Categories
ଆଞ୍ଚଳିକ

ବାଣପୁର: ଭିମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ପଞ୍ଚାୟତ ସମିତି ଆନୁକୂଲ୍ୟରେ ଆଜି ବ୍ଲକ ପରିସରରେ ଜିଲ୍ଲା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ଵାରା ଏକ ଭିମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଖବର ନେବାରେ ଜଣାଯାଇଛି ପୂର୍ବରୁ ଭତ୍ତା ପାଉଥିବା ହିତାଧିକାରୀ ମାନଙ୍କର ଭିନ୍ନକ୍ଷମ ସାର୍ଟିଫିକେଟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ମାର୍ଚ୍ଚ ମାସ ପରେ ଆଉ ପୁନର୍ବାର କାର୍ଯ୍ୟକ୍ଷମ ହେବନାହିଁ। ତେଣୁ ଗୋଟିଏ ମାସରେ ଦୁଇ ଦୁଇଥର ଶିବିର କରି ଯୁଦ୍ଧ କାଳୀନ ଭିତରେ ପୁରୁଣା ହିତାଧିକାରି ମାନଙ୍କୁ ପରୀକ୍ଷଣ କରାଯାଇ ସ୍ମାର୍ଟକାର୍ଡ ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଗୋଷ୍ଠୀ ସାମାଜିକ ଅଧିକାରିଣୀ ଗିରିବାଳା ନାୟକ କହିଛନ୍ତି। କିନ୍ତୁ ଶିବିରକୁ ନୂତନ ଭାବେ ଚିହ୍ନଟ ହେବା ନିମିତ୍ତ ଭିନ୍ନକ୍ଷମମାନେ ଆସିଥିବାରୁ ଗହଳି ପରିଲକ୍ଷିତ ହୋଇଥିଲା।

ଡାକ୍ତରମାନେ କେବଳ ପୁରୁଣା ହିତାଧିକାରୀ ମାନଙ୍କୁ ପରୀକ୍ଷଣ ପାଇଁ ଛାଡିବାକୁ ପରାମର୍ଶ ଦେବାରୁ ଲୋକମାନଙ୍କ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ତେବେ ଉକ୍ତ ଶିବିର ମାଧ୍ୟମରେ ସ୍ମାର୍ଟକାର୍ଡ ହାସଲ କଲା ପରେ ଭିନ୍ନକ୍ଷମ ମାନଙ୍କର ସରକାରୀ ସୁବିଧା ଚାଲୁ ରହିବ ବୋଲି ସୁଶ୍ରୀ ନାୟକ ଜଣାଇଛନ୍ତି। ତେବେ ଭିନ୍ନକ୍ଷମ ମାନେ ଆଗକୁ କିପରି ସରକାରୀ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗ ତରଫରୁ ଦିଆଯାଉଥିବା ସୁବିଧା ସୁଯୋଗର ଲାଭ ପାଇପାରିବେ ଏବଂ ନିଜକୁ କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିପାରିବେ ସେହି ଲକ୍ଷ ନେଇ ବାଣପୁର ବ୍ଲକ ପ୍ରଶାସନ କାର୍ଯ୍ୟକରିବ ବୋଲି ସୁଶ୍ରୀ ନାୟକ ଜଣାଇଛନ୍ତି।

ବ୍ଲକ ଅଧକ୍ଷ ଅମରେନ୍ଦ୍ର ରଣସିଂହ ଏବଂ ବିଡିଓ ବୁଲବୁଲ ବେହେରା ଉକ୍ତ ଶିବିରକୁ ମିଳିତ ଭାବେ ଉଦଘାଟିତ କରିଥିବା ବେଳେ ସମସ୍ତ ସରପଞ୍ଚ ମାନଙ୍କ ସହ ମିଶି ଶିବିରକୁ ଆସୁଥିବା ହିତାଧିକାରୀ ମାନଙ୍କୁ ସହଯୋଗ କରୁଥିବା ଦେଖାଯାଇଥିଲା। ବିଭିନ୍ନ ବର୍ଗର ହିତାଧିକାରୀ ମାନଙ୍କ ପାଇଁ ଯଥା ଅସ୍ତିଶଲ୍ୟ, ମାନସିକ ଅନଗ୍ରସର, ଶ୍ରବଣ ବାଧିତ, ଦୃଷ୍ଟି ବାଧିତ ହିତାଧିକାରୀ ମାନଙ୍କ ନିମନ୍ତେ ଖୋର୍ଦ୍ଧା ଡ଼ିଏଚଏଚ ରୁ ଆସିଥିବା ଏକାଧିକ ଡାକ୍ତରମାନେ ଭିନ୍ନ ଭିନ୍ନ ପ୍ରକୋଷ୍ଠରେ ପରୀକ୍ଷଣ କରିଥିଲେ।

ସମୁଦାୟ ୨୩୫ ଜଣ ହିତାଧିକାରୀ ପଞ୍ଜିକୃତ କରିଥିବା ବେଳେ ୧୮୪ ଜଣ ହିତାଧିକାରୀଙ୍କର ୟୁଡିଆଇଡି କାର୍ଡ ପୁନଶ୍ଚ ଚାଲୁ ରହିଥିଲା। ୧୪୫ ଜଣ ହିତାଧିକାରୀଙ୍କର ଖୋର୍ଦ୍ଧାକୁ ପୁନଶ୍ଚ ପରୀକ୍ଷା ନିମନ୍ତେ ପ୍ରେରଣ କରାଯାଇଥିବା ବେଳେ 6ଜଣଙ୍କର ରଦ୍ଦ କରାଯାଇଥିଲା। ସମସ୍ତ ହିତାଧିକାରୀ ମାନଙ୍କ ପାଇଁ ବ୍ଲକ ପ୍ରଶାସନ ସୁବିଧାରେ ପରୀକ୍ଷା କରାଇବାର ବନ୍ଦୋବସ୍ତ କରାଇଥିଲେ। ଏ ସମସ୍ତ କାର୍ଯ୍ୟକୁ ବିଡ଼ିଓ ବୁଲବୁଲ ବେହେରାଙ୍କ ନିର୍ଦ୍ଦେଶକ୍ରମେ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକରିଣୀ ଗିରିବଳା ନାୟକ ଓ ସଂଯୋଜକ ଅମୂଲ୍ୟ କୁମାର ସୁବୁଦ୍ଧି ତଦାରଖ କରିଥିଲେ।