାସ୍ତା ନିର୍ମାଣ ପାଇଁ ୩କୋଟି ୮୭ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ନଦୀବନ୍ଧରେ ମାଟି ମେଟାଲ-ମୋରମ ପକାଇ ରୋଲିଂ କରିବା ପରେ ଡଷ୍ଟ ପକାଇ ପିଚୁରାସ୍ତା ନିର୍ମାଣ କରିବା କଥା। ମାତ୍ର ନଦୀବନ୍ଧରେ ମାଟି ବଦଳରେ ବାଲି ପକାଯାଇଥିବା ଦେଖିବାକୁ ମିଳିଛି। ଅସରାଏ ବର୍ଷାରେ ପକାଯାଇଥିବା ବାଲି ଅନେକ ସ୍ଥାନରେ ଧୋଇ ଗଲାଣି। ସ୍ଥାନୀୟ ଲୋକ ଯେତେ ପ୍ରତିବାଦ କଲେ ମଧ୍ୟ ବିଭାଗୀୟ ଯନ୍ତ୍ରୀ କିମ୍ବା ଠିକାଦାର କେହି ଶୁଣୁନଥିବା ଲୋକ ଅଭିଯୋଗ କରିଛନ୍ତି।

ଏହି ନଦୀବନ୍ଧ ମହାନଦୀ-ପାଇକା ଦ୍ୱିପାଞ୍ଚଳର କୋଲର, ପୋରଗଦେଇ, କାଠକୋଟ, ହଂସୁରା ଓ ବଡବାଲିକଣୀ ପ୍ରଭୃତି ପାଞ୍ଚଟି ପଞ୍ଚାୟତର ୨୫ହଜାର ଲୋକଙ୍କୁ ସୁରକ୍ଷା ଯୋଗାଇଦେଉଥିବା ବେଳେ ନଦୀବନ୍ଧର ସୁଦୃଢିକରଣ ଓ ରାସ୍ତା ନିର୍ମାଣରେ ଚଞ୍ଚକତା କରାଯାଉଛି ଯାହାକୁ ନେଇ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି।

ନଦୀବନ୍ଧରେ ମାଟି ବଦଳରେ ବାଲି ପକାଇଥିବା ବେଳେ ରୋଲର ବ୍ୟବହାର କରାଯାଇନଥିବା ଅଭିଯୋଗ ହୋଇଛି। ୮ଇଞ୍ଚି ମେଟାଲ ୪୦ଏମ.ଏମ, ୨୦ଏମ.ଏମ ଓ ୧୦ଏମ.ଏମ ମେଟାଲର ଡଷ୍ଟ ବଦଳରେ ୫ଇଞ୍ଚିର ବାଲି ମିଶା ଡଷ୍ଟ ପକାଯାଇଛି। ଲାବ୍ରଟୋରି ଟେଷ୍ଟ ନକରି ମାନଯାଞ୍ଚ କରିବାକୁ ଆସିଥିବା ଅଧିକାରୀଙ୍କୁ ମୋଟା ଅଙ୍କର ଲାଞ୍ଚଦେଇ ଠିକାଦାର ଠକିବାକୁ ଷଡଯନ୍ତ୍ର କରିଥିବା ସୁଚନା ମିଳିଛି।

ନଦୀବନ୍ଧକୁ ସୁଦୃଢିକରଣ କରିବା ବଦଳରେ ରଠ କାମକରି ଏହା ଉପରେ ନାମକୁ ମାତ୍ର ପିଚୁ କରାଯାଇଛି। ୨୦ଏମ.ଏମ ଗୋଡି ସହିତ ୨ଇଞ୍ଚି ଓ ଅଧା ଇଞ୍ଚି ଗୋଡିରେ ପିଚୁ ସିଲି କୋଟିଂ କରିବା ବଦଳରେ ନାମକୁ ମାତ୍ର ପିଚୁ କରାଯାଇଛି। ନିମ୍ନମାନର ପିଚୁରାସ୍ତା ନିର୍ମାଣ ହୋଇଥିବାରୁ ଅନେକ ସ୍ଥାନରେ ପିଚୁରାସ୍ତା ଫାଟି ଆଁ କଲାଣି ତ କେଉଁଠି ବନ୍ଧ ତଳକୁ ଖସିଗଲାଣି। ଅନେକ ସ୍ଥାନରେ ପିଚୁ ହାତମାରିଲେ ଉଠିଯାଉଛି।

ଏପରିକି ନଦୀବନ୍ଧ ପାର୍ଶ୍ଵରେ ଥିବା ଗାଁକୁ ଯାଆଆସ କରିବାକୁ ଆପ୍ରୋଚ ରୋଡ ମଧ୍ୟ କରାଯାଇନାହିଁ। ଖୋସାଲପୁର ଠାରୁ ବାଲିକଣୀ ପର୍ଯ୍ୟନ୍ତ ଏପରି ନିମ୍ନମାନର ପିଚୁରାସ୍ତା କରାଯାଇଥିବା ବେଳେ ଖୋସାଲପୁର ଠାରୁ ତାର୍ତ୍ତୋଲ ପର୍ଯ୍ୟନ୍ତ ପିଚୁରାସ୍ତା ନିର୍ମାଣ ହୋଇନାହିଁ। ନିମ୍ନମାନର ନିର୍ମାଣ ସମ୍ପର୍କରେ କ୍ୟାମେରା ଆଗରେ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ମୁହଁ ଖୋଲୁନଥିବା ବେଳେ କୌଣସି ମତାମତ ଦେବାକୁ ସମ୍ପୂର୍ଣ୍ଣ ମନା କରିଦେଉଛନ୍ତି।

ଠିକାଦାର ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ସାଧାରଣ ଜନତାଙ୍କ ସ୍ୱାର୍ଥ ବଳିପଡୁଛି। କୋଟି କୋଟି ଟଙ୍କା ହରିଲୁଟ କରି ଠିକାଦାର ଓ ଯନ୍ତ୍ରୀ ମାଲମାଲ ହେଉଥିବାରୁ ଏହି ଦୁର୍ନୀତି ମାମଲାର ଭିଜିଲାନ୍ସ ତଦନ୍ତ ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଯୋର ଧରିଛି।

Categories
ଆଞ୍ଚଳିକ

କୋକସରା ଉପାଧ୍ୟକ୍ଷଙ୍କ ସଂପର୍କୀୟଙ୍କ ଦ୍ୱାରା ପରିବହନରେ ବ୍ୟାପକ ଅନିୟମିତତା ଅଭିଯୋଗ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ବ୍ୟାପକ ଭାବେ ଧାନ ଉତ୍ପାଦନ ହେଉଥିବା ବେଳେ ପଡୋଶୀ ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରୁ ଧାନ ଉଠାଣ ପାଇଁ ଯୋଗାଣ ବିଭାଗ କଳାହାଣ୍ଡିର ମିଲର୍ସମାନଙ୍କୁ ଦାୟୀତ୍ୱ ଦେଉଥିବାର ସୁଯୋଗ ନେଇ ପରିବହନରେ ବ୍ୟାପକ ଅନିୟମିତତା କରୁଥିବା ଅଭିଯୋଗ ହେଉଛି। ଏସଂପର୍କରେ କଳାହାଣ୍ଡି ଜିଲ୍ଲା ଯୋଗାଣ ନିଗମ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୧୦୬୦ ତା.୦୭.୦୪.୨୦୨୨ ଯୋଗେ ମିଳିଥିବା ତଥ୍ୟ ଅନୁସାରେ ଲଡୁଗାଁସ୍ଥିତ ଶ୍ରୀ କହ୍ନେୟା ଏଗ୍ରୋ ପ୍ରଡକ୍ଟସ (SKAP ) ତରଫରୁ କୋରାପୁଟରୁ ଧାନ ଉଠାଣ କରାଯାଇଥିବା କଗଜାତ ଦାଖଲ କରାଯାଇଥିବା ଜଣାପଡିଛି।

କୋକସରା ବ୍ଲକ ଉପାଧ୍ୟକ୍ଷଙ୍କ ଘନିଷ୍ଠ ସହଯୋଗୀ ଭାବେ ପରିଚିତ ନୀଲେଶ ଅଗ୍ରୱାଲଙ୍କ ସ୍ୱାକ୍ଷରିତ ପରିବହନ ସଂକ୍ରାନ୍ତୀୟ କାଗଜାତ ଯୋଗାଣ ନିଗମ ପଦାଧିକାରୀଙ୍କ ଦ୍ୱାରା ଯୋଗାଇ ଦିଆଯାଇଛି। ତଦନୁସାରେ CG 15A 3366 LPT1613/42 TATA ଟ୍ରକ, CG 05A 8195 LPT1613/42 TATA ଟ୍ରକ, CG 04A 6754 LPT1613/42 TATA ଟ୍ରକ, CG 04JC 2434 LPT1613/42 TATA ଟ୍ରକ, CG 04A 6574 LPT1613/42 TATA ଟ୍ରକ, CG 04JD 5265 LPT1613/42 TATA ଟ୍ରକରେ ପରିବହନ କ୍ଷମତା ଠାରୁ ଅଧିକ ପରିମାଣ ଓଜନର ଧାନ ପରିବହନ କରାଯାଇଥିବା ଅଭିଯୋଗ ହେଉଛି।

ପଡୋଶୀ ଛତିଶଗଡ ରାଜ୍ୟର ରାୟପୁରର ସେକେଣ୍ଡ ହେଣ୍ଡ ଟ୍ରକ ଗୁଡିକର ମାଲିକାନା ବଦଳ କରାଯାଇଥିବା ଜଣାପଡିଛି। ସେହିପରି କେତେକ ଭଡା ଗାଡିରେ ମଧ୍ୟ ଅଧିକ ପରିମାଣର ଧାନ ପରିବହନ କରାଯାଇଥିବା ଯୋଗାଣ ବିଭାଗ ତଥ୍ୟ ସୂଚନାରୁ ଜଣାପଡିଛି। ହୁଏତ ସେତିକି ପରିମାଣର ଧାନ ପରିବହନ ହୋଇନଥିବା ବେଳେ କେବଳ କାଗଜପତ୍ରରେ ସେତିକି ଦର୍ଶାଇ ଦିଆଯାଇଥିବା ସମୀକ୍ଷକମାନଙ୍କ ମଧ୍ୟରେ ସନ୍ଦେହ ପ୍ରକାଶ ପାଇବାରେ ଲାଗିଛି।

ଦଶକୋଟି ଟଙ୍କା ଖର୍ଚ୍ଚ କରି ବ୍ୟବସାୟ କରୁଥିବା ଏବଂ ଖର୍ଚ୍ଚ କରି ଯାହା ଚାହିଁଲେ ତାହା କରି ଦେଖାଇପାରୁଥିବା ବିଷୟ କଥା କଥାକେ ପ୍ରକାଶ କରୁଥିବା ନୀଲେଶ ଅଗ୍ରୱାଲ ଏଭଳି ଭାବେ କମ ମୂଲ୍ୟର ସେକେଣ୍ଡ ହେଣ୍ଡ ଗାଡି ମାଧ୍ୟମରେ କ୍ଷମତା ଠାରୁ ଅଧିକ ପରିମାଣ ଓଜନ ପରିବହନ କରୁଥିବା ବିଷୟ ନିଶ୍ଚିତ ଭାବେ ସମଗ୍ର ବ୍ୟବସ୍ଥା ଉପରେ ବୁଦ୍ଧିଜୀବି ମହଲରେ ସନ୍ଦେହ ସୃଷ୍ଟି କରୁଛି।

କୋକସରା ବ୍ଲକ ଉପାଧ୍ୟକ୍ଷଙ୍କ ଘନିଷ୍ଠ ହୋଇଥିବା କାରଣରୁ ସବୁପ୍ରକାର କଳାକାରନାମାକୁ ଚପାଇ ଦିଆଯାଇପାରିବ ବୋଲି ଆଶା କରି ହୁଏତ ନୀଲେଶ ଏଭଲି କାରବାର କରୁଥିବା ମଧ୍ୟ ସାଧାରଣରେ ଆଲୋଚନା ହେଉଛି। ଏପରିକି ଭଡା ଗାଡିଗୁଡିକୁ ମଧ୍ୟ ଚାପ ପକାଇ ଅଧିକ ପରିମାଣ ଓଜନର ପରିବହନ କରିବାକୁ ବାଧ୍ୟ କରୁଥିବା ଆଲୋଚନା ହେଉଛି।

ଯଦିଓ ସଠିକ ପରିମାଣର ଓଜନ ପରିବହନ ହେଉଥାଏ ତାହାହେଲେ କାଗଜାତରେ ହେରାଫେରୀ କରାଯାଉଥିବା ବୁଦ୍ଧିଜୀବି ମହଲରେ ଆଶଙ୍କା ପ୍ରକାଶ ପାଇବାରେ ଲାଗିଛି। ରାସ୍ତାରେ ଅନେକ ଦୁର୍ଘଟଣା ହେଉଥିବା ବେଳେ ପରିବହନ ବିଭାଗ କ୍ଷମତା ଠାରୁ ଅଧିକ ପରିମାଣ ଓଜନ ପରିବହନ ସଂପର୍କରେ ବିଭାଗ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ବେଳେ ହୁଏତ ପ୍ରଭାବଶାଳୀ ଚାପ ଯୋଗୁଁ ନୀରବ ଦ୍ରଷ୍ଟା ସାଜୁଥିବା ମଧ୍ୟ ଆଲୋଚନା ହେଉଛି।

ଅନିୟମିତତା କରିଥିବା ସଂପୃକ୍ତ ନୀଲେଶଙ୍କ ସହ ପାରିବାରିକ ସଂପର୍କ ବିଷୟରେ ନୀରବ ରହିଥିବା ବେଳେ ଉପାଧ୍ୟକ୍ଷଙ୍କୁ ଢାଲ ସଦୃଶ୍ୟ ବ୍ୟବହାର କରି ନୀଲେଶ ଏଭଲି ଅନିୟମିତତା କରୁଥିବା ସନ୍ଦେହ ପ୍ରକାଶ ପାଉଥିବା ଘଟଣାକୁ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଅସ୍ୱୀକାର କରିଥିବା ଜଣାପଡିଛି।

Categories
ଆଞ୍ଚଳିକ

ଜୁନାଗଡ ତହସିଲରେ ଲଘୁ ଖଣିଜ ପଥର, ବାଲି ଖାଦାନ ଲିଜରେ ବ୍ୟାପକ ଅନିୟମିତତା!

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି : ଜୁନାଗଡ ତହସିଲରେ ଲଘୁ ଖଣିଜ ଲିଜ୍‌ ପ୍ରଦାନରେ ବ୍ୟାପକ ଘୋଟାଲା ହୋଇଥିବାର ଅଭିଯୋଗ ଆସିଛି । ଜୁନାଗଡ ଅନ୍ତର୍ଗତ ଏକାଧିକ ପଥର ଖାଦାନ ଏବଂ ବାଲିଘାଟ ନିଲାମର ଲିଜ୍‌ ପ୍ରଦାନରେ ଅନିୟମିତତାର ଅଭିଯୋଗ କରାଯାଇଛି । ଦାୟିତ୍ବରେ ରହିଥିବା ଅଧିକାରୀ ଏବଂ କିଛି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀଙ୍କ ମଧୁଚନ୍ଦ୍ରିକା କାରଣରୁ ସରକାରଙ୍କୁ ଲକ୍ଷାଧିକ ଟଙ୍କାର ରାଜସ୍ବ ହାନି ଘଟୁଛି । କୌଣସି ନିଲାମୀ ପାଇଁ ବିଜ୍ଞାପନର ବହୁଳ ପ୍ରସାରଣ କରାଯାଏ ଯାହା ଫଳରେ ଏକାଧିକ ଲୋକ ବିଡିଂରେ ଅଂଶଗ୍ରହଣ କରିଥାନ୍ତି ।

ତେବେ ବାଲିଘାଟ ନିଲାମ ପାଇଁ ପ୍ରକାଶ କରାଯାଇଥିବା ବିଜ୍ଞାପନରେ କୌଣସି ନମ୍ବର ଅଥବା ତାରିଖ ନଥିଲା । ଲକ୍‌ଡାଉନ୍‌ କାରଣରୁ ଖବରକାଗଜ ଆସୁନଥିବାରୁ ଅନ୍‌ଲାଇନ୍‌ରେ ଏହି ବିଜ୍ଞାପନକୁ ସ୍ପଷ୍ଟ ଭାବରେ ପ୍ରକାଶନ କରାଯାଇନଥିଲା । ଏପରିକି ସ୍ଥାନୀୟ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡିକୁ ପ୍ରଚାର ପ୍ରସାର ପାଇଁ ପଠାଯିବାର ଉଲ୍ଲେଖ ଥିବା ବେଳେ କୌଣସି ଅଫିସକୁ ସେହି ବିଜ୍ଞାପନ ପଠାଯାଇନଥିବା ଜଣାପଡିଛି । ଅନ୍ୟପକ୍ଷରେ ଉକ୍ତ ବାଲିଘାଟ ନିଲାମ ଇସ୍ତାହାରଟି ଅନଲାଇନରେ କଳାହାଣ୍ଡି ୱେବସାଇଟରେ ଏବଂ ଦୁଇଟି ଦୈନିକ ସମ୍ବାଦପତ୍ରରେ 10 ତାରିଖ ଦିନ ପ୍ରକାଶ କରାଯାଇଥିବା ତହସିଲ ପକ୍ଷରୁ କୁହାଯାଉଛି । ତେବେ ଅନ୍‌ଲାଇନ୍‌ରେ ପ୍ରକାଶିତ ବିଜ୍ଞାପନରେ କୌଣସି ନମ୍ବର ଏବଂ ତାରିଖ ପଡିନଥିବା ଜଣାପଡିଛି ।

ବିଡିଂ ଗୁଡିକ 27 ତାରିଖ ଅପରାହ୍ନ 1.30ରେ ଖୋଲାଯାଇଥିବା ବେଳେ 4 ତାରିଖରେ ଏହାର ଫଳାଫଳ ପ୍ରକାଶ ପାଇଥିଲା । ସେହିପରି ଅଧିକ ବିଡିଂ ଦାଖଲ କରିଥିବା ବିଡରଙ୍କୁ ଲିଜ୍‌ ନ ଦିଆଯାଇ ଏହାକୁ ସର୍ବନିମ୍ନ ବିଡରଙ୍କୁ ପ୍ରଦାନ କରାଯାଇଛି । ସମସ୍ତ କାଗଜପତ୍ର ସଠିକ୍‌ ରହିଥିବା ସତ୍ତ୍ବେ 171 ଟଙ୍କାର ବିଡିଂ ଦାଖଲ କରିଥିବା ବିଡରଙ୍କୁ ଅଯୋଗ୍ୟ ଘୋଷିତ କରାଯାଇ 86 ଟଙ୍କା ଦାଖଲ କରିଥିବା ବିଡରଙ୍କୁ ଲିଜ୍‌ ପ୍ରଦାନ କରାଯାଇଥିଲା । ଏନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିବା ବେଳେ ଜୁନାଗଡ ତହସିଲଦାର ଏହାକୁ ଖଣ୍ଡନ କରିଛନ୍ତି ।