ଜୁନାଗଡ ତହସିଲରେ ଲଘୁ ଖଣିଜ ପଥର, ବାଲି ଖାଦାନ ଲିଜରେ ବ୍ୟାପକ ଅନିୟମିତତା!

Published: Jun 5, 2020, 9:44 pm IST

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି : ଜୁନାଗଡ ତହସିଲରେ ଲଘୁ ଖଣିଜ ଲିଜ୍‌ ପ୍ରଦାନରେ ବ୍ୟାପକ ଘୋଟାଲା ହୋଇଥିବାର ଅଭିଯୋଗ ଆସିଛି । ଜୁନାଗଡ ଅନ୍ତର୍ଗତ ଏକାଧିକ ପଥର ଖାଦାନ ଏବଂ ବାଲିଘାଟ ନିଲାମର ଲିଜ୍‌ ପ୍ରଦାନରେ ଅନିୟମିତତାର ଅଭିଯୋଗ କରାଯାଇଛି । ଦାୟିତ୍ବରେ ରହିଥିବା ଅଧିକାରୀ ଏବଂ କିଛି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀଙ୍କ ମଧୁଚନ୍ଦ୍ରିକା କାରଣରୁ ସରକାରଙ୍କୁ ଲକ୍ଷାଧିକ ଟଙ୍କାର ରାଜସ୍ବ ହାନି ଘଟୁଛି । କୌଣସି ନିଲାମୀ ପାଇଁ ବିଜ୍ଞାପନର ବହୁଳ ପ୍ରସାରଣ କରାଯାଏ ଯାହା ଫଳରେ ଏକାଧିକ ଲୋକ ବିଡିଂରେ ଅଂଶଗ୍ରହଣ କରିଥାନ୍ତି ।

ତେବେ ବାଲିଘାଟ ନିଲାମ ପାଇଁ ପ୍ରକାଶ କରାଯାଇଥିବା ବିଜ୍ଞାପନରେ କୌଣସି ନମ୍ବର ଅଥବା ତାରିଖ ନଥିଲା । ଲକ୍‌ଡାଉନ୍‌ କାରଣରୁ ଖବରକାଗଜ ଆସୁନଥିବାରୁ ଅନ୍‌ଲାଇନ୍‌ରେ ଏହି ବିଜ୍ଞାପନକୁ ସ୍ପଷ୍ଟ ଭାବରେ ପ୍ରକାଶନ କରାଯାଇନଥିଲା । ଏପରିକି ସ୍ଥାନୀୟ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡିକୁ ପ୍ରଚାର ପ୍ରସାର ପାଇଁ ପଠାଯିବାର ଉଲ୍ଲେଖ ଥିବା ବେଳେ କୌଣସି ଅଫିସକୁ ସେହି ବିଜ୍ଞାପନ ପଠାଯାଇନଥିବା ଜଣାପଡିଛି । ଅନ୍ୟପକ୍ଷରେ ଉକ୍ତ ବାଲିଘାଟ ନିଲାମ ଇସ୍ତାହାରଟି ଅନଲାଇନରେ କଳାହାଣ୍ଡି ୱେବସାଇଟରେ ଏବଂ ଦୁଇଟି ଦୈନିକ ସମ୍ବାଦପତ୍ରରେ 10 ତାରିଖ ଦିନ ପ୍ରକାଶ କରାଯାଇଥିବା ତହସିଲ ପକ୍ଷରୁ କୁହାଯାଉଛି । ତେବେ ଅନ୍‌ଲାଇନ୍‌ରେ ପ୍ରକାଶିତ ବିଜ୍ଞାପନରେ କୌଣସି ନମ୍ବର ଏବଂ ତାରିଖ ପଡିନଥିବା ଜଣାପଡିଛି ।

ବିଡିଂ ଗୁଡିକ 27 ତାରିଖ ଅପରାହ୍ନ 1.30ରେ ଖୋଲାଯାଇଥିବା ବେଳେ 4 ତାରିଖରେ ଏହାର ଫଳାଫଳ ପ୍ରକାଶ ପାଇଥିଲା । ସେହିପରି ଅଧିକ ବିଡିଂ ଦାଖଲ କରିଥିବା ବିଡରଙ୍କୁ ଲିଜ୍‌ ନ ଦିଆଯାଇ ଏହାକୁ ସର୍ବନିମ୍ନ ବିଡରଙ୍କୁ ପ୍ରଦାନ କରାଯାଇଛି । ସମସ୍ତ କାଗଜପତ୍ର ସଠିକ୍‌ ରହିଥିବା ସତ୍ତ୍ବେ 171 ଟଙ୍କାର ବିଡିଂ ଦାଖଲ କରିଥିବା ବିଡରଙ୍କୁ ଅଯୋଗ୍ୟ ଘୋଷିତ କରାଯାଇ 86 ଟଙ୍କା ଦାଖଲ କରିଥିବା ବିଡରଙ୍କୁ ଲିଜ୍‌ ପ୍ରଦାନ କରାଯାଇଥିଲା । ଏନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିବା ବେଳେ ଜୁନାଗଡ ତହସିଲଦାର ଏହାକୁ ଖଣ୍ଡନ କରିଛନ୍ତି ।

Related posts