Categories
ଆଜିର ଖବର ଜାତୀୟ ଖବର

ଗୁଜୁରାଟରେ ଭାରତୀୟ ନାଗରିକତ୍ୱ ପାଇଲେ ୪୦ ପାକିସ୍ତାନୀ ହିନ୍ଦୁ, ଗୃହମନ୍ତ୍ରୀ ଦେଲେ ପ୍ରମାଣପତ୍ର

ନୂଆଦିଲ୍ଲୀ: ଗୁଜୁରାଟର ଗୃହମନ୍ତ୍ରୀ ହର୍ଷ ସାଙ୍ଗଭି ଅହମ୍ମଦାବାଦ କଲେକ୍ଟରେଟରେ ୪୦ ଜଣ ପାକିସ୍ତାନୀ ହିନ୍ଦୁଙ୍କୁ ଭାରତୀୟ ନାଗରିକତା ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଏକ ସରକାରୀ ପ୍ରକାଶନରେ କୁହାଯାଇଛି ଯେ, ୨୦୧୭ ପରଠାରୁ ମୋଟ ୧ ହଜାର ୩୨ ପାକିସ୍ତାନୀଙ୍କୁ ଜିଲ୍ଲା କଲେକ୍ଟର ନାଗରିକତ୍ୱ ପ୍ରଦାନ କରିଛନ୍ତି। ୨୦୧୬ ଏବଂ ୨୦୧୮ ର ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ ଅହମ୍ମଦାବାଦ, ଗାନ୍ଧିନଗର ଏବଂ କଚ୍ଛ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ଥାନରେ ରହୁଥିବା ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନଙ୍କ ସମେତ ସଂଖ୍ୟାଲଘୁଙ୍କୁ ନାଗରିକତ୍ୱ ପ୍ରଦାନ କରିବାକୁ କ୍ଷମତା ଦିଆଯାଇଛି।

ନାଗରିକତ୍ୱ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଇଣ୍ଟେଲିଜେନ୍ସ ବ୍ୟୁରୋ ଦଳ ଦ୍ୱାରା ଯାଞ୍ଚ କରାଯାଇଥାଏ। ପ୍ରକାଶ ଯେ, ୨୦୨୨ ମସିହାରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୦୭ ପାକିସ୍ତାନୀ ହିନ୍ଦୁଙ୍କୁ ଅହମ୍ମଦାବାଦର ଜିଲ୍ଲାପାଳଙ୍କ ଦ୍ୱାରା ଭାରତୀୟ ନାଗରିକତା ଦିଆଯାଇଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ମାର୍ଚ୍ଚ ମାସ ଆରମ୍ଭରେ ମଧ୍ୟ ଗୁଜୁରାଟ ସରକାର ପାକିସ୍ତାନର ୪୧ ହିନ୍ଦୁଙ୍କୁ ଭାରତର ନାଗରିକତ୍ୱ ହସ୍ତାନ୍ତର କରିଥିଲେ। ରାଜ୍ୟ ସରକାରଙ୍କ ଏକ ସରକାରୀ ପ୍ରକାଶନରେ ଏହି ସୂଚନା ଦିଆଯାଇଛି। ଅହମ୍ମଦାବାଦ ଜିଲ୍ଲାପାଳ ସନ୍ଦିପ ସାଗଲେଙ୍କ କାର୍ଯ୍ୟାଳୟରେ ୪୧ ଜଣଙ୍କୁ ଭାରତୀୟ ନାଗରିକତ୍ୱ ଦିଆଯାଇଥିଲା। ଭାରତୀୟ ନାଗରିକତ୍ୱ ପାଇବା ପରେ ପାକିସ୍ତାନୀ ହିନ୍ଦୁମାନେ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଥିଲେ। ଏବଂ ଭାରତର ନାଗରିକତ୍ୱ ପାଇ ଖୁସି ବ୍ୟକ୍ତ କରିଥିଲେ। ଅହମ୍ମଦାବାଦ ଜିଲ୍ଲାପାଳ ସନ୍ଦୀପ ସାଗଲେ କହିଛନ୍ତି ଯେ, ଯେଉଁମାନେ ନାଗରିକତ୍ୱ ପାଇଛନ୍ତି ସେମାନେ ୧୪ ରୁ ୭୦ ବର୍ଷ ବୟସ ବର୍ଗର ଅଟନ୍ତି।

Categories
ଆଜିର ଖବର ଜାତୀୟ ଖବର

ଗତ ବର୍ଷ କେତେ ଲୋକ ଛାଡିଛନ୍ତି ଭାରତୀୟ ନାଗରିକତ୍ୱ? ସଂସଦରେ ଉତ୍ତର ରଖିଲେ ସରକାର

ନୂଆଦିଲ୍ଲୀ: ଗତ କିଛି ବର୍ଷ ମଧ୍ୟରେ ଦେଶର ନାଗରିକଙ୍କ ମଧ୍ୟରେ ନାଗରିକତ୍ୱ ଛାଡିବାର ଧାରା ବୃଦ୍ଧି ପାଇଛି। ୨୦୨୧ ମସିହାରେ କେତେ ଭାରତୀୟ ନାଗରିକ ଦେଶର ନାଗରିକତ୍ୱ ଛାଡିଛନ୍ତି ଏବଂ କେତେ ଜଣ ଦେଶର ନାଗରିକତ୍ୱ ଗ୍ରହଣ କରିଛନ୍ତି ପ୍ରଶ୍ନରେ ସଂସଦରେ ସରକାର ଉତ୍ତର ରଖିଛନ୍ତି। ଏକ ଲିଖିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ସଂସଦକୁ କହିଛନ୍ତି ଯେ, ୨୦୨୧ ମସିହାରେ ୨୦୧୯ ବର୍ଷ ତୁଳନାରେ ମୋଟ ୧ ଲକ୍ଷ ୬୩ ହଜାର ୩୭୦ ଲୋକ ଭାରତର ନାଗରିକତ୍ୱ ଛାଡି ଅନୁ ଦେଶର ନାଗରିକତ୍ୱ ଗ୍ରହଣ କରିଛନ୍ତି।

ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ତରଫରୁ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ କହିଛନ୍ତି ଯେ, ୨୦୧୯ ମସିହାରେ ଏଠାରେ ଏହି ସଂଖ୍ୟା ଏକ ଲକ୍ଷ ୪୪ ହଜାର ୧୭ ଥିଲା। ସରକାର ଏହାର ଉତ୍ତରରେ ଉପସ୍ଥାପିତ ହୋଇଥିବା ସମୁଦାୟ ୧୨୩ ଟି ଦେଶର ତାଲିକାରେ, ଏପରି ୬ ଟି ଦେଶ ଅଛି ଯେଉଁଥିରେ ୨୦୨୧ ମସିହାରେ କୌଣସି ଭାରତୀୟ ନାଗରିକତ୍ୱ ଛାଡି ସେଠାରେ ନାଗରିକତ୍ୱ ଗ୍ରହଣ କରିନାହାନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୨୦୧୯ ରେ କୌଣସି ଭାରତୀୟ ମଧ୍ୟ ଭାରତର ନାଗରିକତ୍ୱ ଛାଡି ପାକିସ୍ତାନର ନାଗରିକତ୍ୱ ଗ୍ରହଣ କରିନାହାଁନ୍ତି।

୨୦୧୯ ମସିହାରେ କୌଣସି ଭାରତୀୟ ପାକିସ୍ତାନୀ ନାଗରିକତ୍ୱ ଗ୍ରହଣ କରିନଥିବାବେଳେ ୨୦୨୧ ମସିହାରେ ୪୧ ଜଣ ଭାରତୀୟ ପାକିସ୍ତାନର ନାଗରିକତ୍ୱ ଗ୍ରହଣ କରିଥିଲେ। ୨୦୨୦ ମସିହାରେ, ପାକିସ୍ତାନର ନାଗରିକତ୍ୱ ନେଇଥିବା ଭାରତୀୟଙ୍କ ସଂଖ୍ୟା ମାତ୍ର ୭ ଥିଲା। ଏହାର କାରଣ ମଧ୍ୟ ସରକାରଙ୍କୁ ପଚରାଯାଇଥିଲା, ଏହାର ଉତ୍ତରରେ ସରକାର କହିଛନ୍ତି ଯେ, ଏହିପରି ସମସ୍ତ ବ୍ୟକ୍ତି ବ୍ୟକ୍ତିଗତ କାରଣରୁ ନାଗରିକତ୍ୱ ଛାଡିଛନ୍ତି।

ଭାରତ ଛାଡି ଅନ୍ୟ ଦେଶରେ ବସବାସ କରିବା ପାଇଁ ସବୁଠାରୁ ଅଧିକ ପସନ୍ଦ ଦେଶ ମଧ୍ୟରେ ଆମେରିକା ଶୀର୍ଷରେ ଥିବା ବେଳେ ଅଷ୍ଟ୍ରେଲିଆ ଦ୍ଵିତୀୟ ପସନ୍ଦ ଦେଶ ହୋଇଛି। ଏଥି ସହିତ, ଭାରତୀୟଙ୍କ ନୂତନ ବସତି ସ୍ଥାନଗୁଡିକରେ କାନାଡା ତୃତୀୟ ସ୍ଥାନରେ ଅଛି। ସେହିଭଳି ବ୍ରିଟେନ ଚତୁର୍ଥ ସ୍ଥାନରେ ରହିଛି।