Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀରେ ‘ମୋ ବୁଥ ସବୁଠୁ ମଜବୁତ’ କାର୍ଯ୍ୟକ୍ରମ ଯୋଗଦେଲେ ବିଜେପି ରାଜ୍ୟ ସଭାପତି

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଗକୁ ଆସୁଛି ସାଧାରଣ ନିର୍ବାଚନ। ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ତାର ସଂଗଠନକୁ ସୁଦୃଢ କରିବା ପାଇଁ ପ୍ରତି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମ କରୁଛି।କେନ୍ଦ୍ରରେ ମୋଦି ସରକାରଙ୍କ ୯ବର୍ଷ ପୂର୍ତ୍ତି ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ବିଜେପି ପ୍ରୟାସ ଜାରି ରଖିଛି। ଏହି ଅବସରରେ ଖୋର୍ଦ୍ଧା ବିଜେପି ପକ୍ଷରୁ ମୋ ବୁଥ ସବୁଠୁ ମଜବୁତ ସମାବେଶ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଛି।

ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଟାଙ୍ଗୀ ବ୍ଲକ କଲେଜ ପଡିଆ ଠାରେ ବିଶାଳ ସମାବେଶ ହୋଇଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଭୂବନେଶ୍ୱର ସାସଂଦ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁଚରଣ ଖଣ୍ଡାୟତରାୟ, ବିଜେପି ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର ପ୍ରମୁଖଙ୍କ ସହିତ ଶତାଧିକ ବିଜେପି କର୍ମୀ ଏହି ସମାବେଶରେ ଯୋଗଦେଇଛନ୍ତି।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ଭୂବନେଶ୍ୱର ସାସଂଦ ଅପରାଜିତା ଷଡ଼ଙ୍ଗୀଙ୍କୁ କର୍ମୀମାନେ ସ୍ୱାଗତ କରିବା ପରେ ଟାଙ୍ଗୀ ମଧୁମଙ୍ଗଳ ପଡିଆଠାରୁ ପଦଯାତ୍ରାରେ ଏକ ବିରାଟ ପଟୁଆରରେ ଆସି ସଭା ସ୍ଥଳରେ ପହଞ୍ଚିଥିଲେ। ସଭା ମଞ୍ଚରେ ଉଭୟ ନେତାଙ୍କ ସହିତ ଅନ୍ୟାନ୍ୟ ନେତୃବୃନ୍ଦ ଯୋଗଦେଇଥିଲେ।

ସାସଂଦ ଅପରାଜିତା ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କ ଉପରେ ଉକ୍ତ ସଭାରେ ବର୍ଷିଥିଲେ। ରାଜ୍ୟର ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ। ସରକାରଙ୍କ ଜଣେ ସଚିବ କିଭଳି ଭାବରେ ସରକାରୀ ଟଙ୍କା ଖର୍ଚ୍ଚ କରି ଦଳୀୟ କାର୍ଯ୍ୟ କରୁଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭୂବନେଶ୍ୱର ସାସଂଦ। ଚନ୍ଦକା ଅଞ୍ଚଳରେ ଜଣେ ଅଣ ଓଡ଼ିଆ ମହିଳା ଲୋକଙ୍କ ଠାରୁ ଶାଗମାଛ ଦରରେ ଜମି କିଣି ନିଜ ଅକ୍ତିଆରକୁ ନେଉଥିବା ଏକ ଦସ୍ତାବିଜ ଦେଖାଇଛନ୍ତି। ସେ ମହିଳା ଜଣଙ୍କ କିଏ ତାଙ୍କୁ ସରକାରୀ କର୍ମଚାରୀ, ବିଧାୟକ, ମନ୍ତ୍ରୀ ସମସ୍ତେ ସହଯୋଗ କରୁଥିବା କହିଛନ୍ତି।

ରାଜ୍ୟରେ ରାଜ୍ୟ ସରକାର ୨୩ବର୍ଷ ଶାସନ କରିବା ମଧ୍ୟରେ କଣ ବିକାଶ ହୋଇଛି ରାଜ୍ୟ ସରକାରଙ୍କ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ବିଜେପି ରାଜ୍ୟ ସଭାପତି ବିଜେଡି ୨୩ ବର୍ଷ ମଧ୍ୟରେ ଯାହା କରିନାହିଁ ବିଜେପି କୁ ୫ବର୍ଷ ସୁଯୋଗ ଦିଅନ୍ତୁ, ବିଜେପି ୫ବର୍ଷ ମଧ୍ୟରେ ତାହା କରି ଦେଖାଇଦେବ ବୋଲି କହିଥିଲେ। ଟାଙ୍ଗୀ ବ୍ଲକକୁ ଏନଏସି ମାନ୍ୟତା ପ୍ରଦାନ କରିବା ସହିତ ଗିରି ଗୋବର୍ଦ୍ଧନ ପର୍ବତକୁ ପର୍ଯ୍ୟଟନ ସ୍ଥଳର ମାନ୍ୟତା ପ୍ରଦାନ, କାଳୁପଡା ଷ୍ଟେସନରେ ପ୍ରଶାନ୍ତି ଏକ୍ସପ୍ରେସ ରହଣି ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଉଭୟ ନେତା।