Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ମୋଗଲ ଆଫଗାନ ସମୟରେ ବାଣପୁର ଥିଲା ଶ୍ରୀ ଜଗନ୍ନାଥଙ୍କ ନିରାପଦ ଲୀଳାସ୍ଥଳ

ସୀତାରାମ ଅଗ୍ରୱାଲ

ବାଣପୁର: ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ, ପୁରୀ, ଓଡିଶା ଓ ଭାଷା ସୁରକ୍ଷା ସମ୍ମିଳନୀ ଚିଲିକା, ବାଣପୁରଙ୍କ ମିଳିତ ଆନୁକୂଲ୍ୟରେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ସାହସପୁର ଗ୍ରାମ ଠାରେ ଶ୍ରୀ ଜଗନ୍ନାଥଙ୍କ ଗୁପ୍ତ ଲୀଳାକ୍ଷେତ୍ର ନୀଳାଦ୍ରୀ ପ୍ରସାଦ ଓ ସାହସପୁର ଦଧିବାମନ ମନ୍ଦିର ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଟ୍ରଷ୍ଟର ସମ୍ପାଦକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଆଲୋଚନା ଚକ୍ରରେ ଅଧ୍ୟକ୍ଷତା କରିଥିଲେ।

ଏହି ବୌଦ୍ଧିକ ଆଲୋଚନା ଚକ୍ରରେ ଓଡିଶାରୁ ବହୁ ଐତିହାସିକ ଓ ଜଗନ୍ନାଥ ସଂସ୍କୃତି ଗବେଷକ ଯୋଗ ଦେଇଥିଲେ। ଆଲୋଚନା ଚକ୍ରରେ ମତ ପ୍ରକାଶ ପାଇଲା ଯେ ମୋଗଲ ଆଫଗାନ ଶାସନ ସମୟରେ ଜଗନ୍ନାଥ ସଂସ୍କୃତିକୁ ଧ୍ବଂସ କରିବା ପାଇଁ ମୋଗଲ ସୁବେଦାର ମାନେ ଶ୍ରୀମନ୍ଦିରକୁ ବାରମ୍ବାର ଆକ୍ରମଣ କରିଛନ୍ତି।

ଖ୍ରୀଷ୍ଟାବ୍ଦ ୧୬୦୭ ରୁ ୧୭୩୩ ମଧ୍ୟରେ ମାଦଳା ପାଞ୍ଜି ପ୍ରମାଣ ଆଧାରରେ ବାଣପୁରର ଅନ୍ଧାର ମହିମ, ଗବପଦର, ବଡ଼ ହନ୍ତୁଆଡ଼ ନଈରେ ନୀଳାଦ୍ରୀ ପ୍ରସାଦ, ବଙ୍କାଡ, ସାହସପୁର ଓ ଚାଷଙ୍ଗରା ଆଦି ସ୍ଥାନରେ ମହାପ୍ରଭୁଙ୍କୁ ଗୋପନରେ ରଖାଯାଇଥିଲା।

ସାହସପୁର ଦଧିବାମନ ମନ୍ଦିରରେ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନଙ୍କ ସହ ଦଧିବାମନ ମୂର୍ତ୍ତି ରହିଛନ୍ତି। ଏହି ଦଧିବାମନଙ୍କୁ ବଙ୍କାଡ଼ ଗଡ଼ର ଗମ୍ଭୀରା ଦିଅଁ କୁହାଯାଏ।

ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ପାରିକୁଦ କୃଷ୍ଣପ୍ରସାଦ ଗଡ଼ର ରାଜା ସନ୍ତୋଷ ମୋହନ ମାନସିଂ ହରିଚନ୍ଦନ ମର୍ଦ୍ଧରାଜ ଭ୍ରମରବର ଦେବ ଉଦଘାଟନ କରି କହିଥିଲେ ଯେ, ଶ୍ରୀ ଜଗନ୍ନାଥଙ୍କ ସୁରକ୍ଷାରେ ପ୍ରାଚୀନ ବଙ୍କାଡ଼ ଗଡ଼ର ରାଜବଂଶ ସହ ବାଣପୁର ବାରଗଡ଼ ଯଥା ଅରାଙ୍ଗ, ଭାଟପଡା, ଛତ୍ରଗଡ଼, ଚମ୍ପାଗଡ଼, ପଞ୍ଚୁପଲ୍ଲୀ ଓ କୁହୁଡି ଗଡର ପାଇକ ମାନେ ଅହମେଦବେଗକୁ ମଙ୍ଗଳାଯୋଡ଼ି ଠାରେ ପରାସ୍ତ କରିବା ପାଇଁ ପୁରୀ ଗଜପତି ରାଜା ନରସିଂହ ଦେବଙ୍କୁ ସାହାଯ୍ୟ କରିଥିଲେ।

ସମ୍ମାନିତ ବକ୍ତା ଭାବେ ଯଥାକ୍ରମେ ଐତିହାସିକ ମଦନ ମୋହନ ମହାପାତ୍ର, ଡକ୍ଟର ଚନ୍ଦ୍ରଶେଖର ଦାଶ, ଅଧ୍ୟାପକ ସର୍ବେଶ୍ୱର ଷଡ଼ଙ୍ଗୀ, ଡକ୍ଟର ବଳରାମ ଦାଶ, ସ୍ତମ୍ଭକାର ଗୁରୁଚରଣ ଦାସ, ଗବେଷକ ସୁରେଶ କୁମାର ପଟ୍ଟନାୟକ ଓ ସାହିତ୍ୟିକ ରଙ୍କନାଥ ସେଠି ପ୍ରମୁଖ ମଂଚାସୀନ ଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅଧ୍ୟାପକ ଭାରତୀ ଭୂଷଣ ଦାସ ଆଲୋଚନା ଚକ୍ରର ଆଭିମୁଖ୍ୟ ବର୍ଣ୍ଣନା କରିଥିବା ବେଳେ ସାହସପୁର ଟ୍ରଷ୍ଟ ବୋର୍ଡ ସଭାପତି ଅସିତ ବରନ ବଳିୟାରସିଂ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଗୁପ୍ତ ଲୀଳାକ୍ଷେତ୍ର ବାଣପୁର ଦର୍ପଣ ସୂଚନା ପତ୍ରିକା ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା।

କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଭାଷା ସୁରକ୍ଷା ସମିଳନୀର ସଭାପତି ରଙ୍କନାଥ ସେଠି।

ଏହି ଅବସରରେ ଡକ୍ଟର ସସ୍ମିତା ମିଶ୍ର, ଇଂ କେଶବ ଚନ୍ଦ୍ର ପାତ୍ର, ଶେଷଦେବ ମହାରଣା, ଅଧିବକ୍ତା ଭାଗବତ ପ୍ରସାଦ ପଟ୍ଟନାୟକ, ରତିକାନ୍ତ ପ୍ରତିହାରୀ, ରଘୁନାଥ ମହାପାତ୍ର, ସନ୍ଧ୍ୟା ଦେବୀ, ବିଷ୍ନୁପ୍ରିୟା ବାରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଉତ୍ସବ ପ୍ରାରମ୍ଭରେ ମା’ ଭଗବତୀ କଳା ନିକେତନ କଳାକାରଙ୍କ ଦ୍ୱାରା ଭକ୍ତିସଂଗୀତ ଓ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ଆଲୋଚନା ଚକ୍ରକୁ ଅଶୋକ କୁମାର ମହାନ୍ତି, ତପନ ସେଠି, ପ୍ରଫେସର ଦେବରାଜ ପ୍ରଧାନ, ରଘୁନାଥ ମହାରଣା, ସୋମନାଥ ପ୍ରଧାନ, ସୁଶାନ୍ତ ଦାସ ପ୍ରମୁଖ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ: ରାଜ୍ୟସ୍ତରୀୟ ଭାଷା ସୁରକ୍ଷା ସମ୍ମିଳନୀ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବାଲୁଗାଁ ସ୍ଥିତ ଗୋପିନାଥ ପୁର ଗଜଲକ୍ଷ୍ମୀ କଲ୍ୟାଣ ମଣ୍ଡପ ଠାରେ ସଭାପତି କବି ତଥା ସାହିତ୍ୟିକ ରଙ୍କନାଥ ସେଠିଙ୍କ ପୌରୋହିତ୍ୟରେ ଦଶମ ରାଜ୍ୟସ୍ତରୀୟ ଭାଷା ସୁରକ୍ଷା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି।

ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଡଃ ସ୍ଵର୍ଣ୍ଣଲତା ପରିଡା କାର୍ଯ୍ୟକ୍ରମକୁ ଉଦଘାଟିତ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ରେଭେନ୍ସା ବିଶ୍ବବିଦ୍ୟାଳୟର ପ୍ରଫେସର ଡ଼ଃ ବିଜୟାଲକ୍ଷ୍ମୀ ଦାଶ ଓ ସମ୍ମାନୀତ ଅତିଥି ଭାବରେ ବରିଷ୍ଠ ଐତିହାସିକ ତଥା ରାଜ୍ୟର ଭାଷା ସୁରକ୍ଷା ସମ୍ମିଳନୀର କର୍ଣ୍ଣଧାର ସତ୍ୟବାଦୀ ବଳିଆରସିଂହ, ନରେଶ ଚନ୍ଦ୍ର ରାୟ ମହାପାତ୍ର, ଡ଼ଃ ଶରତ ଚନ୍ଦ୍ର ମାଝି, ଦଣ୍ଡପାଣି ମହାପାତ୍ର, ରବି ରଥ, ବରିଷ୍ଠ ସାମ୍ବାଦିକ ଅଶ୍ଵିନୀ ମହାପାତ୍ର ପ୍ରମୁଖ ଯୋଗ ଦେଇ ଓଡିଆ ଭାଷା ସୁରକ୍ଷା ଓ ତାହାର ପ୍ରତିକାର ଶୀର୍ଷକ ବିଷୟବସ୍ତୁ ଉପରେ ଗୁରୁତ୍ୱାରୋପ କରିଥିଲେ।

ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ବାଣପୁର ଉପ ନିବନ୍ଧକ ରମେଶ ଚନ୍ଦ୍ର ପାଣି ଓ ରବୀନ୍ଦ୍ର ପ୍ରଧାନ ପ୍ରମୁଖ ଭାଷା ସୁରକ୍ଷା ସମ୍ପର୍କିତ ବହୁମୁଖୀ ଅଭିଭାଷଣ ଦେଇଥିଲେ।ସମ୍ପାଦକ ଅଧିବକ୍ତା ଶେଷଦେବ ମହାରଣା ସଂଗଠନର ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ ସଂଗଠିକା ବ୍ୟଙ୍ଗ କବୟିତ୍ରୀ କୁନ୍ତଳା କୁମାରୀ ବେହେରା ମଞ୍ଚାସିନ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ।

ସଂଗଠନର ଉପଦେଷ୍ଟା ସର୍ବେଶ୍ଵର ଷଡ଼ଙ୍ଗୀ ଓ ମଦନ ମୋହନ ମହାପାତ୍ର ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଏହି ଉତ୍ସବରେ ପ୍ରାୟ ଶତାଧିକ କବି ଓ ସାହିତ୍ୟିକ ସେମାନଙ୍କର ରଚିତ କବିତା ପାଠ କରିଥିଲେ। ଏହାକୁ ଗୀତିକାର ତଥା କବି ଗୋପୀନାଥ ଦାସ, ଇତିଶ୍ରୀ ସାହୁ ପ୍ରମୁଖ ସଂଯୋଜନା କରିଥିଲେ।ଏହି ଉତ୍ସବରେ ବହୁ ବିଶିଷ୍ଟ ପ୍ରତିଭାସମ୍ପନ୍ନ ବ୍ୟକ୍ତିବିଶେଷ ମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା।