Categories
ଆଜିର ଖବର ରାଜ୍ୟ ଖବର

ତିର୍ତ୍ତୋଲ ବ୍ଲକ୍ ମନରେଗା ମହାଦୁର୍ନୀତି ଘଟଣା: ଫସିଲେ ଜେଇ ଓ ଆସିଷ୍ଟାଣ୍ଟ ଇଂଜିନିୟର, ସରପଞ୍ଚଙ୍କୁ ଚେତାବନୀ

ରମେଶ ମହାନ୍ତି
ଜଗତସିଂହପୁର: ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତରେ ୧୦ଟିରୁ ଅଧିକ ସ୍ଥାନରେ ୨୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ମନରେଗା ଯୋଜନାରେ ମହାଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ କରାଯିବା ପରେ ୨୯.୧୧.୨୦୧୯ ତଦନ୍ତ ରିପୋର୍ଟରୁ ଦୁଇଟି କାର୍ଯ୍ୟରେ ୫ଲକ୍ଷ ୬୮ହଜାର ୧୭୯ଟଙ୍କାର ଅନିୟମିତତା ହୋଇଥିବା ଜଣାପଡିଥିଲା। ଏହି ଅର୍ଥକୁ ଉକ୍ତ ପଞ୍ଚାୟତର ସରପଞ୍ଚ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜି.ଆର୍.ଏସ୍. ଙ୍କୁ ସମପରିମାଣରେ ଏକମାସ ମଧ୍ୟରେ ଭରଣା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଫନ୍ଦିଫିକର କରି ଖସି ଯାଇଥିଲେ ଜେଇ ଓ ଆସିଷ୍ଟାଣ୍ଟ ଇଂଜିନିୟର।

ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ସରପଞ୍ଚ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜି.ଆର୍.ଏସ୍.ଏହି ଅର୍ଥକୁ ଭରଣା ନକରି ଅର୍ଥ ଆଦାୟ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଦିଆଯାଇଥିବା ନିର୍ଦ୍ଦେଶକୁ ଖାରଜ କରିବା ପାଇଁ ମାନ୍ୟବର ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ମାନ୍ୟବର ହାଇକୋର୍ଟ ରିଟ୍ ପିଟିସନ୍ କେସ୍ ନଂ ୯୨୮୯ ର ବିଚାର କରି ୮.୯.୨୦୨୦ ରିଖରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପ୍ରମୁଖ ସଚିବଙ୍କୁ ଏହି ରିଟ୍ ପିଟିସନର ତଦନ୍ତ ରିପୋର୍ଟ ଓ ଅର୍ଥ ଆଦାୟ ପାଇଁ ଜାରି କରାଯାଇଥିବା ନିର୍ଦ୍ଦେଶ ବିରୁଦ୍ଧରେ ଏକ ଅପିଲ୍ ଭାବେ ଗ୍ରହଣ କରି ୬ସପ୍ତାହ ମଧ୍ୟରେ ବିଚାର କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ପରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଶୁଣାଣି କରାଯାଇ ଉକ୍ତ ପଞ୍ଚାୟତର ସରପଞ୍ଚ ନିୟତି ସ୍ୱାଇଁ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ହିମାଂଶୁ ଭୂଷଣ ନାୟକ, ଜି.ଆର୍.ଏସ୍ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ସହ ଜେଇ ସୁଜିତ ମହାପାତ୍ର ଓ ଆସିଷ୍ଟାଣ୍ଟ ଇଂଜିନିୟର ରାଜଦୀପ ହାଁସଦା ମଧ୍ୟ ସମପରିମାଣରେ ଦାୟୀ ହୋଇ ଥିବାରୁ ସେମାନେ ଉକ୍ତ ଟଙ୍କାକୁ ସମପରିମାଣରେ ଭରଣା କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପିଡି ଡିଆରଡିଏଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏଥିସହିତ ପିଟିସନକାରୀଙ୍କ ଅଭିଯୋଗର କୌଣସି ଯଥାର୍ଥତା ନାହିଁ କୁହାଯିବା ସହ ଏହି ରିଟ୍ ପିଟିସନକୁ ଖାରଜ କରାଯାଇଥିଲା। ଏନେଇ ସରପଞ୍ଚଙ୍କୁ ଚେତାବନୀ ଦିଆଯିବା ସହ ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କୁହାଯାଇଛି। ଏସମ୍ପର୍କରେ ଜିଲ୍ଲାପାଳ, ପିଡି ଡିଆରଡିଏ, ପିଟିସନକାରୀ ଓ ଆଡଭୋକେଟ ଜେନେରାଲଙ୍କୁ ଚିଠି ଯୋଗେ ଅବଗତ କରାଯାଇଛି।