Categories
ଅପରାଧ ଆଜିର ଖବର ଜାତୀୟ ଖବର

ଅମିତ ଶାହାଙ୍କ ମଣିପୁର ଗସ୍ତ ପୂର୍ବରୁ ରାଜ୍ୟରେ ପୁଣି ହିଂସା, ଜଣେ ପୋଲିସ କର୍ମୀଙ୍କ ସମେତ ୫ ମୃତ

ନୂଆଦିଲ୍ଲୀ: ମଣିପୁରରେ ହିଂସା ବନ୍ଦ ହେବାର ନାମ ନେଉନାହିଁ। ଗୋଟିଏ ପଟେ ଆଜି ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟ ଗସ୍ତରେ ଯାଉଥିବାବେଳେ ରବିବାର ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପୁଣି ଥରେ ହିଂସା ଦେଖାଦେଇଛି। ଏହି ହିଂସାରେ ଜଣେ ପୋଲିସ କର୍ମୀଙ୍କ ସମେତ ଅତି କମରେ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି।

ଗତ ମାସରେ ଜାତିଗତ ହିଂସାରେ ଅତି କମରେ ୮୦ ଜଣଙ୍କର ମୃତ୍ୟୁ ଘଟିଥିଲା। ରବିବାର ଦିନ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ହିଂସା ସମୟରେ ୪୦ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଆତଙ୍କବାଦୀମାନେ ସାଧାରଣ ନାଗରିକଙ୍କ ବିରୋଧରେ ଏମ-୧୬ ଏବଂ ଏକେ-୪୭ ଆକ୍ରମଣକାରୀ ରାଇଫଲ ଏବଂ ସ୍ନାଇପର ବନ୍ଧୁକ ବ୍ୟବହାର କରୁଥିଲେ। ସେମାନେ ଅନେକ ଗାଁରେ ଘର ଜାଳିବାକୁ ଆସିଥିଲେ। ସେନା ତଥା ଅନ୍ୟ ସୁରକ୍ଷା ବାହିନୀ ସହାୟତାରେ ସେମାନଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା, ଯେଉଁଥିରେ ପ୍ରାୟ ୪୦ ଆତଙ୍କବାଦୀ ନିହତ ହୋଇଥିଲେ।

ଗୃହମନ୍ତ୍ରୀ ଅମିତ ଶାହା ଆଜି ମଣିପୁରରେ ପହଞ୍ଚିବେ। ଏହି ପରିପ୍ରେକ୍ଷୀରେ ଶାନ୍ତି ବଜାୟ ରଖିବା ଏବଂ ସ୍ୱାଭାବିକ ସ୍ଥିତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଉଭୟ କୁକି ଜନଜାତି ମେତେଇ ସମ୍ପ୍ରଦାୟକୁ ନିବେଦନ କରିଛନ୍ତି। ଏହାପୂର୍ବରୁ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଶନିବାର ଦିନ ମଣିପୁର ଯାଇ ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରିଛନ୍ତି।