ମୁମ୍ବାଇ: ଭାରତ ସରକାରଙ୍କ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନସ୍ଥ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି) ମହୁମାଛି ଦିବସ -୨୦୨୫ ମୁମ୍ବାଇର ଭିଲେ ପାର୍ଲେ, ଇର୍ଲା ରୋଡ ସ୍ଥିତ ଏହାର କେନ୍ଦ୍ରୀୟ କାର୍ଯ୍ୟାଳୟରେ ପାଳନ କରିଛି। ଏବର୍ଷ ବିଶ୍ୱ ମଧୁ କ୍ରାନ୍ତି ଉତ୍ସବ’ ଶୀର୍ଷକରେ ଏହାର ପାଳନ କରାଯାଇଛି। ଏହି ବର୍ଷର ଉତ୍ସବର ବିଷୟବସ୍ତୁ ଥିଲା “ମହୁମାଛି ଆମ ସମସ୍ତଙ୍କୁ ପୋଷଣ କରିବା ପାଇଁ ପ୍ରକୃତି ଦ୍ୱାରା ଅନୁପ୍ରାଣିତ”, ଯାହା ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ଶ୍ଵେତ ବିପ୍ଳବ” କୁ ଏକ ମଧୁର ବିପ୍ଳବରେ ପରିଣତ କରିବାର ଦୃଷ୍ଟିକୋଣ ସହିତ ସମନ୍ୱୟ ରଖୁଛି।
ମୁଖ୍ୟ ଅତିଥି ଭାବରେ ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି) ର ଅଧ୍ୟକ୍ଷ ମନୋଜ କୁମାର ଏହାର ଉଦଘାଟନ କରିଥିଲେ। ଏହି ଅବସରରେ କେଭିଆଇସି ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଶ୍ରୀମତୀ ରୂପ ଉପସ୍ଥିତ ଥିଲେ। ଏହି ଉତ୍ସବରେ ମହାରାଷ୍ଟ୍ରର ବିଭିନ୍ନ ଜିଲ୍ଲାର ହିତାଧିକାରୀ ମହୁମାଛି ପାଳନକାରୀ, ପ୍ରଶିକ୍ଷାର୍ଥୀ, ବୈଜ୍ଞାନିକ, ସଫଳ ମହୁମାଛି ପାଳକ, ଛାତ୍ର ଏବଂ ବିଷୟ ବିଶେଷଜ୍ଞମାନେ ଅଂଶଗ୍ରହଣ କରିଥିଲେ। ଏହା ଗ୍ରାମୀଣ ଭାରତରେ ନବସୃଜନ, ପ୍ରେରଣା ଏବଂ ଆତ୍ମନିର୍ଭରଶୀଳତାର ଏକ ପ୍ରକୃଷ୍ଟ ପ୍ରଦର୍ଶନ ଓ ଏକ ବୈଷୟିକ ମଞ୍ଚ ଭାବରେ କାର୍ଯ୍ୟକରିଥିଲା।
ମୁଖ୍ୟ ଅତିଥି ମନୋଜ କୁମାର ତାଙ୍କ ଉଦଘାଟନୀ ଭାଷଣରେ ମହୁମାଛିର ପରିବେଶଗତ ଏବଂ ଆର୍ଥିକ ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରି କହିଥିଲେ, “ମହୁମାଛି ଆମର ପରିବେଶର ମେରୁଦଣ୍ଡ, ସେମାନେ କେବଳ ମହୁ ଉତ୍ପାଦନ କରନ୍ତି ନାହିଁ ବରଂ ପରାଗ ସଂଗମ ମାଧ୍ୟମରେ କୃଷିକୁ ସମୃଦ୍ଧ କରନ୍ତି ଏବଂ ପରିବେଶ ସଂରକ୍ଷଣରେ ଯୋଗଦାନ ଦିଅନ୍ତି। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ, ମହୁ ମିଶନ ଗ୍ରାମୀଣ ଭାରତରେ ଜୀବିକା ନିର୍ବାହର ଏକ ପ୍ରମୁଖ ଉତ୍ସ ପାଲଟିଛି। ପ୍ରଧାନମନ୍ତ୍ରୀ ‘ମଧୁ ବିପ୍ଳବ’ ପାଇଁ ଆହ୍ୱାନ ଦେବା ସମୟରେ, ସେ ଏକ ନୂତନ ପଥ ପ୍ରଶସ୍ତ କରିଥିଲେ ଯେଉଁଠାରେ ମହୁ ଉତ୍ପାଦନ ଆର୍ଥିକ ଏବଂ ସ୍ୱାସ୍ଥ୍ୟ ସମୃଦ୍ଧିର ଏକ ଉତ୍ସ ପାଲଟିଥିଲା। ଏହି ଦିଗରେ କେଭିଆଇସିର କାର୍ଯ୍ୟଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ଏହି ଅବସରରେ ଅଧ୍ୟକ୍ଷ, ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ, ମହୁ ମିଶନ ଅଧୀନରେ ଉଲ୍ଲେଖନୀୟ ସଫଳତା ଉପରେ ଆଲୋକପାତ କରିଥିଲେ। ଆଜି ପର୍ଯ୍ୟନ୍ତ, କେଭିଆଇସି ସାରା ଦେଶରେ ୨,୨୯,୪୦୯ ରୁ ଅଧିକ ମହୁ ବାକ୍ସ ଏବଂ ମହୁମାଛି ଫେଣା ବଣ୍ଟନ କରିଛି, ଯାହା ଫଳରେ ପ୍ରାୟ ୨୦,୦୦୦ ମେଟ୍ରିକ୍ ଟନ୍ ମହୁ ଉତ୍ପାଦନ ହୋଇଛି , ଯାହା ମହୁମାଛି ପାଳନକାରୀଙ୍କ ପାଇଁ ୩୨୫ କୋଟି ଟଙ୍କାର ଆୟ ସୃଷ୍ଟି କରିଛି। ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ୨୦୨୪-୨୫ ଆର୍ଥିକ ବର୍ଷରେ , କେଭିଆଇସି ସହିତ ଜଡିତ ମହୁମାଛି ପାଳନକାରୀମାନେ ୨୫ କୋଟି ଟଙ୍କାର ମହୁ ରପ୍ତାନି କରିଥିଲେ।
ଏହି କାର୍ଯ୍ୟକ୍ରମରେ କେଭିଆଇସିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରୂପ ରାଶି କହିଥିଲେ, “ମଧୁ ମିଶନ କେବଳ ଏକ ଯୋଜନା ନୁହେଁ; ଏହା ଏକ ସାମଗ୍ରିକ ଜୀବିକା ମଡେଲ। ଆଜି, ଗ୍ରାମାଞ୍ଚଳର ହଜାର ହଜାର ଯୁବକ, ମହିଳା ଏବଂ ଚାଷୀ ଏହି ମିଶନ ମାଧ୍ୟମରେ ନିଯୁକ୍ତି ପାଉଛନ୍ତି। କେଭିଆଇସି ଦ୍ୱାରା ବିକଶିତ ମହୁ ପ୍ରକ୍ରିୟାକରଣ ପ୍ଲାଣ୍ଟ, ତାଲିମ କେନ୍ଦ୍ର ଏବଂ ମାର୍କେଟିଂ ନେଟୱାର୍କ ମହୁମାଛି ପାଳନକୁ ଆତ୍ମନିର୍ଭରଶୀଳତାର ଏକ ସଠିକ୍ ପଥ କରିଛି।”
ଏହି କାର୍ଯ୍ୟକ୍ରମରେ ୧୯୬୨ ମସିହାରେ ପ୍ରତିଷ୍ଠିତ କେନ୍ଦ୍ରୀୟ ମହୁମାଛି ଗବେଷଣା ଏବଂ ତାଲିମ ପ୍ରତିଷ୍ଠାନ (ସିବିଆରଟିଆଇ), ପୁଣେର ଐତିହାସିକ ଅବଦାନ ଉପରେ ଆଲୋକପାତ କରାଯାଇଥିଲା। ଏହି ପ୍ରତିଷ୍ଠାନ ୫୦,୦୦୦ରୁ ଅଧିକ ମହୁମାଛି ପାଳନକାରୀଙ୍କୁ ଆଧୁନିକ ମହୁମାଛି ଚାଷ କୌଶଳରେ ତାଲିମ ଦେଇଛି। ସିବିଆରଟିଆଇର ଭୂମିକା ମହୁ ଉତ୍ପାଦନ ବ୍ୟତୀତ ପରାଗରେଣୁ ମାଧ୍ୟମରେ କୃଷି ଏବଂ ଉଦ୍ୟାନ କୃଷି ଉତ୍ପାଦକତା ବୃଦ୍ଧି, ମହୁମାଛି ସମ୍ବନ୍ଧୀୟ ଗବେଷଣାକୁ ପ୍ରୋତ୍ସାହିତ କରିବା ଏବଂ ଗ୍ରାମୀଣ ଉଦ୍ୟୋଗକୁ ପୋଷଣ କରିବା ପର୍ଯ୍ୟନ୍ତ ବିସ୍ତାରିତ।
କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବୈଜ୍ଞାନିକମାନେ ମତବ୍ୟକ୍ତ କରିଥିଲେ କି ମହୁମାଛି ଯେ କେବଳ ମହୁ ଉତ୍ପାଦନ କରୁଛି ତାହା ନୁହେଁ, ମହୁମାଛି ଦ୍ବାରା ୭୫% ଖାଦ୍ୟ ଫସଲର ପରାଗସଂଗମ ହୋଇଥାଏ ଏବଂ ମହୁମାଛି ବିନା, ପ୍ରାୟ ୩୦% ଖାଦ୍ୟ ଫସଲ ଓ ୯୦% ବନ୍ୟ ଉଦ୍ଭିଦ ପ୍ରଜାତି ଗୁରୁତର ବିପଦର ସମ୍ମୁଖୀନ ହୋଇପାରନ୍ତି।
ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପିଲାମାନେ ନାଟକ ପରିବେଷଣ କରିଥିଲେ, କବିତା ପାଠ କରିଥିଲେ ଏବଂ ପ୍ରବନ୍ଧ ଲେଖିଥିଲେ, ଯାହା ଉତ୍ସବକୁ ସୃଜନଶୀଳତା ଏବଂ ଉତ୍ସାହରେ ଭରି ଦେଇଥିଲା। ଏହି ଅବସରରେ ସାରା ଦେଶରୁ ଭର୍ଚୁଆଲ ମାଧ୍ୟମରେ ଯୋଡି ହୋଇଥିବା ହିତାଧିକାରୀମାନେ ସେମାନଙ୍କର ସଫଳତାର କାହାଣୀ ବାଣ୍ଟିଥିଲେ। କେଭିଆଇସି ଅଧିକାରୀ, କର୍ମଚାରୀ ଏବଂ ବିଶିଷ୍ଟ ବ୍ୟକ୍ତିମାନେ ଏହି ଅବସରରେ ଯୋଗ ଦେଇଥିଲେ, ଯାହାଦ୍ବାରା ବିଶ୍ୱ ମହୁମାଛି ଦିବସ ୨୦୨୫ ଏକ ସ୍ମରଣୀୟ ଏବଂ ପ୍ରଭାବଶାଳୀ ଉତ୍ସବ ହୋଇପାରିଥିଲା।