Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଭାରତୀୟ ସୀମାରେ ୧୦ ମିନିଟ ପର୍ଯ୍ୟନ୍ତ ଉଡିଲା ପାକିସ୍ତାନ ବିମାନ, ସତର୍କ ଥିଲା ବାୟୁସେନା

ନୂଆଦିଲ୍ଲୀ: ପାକିସ୍ତାନ ଏୟାରଲାଇନ୍ସର ଏକ ବିମାନ ହଠାତ୍ ଭାରତୀୟ ବାୟୁସୀମାରେ ପ୍ରବେଶ କରିଥିଲା। ଯାହାକୁ ନେଇ ଭାରତରେ ଉତ୍ତେଜନା ଦେଖାଦେଇଥିଲା। ଏହି ପାକିସ୍ତାନୀ ବିମାନ ପ୍ରାୟ ଦଶ ମିନିଟ୍ ପର୍ଯ୍ୟନ୍ତ ଭାରତୀୟ ବାୟୁସୀମାରେ ରହିଥିଲା। ବିମାନଟି ଭାରତରେ ପ୍ରବେଶ କରିବା ମାତ୍ରେ ସେନାକୁ ସତର୍କ କରାଯାଇଥିଲା। ଯଦିଓ କୌଣସି ପ୍ରକାରର ଘଟଣା ନଥିଲା ଏବଂ ଏହି ବିମାନ ଭାରତର ପଞ୍ଜାବରେ ୧୨୦ କିଲୋମିଟର ଉଡ଼ିବା ପରେ ନିଜ ଦେଶରେ ପ୍ରବେଶ କରିଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପାକିସ୍ତାନର ଲାହୋର ବିମାନବନ୍ଦରରେ ପ୍ରବଳ ବର୍ଷା ହେତୁ ବିମାନ ଅବତରଣ କରିପାରିନଥିଲା। ପରେ ପାକିସ୍ତାନୀ ବିମାନ ହଠାତ୍ ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥିଲା। ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ଗଣମାଧ୍ୟମ ନିଜ ରିପୋର୍ଟରେ କହିଛି ଯେ, ଯେତେବେଳେ ପାକିସ୍ତାନର ରାଷ୍ଟ୍ରାୟତ୍ତ ବିମାନର ପିକେ-୨୪୮ ବିମାନ ମେ ୪ ତାରିଖ ରାତି୮ ଟାରେ ଅବତରଣ କରିବା ପାଇଁ ଲାହୋର ବିମାନବନ୍ଦରରେ ପହଞ୍ଚିଥିଲା ​​ସେତେବେଳେ ସେଠାରେ ପ୍ରବଳ ବର୍ଷା ହୋଇଥିଲା। ଏହା ପରେ ପାଇଲଟ୍ ଏହାକୁ ଅନ୍ୟତ୍ର ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ।

ବିମାନଟିକୁ ଅଲାମା ଇକବାଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବାକୁ ପାଇଲଟ ଚେଷ୍ଟା କରିଥିଲେ। କିନ୍ତୁ ଏଠାରେ ସଫଳ ହୋଇନଥିଲେ। ଏହା ପରେ ପାଇଲଟଙ୍କୁ ଭାରତୀୟ ସୀମା ଅଞ୍ଚଳରେ ପ୍ରବେଶ କରିବାକୁ ବାଧ୍ୟ କରାଯାଇଥିଲା। ଅସୂଚନା ଅନୁଯାୟୀ, ଏଟିସିର ନିର୍ଦ୍ଦେଶ ଅନୁଯାୟୀ ପାଇଲଟ୍ ବୁଲିବା ଆରମ୍ଭ କରିଥିଲେ କିନ୍ତୁ ପ୍ରବଳ ବର୍ଷା ଏବଂ କମ୍ ଉଚ୍ଚତା ମଧ୍ୟରେ ବିମାନଟି ରାସ୍ତା ହରାଇଥିଲା। ଫଳସ୍ୱରୂପ, ବିମାନଟି ପଞ୍ଜାବର ବଧାନା ପୋଲିସ ଷ୍ଟେସନ ନିକଟରେ ରାତି ୮.୧୧ ରେ ଭାରତୀୟ ସୀମାରେ ପ୍ରବେଶ କରିଥିଲା। ବଧାନା ଅମୃତସର ଠାରୁ ୩୭ କିଲୋମିଟର ଦୂରରେ ଅବସ୍ଥିତ। ରିପୋର୍ଟ ଅନୁଯାୟୀ, ପାଇଲଟମାନେ ବିମାନକୁ ଭାରତୀୟ ବାୟୁସୀମାର ୨୦ ହଜାର ଫୁଟ ଉଚ୍ଚକୁ ନେଇଥିଲେ।

ଭାରତୀୟ ସୀମା ଅଞ୍ଚଳରେ ପ୍ରାୟ ଦଶ ମିନିଟ୍ ଉଡ଼ିବା ପରେ ପାକିସ୍ତାନୀ ବିମାନ ୮.୨୨ ମିନିଟରେ ନିଜ ସୀମା ଅଞ୍ଚଳକୁ ଫେରିଗଲା। ସେହି ସମୟରେ ବିମାନଟି ୨୩ ହଜାର ଫୁଟ ଉଚ୍ଚରେ ଥିଲା ଏବଂ ଘଣ୍ଟା ପ୍ରତି ୩୨୦ କିଲୋମିଟର ବେଗରେ ଉଡୁଥିଲା।

Categories
ଆଜିର ଖବର ଜାତୀୟ ଖବର

ଭାରତୀୟ ସୀମା ନିକଟରେ ଉଡୁଥିଲା ପାକିସ୍ତାନ ଡ୍ରୋନ୍, ଗୁଳି କରି ଖସାଇଲା ବିଏସ୍ଏଫ୍

ନୂଆଦିଲ୍ଲୀ: ପଞ୍ଜାବର ଭାରତ ଏବଂ ପାକିସ୍ଥାନ ସୀମା ନିକଟରେ ସୀମା ସୁରକ୍ଷା ବାହିନୀ (ବିଏସଏଫ) ଡ୍ରୋନକୁ ଜବତ କରିଛି। ଆଜି ବିଏସଏଫ ଏହି ସୂଚନା ଦେଇଛି। ଫିରୋଜେପୁର ସେକ୍ଟରର ୱାନ ସୀମା ପୋଷ୍ଟ ନିକଟରେ ଶୁକ୍ରବାର ରାତି ପ୍ରାୟ ୧୧.୧୦ ସମୟରେ ଚାଇନାର ନିର୍ମିତ ଡ୍ରୋନ୍‌କୁ ଗୁଳି କରି ଖସାଇ ଦିଆଯାଇଛି।

ଅନ୍ତର୍ଜାତୀୟ ସୀମାଠାରୁ ପ୍ରାୟ ୩୦୦ ମିଟର ଏବଂ ସୀମା ବାଡରୁ ୧୫୦ ମିଟର ଦୂରରେ କଳା ରଙ୍ଗର ଏହି ଡ୍ରୋନକୁ ଗୁଳିକରି ଖସାଇଦେଇଥିବା ସୁରକ୍ଷା ବାହିନୀ ପକ୍ଷରୁ କୁହାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର

ଆଜି ଭାରତ ଆତଙ୍କବାଦୀଙ୍କୁ ସେମାନଙ୍କ ଘରେ ପଶି ମାରୁଛି’ ଦୀପାବଳିରେ ସେନାଙ୍କୁ ଏପରି କହିଲେ ମୋଦୀ

ନୂଆଦିଲ୍ଲୀ, ସେନାବାହିନୀ ଯବାନଙ୍କ ସହିତ ଦୀପାବଳି ପାଳନ କରିବାର ପରମ୍ପରାକୁ ବଜାୟ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ସୀମାର ଲୋଙ୍ଗେୱାଲା ପୋଷ୍ଟରେ ଯବାନଙ୍କ ସହିତ ଆଲୋଚନା କରିବା ସହ ସେମାନଙ୍କୁ ଉଦବୋଧନ ଦେଇଥିଲେ। ସେ କହିଥିଲେ ଯେ ବରଫ ଆଚ୍ଛାଦିତ ପର୍ବତ କିମ୍ବା ମରୁଭୂମିରେ ସେନାବାହିନୀର ଯବାନଙ୍କ ସହିତ ନଥିଲେ ତାଙ୍କର ଦୀପାବଳି ସମ୍ପୂର୍ଣ୍ଣ ହୋଇନଥାଏ। ସୀମାରେ ସେ ସେନାବାହିନୀର ଯବାନମାନଙ୍କୁ ଦେଶବାସୀଙ୍କ ପକ୍ଷରୁ ଶୁଭେଚ୍ଛା, ଆଶୀଷ ଓ ଅଭିନନ୍ଦନ ଜଣାଇଥିଲେ।

ସେ ମଧ୍ୟ ସାହାସୀ ମା’ ଓ ଭଉଣୀମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କ ବଳିଦାନ ପ୍ରତି କୃତଜ୍ଞତା ବ୍ୟକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ସେନାବାହିନୀକୁ ଦେଶବାସୀଙ୍କ ପକ୍ଷରୁ କୃତଜ୍ଞତା ଜଣାଇଥିଲେ ଏବଂ କହିଥିଲେ ଯେ 130 କୋଟି ଦେଶବାସୀ ସେମାନଙ୍କ ସହିତ ଛିଡ଼ା ହୋଇଛନ୍ତି।

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଆକ୍ରମଣକାରୀ ଓ ଅନୁପ୍ରବେଶକାରୀଙ୍କୁ ଜବାବ ଦେବାର ସାମର୍ଥ୍ୟ ରଖୁଥିବା ରାଷ୍ଟ୍ର ସୁରକ୍ଷିତ ରହିଥାଏ। ସେ କହିଥିଲେ ଯେ ଅନ୍ତର୍ଜାତୀୟ ସହଯୋଗ ବୃଦ୍ଧି ଏବଂ ସମୀକରଣରେ ପରିବର୍ତ୍ତନ ହୋଇଥିଲେ ମଧ୍ୟ ଆମେ ସୁରକ୍ଷା ପ୍ରତି ସଜାଗ ରହିବା ଭୁଲିଯିବା ଉଚିତ ନୁହେଁ। ସତର୍କତା ଆନନ୍ଦର ଆଧାର ଏବଂ ସାମର୍ଥ୍ୟ ବିଜୟର ଆତ୍ମବିଶ୍ୱାସ।

ପ୍ରଧାନମନ୍ତ୍ରୀ ମୋଦୀ ଭାରତର ନୀତିକୁ ସ୍ପଷ୍ଟ କରି ଦେଇଥିଲେ- ଆଜିର ଭାରତ ବୁଝିବା ଏବଂ ବୁଝାଇବାରେ ବିଶ୍ୱାସ କରିଥାଏ, ତେବେ ଯଦି ଆମର ପରୀକ୍ଷା ନେବାକୁ ଚେଷ୍ଟା କରାଯାଏ, ଆମର ଯବାନ ଅନୁରୂପ ଭାବେ ଦୃଢ଼ ହୋଇଥାଏ।

ସେ ଆଜି ଘୋଷଣା କରି କହିଥିଲେ, ସାରା ବିଶ୍ୱ ଜାଣିଛି ଯେ ଏହି ଦେଶ କେବେହେଲେ ତାର ଜାତୀୟ ସ୍ୱାର୍ଥ ସହ ସାଲିସ କରିବ ନାହିଁ। ସାହସ ଓ ସାମର୍ଥ୍ୟ ପାଇଁ ଭାରତ ଆଜି ଏହି ସ୍ଥିତି ହାସଲ କରିଛି। ସେନାବାହିନୀ ଯୋଗାଇ ଦେଇଥିବା ସୁରକ୍ଷା କାରଣରୁ ଭାରତ ଆଜି ଅନ୍ତର୍ଜାତୀୟ ମଞ୍ଚରେ ସୁଦୃଢ଼ ଭାବେ ନିଜର ସ୍ଥିତି ଜାହିର କରିପାରିଛି। ଭାରତର ସାମରିକ ଶକ୍ତି ଏହାର ଜବାବୀ କ୍ଷମତାକୁ ବଢ଼ାଇ ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଆଜି ଭାରତ ଆତଙ୍କବାଦୀଙ୍କୁ ସେମାନଙ୍କ ଘରେ ମାରୁଛି। ବିସ୍ତାରବାଦର ବିଚାରଧାରା ବିରୋଧରେ ଭାରତ ଆଜି ଦୃଢ଼ ପ୍ରତିରୋଧକାରୀ ଶକ୍ତି ଭାବେ ଉଭା ହୋଇଛି ବୋଲି ସେ କହିଥିଲେ।

ଆତ୍ମନିର୍ଭର ଭାରତ ଏବଂ ‘ଭୋକାଲ ଫର ଲୋକାଲ’ ବିଷୟରେ ଜୋର ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ନିକଟରେ 100ରୁ ଅଧିକ ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧ ସରଞ୍ଜାମ ଆମଦାନୀ ନକରିବା ଲାଗି ସେନାବାହିନୀ ନିଷ୍ପତ୍ତି ନେଇଛି। ଭୋକାଲ ଫର ଲୋକାଲ ହେବା କ୍ଷେତ୍ରରେ ନେତୃତ୍ଵ ନେବା ପାଇଁ ସେ ସେନାବାହିନୀକୁ ପ୍ରଶଂସା ଜଣାଇଥିଲେ।

ସେନାବାହିନୀର ଆବଶ୍ୟକତାକୁ ପୂରଣ କରିବା ଲାଗି ବହୁସଂଖ୍ୟକ ଷ୍ଟାର୍ଟଅପ ଆଗେଇ ଆସୁଥିବା ସମୟରେ ଦେଶର ଯୁବକମାନଙ୍କୁ ସେନାବାହିନୀ ପାଇଁ ଅଧିକ ନିର୍ମାଣ କରିବା ଲାଗି ଶ୍ରୀ ମୋଦୀ ଆହ୍ୱାନ କରିଥିଲେ। ସେ ଆଶାବ୍ୟକ୍ତ କରିଥିଲେ ଯେ ଯୁବକମାନଙ୍କ ନେତୃତ୍ଵରେ ପ୍ରତିରକ୍ଷା କ୍ଷେତ୍ରରେ ଷ୍ଟାର୍ଟଅପଗୁଡ଼ିକ ଦେଶକୁ ଆତ୍ମନିର୍ଭର ଭାରତ ମାର୍ଗରେ ନେଇଯିବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେନାବାହିନୀ ଦ୍ୱାରା ଅନୁପ୍ରାଣିତ ହୋଇ, ମହାମାରୀ ସମୟରେ ପ୍ରତ୍ୟେକ ନାଗରିକଙ୍କ ଜୀବନ ରକ୍ଷା ଲାଗି ଦେଶ ପ୍ରୟାସ କରୁଛି। ନାଗରିକମାନଙ୍କ ପାଇଁ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ସହିତ ଦେଶ ଅର୍ଥବ୍ୟବସ୍ଥାକୁ ପୁଣିଥରେ ବିକାଶମାର୍ଗକୁ ଫେରାଇ ଆଣିବା ଲାଗି କାର୍ଯ୍ୟ କରୁଛି।

ପ୍ରଧାନମନ୍ତ୍ରୀ ସେନାଯବାନମାନଙ୍କୁ ତିନୋଟି କଥା ମାଗିଥିଲେ, ପ୍ରଥମତଃ, ନବୋନ୍ମେଷକୁ ନିଜର ଦୈନନ୍ଦିନ ଜୀବନର ଅଂଶବିଶେଷ କରିବା। ଦ୍ୱିତୀୟତଃ, ଯୋଗକୁ ଜୀବନର ଅଂଶବିଶେଷ କରିବା ଏବଂ ଶେଷରେ, ମାତୃଭାଷା, ହିନ୍ଦୀ ଓ ଇଂରାଜୀକୁ ବାଦ ଦେଲେ ଅନ୍ୟ ଗୋଟିଏ ଭାଷା ଶିଖିବା।

ପ୍ରଧାନମନ୍ତ୍ରୀ ଲୋଙ୍ଗେୱାଲାର ଗୌରବଶାଳୀ ଯୁଦ୍ଧ ବିଷୟରେ ସ୍ମରଣ କରି କହିଥିଲେ, ଏହି ଯୁଦ୍ଧ ସବୁବେଳେ ରଣନୈତିକ ଯୋଜନା ଏବଂ ସାମରିକ ସାହସ ପାଇଁ ସ୍ମରଣୀୟ ହୋଇ ରହିବ। ସେ କହିଥିଲେ ଯେ ଏହି ସମୟରେ ବାଂଲାଦେଶର ନାଗରିକମାନଙ୍କୁ ଆତଙ୍କିତ କରୁଥିବା ଏବଂ ନିରୀହ ଝିଅ ଓ ଭଉଣୀମାନଙ୍କ ଉପରେ ଅତ୍ୟାଚାର କରୁଥିବା ପାକିସ୍ତାନର ଅସଲ ମୁଖା ଖୋଲିଯାଇଥିଲା। ପାକିସ୍ତାନ ବିଶ୍ୱର ଦୃଷ୍ଟି ଆକର୍ଷଣ କରିବା ଲାଗି ପଶ୍ଚିମ ସୀମାରେ ଯୁଦ୍ଧ ଆରମ୍ଭ କରିଥିଲା କିନ୍ତୁ ଆମର ସେନାବାହିନୀ ଏହାର ଦୃଢ଼ ଜବାବ ଦେଇଥିଲେ।