Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ହିଟ ୱେଭ ଜାରି: ୧୧.୩୦ ସୁଦ୍ଧା ରାଜଧାନୀର ତାପମାତ୍ରା ୪୧.୬ ଡ଼ିଗ୍ରୀ

ଭୁବନେଶ୍ଵର: ଆଜି ମଧ୍ୟ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ୧୮ ତାରିଖ ଯାଏଁ ରାଜ୍ୟରେ ଏହି ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଗତକାଲି ଭଳି ଆଜି ମଧ୍ୟ ଝାରସୁଗୁଡାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବହା ଜାରି ରହିଛି। ଦିନ ୧୧.୩୦ ସୁଦ୍ଧା ଝାରସୁଗୁଡାରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୩.୪ ଡ଼ିଗ୍ରୀରେ ପହଞ୍ଚିଛି। ସେହିଭଳି ଦ୍ଵିତୀୟ ସର୍ବାଧିକ ଉତ୍ତପ୍ତ ସହର ଭାବେ ସମ୍ବଲପୁରରେ ୪୨.୪ ଡ଼ିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ତା’ପଛକୁ ଭୁବନେଶ୍ଵରର ତାପମାତ୍ରା ୪୧.୬ ଡ଼ିଗ୍ରୀ ସେଲସିୟସରେ ପହଞ୍ଚିଛି। ଏହାପରେ ହୀରାକୁଦ: ୪୧.୬ ଡ଼ିଗ୍ରୀ, କେନ୍ଦୁଝର: ୩୯ ଡ଼ିଗ୍ରୀ, ଚାନ୍ଦବାଲି: ୩୮.୪ ଡ଼ିଗ୍ରୀ, ଗୋପାଳପୁର: ୩୭.୫ ଡ଼ିଗ୍ରୀ, ବାଲେଶ୍ୱର: ୩୬.୨ ଡ଼ିଗ୍ରୀ, ପୁରୀ: ୩୬ ଡ଼ିଗ୍ରୀ ଓ ପାରାଦୀପ: ୩୩.୬ ଡ଼ିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ତେବେ ଆଜି ଆଜି ସକାଳ ୮ ଟା ୩୦ ସୁଦ୍ଧା ଝାରସୁଗୁଡାରେ ୩୮.୬ ଡ଼ିଗ୍ରୀ, ସମ୍ବଲପୁରରେ ୩୬.୪ ଡ଼ିଗ୍ରୀ, ହୀରାକୁଦରେ ୩୬ ଡ଼ିଗ୍ରୀ, କେନ୍ଦୁଝରରେ ୩୪.୮ ଡ଼ିଗ୍ରୀ, ଭୁବନେଶ୍ୱରରେ ୩୪.୨ ଡ଼ିଗ୍ରୀ, ବାଲେଶ୍ୱରରେ ୩୪ ଡ଼ିଗ୍ରୀ, ଚାନ୍ଦବାଲିରେ ୩୩.୬ ଡ଼ିଗ୍ରୀ, ଗୋପାଳପୁରରେ ୩୩.୨ ଡ଼ିଗ୍ରୀ, ପୁରୀରେ ୩୩ ଡ଼ିଗ୍ରୀ ଏବଂ ପାରାଦୀପରେ ୩୨.୨ ଡ଼ିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

ଉଲ୍ଲେଖ ଥାଉ କି ଆଜି ଟ୍ଵିନ ସିଟିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବା ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଏନେଇ ଦୁଇ ସହର ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ହିଟ ୱେଭ ୱାର୍ଣ୍ଣିଂ ଜାରି କରିଛି। ଛୋଟ ପିଲା, ରୋଗୀ, ବୟସ୍କମାନେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଆଜି ଟ୍ଵିନ ସିଟିରେ ଅନେକ ସ୍ଥାନରେ ସ୍ଵାଭାବିକ ତାପମାତ୍ରା ଠାରୁ ୪ରୁ ୫ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି।

Categories
ବିଶେଷ ଖବର

ଭୁବନେଶ୍ଵରରେ ୟୁସିସିଆଇ ଲେଡିଜ୍ ଫୋରମର ପ୍ରତିଷ୍ଠା ଦିବସ ପାଳିତ: ଓଡ଼ିଶାର ୩ ନାରୀ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ଵର: ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ୟୁସିସିଆଇ) ଲେଡିଜ୍ ଫୋରମର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ମଙ୍ଗଳବାର ଦିନ ଭୁବନେଶ୍ଵରସ୍ଥିତ ୟୁସିସିଆଇ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାର ୩ ଜଣ ବିଶିଷ୍ଟ ନାରୀ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ସେ କହିଥିଲେ, “ୟୁସିସିଆଇ ଲେଡିଜ୍ ଫୋରମ ଓଡ଼ିଶାର ମହିଳାମାନଙ୍କ ପାଇଁ ଏକ ବିଶେଷ ଅନୁଷ୍ଠାନ। ମହିଳା ସଶକ୍ତିକରଣ କ୍ଷେତ୍ରରେ ଏହି ଫୋରମ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ପ୍ରଶଂସନୀୟ। ନିକଟରେ ଲେଡିଜ ଫୋରମ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ବୈଷୟିକ ଶିକ୍ଷା ପାଇଁ କେତେକ ସ୍କୁଲକୁ କମ୍ପ୍ୟୁଟର ଦିଆଯାଇଥିଲା। ଏହା ବେଶ୍ ଖୁସିର କଥା।”

ଏହି କାର୍ଯ୍ୟକ୍ରମରେ ଲୁମିନସ୍ ଇନଫୋଓ୍ଵେଜର ସହପ୍ରତିଷ୍ଠାତା ତଥା ନିର୍ଦ୍ଦେଶିକା ଜୟଶ୍ରୀ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ନାରୀ ସଶକ୍ତିକରଣ କ୍ଷେତ୍ରରେ ୟୁସିସିଆଇ ଲେଡିଜ୍ ଫୋରମ ପକ୍ଷରୁ ହେଉଥିବା ସମସ୍ତ କାର୍ଯ୍ୟକୁ ସେ ପ୍ରଶଂସା କରିଥିଲେ।

ସେହିପରି ବିଶିଷ୍ଟ ଲେଖିକା ତଥା ‘କାଦମ୍ଵିନୀ’ ଏବଂ ‘କୁନିକଥା’ର ସମ୍ପାଦିକା ଡକ୍ଟର ଇତିରାଣୀ ସାମନ୍ତ ମୁଖ୍ୟବକ୍ତା ଭାବେ ଯୋଗଦେଇ ଭାରତୀୟ ଧର୍ମ ପୂରାଣରେ କିପରି ନାରୀ ସଶକ୍ତିକରଣ ବାବଦରେ ବିଶେଷ ଆଲୋଚନା କରାଯାଇଛି ଉଦାହରଣ ସହ ସେସବୁ ବିଷୟ ଉପରେ ଆଲୋକପାତ କରିଥିଲେ।

“ଓଡ଼ିଶାରେ ମହିଳାମାନଙ୍କ ସଶକ୍ତିକରଣ କ୍ଷେତ୍ରରେ ୟୁସିସିଆଇ ଲେଡିଜ୍ ଫୋରମର ଭୂମିକା ବେଶ୍ ଗୁରୁତ୍ଵପୂର୍ଣ୍ଣ। ଏହି ଫୋରମ ଜରିଆରେ ମହିଳାମାନେ ବିଭିନ୍ନ କ୍ଷେତ୍ରରେ ସଶକ୍ତ ହୋଇ ଆଗକୁ ଆସୁଛନ୍ତି ଏବଂ ସମାଜ ଗଠନରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରୁଛନ୍ତି। ବିଶେଷକରି ଉଦ୍ୟୋଗ ପ୍ରତିଷ୍ଠା ଏବଂ ତା’ର ଅଭିବୃଦ୍ଧି କ୍ଷେତ୍ରରେ ମହିଳାମାନେ କିଭଳି ଆଗକୁ ଆସିପାରିବେ, ସେ ଦିଗରେ ଫୋରମର ଭୂମିକା ପ୍ରଶଂସନୀୟ”, କହିଛନ୍ତି ବିଶିଷ୍ଟ ଲେଖିକା ଡକ୍ଟର ଇତିରାଣୀ ସାମନ୍ତ।

ଏହି କାର୍ଯ୍ୟକ୍ରମରେ ବାଲେଶ୍ଵର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀମାନଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।

ଏହି ଅବସରରେ ୟୁସିସିଆଇ ଲେଡିଜ୍ ଫୋରମର ବିଶେଷ ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ହୋଇଥିବା ୩ ଜଣ ନାରୀ ପ୍ରତିଭାମାନେ ହେଲେ ବିଶିଷ୍ଟ ସମାଜସେବୀ କବିତା ମହାପାତ୍ର, ମହିଳା ଉଦ୍ୟୋଗୀ ଚୁମକି ଦତ୍ତ ଏବଂ ସୀମା ମହାନ୍ତି। ଏହାପରେ ୟୁସିସିଆଇ ସଭାପତି ବ୍ରହ୍ମାନନ୍ଦ ମିଶ୍ରଙ୍କୁ ଫୋରମ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ୟୁସିସିଆଇ ଲେଜିଡ୍ ଫୋରମର ସଭାପତି ସ୍ଵର୍ଣ୍ଣପ୍ରଭା ସାମଲ ସ୍ଵାଗତ ଭାଷଣ ଦେଇଥିବା ବେଳେ ସମ୍ପାଦିକା ହିମାଂଶୁବାଳା ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ। ଶେଷରେ ଲେଡିଜ ଫୋରମର ପୂର୍ବତନ ସମ୍ପାଦିକା ପ୍ରଫେସର ଭାରତୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଶ୍ୱେତା ପ୍ରଧାନ, ସବିତା ଦାସ, ନମିତା ମହାପାତ୍ର, ଅର୍ଚ୍ଚନା ମହାପାତ୍ର, ମିନତୀ ଦାସ, ପ୍ରଣତୀ ପରିଡ଼ା, ପ୍ରଣତୀ ମହାନ୍ତି, ଜୟଶ୍ରୀ ମିଶ୍ର, ସୋନାଲି ଚୌଧୁରୀ ଏବଂ ସ୍ଵର୍ଣ୍ଣଲତା ଜେନାଙ୍କ ସମେତ ୟୁସିସିଆଇ ଲେଡିଜ୍ ଫୋରମର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ: ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ଲାଗି ପ୍ରତିବଦ୍ଧତାକୁ ଦୋହରାଇଲା ଭାରତ

ଭୁବନେଶ୍ଵର: ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ଆଜି ଭୁବନେଶ୍ଵର ଠାରେ ଉଦଯାପିତ ହୋଇଯାଇଛି। ଏହି ତିନି ଦିନିଆ ବୈଠକ ଓ ସେମିନାର ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯାଇଥିଲା। ଏଥିରେ ପ୍ରାଥମିକ କ୍ଷେତ୍ର ଯଥା: କ୍ଷମତା ନିର୍ମାଣ, ଭବିଷ୍ୟତର କାର୍ଯ୍ୟ ପରିଦୃଶ୍ୟରେ ଆଜୀବନ ଅଧ୍ୟୟନକୁ ପ୍ରୋତ୍ସାହନ ଉପରେ ବିଚାରବିମର୍ଶ କରାଯାଇଥିଲା।

ଶିକ୍ଷା ମନ୍ତ୍ରଣାଳୟ ଅଧୀନ ଉଚ୍ଚ ଶିକ୍ଷା ବିଭାଗ ସଚିବ କେ. ସଞ୍ଜୟ ମୂର୍ତ୍ତି, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ସଚିବ ସଞ୍ଜୟ କୁମାର ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ସଚିବ ଅତୁଲ ତିୱାରୀଙ୍କ ସମେତ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ। ଜି-୨୦ ସଦସ୍ୟ ରାଷ୍ଟ୍ର ସମେତ ୨୭ଟି ନିମନ୍ତ୍ରିତ ରାଷ୍ଟ୍ର, ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନ, ୟୁନିସେଫ, ୟୁନେସ୍କୋ ଏବଂ ଆର୍ଥିକ ସହଯୋଗ ଓ ବିକାଶ ସଂଗଠନ (ଓଇସିଡି)ର ୬୦ରୁ ଅଧିକ ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିଥିଲେ।

ପ୍ରତିନିଧିସ୍ତରୀୟ ବୈଠକ ପୂର୍ବରୁ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ସହଭାଗିତାରେ ଭୁବନେଶ୍ୱରସ୍ଥିତ ଧାତୁ ଓ ଖଣିଜ ପ୍ରଯୁକ୍ତି ପ୍ରତିଷ୍ଠାନ (ସିଏସଆଇଆର-ଆଇଏମଏମଟି) ଠାରେ ଏକ ସେମିନାର ଆୟୋଜନ କରାଯାଇଥିଲା। ସେମିନାରର ବିଷୟବସ୍ତୁ ଥିଲା : ‘ଭବିଷ୍ୟତର କାର୍ଯ୍ୟ ପରିପ୍ରେକ୍ଷୀରେ କ୍ଷମତା ନିର୍ମାଣ, ଆଜୀବନ ଅଧ୍ୟୟନକୁ ପ୍ରୋତ୍ସାହନ’।

ଏହି ସେମିନାରରେ ତିନୋଟି ପାନେଲ ଆଲୋଚନା ହୋଇଥିଲା। ପ୍ରଥମ ପାନେଲ ଆଲୋଚନାରେ “କାର୍ଯ୍ୟର ଭବିଷ୍ୟତ ସନ୍ଦର୍ଭରେ ଶ୍ରମ ବଜାର ଓ ସଂସ୍ଥାଗତ କ୍ଷମତା ନିର୍ମାଣର ଆବଶ୍ୟକତା ଲାଗି ଏକ ସକ୍ରିୟ ବ୍ୟବସ୍ଥା ନିର୍ମାଣ : ଉଚ୍ଚ ଗୁଣବତ୍ତା ଆଧାରିତ ପ୍ରଯୁକ୍ତି ଏବଂ ଧନ୍ଦାମୂଳକ ଶିକ୍ଷାକୁ ସକ୍ଷମ କରିବା” ବିଷୟ ସ୍ଥାନ ପାଇଥିଲା। ସେହିପରି ଉଚ୍ଚ ଶିକ୍ଷା ଏବଂ ଧନ୍ଦାମୂଳକ ଶିକ୍ଷା ମଧ୍ୟରେ ମାର୍ଗ ସୃଷ୍ଟି କରିବା ଉପରେ ଆଉ ଏକ ଆଲୋଚନା ହୋଇଥିଲା।

ଏହାଛଡ଼ା ପିଲାମାନଙ୍କୁ ଆଜୀବନ ଅଧ୍ୟୟନର ଧାରାକୁ ଆଣିବା ଲାଗି ବିଭିନ୍ନ ପ୍ରକାରର ଭବିଷ୍ୟତ କୌଶଳ ସେଟ୍‌ ଜରିଆରେ ସେମାନଙ୍କୁ ସକ୍ଷମ କରିବା ବିଷୟକୁ ନେଇ ପାନେଲ ଆଲୋଚନା ହୋଇଥିଲା। ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ସଚିବ ଅତୁଲ କୁମାର ତିୱାରୀ, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ, ଶିକ୍ଷା ମନ୍ତ୍ରଣାଳୟ ସଚିବ ସଞ୍ଜୟ କୁମାର, ଏଲଆଣ୍ଡ ଟି ଏଡୁ ଟେକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସବ୍ୟସାଚୀ ଦାସ ଏସବୁ ଆଲୋଚନାରେ ଅଧ୍ୟକ୍ଷତା କରିଥିଲେ। ବ୍ରାଜିଲ, ସ୍ପେନ, ୟୁଏଇ, ସିଙ୍ଗାପୁର, ରୁଷ, ଦକ୍ଷିଣ ଆଫ୍ରିକା, ମରିସସ, ଓଇସିଡି, ୟୁନିସେଫ, ଅଷ୍ଟ୍ରେଲିଆ, ବ୍ରିଟେନ ସମେତ ଅନ୍ୟ ରାଷ୍ଟ୍ର ଓ ଅନ୍ତର୍ଜାତୀୟ ସଂଗଠନର ବିଶେଷଜ୍ଞ ପାନେଲିଷ୍ଟମାନେ ଏଥିରେ ଅଂଶଗ୍ରହଣ କରିଥିଲେ।

ଏଥିରେ ଅଂଶଗ୍ରହଣ କରିଥିବା ପାନେଲିଷ୍ଟମାନେ ସେମାନଙ୍କ ନିଜ ଦେଶରେ ଏହି ବିଷୟବସ୍ତୁ ଉପରେ ଆଧାରିତ ଶ୍ରେଷ୍ଠ ପଦ୍ଧତି ଓ ନୀତିଗୁଡ଼ିକ ଉପରେ ମତାମତ ରଖିଥିଲେ। ସେମାନେ ଧନ୍ଦାମୂଳକ ଶିକ୍ଷା ଓ ତାଲିମ ଉପରେ ସେମାନଙ୍କର ନୀତି ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ପରିବର୍ତ୍ତିତ ବିଶ୍ଵ ସହିତ ଖାପଖୁଆଇବା ଲାଗି ଦକ୍ଷତା ବିକାଶ, ଉନ୍ନତ ଦକ୍ଷତା ବିକାଶ ଏବଂ ନିରନ୍ତର ଦକ୍ଷତା ବିକାଶ ବା ସ୍କିଲିଂ, ଅପ ସ୍କିଲିଂ ଓ ରି ସ୍କିଲିଂ ଉପରେ ଆଲୋକପାତ କରିଥିଲେ। ସେମାନେ ଭବିଷ୍ୟତର କାର୍ଯ୍ୟକୁ ନେଇ ନିଜ ଦେଶରେ ଦେଖା ଦେଇଥିବା ସମସ୍ୟା ଉପରେ ମଧ୍ୟ ଆଲୋକପାତ କରିଥିଲେ।

ତୃତୀୟ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ପରିପ୍ରେକ୍ଷୀରେ ଏକ ସପ୍ତାହବ୍ୟାପୀ ମଲ୍ଟିମିଡିଆ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯାଇଥିଲା। ଏହି ପ୍ରଦର୍ଶନୀରେ ଶିଳ୍ପ, ଶିକ୍ଷାଜଗତ, ସରକାରୀ ସଂସ୍ଥା, ବହୁପକ୍ଷୀୟ ସଂସ୍ଥା, ଷ୍ଟାର୍ଟଅପ୍‌ ଏବଂ ଅନ୍ୟାନ୍ୟ ସଂଗଠନର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ସେହିପରି ଏଠାରେ ଭବିଷ୍ୟତର କାର୍ଯ୍ୟ ଉପରେ ଏକ ସ୍ୱତନ୍ତ୍ର ଅନୁଭୂତି ଜୋନ ସହିତ ବ୍ୟାପକ ଜ୍ଞାନକୌଶଳ ପ୍ରଦର୍ଶିତ ହୋଇଥିଲା। ମେଟା, ହେକ୍ସାଗନ, ଇନଫୋସିସ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ, ୟୁନିସେଫ, ଭାରତୀୟ ଜ୍ଞାନ ବ୍ୟବସ୍ଥା ଡିଭିଜନ, ଆଇଆଇଟି ଭୁବନେଶ୍ୱର, ଆଇଆଇଏମ ସମ୍ବଲପୁର, ଟ୍ରାଇଫେଡ ଏବଂ ଆହୁରି ଅନେକ ସଂସ୍ଥା ଯୋଗ ଦେଇଥିଲେ। ପ୍ରଦର୍ଶନୀଟି ୨୩ରୁ ୨୫ ଏବଂ ୨୭ ଓ ୨୮ ତାରିଖରେ ସ୍ଥାନୀୟ ଶିକ୍ଷାନୁଷ୍ଠାନ, ଛାତ୍ରଛାତ୍ରୀ, ଶିକ୍ଷାବିତ ଓ ଗବେଷକଙ୍କ ପାଇଁ ଖୋଲା ଯାଇଥିଲା।

ପ୍ରତିନିଧିସ୍ତରୀୟ କାର୍ଯ୍ୟକ୍ରମର ପ୍ରଥମ ଦିନରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁଭାଷ ସରକାର ଉଦବୋଧନ ଦେଇଥିଲେ। ସେ ଏକବିଂଶ ଶତାବ୍ଦୀ ପାଇଁ ଆବଶ୍ୟକ ଜ୍ଞାନ, ସାମର୍ଥ୍ୟ, କୌଶଳ ଏବଂ ଦୃଷ୍ଟିକୋଣ ହାସଲ ପାଇଁ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ନିବେଶ ଲାଗି ଜୋର ଦେଇଥିଲେ। ଆସନ୍ତା ଜୁନ ମାସରେ ଶିକ୍ଷା ମନ୍ତ୍ରୀଙ୍କ ବୈଠକ ପାଇଁ ପରିଣାମ ଦସ୍ତାବିଜ ଉପରେ ଜି୨୦ ସଦସ୍ୟ ଓ ନିମନ୍ତ୍ରିତ ଦେଶର ପ୍ରତିନିଧିମାନେ ବିଚାରବିମର୍ଶ କରିଥିଲେ।

ଶେଷରେ ଅନ୍ତର୍ଜାତୀୟ ପ୍ରତିନିଧିମାନଙ୍କୁ ବିଶ୍ଵ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ନିଆଯାଇଥିଲା। ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରତିନିଧିମାନଙ୍କୁ ଓଡ଼ିଶା ଗସ୍ତ କରିବାର ଏକ ସ୍ମରଣୀୟ ପ୍ରତିକ ରୂପରେ ପଟ୍ଟଚିତ୍ର ଉପହାର ଦିଆଯାଇଥିଲା।

ଜି ୨୦ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ତୃତୀୟ କାର୍ଯ୍ୟଗୋଷ୍ଠୀ ବୈଠକ ସଫଳ ହୋଇଥିଲା। ଉତ୍କଳ ଦିବସ ଏପ୍ରିଲ ୧ ତାରିଖ ଠାରୁ ୨୨ ଏପ୍ରିଲ ପର୍ଯ୍ୟନ୍ତ ବିଭିନ୍ନ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏକାଧିକ ଛାୟା ଜି-୨୦ ସମ୍ମିଳନୀରେ ୫୯୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ୧୨୩୫ରୁ ଅଧିକ ଜନ ଭାଗିଦାରୀ କାର୍ଯ୍ୟକ୍ରମରେ ୧ ଲକ୍ଷରୁ ଅଧିକ ନାଗରିକ ଅଂଶଗ୍ରହଣ କରିବା ସହିତ ବାସ୍ତବରେ ଭାରତର ଜି୨୦ ଅଧ୍ୟକ୍ଷତାକୁ ଜନସାଧାରଣଙ୍କ ଅଧ୍ୟକ୍ଷତା ବୋଲି ପ୍ରମାଣିତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ଵରରେ ଶୁଭାରମ୍ଭ ହେଲା ଭ୍ରାମ୍ୟମାଣ ଜଳଛତ୍ର: ୪ଟି ମାର୍ଗରେ ଯୋଗାଇବ ସେବା

ଭୁବନେଶ୍ଵର: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଘରେ ରହୁଥିବା ଲୋକ ଅସହ୍ୟ ତାତିକୁ ସହ୍ୟ କରିପାରୁନଥିବା ବେଳେ ଜରୁରୀ କାମରେ ବାହାରକୁ ଯାଉଥିବା ପଥିକଟିର ଅବସ୍ଥା ଆହୁରି ଖରାପ ହେଉଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଘ “ଜୟ ଓଡ଼ିଶା” ଦ୍ଵାରା ଏକ ଭ୍ରାମ୍ୟମାଣ ଜଳଛତ୍ରର ପ୍ରଚଳନର ଶୁଭାରମ୍ଭ କରାଯାଇଛି। ଏହା ଆଜି ରମାଦେବୀ ମହିଳା ବିଶ୍ଵ ବିଦ୍ୟାଳୟ ନିକଟରୁ ଆରମ୍ଭ ହୋଇଥିବା ବେଳେ, ଓଡ଼ିଶା ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକ ଓ ରମାଦେବୀ ବିଶ୍ୱ ବିଦ୍ୟାଳୟର ଭାଇସ ଚାନ୍ସସେଲର ଅପରାଜିତା ଚୌଧୁରୀ ଏହାର ଉନ୍ମୋଚନ କରିଛନ୍ତି।

ଅନ୍ୟାନ୍ୟ ଅତିଥି ଭାବେ ରମାଦେବୀର ପିଜି କାଉନସିଲ ଚେୟରମ୍ୟାନ ଚଣ୍ଡୀ ରଥ, ବିଜୁ ଛାତ୍ର ଜନତା ଦଳର ସେକ୍ରେଟାରୀ ଜେନେରାଲ ତଥା ‘ମୁକ୍ତା’ ଯୋଜନାର ଉପଦେଷ୍ଟା କୁମାରୀ ଇପ୍ସିତା ସାହୁ, ବିଜୁ ଯୁବ ଜନତା ଦଳର ସେକ୍ରେଟାରୀ ଅମରଜିତ୍ ଗୋଡ଼ ଓ ରମାଦେବୀର ପିଜି ଛାତ୍ରୀ ସୃଷ୍ଟି ମିଶ୍ର ଉପସ୍ଥିତ ଥିଲେ।

ଜନସାଧାରଣଙ୍କ ସେବା ନିମନ୍ତେ ଏହି ଯାନଟି ଭୁବନେଶ୍ୱରର ୪ଟି ରୁଟ ଯଥା ବାଣୀ ବିହାରରୁ ଶିଶୁଭବନ ଛକ, କଟକ ରୋଡ, ଆଚାର୍ଯ୍ୟ ବିହାରରୁ ଏୟାରପୋର୍ଟ ଛକ ଏବଂ ଜୟଦେବ ବିହାର ଛକରୁ ରାଜଭବନ ଛକ ଆଦିରେ ସକ୍ରିୟ ରହିବ। ସହରର ବିଭିନ୍ନ କଲେଜ ଛାତ୍ରଛାତ୍ରୀ, ସଡକରେ ନିରନ୍ତର କାର୍ଯ୍ୟରତ ଅନେକ ଟ୍ରାଫିକ ପୋଲିସ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ନିକଟରେ ପହଞ୍ଚି ଜଳସେବା ଯୋଗାଇବା ହେଉଛି ଏହି ଭ୍ରାମ୍ୟମାଣ ଜଳଛତ୍ରର ମୂଳଲକ୍ଷ୍ୟ।

ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରେରଣାରେ ପ୍ରେରିତ ହୋଇ ତଥା ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ, ଜନସେବାରେ ନିଜକୁ ନିୟୋଜିତ କରି, ଲୋକଙ୍କୁ ପ୍ରଚଣ୍ଡ ଖରାରୁ ଟିକେ ମୁକ୍ତି ଦେବା ପାଇଁ ଏହା ହେଉଛି ଏକ ଛୋଟ ପ୍ରୟାସ। ଏହି ଯାନଟି ଜଳ ଆବଶ୍ୟକ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚି ବାକୁ ଚେଷ୍ଟା କରିବ ଓ ଲୋକଙ୍କୁ ଜଳ ଯୋଗାଇବାରେ ସହାୟକ ହେବ ବୋଲି ବିଜୁ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ତଥା ଜୟ ଓଡ଼ିଶାର ସଭାପତି ରୁଦ୍ର ନାରାୟଣ ସାମନ୍ତରାୟ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଦିନ ୧୧.୩୦ ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ହେଲା ଝାରସୁଗୁଡା, ଜାଣନ୍ତୁ ରାଜଧାନୀରେ କେତେ ତାପମାତ୍ରା

ଭୁବନେଶ୍ଵର: ଆଜି ମଧ୍ୟ ରାଜ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ମେଘମୁକ୍ତ ଆକାଶ, ସୂର୍ଯ୍ୟଙ୍କ ପ୍ରଖର କିରଣ, ବାୟୁମଣ୍ଡଳରେ ଜଳୀୟବାଷ୍ପ ପରିମାଣ ହ୍ରାସ ଏବଂ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବାହିତ ହେଉଥିବା ଗରମ ଶୁଷ୍କ ପବନ ପାଇଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି।

ଆଜି ଦିନ ୧୧.୩୦ ସୁଦ୍ଧା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ଝାରସୁଗୁଡାରେ ୩୯.୨ ଡ଼ିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ସେହିଭଳି ବାଲେଶ୍ୱର ଓ ଚାନ୍ଦବାଲିରେ ୩୯ ଡ଼ିଗ୍ରୀ ଲେଖାଏଁ, ଭୁବନେଶ୍ୱରରେ ୩୮.୬ ଡ଼ିଗ୍ରୀ, ସମ୍ବଲପୁରରେ ୩୮.୨ ଡ଼ିଗ୍ରୀ, କେନ୍ଦୁଝରରେ ୩୭.୬ ଡ଼ିଗ୍ରୀ, ହୀରାକୁଦରେ ୩୭.୪ ଡ଼ିଗ୍ରୀ, ଗୋପାଳପୁରରେ ୩୪.୬ ଡ଼ିଗ୍ରୀ, ପୁରୀରେ ୩୩.୪ ଡ଼ିଗ୍ରୀ ଏବଂ ପାରାଦୀପରେ ୩୩ ଡ଼ିଗ୍ରୀ ତାପମାତ୍ରା ରେକରଦ କରାଯାଇଛି।

ତେବେ ଜରୁରୀ କାମ ନ ଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଗତକାଲି ଝାରସୁଗୁଡା ବିଶ୍ବର ପଞ୍ଚମ ଉତ୍ତପ୍ତ ସହର ହୋଇଥିଲା। ଅନ୍ୟପଟେ ୧୬ ତାରିଖରେ ପାଗରେ ପରିବର୍ତ୍ତନ ହେବା ସହ ରାଜ୍ୟର କିଛି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି।

ବଙ୍ଗୋପସାଗରରୁ ରାଜ୍ୟକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହିତ ହେବ। ପ୍ରଭାବରେ ଉତ୍ତର ଉପକୂଳ ସହ ଖୋର୍ଦ୍ଧା, ନୟାଗଡା, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ମୟୁରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ।

Categories
ଆଜିର ଖବର ଜାତୀୟ ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ମନ୍ଦିର ମାଳିନୀ ସହରର କାହାଣୀ ଆକର୍ଷଣୀୟ: ୟୁନେସ୍କୋ ତାଲିକାରେ ସ୍ଥାନ ପାଇଛି ଏହାର ନାମ

ଭୁବନେଶ୍ଵର: ଭାରତରେ ଅନେକ ସହର ଅଛି ଯାହା ସେମାନଙ୍କର ବିଶେଷତା ପାଇଁ ଜଣାଶୁଣା। ସେଗୁଡିକୁ କିଛି ନା କିଛି ନାମ ଦିଆଯାଇଛି। ଏହିପରି ଗୋଟିଏ ସହର ଭାରତର ମନ୍ଦିର ସହର ଭାବରେ ଜଣାଶୁଣା। ଏଠାରେ ଗୋଟିଏ କିମ୍ବା ଦୁଇଟି ନୁହେଁ, ୫୦୦ ରୁ ଅଧିକ ମନ୍ଦିର ଅଛି। ଏହି କାରଣରୁ ଏହାକୁ ମନ୍ଦିର ମାଳିନୀ ସହର କୁହାଯାଏ। ଆମେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ବିଷୟରେ କହୁଛୁ .. ଏଠାରେ ଅନେକ ପ୍ରସିଦ୍ଧ ମନ୍ଦିର ଅଛି। ଏହିପରି ଅନେକ ମନ୍ଦିର ମଧ୍ୟ ଅଛି, ଯାହା ଷଷ୍ଠ ଏବଂ ଏକାଦଶ ଶତାବ୍ଦୀରେ ନିର୍ମିତ ହୋଇଥିଲା। ଏହା ସହରର ସଂସ୍କୃତି ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରେ।

ମନ୍ଦିର ମାଳିନୀ ସହର ଭୁବନେଶ୍ୱର:

ହଜାର ହଜାର ବର୍ଷର ଐତିହ୍ୟ ଏବଂ ସଂସ୍କୃତିର ଏକ ଏକ ଉଦାହରଣ ହେଉଛି ଭୁବନେଶ୍ୱରର ‘ଏକାମ୍ର କ୍ଷେତ୍ର’ ମନ୍ଦିର। ଏହାର ଅନନ୍ୟ ସ୍ଥାପତ୍ୟ ପାଇଁ ଏହା ଜଣାଶୁଣା। ଏହାର ନାମ ୟୁନେସ୍କୋ ତାଲିକାରେ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ସହରରେ ଅନେକ ପ୍ରାଚୀନ ମନ୍ଦିର ଅଛି। ଏଠାରେ ଆପଣ ଭାରତର ପ୍ରାଚୀନ ଇତିହାସକୁ ଭଲ ଭାବରେ ବୁଝିପାରିବେ।

ସହରର ଅନେକ ପ୍ରସିଦ୍ଧ ମନ୍ଦିର:

ଭୁବନେଶ୍ୱରର ଅନେକ ମନ୍ଦିର ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ପ୍ରତିବର୍ଷ ବହୁ ସଂଖ୍ୟାରେ ଭକ୍ତ ଏବଂ ପର୍ଯ୍ୟଟକ ଏଠାକୁ ପରିଦର୍ଶନ କରିବାକୁ ଆସନ୍ତି। ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିର ମଧ୍ୟ ଏଠାରେ ଅଛି। ବହୁ ସଂଖ୍ୟାରେ ଶିବ ଭକ୍ତ ଭଗବାନ ଶିବଙ୍କୁ ଦର୍ଶନ ପାଇଁ ଏହି ମନ୍ଦିରରେ ପହଞ୍ଚନ୍ତି। ଏଠାକୁ ଆସିବା ପରେ ଆପଣ ନିଜେ ମନ୍ଦିର ପରିସରରେ ମୁକ୍ତେଶ୍ଵର ମନ୍ଦିର, ରାଜରାଣୀ ମନ୍ଦିର ଏବଂ ଅନନ୍ତ ବାସୁଦେବ ମନ୍ଦିର ପରିଦର୍ଶନ କରିବାର ସୁଯୋଗ ପାଇବେ। ଏଠାକୁ ଆସିବା ପରେ ମନ ବିଶ୍ୱାସରେ ସଂପୂର୍ଣ୍ଣ ବୁଡିଯାଏ ଏବଂ ପ୍ରତ୍ୟେକ ସ୍ଥାନରେ ଭକ୍ତିର ପରିବେଶ ସୃଷ୍ଟି ହୁଏ।

ହିନ୍ଦୁମାନଙ୍କର ବିଶ୍ୱାସର କେନ୍ଦ୍ର:

ଭୁବନେଶ୍ୱରର ଏହି ପ୍ରସିଦ୍ଧ ଅଞ୍ଚଳ ହିନ୍ଦୁମାନଙ୍କ ବିଶ୍ୱାସର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବରେ ବିବେଚନା କରାଯାଏ। ଏହା ମୁଖ୍ୟ ତୀର୍ଥସ୍ଥାନରେ ଆସିଥାଏ। ପ୍ରତିବର୍ଷ ବହୁ ସଂଖ୍ୟାରେ ଭକ୍ତ ଏଠାରେ ପହଞ୍ଚନ୍ତି। ଏଠାରେ ଥିବା ମନ୍ଦିରଗୁଡ଼ିକ ପ୍ରାଚୀନ ଭାରତୀୟ ସ୍ଥାପତ୍ୟର ଉଦାହରଣ। ସେଗୁଡିକର ମଧ୍ୟ ଐତିହାସିକ ଗୁରୁତ୍ୱ ରହିଛି। ଏଠାରେ ଥିବା ମନ୍ଦିରଗୁଡ଼ିକ ଓଡିଶାର ଇତିହାସ ଏବଂ ସାଂସ୍କୃତିକ ପରିଚୟ ବର୍ଣ୍ଣନା କରେ। ସହରର ରୁକୁଣା ରଥ ଯାତ୍ରା ସବୁଠାରୁ ସ୍ୱତନ୍ତ୍ର।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ବରରୁ ପୁନେ ଯାଉଥିବା ବିମାନରେ ଧକ୍କା ହେଲା ପକ୍ଷୀ: ବନ୍ଦ ହେଲା ଉଡାଣ

ଭୁବନେଶ୍ଵର: ଭୁବନେଶ୍ଵରରୁ ପୁନେ ଯାଉଥିବା ଏୟାର ଏସିଆ ବିମାନରେ ପକ୍ଷୀ ଧକ୍କା ହୋଇଥିବା ସୂଚନା ରହିଛି। ଉଡାଣର କିଛି ସମୟ ପରେ ପକ୍ଷୀଟି ଧକ୍କା ହୋଇଛି। ଫଳରେ ବିମାନଟିକୁ ଜରୁରୀକାଳୀନ ଅବତରଣ କରାଯାଇଛି। ବର୍ତ୍ତମାନ ବିମାନକୁ କର୍ତ୍ତୁପକ୍ଷ ଯାଞ୍ଚ କରୁଛନ୍ତି। ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ରହିଥିବା ବେଳେ ଏବେ ସମସ୍ତେ ବିମାନ ବନ୍ଦରରେ ଅଟକି ରହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମିଶନ ଅଲମ୍ପିକ ସେଲ ସଦସ୍ୟମାନଙ୍କ ବୈଠକ ଆୟୋଜନ କରିବ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ 

ଭୁବନେଶ୍ଵର: ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ (ଏମୱାଇଏଏସ) ଜାନୁୟାରୀ 20, 2023 ରେ ଭୁବନେଶ୍ୱର, ଓଡିଶା ଠାରେ ମିଶନ ଅଲମ୍ପିକ ସେଲ (ଏମଓସି) ବୈଠକ ଆୟୋଜନ କରିବେ। ପ୍ରତି ମାସରେ ‘ଟପ୍ସ’ କ୍ରୀଡାବିତ ଚୟନ, ସେମାନଙ୍କ ପ୍ରଦର୍ଶନ ନୀରିକ୍ଷଣ ଓ ମୂଲ୍ୟାୟନ ଏବଂ ମନ୍ତ୍ରଣାଳୟ ଠାରୁ ଆର୍ଥିକ ସହାୟତା ପାଇଁ ଏଲିଟ କ୍ରୀଡାବିତମାନଙ୍କ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ ପାଇଁ ଏମଓସି ବୈଠକ ହୋଇଥାଏ।

ବିଶିଷ୍ଟ ପୂର୍ବତନ କ୍ରୀଡାବିତ ଅଞ୍ଜୁ ବବି ଜର୍ଜ, ଅଞ୍ଜଳି ଭଗୱତ, ବୀରେନ ରସକିହ୍ନା, ଯୋଗେଶ୍ୱର ଦତ୍ତ, ତୃପ୍ତି ମୁରଗୁଣ୍ଡେ, ମୋନାଲିସା ବରୁଆଙ୍କ ସହିତ ଅନ୍ୟ ସଦସ୍ୟମାନେ ଏହି ବୈଠକରେ ଯୋଗ ଦେବା ଅବସରରେ ହକି ବିଶ୍ୱକପ ମ୍ୟାଚରେ ସାମିଲ ହେବେ। ଏହି ସଦସ୍ୟମାନେ ଜାନୁୟାରୀ 19 ରେ ଅନ୍ତିମ ଗ୍ରୁପ ଷ୍ଟେଜ ମ୍ୟାଚରେ ଭାରତ ସହ ୱେଲ୍ସର ମୁକାବିଲା ଦେଖିବାର ସମ୍ଭାବନା ରହିଛି।

ଭୁବନେଶ୍ୱର ଠାରେ ଆୟୋଜିତ ହେବାକୁ ଥିବା ଏହି ବୈଠକ ସମ୍ପର୍କରେ ଅଞ୍ଜୁ ବବି ଜର୍ଜ କହିଛନ୍ତି, “ମୁଁ ଭୁବନେଶ୍ୱରର ଏମଓସିରେ ଭାଗ ନେବାକୁ ଉତ୍ସୁକ। ଏମଓସି ସଦସ୍ୟ ଭାବେ ଆମେ କ୍ରୀଡାବିତମାନଙ୍କ ପ୍ରଶିକ୍ଷଣ ଓ ଆନ୍ତର୍ଜାତିକ ପ୍ରତିଯୋଗିତାଗୁଡିକରେ ସେମାନଙ୍କ ଅଂଶଗ୍ରହଣକୁ ଅନୁମୋଦନ ଦେଇଥାଉ। ଯଦିଓ ପ୍ରଥମ ଥର ପାଇଁ ଏମଓସି ସଦସ୍ୟ ଭାବେ ଆମେ ସମସ୍ତେ ଖେଳାଳିମାନଙ୍କୁ ପଡିଆରେ ଖେଳୁଥିବା ଦେଖିବୁ। ଏହାଦ୍ୱାରା ସେମାନଙ୍କ ପ୍ରଦର୍ଶନ ନିକଟରୁ ପରଖିବା ସହ ସେମାନଙ୍କ ଅଭିଯାନର ଅଂଶବିଶେଷ ହେବାକୁ ସୁଯୋଗ ମିଳିବ।”

ସାଧାରଣତଃ ସାରା ଭାରତରୁ ଏମଓସି ସଦସ୍ୟମାନେ ‘ଟପ୍ସ’ ସମ୍ବନ୍ଧିତ କାର୍ଯ୍ୟସୂଚୀ ସମ୍ପର୍କରେ ଆଲୋଚନା ପାଇଁ ଦିଲ୍ଲୀରେ ପହଞ୍ଚିଥାନ୍ତି। କୋଭିଡ-19 ପ୍ରଭାବ ଅଧିକ ଥିବା ବେଳେ କ୍ରୀଡାବିତମାନଙ୍କ ବିଳମ୍ବ ନକରାଇବା ପାଇଁ ଏହି ବୈଠକ ଭର୍ଚୁଆଲ ପ୍ଲାଟଫର୍ମରେ ଆୟୋଜିତ ହୋଇଥିଲା। ଲକଡାଉନ ପରେ ଏହି ବୈଠକଗୁଡିକ ପାଇଁ ହାଇବ୍ରିଡ ଆଭିମୁଖ୍ୟ ଗ୍ରହଣ କରାଯାଇଥିଲା, ଯେଉଁଥିରେ ମାସର ଗୋଟିଏ ବୈଠକ ଭର୍ଚୁଆଲ ମାଧ୍ୟମରେ ହେଉଥିବା ବେଳେ ଦ୍ୱିତୀୟ ବୈଠକ ସଦସ୍ୟମାନଙ୍କ ବ୍ୟକ୍ତିଗତ ଉପସ୍ଥିତିରେ ଅନୁଷ୍ଠିତ ହେଉଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ରାଜଧାନୀରେ ଖୋଲିଲା ନାଇଟ୍ କ୍ଲବ୍ ‘କନେକ୍ଟ’

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ଵର ଓଡ଼ିଶାର କଳା, ସଂସ୍କୃତିର କେନ୍ଦ୍ର ସ୍ଥଳ। ଏହା ସହ ବିଶ୍ୱରେ ସ୍ପୋର୍ଟସ କ୍ୟାପିଟାଲ ଭାବରେ ମଧ୍ୟ ଭୁବନେଶ୍ଵର ବେଶ ଜଣାଶୁଣା। ଏସବୁ ସହିତ ଆଧୁନିକତାର ଛାପ ଆଣିବା ସହ ଏବେ ଯୋଡ଼ି ହୋଇଛି ଫ୍ୟାଶନ ଓ ନାଇଟ କ୍ଲବ। ଏହି ପରିପ୍ରେକ୍ଷୀରେ ଭୁବନେଶ୍ବରଠାରେ ଅଭିନେତ୍ରୀ ତଥା ଡିଜେ ଗାର୍ଲ ଉଦିତା ଗୋସ୍ଵାମୀଙ୍କ ଦ୍ଵାରା ଏକ ନାଇଟ୍ କ୍ଲବ୍ ‘କନେକ୍ଟ’ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଗ୍ ବସ୍ ପ୍ରତିଯୋଗୀ ଫ୍ୟାଶନ ଡିଜାଇନର୍ ସବ୍ୟସାଚୀ ସତପଥୀ ଓ ଉପସ୍ଥାପିକା ଲିପ୍ସା ପଣ୍ଡା ଉପସ୍ଥିତ ଥିଲେ।

ଉଦଘାଟନୀ ଉତ୍ସବରେ ଉଦିତାଙ୍କ ଡିଜେ ଉପସ୍ଥିତ ସମସ୍ତଙ୍କୁ ସଙ୍ଗୀତରେ ମତୁଆଲା କରିଥିଲେ। ଉଦଯାପନୀ ସମାରୋହ ପରେ ଉଦିତାଙ୍କୁ ପାରମ୍ପରିକ ଓଡ଼ିଆ ଖାଦ୍ୟ ପରିବେଷଣ କରାଯାଇଥିଲା।ଓଡ଼ିଶାର ଖାଦ୍ୟ ଅତ୍ୟନ୍ତ ସ୍ଵାଦିଷ୍ଟ ଏବଂ ବିଶେଷ ଭାବରେ ସେ ଡାଲମାର ପ୍ରଶଂସା କରିଥିଲେ।

ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ‘କନେକ୍ଟ’ ର ସ୍ୱତ୍ତ୍ୱାଧିକାରୀ ରୁଦ୍ର ନାରାୟଣ ବେହେରା ପରିଚାଳନା କରିଥିଲେ। ଉପରେ ରେଷ୍ଟୁରାଣ୍ଟ ଓ ତଳେ ନାଇଟ୍ କ୍ଲବ୍ ଏପରି ଏକ କନସେପ୍ଟ ପ୍ରଥମ ଥର ପାଇଁ ଓଡ଼ିଶାରେ ଆରମ୍ଭ ହୋଇଛି ଏବଂ ସୁସ୍ୱାଦୁ ଖାଦ୍ୟ ସହ ମନୋରଞ୍ଜନର ଏହି ସମ୍ମିଶ୍ରଣ ଲୋକଙ୍କୁ ନିଶ୍ଚୟ ଆକୃଷ୍ଟ କରିବ ବୋଲି ଶ୍ରୀ ବେହେରା କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଦରମା ବୃଦ୍ଧି ଦାବିରେ ଓଡ଼ିଶା ଅମଲା ସଙ୍ଘର ବିକ୍ଷୋଭ ପ୍ରଦର୍ଶନ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ

ଖୋର୍ଦ୍ଧା: ଆଜି ଗ୍ରେଡ-ପେ ୪ ହାଜର ୨ ଶହ ଟଙ୍କା ଦାବିରେ ଡ଼ିଶା ଅମଲା ସଙ୍ଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଡ଼ିଶା ଅମଲା ସଙ୍ଘର ଶତାଧିକ ସଭ୍ୟ ଏକ ଶୋଭଯାତ୍ରା ମାଧ୍ୟମରେ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ରାଜ୍ୟସରକାରଙ୍କ ନିକଟରେ ବହୁବାର ଦାବି ଜଣାଇବା ସତ୍ତ୍ୱେ କିଛି ସୁଫଳ ମିଳିନଥିବାରୁ ଅମଲା ସଂଘ କ୍ଷୋଭ ପ୍ରକାଶ କରିଛି।

ତେଣୁ ରାଜ୍ୟ ସରକାର ସେମାନଙ୍କ ଦାବି ଶୁଣୁନଥିବା ଅଭିଯୋଗ କରିବା ସହ ଆସନ୍ତା ୨୭ ତାରିଖ ଦିନ ଭୁବନେଶ୍ଵରଠାରେ ଏକ ବିରାଟ ରାଲି କରିବାକୁ ଯାଉଛି। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାର ଶାଖା ତରଫରୁ ଜିଲ୍ଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସମାନ କାମକୁ ସମାନ ଦରମା ଦାବି: ଆନ୍ଦାଳନକୁ ଓହ୍ଲ।ଇବା ଲାଗି ଚେତାବନୀ ଦେଲା ଓଡଶିା ଅମଲା ସଂଘ

ଭୁବନେଶ୍ବର: ଆଜି ଅମଲା ସଂଘ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ଵରସ୍ଥିତ ଜୟଦେବ ଭବନ ଠାରେ ସଂଘର ରାଜ୍ୟ ସଭାପତି ନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଧ୍ୟକ୍ଷ ଅସିତ ବରଣ ସ୍ଵାଇଁ , କାର୍ଯ୍ୟକାରୀ ସଭାପତି ଚିତ୍ତରଞ୍ଜନ ତରାସିଆ , ରାଜ୍ୟ ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ତ୍ରିପାଠୀ, ସଙ୍ଗଠନ ସମ୍ପାଦକ ଜ୍ଞାନରଞ୍ଜନ ଦାଶ, ପ୍ରାକ୍ତନ ସଭାପତି ଶତୁଘ୍ନ ପାଣିଗ୍ରାହୀ, ମୁଖ୍ୟ ଉପଦେଷ୍ଟା ସୁଦାମ ପାଣିଗ୍ରାହୀ ପ୍ରମୁଖ କର୍ମଚାରୀ ନେତା ମଞ୍ଚାସୀନ ଥିଲେ। ଏଥିରେ ୩୦ ଟି ଜିଲ୍ଲାର ଅମଲା ସଂଘର ସଭାପତି , ସମ୍ପାଦକ ଏବଂ ୫୦୦ ରୁ ଉର୍ଦ୍ଧ୍ଵ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ଏହି ସଭାରେ ପ୍ରଥମେ ସଂଘର ସଭାପତି, ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଓଡିଶା ସରକାରଙ୍କୁ ଚୁକ୍ତିଭିତ୍ତିକ ପ୍ରଥାକୁ ବିଲୋପ କରିଥିବାରୁ ସାଧୁବାଦ ଜଣାଇଥିଲେ। ଅନ୍ୟ ପକ୍ଷରେ ଜିଲ୍ଲାସ୍ତରୀୟ ଅମଲାମାନଙ୍କୁ ସର୍ବନିମ୍ନ ଦରମା ପ୍ରଦାନ କରି ସରକାର ଅବହେଳିତ କରିଛନ୍ତି ବୋଲି କଟାକ୍ଷ କରିଥିଲେ। ଜିଲ୍ଲାସ୍ତରୀୟ ଅମଲାଙ୍କ ପ୍ରଦବଶିକ। ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଥାଇ ମଧ୍ୟ ଗୋତି ଶ୍ରମିକ ଭଳି ସେମାନଙ୍କୁ ୧୯୦୦ ଗ୍ରେଡ ପେ ରେ ରହି କାର୍ଯ୍ୟକରିବାକୁ ବାଧ୍ୟ କରୁଛନ୍ତି, ଯାହାଫଳରେ ଜିଲ୍ଲାସ୍ତରୀୟ ଅମଲାମାନଙ୍କ ମନରେ ଘୋର ବୈରାଗ ଭାବ ସୃଷ୍ଟି ହେଉଛି ବୋଲି କ୍ଷୋଭ ପ୍ରକାଶ କରିଥିଲେ।

ଅମଲା ସଂଘର ସାଧାରଣ ସମ୍ପାଦକ ତାଙ୍କ ଭାଷଣ ପ୍ରସଙ୍ଗରେ କ୍ଷୋଭ ପ୍ରକାଶ କରି ସରକାର ଅମଲାମ।ନଙ୍କ ବେତନ ସମୀକରଣ କରିବାରେ ଟାଳଟୁଳ ନୀତକିୁ ସମାଲୋଚନା କରିଥିଲେ। ବାରମ୍ବାର ଏ ବାବଦରେ ସରକାରଙ୍କ ସହିତ ଆଲୋଚନା କରି ଲିଖିତ ଭାବେ ଜଣାଇଥିଲେ ମଧ୍ୟ ସରକାର ଜାଣିଶୁଣି ନୀରବ ରହିବା ବାସ୍ତବିକ ଦୁଃଖଦାୟକ ବୋଲି ଅବିହିତ କରିଥିଲେ। +୨ ଯୋଗ୍ୟତା ଥାଇ ଅନ୍ୟ ବର୍ଗର କର୍ମଚାରୀମାନଙ୍କୁ ଅଧିକ ବେତନ ଦେଉଥିବାବେଳେ  ସ୍ନାତକ ଯୋଗ୍ୟତା ଥାଇ ଅମଲାମାନଙ୍କୁ ୧୯୦୦ ଗ୍ରେଡ ପେ ଦେବା ଜିଲ୍ଲାସ୍ତରୀୟ ଅମଲାଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛି ବୋଲି କ୍ଷୋଭ ପ୍ରକାଶ କରିଥିଲେ। ଜିଲ୍ଲା ସ୍ତରର ଅମଲା ସରକାରଙ୍କର ସମସ୍ତ ଯୋଜନାକୁ ସଫଳ ରୂପାୟନ କରିବାରେ ତୃଣମୂଳ ସ୍ତରରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବାର ଉପଲବ୍ଧି କରି ଜଲ୍ଲିାସ୍ତରୀୟ ଅମଲାମାନଙ୍କୁ ସେମାନଙ୍କ ଯୋଗ୍ୟତା ଭିତ୍ତିରେ ଗ୍ରେଡ ପେ ୪୨୦୦/- ପ୍ରଦାନ କରିବାକୁ ବହୁ ବିଧାୟକ ସରକାରଙ୍କୁ ସୁପାରିସ ପତ୍ର କରିଥିଲେ ମଧ୍ୟ ସରକାର ଏ ପର୍ଯ୍ୟନ୍ତ ଉଦାସୀନ ଅଛନ୍ତି ବୋଲି ବ୍ୟକ୍ତ କରିଥିଲେ।

ଏହି ସଭାରେ ମଞ୍ଚସ୍ଥ ସମସ୍ତ ରାଜ୍ୟସ୍ତରୀୟ କର୍ମକର୍ତ୍ତା ଏବଂ ୩୦ ଟି ଜିଲ୍ଲାରୁ ଆସିଥିବା ଓଡଶିା ଅମଲା ସଂଘର ସଭାପତି ଓ ସମ୍ପାଦକ ଆଲୋଚନାରେ ଅଂଶଗ୍ରହଣ କରି ସରକାର, ଯଦି ଜିଲ୍ଲାସ୍ତରୀୟ ଅମଲାମାନଙ୍କର ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ଦରମା ସମୀକରଣ ଶୀଘ୍ର ନ କରନ୍ତି କିମ୍ବା ସମାନ କାମକୁ ସମାନ ଦରମା ପ୍ରଦାନ ନ କରନ୍ତ, ତେବେ ଆସନ୍ତା ନଭେମ୍ବର ମାସରେ ରାଜ୍ୟରେ କାର୍ଯ୍ୟରତ ସମସ୍ତ ୩୦,୦୦୦ ଅମଲା ରାଜଧାନୀଠାରେ ସମାବେଶ ହୋଇ ସରକାରଙ୍କ ଦ୍ରୁଷ୍ଟି ଆକର୍ଷଣ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି,

ଏହାପୂର୍ବରୁ ସମସ୍ତ ଜିଲ୍ଲାର ଅମଲାମାନେ ସେମାନଙ୍କର ଜିଲ୍ଲାପାଳମାନଙ୍କ ଜରିଆରେ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିବା ପୂର୍ବକ ବିଭିନ୍ନ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବା ପାଇଁ ସରକାରଙ୍କୁ ଚେତାବନୀ ଦେଇଥିଲେ। ତଥାପି ସରକାର ଟାଳଟୁଳ ନୀତି ଅବଲମ୍ବନ କରନ୍ତି, ତେବେ ବିଧାନସଭା ସମ୍ମୁଖରେ ଅନଶନ ଏବଂ ଆମରଣ ଅନଶନ ଭଳି କଠୋର ଆନ୍ଦୋଳାନାତ୍ମକ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ସଭାରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରୁ ବିଦାୟ ନେଲା ମୌସୁମୀ ବାୟୁ: ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର

ଭୁବନେଶ୍ବର: ଚଳିତ ବର୍ଷ ପାଇଁ ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଫେରିଯାଇଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସଂପୂର୍ଣ୍ଣ ରୂପେ ରାଜ୍ୟରୁ ବିଦାୟ ନେଇଛି। ଆସନ୍ତା ୪୮ ଘଣ୍ଟାରେ ସମଗ୍ର ଦେଶରୁ ମୌସୁମୀ ବାୟୁ ବିଦାୟ ନେବ। ସେଥିପାଇଁ ପାଗ ଅନୁକୂଳ ରହିଥିବା କୁହାଯାଇଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର, ଭୁବନେଶ୍ଵର ପକ୍ଷରୁ ସୂଚନା ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବାଲୁଗାଁ: ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ହସ୍ତକ୍ଷେପ ପରେ ବିଜୁ ସ୍ୱାସ୍ଥ୍ୟ କାର୍ଡର ସୁବିଧା ପାଇଲେ ରୋଗୀ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଘରୋଇ ହସ୍ପିଟାଲ ଗୁଡ଼ିକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ ହେଲଥ କାର୍ଡକୁ ଗ୍ରହଣ କରାଯାଉନଥିବାର ଅନେକ ଅଭିଯୋଗ ହେଉଛି। ସେହିଭଳି ଭୁବନେଶ୍ଵରସ୍ଥିତ ଏକ ଘରୋଇ ହସ୍ପିଟାଲରୁ ସମାନ ଅଭିଯୋଗର ଏକ ମାମଲା ଆସିଛି। କିନ୍ତୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକଙ୍କ ହସ୍ତକ୍ଷେପ ଯୋଗୁଁ ଉକ୍ତ କାର୍ଡ ଜରିଆରେ ଜଣେ ରୋଗୀ ଚିକିତ୍ସା ସେବା ପାଇଥିବା ଜଣାପଡିଛି।

ସୂଚନା ମୁତାବକ ବାଲୁଗାଁର ପ୍ରମୋଦ ବିଶ୍ଵାଳ (୪୦) ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଯାଇଥିଲେ। ସେଠାରେ ଡାକ୍ତରଙ୍କ ଦ୍ଵାରା ବିଭିନ୍ନ ପରୀକ୍ଷା ପରେ ତାଙ୍କ ପେଟରେ ଏକ ଟ୍ୟୁମର ହୋଇଥିବା ଜାଣିବାକୁ ପାଇଥିଲେ। ଟ୍ୟୁମରଟି ବଡ ଆକାରର ହୋଇଥିବାରୁ ଡାକ୍ତର ତାଙ୍କୁ ତୁରନ୍ତ ଅସ୍ତ୍ରୋପଚାର କରି ପରବର୍ତ୍ତୀ ଚିକିତ୍ସା ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ରୋଗୀଙ୍କ ଆର୍ଥିକ ଅବସ୍ଥା ଭଲନଥିବାରୁ ସେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଅଧୀନରେ ଚିକିତ୍ସା କରିବା ପାଇଁ ଚେଷ୍ଟା କରୁଥିଲେ। ଅନେକ ହସ୍ପିଟାଲରେ ବୁଝାସୁଝା କରିବା ପରେ ଚିକିତ୍ସା ସେବା ମିଳିପାରିନଥିଲା।

ତେବେ ରୋଗୀଙ୍କ ସମ୍ପର୍କୀୟ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଯୋଗାଯୋଗ କରି ଚିକିତ୍ସା ପାଇଁ ଅନୁରୋଧ କରିଥିଲେ। ଡା. ନାୟକଙ୍କ ହସ୍ତକ୍ଷେପ ପରେ ଆଜି ରୋଗୀଙ୍କୁ ଆପୋଲୋ ହସ୍ପିଟାଲରେ ମାଗଣା ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ବିଜୁ ସ୍ୱାସ୍ଥ୍ୟ କାର୍ଡ ଅଧୀନରେ ଚିକିତ୍ସା ସେବା ପାଇଥିବାରୁ ଆଜି ରୋଗୀଙ୍କ ପରିବାର ଲୋକେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକ, ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ୫-ଟି ସଚିବ ଭି.କେ ପାଣ୍ଡିୟାନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ମୂର୍ଚ୍ଛନାର ସଂଗୀତ ପ୍ରତିଯୋଗିତା

ଭୁବନେଶ୍ଵର: ଆଜି ଭୁବନେଶ୍ଵର ଜୟଦେବ ଭବନ ଠାରେ ମୂର୍ଚ୍ଛନାର ସଂଗୀତ ପ୍ରତିଯୋଗିତା ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ର ଓ ଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି। କୃତି ପ୍ରତିଯୋଗୀ ମାନଙ୍କୁ ମୂର୍ଚ୍ଛନାର ୧୮ତମ ବାର୍ଷିକୋତ୍ସବ ଓ ସଂଗୀତ ଉତ୍ସବ ଦିନ ସରେ ଜୟଦେବ ଭବନଠାରେ ନଗଦ ରାଶି, ଫଳକ ଓ ସାର୍ଟିଫିକେଟ ପ୍ରଦାନ କରାଯିବ।

ସଭାପତି ପ୍ରଦୋଷ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ସଂଗୀତ ପ୍ରତିଯୋଗୀତାକୁ ଉଦ୍‌ଘାଟନ କରିଥିଲେ। ମୂର୍ଚ୍ଛନାର କର୍ମକର୍ତ୍ତା ଅଜୟ ମହାନ୍ତି, ମହେନ୍ଦ୍ର ଆଚାର୍ଯ୍ୟ, ସତରୂପା ଦେବେନ୍ଦ୍ର ସାହୁ, ହେମନ୍ତ ପରମଗୁରୁ, ପ୍ରଣୟ ଜେଠୀ, ଗୋଲକ ଚରଣ ମାର୍ଥା ଓ ତୁଷାର କାନ୍ତି ଚୌଧୁରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସଂଗୀତ ପ୍ରତିଯୋଗୀତା ସୁରୁଖୁରୁରେ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମକୁ ଅନନ୍ୟା ମହାନ୍ତି ଓ ଦୀପୟିକା ମିଶ୍ର ସଂଚାଳନ କରିଥିଲେ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ବାଣିଜ୍ୟିକ ଖଣି ନିଲାମୀର ଦ୍ୱିତୀୟ ଦିନରେ ନିଲାମ ହେଲା ଓଡ଼ିଶାର ଦୁଇଟି କୋଇଲା ଖଣି

ଭୁବନେଶ୍ଵର: ସିଏମଏସପି ଆଇନ ଏବଂ ଏମଏମଡିଆର ଆଇନର ଚତୁର୍ଥ ଓ ପଞ୍ଚମ ପର୍ଯ୍ୟାୟ ଦ୍ୱିତୀୟ ପ୍ରୟାସ ଅଧୀନରେ ବାଣିଜ୍ୟିକ କୋଇଲା ଖଣିର ନିଲାମୀ ମାର୍ଚ୍ଚ ୩୦, ୨୦୨୨ରେ ଆରମ୍ଭ ହୋଇଥିଲା। ଏହି କ୍ରମରେ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଗତକାଲି ଇ-ନିଲାମୀର ଦ୍ୱିତୀୟ ଦିନରେ ଦୁଇଟି ଏମଏମଡିଆର କୋଇଲା ଖଣି ନିଲାମ କରାଯାଇଛି। ଏହି ଦୁଇଟି ହେଲା ଘୋଗରପାଲି ଏବଂ ଏହାର ଗଭୀର ସମ୍ପ୍ରସାରଣ କୋଇଲା ଖଣି। କୋଇଲା ଖଣିର ବିବରଣୀ ନିମ୍ନରେ ଦିଆଗଲା:-

ଉଭୟ କୋଇଲା ଖଣିରୁ ସମ୍ପୂର୍ଣ୍ଣ ଖଣିଜ ଉତ୍ତୋଳନ କରାଯିବ।

ଏଗୁଡ଼ିକର ମୋଟ ଗଚ୍ଛିତ ଖଣିଜ ଦ୍ରବ୍ୟ ପରିମାଣ ୧୨୮୮.୨୮ ନିୟୁତ ଟନ ରହିଛି।

ଏହି ଦୁଇଟି ଖଣିର ପିଆରସି ଦର ବାର୍ଷିକ ୨୦ ନିୟୁତ ଟନ୍‌ ରହିଛି।

Categories
ଆଜିର ଖବର ଜାତୀୟ ଖବର ସଂସ୍କୃତି

୨୧ ରୁ ୨୫ ଜୁଲାଇ ଭୁବନେଶ୍ଵରରେ ଆୟୋଜିତ ହେବ ଭାରତ ରଙ୍ଗ ମହୋତ୍ସବ

ଭୁବନେଶ୍ବର: ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଭାରତ ସ୍ୱାଧୀନତାର ୭୫ ବର୍ଷକୁ ଆଜାଦୀ କା ଅମୃତ ମହୋତ୍ସବ ଭାବେ ପାଳନ କରୁଛି। ଏହି ଅବସରରେ ଜାତୀୟ ନାଟ୍ୟ ବିଦ୍ୟାଳୟ (ଏନଏସଡି), ନୂଆଦିଲ୍ଲୀଙ୍କ ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରିବା ସହ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଆଜାଦୀ କା ଅମୃତ ମହୋତ୍ସବ- ୨୦୨୨ ଅନ୍ତର୍ଗତ ଏକ ଉତ୍ସବ “ଆଜାଦୀ କା ଅମୃତ ମହୋତ୍ସବ- ୨୨ତମ ଭାରତ ରଙ୍ଗ ମହୋତ୍ସବ, ୨୦୨୨ (ସ୍ୱାଧୀନତା ଖଣ୍ଡ)” ଆୟୋଜନ କରୁଛନ୍ତି।

୨୧ ରୁ ୨୫ ଜୁଲାଇ ଭୁବନେଶ୍ଵରରେ ଆୟୋଜିତ ହେବ ଏହି ଭାରତ ରଙ୍ଗ ମହୋତ୍ସବ। କିଟ କ୍ୟାମ୍ପସ ୬ ଅଡିଟୋରିଅମରେ ପ୍ରତେକ ସନ୍ଧ୍ୟାରେ ନାଟକ ପରିବେଷିତ ହେବ। ଏଥିରେ ଦୁଇଟି ଓଡ଼ିଆ ନାଟକ ମଧ୍ୟ ସ୍ଥାନ ପାଇଛି। ଜୁଲାଇ ୨୧ ରେ ବିଶ୍ଵଭୂଷଣ ହରିଚନ୍ଦନଙ୍କ ଦ୍ଵାରା ରଚିତ ନାଟକ “ମହାସଂଗ୍ରାମର ମହାନାୟକ” ଏବଂ ୨୫ ଜୁଲାଇରେ ଶଙ୍କର ତ୍ରିପାଠୀଙ୍କ ଦ୍ଵାରା ରଚିତ “ଗାନ୍ଧୀଙ୍କ ଓଡ଼ିଶା” ମଞ୍ଚସ୍ଥ ହେବ।

ପ୍ରଫେସର ଡଃ ରମେଶ ଚନ୍ଦ୍ର ଗୌର, ନିର୍ଦ୍ଦେଶକ, ଏନଏସଡି ଗଣମାଧ୍ୟମକୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି ଏହି ଶୃଙ୍ଖଳାରେ ଭାରତର ବିଭିନ୍ନ ସହରରେ ୩୦ଟି ନାଟକ ମଞ୍ଚସ୍ଥ ହେବ। ନୂଆଦିଲ୍ଲୀ ଠାରେ ଜୁଲାଇ ୧୬, ୨୦୨୨ରେ ଏହି ଉତ୍ସବର ଶୁଭାରମ୍ଭ ହେବ ଓ ପରେ ଅନ୍ୟ ୫ ସହର ଭୁବନେଶ୍ୱର, ବାରଣାସୀ, ଅମୃତସର, ବେଙ୍ଗାଲୁରୁ ଓ ମୁମ୍ବାଇ ଠାରେ ଆୟୋଜିତ ହେବ। ଅଗଷ୍ଟ ୧୪, ୨୦୨୨ରେ ଜୱାହରଲାଲ ନେହେରୁ ଷ୍ଟାଡିୟମ, ନୂଆଦିଲ୍ଲୀ ଠାରେ ଉତ୍ସବ ସମାପନ ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବ।

ପ୍ରଫେସର (ଡଃ) ଗୌର ସ୍ୱତନ୍ତ୍ର ଭାବେ ସୂଚିତ କରିଛନ୍ତି ଯେ, ଏନଏସଡି ଜୁଲାଇ ୨୫ରେ ଜାତୀୟ ଯୁଦ୍ଧ ସ୍ମାରକୀ ପରିସରରେ କାରଗିଲ ବିଜୟ ଦିବସର ପୂର୍ବ ସନ୍ଧ୍ୟାରେ ସ୍ୱତନ୍ତ୍ର ନାଟକ “କାରଗିଲ ଏକ ନାଟ୍ୟ କଥା” ପରିବେଷଣ କରିବ। ଏହି କାର୍ଯ୍ୟକ୍ରମକୁ ପ୍ରତିରକ୍ଷା ମନ୍ତ୍ରୀ ଓ ସ୍ଥଳ ସେନା ମୁଖ୍ୟଙ୍କୁ ଆମନ୍ତ୍ରିତ କରାଯିବ। ଜୱାହରଲାଲ ଆଉଟଡୋର ଷ୍ଟାଡିୟମ ଠାରେ ଅଗଷ୍ଟ ୧୪ରେ ଏକ ସ୍ୱତନ୍ତ୍ର ନାଟକ ମଞ୍ଚସ୍ଥ ହେବ।

ଶ୍ରୀ ଗୌର ସୂଚନା ଦେଇଛନ୍ତି ନାଟକ ଅନୁଷ୍ଠିତ ହେଉଥିବା ସମସ୍ତ ସ୍ଥାନରେ ଅନଲାଇନ ବୁକିଂ ମାଧ୍ୟମରେ ପ୍ରବେଶ କରାଯାଇପାରିବ। www.nsd.gov.in ୱେବସାଇଟ ମାଧ୍ୟମରେ ପଞ୍ଜିକରଣ ପରେ ପ୍ରବେଶ ନିଃଶୁଳ୍କ ରହିବ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରାଜଧାନୀରୁ ଜବତ ହେଲା ୫ କୋଟିର ଧଳା ଜହର: ତିନି ବେପାରୀ ଗିରଫ

ଭୁବନେଶ୍ଵର: ଦିନକୁ ଦିନ ରାଜ୍ୟରେ ବ୍ରାଉନ ସୁଗାର କାରବାର ବଢିବାରେ ଲାଗିଛି। ଏହି କାରବାରରେ ଲିପ୍ତ ଥିବା ବେପାରୀଙ୍କୁ ପୋଲିସ ଦୈନିକ ଗିରଫ ମଧ୍ୟ କରୁଛି। ହେଲେ ବ୍ରାଉନ ସୁଗାର କାରବାର ବନ୍ଦ ହେବାର ନାଁ ଧରୁନାହିଁ। ସେହିଭଳି ରାଜଧାନୀ ଭୁବନେଶ୍ଵରରୁ ଆଜି ୫ କୋଟି ଟଙ୍କାର ଧଳା ଜହର ଜବତ ହୋଇଛି। ଏହାସହ ୩ ଜଣ ବେପାରୀଙ୍କୁ ଏସଟିଏଫ ଗିରଫ କରିଛି।

ସୂଚନା ଅନୁଯାୟୀ, ରାଜଧାନୀ ଉପକଣ୍ଠରେ ବ୍ରାଉନ ସୁଗାର କାରବାର ଚାଲିଥିବାର କୌଣସି ସୂତ୍ରରୁ ଏସଟିଏଫ ଜାଣିପାରିଥିଲା। ବିଳମ୍ବ ନକରି ଏସଟିଏଫ ଉକ୍ତ ଅଞ୍ଚଳରେ ଚଢାଉ କରିଥିଲା। ବେପାରୀମାନେ ବ୍ରାଉନ ସୁଗାର ବିକ୍ରି ପାଇଁ ଡିଲ କରିବା ବେଳେ ଏସଟିଏଫ ମାଡି ବସିଥିଲା। ଫଳରେ ସେଠାରୁ ୫ କୋଟି ଟଙ୍କାର ବ୍ରାଉନ ସୁଗାର ଜବତ କରିଥିବା ବେଳେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗିରଫ ହୋଇଥିବା ୩ ଜଣ ବେପାରୀଙ୍କ ମଧ୍ୟରୁ ୨ ଜଣ ତମାଣ୍ଡୋ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ପିପିଲିର ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ପଶ୍ଚିମବଙ୍ଗ ବୀରଭୂମି ହିଂସା ଘଟଣା: ଭୁବନେଶ୍ଵରରୁ ୨ ଅଭିଯୁକ୍ତଙ୍କୁ ଉଠାଇନେଲା ଏନଆଇଏ

ଭୁବନେଶ୍ଵର: ବୀରଭୂମି ହିଂସା ଘଟଣାରେ ଆଜି ଭୁବନେଶ୍ଵରରେ ଏନଆଇଏ ଚଢାଉ କରିଛି। ଏହି ଚଢାଉ ବେଳେ ୨ ଜଣ ଅଭିଯୁକ୍ତଙ୍କୁ ଏନଆଇଏ ହେପାଜତକୁ ନେଇଛି। ବୀରଭୂମି ହିଂସା ଘଟଣାରେ ୮ ଜଣଙ୍କୁ ଘରେ ବନ୍ଦୀ କରି ଜୀବନ୍ତ ଜାଳିଦିଆଯାଇଥିଲା।

ପଶ୍ଚିମବଙ୍ଗର ବୀରଭୂମୀର ରାମପୁରହାଟ ଅଞ୍ଚଳରେ ତୃଣମୂଳ କଂଗ୍ରେସ ନେତା ବାହାଦୂର ଶେଖଙ୍କ ହତ୍ୟା ପରେ ଦୁର୍ବୃତ୍ତମାନେ ଅନେକ ଘରେ ନିଆଁ ଲଗାଇ ଦେଇଥିଲେ। ଅଗ୍ନିକାଣ୍ଡ ପରେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ଵରରେ ଏୟାର ଏସିଆ ବିମାନର ଜରୁରୀ ଅବତରଣ

ଭୁବନେଶ୍ବର: ଭୁବନେଶ୍ଵରରେ ଏୟାର ଏସିଆ ବିମାନର ଜରୁରୀ ଅବତରଣ କରାଯାଇଥିବା ସୂଚନା ରହିଛି। ବେଙ୍ଗୁଲୁରୁରୁ କୋଲକୋତା ଯାଉଥିବା ଏୟାର ଏସିଆ ବିମାନର ଜରୁରୀ ଅବତରଣ କରାଯାଇଛି। ଜଣ ଯାତ୍ରୀ ଅସୁସ୍ଥ ହେବାରୁ ବିମାନଟିକୁ ଜରୁରୀ ଅବତରଣ କରାଯାଇଛି। ଅସୁସ୍ଥ ଯାତ୍ରୀଜଣଙ୍କ ମୃତ୍ୟୁବରଣ ହୋଇଥିବା ସୂଚନା ରହିଛି। ମୃତକ ଯାତ୍ରୀଙ୍କ ନାମ ତୈମୁର ଅଲ୍ଲୀ ଖାଁ ବୋଲି ଜଣାପଡିଛି।

Categories
ବିଶେଷ ଖବର

୩ ମହାନଗର ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା ବିଜେଡ଼ି, ଜାଣନ୍ତୁ ଭୁବନେଶ୍ଵରରୁ ଲଢିବେ କିଏ

ଭୁବନେଶ୍ଵର: ଆଜି ବିଜୁ ଜନତା ଦଳ ମହାନଗର ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି। ୩ ମହାନଗର ଯଥା ଭୁବନେଶ୍ଵର, କଟକ ଏବଂ ବ୍ରହ୍ମପୁର ପାଇଁ ମେୟର ପ୍ରାର୍ଥୀ ଘୋଷଣା କରାଯାଇଛି। ଭୁବନେଶ୍ଵର ମହାନଗର ପାଇଁ ସୁଲୋଚନା ଦାସଙ୍କୁ ମେୟର ପ୍ରାର୍ଥୀ କରାଯାଇଥିବା ବେଳେ କଟକ ମହାନଗର ପାଇଁ ସାଂସଦ ସୁବାସ ସିଂହ ଏବଂ ବ୍ରହ୍ମପୁର ମହାନଗର ପାଇଁ ସଙ୍ଘମିତ୍ରା ଦଳାଇଙ୍କୁ ମେୟର ପ୍ରାର୍ଥୀ କରାଯାଇଛି।

ତେବେ ଏହା ପୂର୍ବରୁ ଭୁବନେଶ୍ଵର ମହାନଗର ପାଇଁ କଂଗ୍ରେସ ପକ୍ଷରୁ ମେୟର ପ୍ରାର୍ଥୀ ଘୋଷଣା କରାଯାଇଛି। ମଧୁସ୍ମିତା ଆଚାର୍ଯ୍ୟଙ୍କୁ କଂଗ୍ରେସ ପକ୍ଷରୁ ଭୁବନେଶ୍ଵର ମହାନଗରର ମେୟର ପ୍ରାର୍ଥୀ ଘୋଷଣା କରାଯାଇଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଜେପି ପକ୍ଷରୁ କୌଣସି ପ୍ରାର୍ଥୀ ଘୋଷଣା କରାଯାଇନାହିଁ।

Categories
ଅପରାଧ ଆଜିର ଖବର

ଭୁବନେଶ୍ଵରରୁ ଜବତ ହେଲା ୭ ଲକ୍ଷର ଜାଲ ନୋଟ ଏବଂ ୧୨ କୋଟିର ସୁନା

ଭୁବନେଶ୍ଵର: ରାଜ୍ୟର ରାଜଧାନୀ ଧୀରେ ଧୀରେ ଅସାମାଜିକ କାର୍ଯ୍ୟଗୁଡିକ ବୃଦ୍ଧି ପାଇବାରେ ଲାଗିଛି। ଆଜି ଭୁବନେଶ୍ବରରୁ ୭ ଲକ୍ଷ ଟଙ୍କାର ଜାଲ ନାଟ ଜବତ କରାଯାଇଛି। ଖାରବେଳନଗରରୁ ୭ ଲକ୍ଷ ଟଙ୍କାର ଜାଲ ନୋଟ ଜବତ ହୋଇଛି। ସମସ୍ତ ଜାଲ ନୋଟଗୁଡିକ ୨୦୦ ଟଙ୍କିଆ ନୋଟ ବୋଲି ସୂଚନା ମିଳିଛି। ଏହି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରାଯାଇଛି। ଏନେଇ ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।

ସେହିଭଳି ଭୁବନେଶ୍ଵର ରେଳ ଷ୍ଟେସନରୁ ୧୨ କୋଟି ଟଙ୍କାର ସୁନା ମଧ୍ୟ ଜବତ ହୋଇଛି। ମୁମ୍ବାଇରୁ କୋଣାର୍କ ଏକ୍ସପ୍ରେସରେ ଆସିଥିବା ୩୨ କେଜି ସୁନା ଜବତ କରାଯାଇଛି। ସୁନା ଜବତ ସହ ୪ ଜଣଙ୍କୁ ଜିଆରପି ଅଟକ ରଖିଛି। ହେଲେ ଏପର୍ଯ୍ୟନ୍ତ ଏହାର କାରଣ ବାବଦରେ କୌଣସି ସ୍ପଷ୍ଟ ହୋଇନି।