Categories
ଆଜିର ଖବର ଜାତୀୟ ଖବର ସିନେମା

‘ଆଦିପୁରୁଷ’ର ନିର୍ମାତାଙ୍କ ଉପରେ ଆହ୍ଲାବାଦ ହାଇକୋର୍ଟଙ୍କ ତାଗିଦ: ଏକ ସପ୍ତାହ ମଧ୍ୟରେ ମାଗିଲେ ଜବାବ

ନୂଆଦିଲ୍ଲୀ: ଫିଲ୍ମ ‘ଆଦିପୁରୁଷ’ର ନିର୍ମାତାଙ୍କୁ ଆହ୍ଲାବାଦ ହାଇକୋର୍ଟ ତାଗିଦ କରିଛନ୍ତି। ଏହି ଚଳଚ୍ଚିତ୍ରଟି ରିଲିଜ ହେବା ପରଠାରୁ ବିବାଦରେ ଛନ୍ଦି ହୋଇଯାଇଛି। ଫିଲ୍ମର ସଂଳାପକୁ ଦର୍ଶକମାନେ ଦୃଢ ଆପତ୍ତି ଜଣାଇଛନ୍ତି। ଯାହା ପରେ ଫିଲ୍ମର ନିର୍ମାତାମାନେ ମଧ୍ୟ ବିବାଦୀୟ ସଂଳାପକୁ ପରିବର୍ତ୍ତନ କରିଛନ୍ତି। ତଥାପି ଫିଲ୍ମକୁ ନେଇ କ୍ରୋଧ ରହିଛି। ଏ ସମ୍ପର୍କରେ ଏକ ଆବେଦନ ଶୁଣାଣି ବେଳେ ଆହ୍ଲାବାଦ ହାଇକୋର୍ଟ ନିର୍ମାତାମାନଙ୍କୁ ତାଗିଦ କରିଛନ୍ତି। ଏହା ସହିତ କୋର୍ଟ ମଧ୍ୟ ସେନସର ବୋର୍ଡର ଭୂମିକା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ସେନସର ବୋର୍ଡ ମଧ୍ୟ ଏହାର ଦାୟିତ୍ୱ ପୂରଣ କରିନାହିଁ।

ଶୁଣାଣି ସମୟରେ ଫିଲ୍ମର ସଂଳାପ ଲେଖକ ମନୋଜ ମୁନ୍ତାଶୀର ଶୁକ୍ଲାଙ୍କୁ ମଧ୍ୟ କୋର୍ଟ ନୋଟିସ ଜାରି କରିଛନ୍ତି। ଏହା ସହିତ ମନୋଜ ମୁନ୍ତାଶିରଙ୍କୁ ଏକ ସପ୍ତାହ ମଧ୍ୟରେ ତାଙ୍କ ଉତ୍ତର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହିତ କୋର୍ଟ ଏହାର ମନ୍ତବ୍ୟରେ କହିଛନ୍ତି ଯେ, ‘ଏହି ଚଳଚ୍ଚିତ୍ରରେ ବ୍ୟବହୃତ ସଂଳାପ ଏକ ବଡ଼ ପ୍ରସଙ୍ଗ। ରାମାୟଣ ଲୋକଙ୍କ ପାଇଁ ଏକ ଉଦାହରଣ, ରାମାୟଣ ପୂଜନୀୟ। ଆଜି ବି ଲୋକମାନେ ରାମଚରିତମାନସ ପଢିବା ପରେ ଘରୁ ବାହରନ୍ତି।

ଏହି ଚଳଚ୍ଚିତ୍ରରେ ବ୍ୟବହୃତ ହେଉଥିବା ସଂଳାପ ସମ୍ପର୍କରେ କୋର୍ଟ କଡା ସ୍ୱରରେ କହିଛନ୍ତି ଯେ, ଏହି ଚଳଚ୍ଚିତ୍ରରେ ପ୍ରଭୁ ହନୁମାନ ଏବଂ ମାତା ସୀତାଙ୍କୁ ଯେପରି ଦେଖାଯାଇଛି, ତାହା କେହି ବୁଝିପାରନ୍ତି ନାହିଁ। କୋର୍ଟ କହିଛନ୍ତି ଯେ, ଏହା ଭଲ ଯେ ଲୋକମାନେ ଫିଲ୍ମ ଦେଖିବା ପରେ ଆଇନ ଶୃଙ୍ଖଳା ଭାଙ୍ଗି ନାହାଁନ୍ତି। ନିର୍ମାତାମାନେ ବୋଧହୁଏ ଏହି ବିଷୟର ଗମ୍ଭୀରତା ସହ ବୁଝିପାରିନଥିଲେ।