ମିଶନ ଅଲମ୍ପିକ ସେଲ ସଦସ୍ୟମାନଙ୍କ ବୈଠକ ଆୟୋଜନ କରିବ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ 

Published: Jan 8, 2023, 8:35 am IST

ଭୁବନେଶ୍ଵର: ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ (ଏମୱାଇଏଏସ) ଜାନୁୟାରୀ 20, 2023 ରେ ଭୁବନେଶ୍ୱର, ଓଡିଶା ଠାରେ ମିଶନ ଅଲମ୍ପିକ ସେଲ (ଏମଓସି) ବୈଠକ ଆୟୋଜନ କରିବେ। ପ୍ରତି ମାସରେ ‘ଟପ୍ସ’ କ୍ରୀଡାବିତ ଚୟନ, ସେମାନଙ୍କ ପ୍ରଦର୍ଶନ ନୀରିକ୍ଷଣ ଓ ମୂଲ୍ୟାୟନ ଏବଂ ମନ୍ତ୍ରଣାଳୟ ଠାରୁ ଆର୍ଥିକ ସହାୟତା ପାଇଁ ଏଲିଟ କ୍ରୀଡାବିତମାନଙ୍କ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ ପାଇଁ ଏମଓସି ବୈଠକ ହୋଇଥାଏ।

ବିଶିଷ୍ଟ ପୂର୍ବତନ କ୍ରୀଡାବିତ ଅଞ୍ଜୁ ବବି ଜର୍ଜ, ଅଞ୍ଜଳି ଭଗୱତ, ବୀରେନ ରସକିହ୍ନା, ଯୋଗେଶ୍ୱର ଦତ୍ତ, ତୃପ୍ତି ମୁରଗୁଣ୍ଡେ, ମୋନାଲିସା ବରୁଆଙ୍କ ସହିତ ଅନ୍ୟ ସଦସ୍ୟମାନେ ଏହି ବୈଠକରେ ଯୋଗ ଦେବା ଅବସରରେ ହକି ବିଶ୍ୱକପ ମ୍ୟାଚରେ ସାମିଲ ହେବେ। ଏହି ସଦସ୍ୟମାନେ ଜାନୁୟାରୀ 19 ରେ ଅନ୍ତିମ ଗ୍ରୁପ ଷ୍ଟେଜ ମ୍ୟାଚରେ ଭାରତ ସହ ୱେଲ୍ସର ମୁକାବିଲା ଦେଖିବାର ସମ୍ଭାବନା ରହିଛି।

ଭୁବନେଶ୍ୱର ଠାରେ ଆୟୋଜିତ ହେବାକୁ ଥିବା ଏହି ବୈଠକ ସମ୍ପର୍କରେ ଅଞ୍ଜୁ ବବି ଜର୍ଜ କହିଛନ୍ତି, “ମୁଁ ଭୁବନେଶ୍ୱରର ଏମଓସିରେ ଭାଗ ନେବାକୁ ଉତ୍ସୁକ। ଏମଓସି ସଦସ୍ୟ ଭାବେ ଆମେ କ୍ରୀଡାବିତମାନଙ୍କ ପ୍ରଶିକ୍ଷଣ ଓ ଆନ୍ତର୍ଜାତିକ ପ୍ରତିଯୋଗିତାଗୁଡିକରେ ସେମାନଙ୍କ ଅଂଶଗ୍ରହଣକୁ ଅନୁମୋଦନ ଦେଇଥାଉ। ଯଦିଓ ପ୍ରଥମ ଥର ପାଇଁ ଏମଓସି ସଦସ୍ୟ ଭାବେ ଆମେ ସମସ୍ତେ ଖେଳାଳିମାନଙ୍କୁ ପଡିଆରେ ଖେଳୁଥିବା ଦେଖିବୁ। ଏହାଦ୍ୱାରା ସେମାନଙ୍କ ପ୍ରଦର୍ଶନ ନିକଟରୁ ପରଖିବା ସହ ସେମାନଙ୍କ ଅଭିଯାନର ଅଂଶବିଶେଷ ହେବାକୁ ସୁଯୋଗ ମିଳିବ।”

ସାଧାରଣତଃ ସାରା ଭାରତରୁ ଏମଓସି ସଦସ୍ୟମାନେ ‘ଟପ୍ସ’ ସମ୍ବନ୍ଧିତ କାର୍ଯ୍ୟସୂଚୀ ସମ୍ପର୍କରେ ଆଲୋଚନା ପାଇଁ ଦିଲ୍ଲୀରେ ପହଞ୍ଚିଥାନ୍ତି। କୋଭିଡ-19 ପ୍ରଭାବ ଅଧିକ ଥିବା ବେଳେ କ୍ରୀଡାବିତମାନଙ୍କ ବିଳମ୍ବ ନକରାଇବା ପାଇଁ ଏହି ବୈଠକ ଭର୍ଚୁଆଲ ପ୍ଲାଟଫର୍ମରେ ଆୟୋଜିତ ହୋଇଥିଲା। ଲକଡାଉନ ପରେ ଏହି ବୈଠକଗୁଡିକ ପାଇଁ ହାଇବ୍ରିଡ ଆଭିମୁଖ୍ୟ ଗ୍ରହଣ କରାଯାଇଥିଲା, ଯେଉଁଥିରେ ମାସର ଗୋଟିଏ ବୈଠକ ଭର୍ଚୁଆଲ ମାଧ୍ୟମରେ ହେଉଥିବା ବେଳେ ଦ୍ୱିତୀୟ ବୈଠକ ସଦସ୍ୟମାନଙ୍କ ବ୍ୟକ୍ତିଗତ ଉପସ୍ଥିତିରେ ଅନୁଷ୍ଠିତ ହେଉଛି।

Related posts