Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଭୂମିକମ୍ପଜନିତ ମୃତ୍ୟୁ ସଂଖ୍ୟା ୪୩୬୫କୁ ବୃଦ୍ଧି, ତୁର୍କୀ ଅଭିମୁଖେ ଭାରତୀୟ ଉଦ୍ଧାରକାରୀ ଦଳ

ନୂଆଦିଲ୍ଲୀ: ସୋମବାର ଦିନ ତୁର୍କୀ ଏବଂ ପଡୋଶୀ ସିରିଆରେ ଘଟିଥିବା ୭.୮ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପରେ ଏପର୍ଯ୍ୟନ୍ତ ୪୩୬୫ ଜଣଙ୍କର ମୃତ୍ୟୁ ଘଟିଛି। ଏଥି ସହ ହଜାର ହଜାର ଲୋକ ଆହତ ହୋଇଛନ୍ତି। ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ପ୍ରବଳ କ୍ଷୟକ୍ଷତି ହୋଇଛି। ଅନେକ ଅଟ୍ଟାଳିକା ତାସ ଘର ପରି ଭୁଷୁଡି ପଡିଛି।

ସର୍ବଶେଷ ଆକଳନ ଅନୁଯାୟୀ, ଭୂକମ୍ପ ପରେ ତୁର୍କୀ ଏବଂ ସିରିଆରେ ୪୩୬୫ ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ୧୪୦୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ ଭୂକମ୍ପ ଯୋଗୁଁ ୫ ହଜାର ୬୦୬ ଟି କୋଠା ଭୁଶୁଡି ପଡିଛି। ୬ ହଜାର ୮୦୦ ଲୋକଙ୍କୁ ଆବର୍ଜନାରୁ ଉଦ୍ଧାର କରାଯାଇଛି।

ଏହି ଅଞ୍ଚଳରେ ପ୍ରାୟ ୯୭୦୦ ଉଦ୍ଧାର କର୍ମଚାରୀ କାର୍ଯ୍ୟ କରୁଛନ୍ତି ବୋଲି ବିପର୍ଯ୍ୟୟ ଏବଂ ଜରୁରୀକାଳୀନ ପରିଚାଳନା ସଭାପତି (AFAD) କହିଛନ୍ତି। ତୁର୍କୀର ସ୍ୱାସ୍ଥ୍ୟମନ୍ତ୍ରୀ କୋକା କହିଛନ୍ତି ଯେ, ବିପର୍ଯ୍ୟୟ କ୍ଷେତ୍ରରେ ପର୍ଯ୍ୟାପ୍ତ ସଂଖ୍ୟକ ଦଳ କାର୍ଯ୍ୟ କରୁଛନ୍ତି ଏବଂ ସେମାନଙ୍କର ଅନୁସନ୍ଧାନ, ଉଦ୍ଧାର ଏବଂ ସ୍ୱାସ୍ଥ୍ୟ ସେବା ଜାରି ରହିଛି।

ସେହିଭଳି ଭାରତୀୟ ବାୟୁସେନା ସି-୧୭ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (NDRF) ର ସର୍ଚ୍ଚ ଏବଂ ଉଦ୍ଧାରକାରୀ ଦଳ ସହିତ ତୁର୍କୀ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ବିମାନ ଏକ ବୃହତ ରିଲିଫ ପ୍ରୟାସର ଏକ ଅଂଶ ଯାହାକି ଅନ୍ୟ ଭାରତୀୟ ସଂଗଠନ ସହିତ IAF ଦ୍ୱାରା କରାଯିବ।