Categories
ଆଜିର ଖବର ଜାତୀୟ ଖବର

2 କୋଟି ଲକ୍ଷପତି ଦିଦି ସୃଷ୍ଟି କରିବାର ଲକ୍ଷ୍ୟ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଲାଲ୍ କିଲାର ପ୍ରଚୀରରୁ ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 77ତମ ସ୍ବାଧୀନତା ଦିବସ ଅବସରରେ ଆଜି କହିଛନ୍ତି ଯେ ସରକାର ଗ୍ରାମରେ 2 କୋଟି ‘ଲକ୍ଷପତି ଦିଦି’ କରିବାର ଲକ୍ଷ୍ୟ ନେଇ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସଏଚଜି) ସହିତ କାମ କରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି 10 କୋଟି ମହିଳାମାନେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସହିତ ସାମିଲ୍ ରହିଛନ୍ତି। ‘‘ଗାଁ ରେ ଆଜି ସଭିଙ୍କୁ ବ୍ୟାଙ୍କରେ ଦିଦି, ଅଙ୍ଗନବାଡ଼ିରେ ଦିଦି ଏବଂ ଔଷଧ ଉପଲବ୍ଧ କରାଇବା ପାଇଁ ଦିଦି ମିଳିପାରିବେ।’’

ପ୍ରଧାନମନ୍ତ୍ରୀ କୃଷି ପ୍ରଯୁକ୍ତି ବିଷୟରେ କହିଛନ୍ତି ଏବଂ ଗ୍ରାମୀଣ ବିକାଶରେ ବିଜ୍ଞାନ ଓ ପ୍ରଯୁକ୍ତିର କ୍ଷମତାର ଲାଭ ଉଠଇବା ପାଇଁ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ 15,000 ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଡ୍ରୋନ୍ ଚଲାଇବା ଏବଂ ଏହାର ମରାମତି ପାଇଁ ଋଣ ଓ ପ୍ରଶିକ୍ଷଣ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ‘ଡ୍ରୋନର ଉଡ଼ାନ୍’ ର ଶକ୍ତି ପ୍ରଦାନ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ମିଶନଶକ୍ତି ପଦବୀ ଚୟନରେ ମହା ଘୋଟାଲା ଅଭିଯୋଗ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ସରକାର ମହିଳା ମାନଙ୍କୁ ସଶକ୍ତିକରଣ କରିବା ପାଇଁ ସମଗ୍ର ରାଜ୍ୟରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରୁଛନ୍ତି। ସେଥିପାଇଁ କେନ୍ଦ୍ର ସରକାରଙ୍କ ଢାଞ୍ଚାରେ ରାଜ୍ୟ ସରକାର ମଧ୍ୟ ନୂତନ ଭାବେ ମିଶନ ଶକ୍ତି ବିଭାଗ ଆରମ୍ଭ କରି ସେହି ବିଭାଗ ଅଧୀନରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ପରିଚାଳନା କରୁଥିବା ଜଣାପଡିଛି। ଆଗରୁ ଚାଲିଥିବା ଓଡ଼ିଶା ଜୀବିକା ମିଶନ ମଧ୍ୟ ଏହି ମିଶନ ଶକ୍ତି ବିଭାଗ ଅଧିନକୁ ଚାଳିଆସିଥିବା ପ୍ରକାଶ।

ମିଶନ ଶକ୍ତି ବିଭାଗ ଆରମ୍ଭ କରିବା ଆଗରୁ କେବଳ ସମାଜ କଲ୍ୟାଣ ବିଭାଗ ଅଧିନରେ ପରିଚାଳିତ ହେଉଥିବା ସମନ୍ଵିତ ଶିଶୁ ବିକାଶ ବିଭାଗ ଅଧିନସ୍ଥ ଅଙ୍ଗନୱାଡି କର୍ମୀ ମାନଙ୍କ ଦ୍ବାରା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରାଯାଉଥିଲା। ଏବେ ସେହି ଅଙ୍ଗନୱାଡି କର୍ମୀ ମାନେ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ପରିଚାଳନାରେ ଅଲୋଡା ହୋଇ ପଡିଛନ୍ତି।

ମିଶନ ଶକ୍ତି ବିଭାଗ ଗଠନ ହେବା ପରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗୁଡିକ ମିଶନ ଶକ୍ତି ବିଭାଗ ଅଧୀନରେ ପରିଚାଳିତ ହେବା ସହ ଜିଲ୍ଲାରେ ପ୍ରକଳ୍ପ ସଂଯୋଜକଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ ଏବଂ ବ୍ଲକ ସ୍ତରରେ ବ୍ଲକ ସଂଯୋଜକଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀଙ୍କ ଦ୍ବାରା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗୁଡିକ ପରିଚାଳିତ ହେଉଥିବା ଜଣାପଡିଛି। ସେହିପରି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗୁଡିକୁ ନେଇ ପ୍ରତି ଗ୍ରାମ ସ୍ତରରେ କ୍ଲଷ୍ଟର, ଗ୍ରାମ ପଞ୍ଚାୟତ ସ୍ତରରେ ପଞ୍ଚାୟତ ସ୍ତରୀୟ ମହାସଂଘ, ବ୍ଲକସ୍ତରରେ ବ୍ଲକସ୍ତରୀୟ ମହାସଂଘ ଏବଂ ଜିଲ୍ଲା ସ୍ତରରେ ଜିଲ୍ଲା ସ୍ତରୀୟ ମହାସଂଘ ଗଠିତ କରାଯାଇଥିବା ବିଭାଗୀୟ ସୂତ୍ର ରୁ ପ୍ରକାଶ।

କଳାହାଣ୍ଡି ଜିଲ୍ଲାରେ ଥିବା ୨୨୫୩ ଖଣ୍ଡ ଗ୍ରାମରେ ମୋଟ ୨ ଲକ୍ଷ ୧୨ ହଜାର ୧୫୬ ଜଣ ମହିଳା ସଂଶ୍ଳିଷ୍ଟ ହୋଇ ୨୦ ହଜାର ୫୪୧ ଗୋଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗଠିତ ହୋଇ ଥିବା ବେଳେ ସେହି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗୁଡିକୁ ନେଇ ୨୨୫୩ ରୁ ଅଧିକ କ୍ଲଷ୍ଟର, ୩୧୦ ଗୋଟି ଗ୍ରାମ ପଞ୍ଚାୟତରେ ୩୧୦ ଗୋଟି ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ, ଜିଲ୍ଲାର ୧୩ ଟି ବ୍ଲକ ଓ ଗୋଟିଏ ସହରାଞ୍ଚଳରେ ୧୪ ଗୋଟି ବ୍ଲକ ସ୍ତରୀୟ ମହାସଂଘ ଗଠିତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡିଛି।

ସରକାରଙ୍କ ଯୋଜନା ଅନୁସାରେ ପ୍ରତି କ୍ଲଷ୍ଟର ମଧ୍ୟରେ ଗୋଷ୍ଠୀଗତ ସହଯୋଗ ପାଇଁ ବ୍ଲକ ସ୍ତରୀୟ ମହାସଂଘ ତରଫରୁ ସିଆରପି, ମାଷ୍ଟର ବୁକ କିପର ଓ ବ୍ୟାଙ୍କ ମିତ୍ର ଭଳି ବିଭିନ୍ନ ପଦବୀ ଗୁଡିକରେ ନିଯୁକ୍ତି ଦେବାକୁ ମିଶନ ଶକ୍ତି ଅଧିନସ୍ଥ ଓଡ଼ିଶା ଜୀବିକା ମିଶନ ତରଫରୁ ପତ୍ର ସଂଖ୍ୟା ୧୩୪୩ ତା ୨୧.୧୦.୨୦୨୨ ଯୋଗେ ବ୍ୟବସ୍ଥା ଥିବା ବେଳେ ସେସବୁ ପଦବୀ ପାଇଁ କଳାହାଣ୍ଡି ଜିଲ୍ଲାରେ ପ୍ରାର୍ଥୀ ଚୟନରେ ବ୍ୟାପକ ଅନିୟମିତତା ଓ ପ୍ରିୟାପ୍ରୀତି ତୋଷଣ କାରବାର ହୋଇଥିବା ଅଭିଯୋଗ ହେଉଛି।

ପ୍ରତି ପଦବୀ ପାଇଁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ଥିବା ଜରୁରୀ ଥିବା ବେଳେ ଶିକ୍ଷାଗତ ଯୋଗ୍ୟତାକୁ ମଧ୍ୟ ଦେଖା ଯାଉଥିବା ବେଳେ ଅନେକ କ୍ଷେତ୍ରରେ ଅର୍ଥ କାରବାର ହେଉଥିବା ମଧ୍ୟ ଅଭିଯୋଗ ହେଉଛି। ବ୍ଲକ ସ୍ତରୀୟ ମହାସଂଘରେ ବିଭିନ୍ନ ଅଞ୍ଚଳରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ପ୍ରତିନିଧି ଏବଂ ଗ୍ରାମ ପଞ୍ଚାୟତ ସ୍ତରରେ ଥିବା କାର୍ଯ୍ୟ ନିର୍ବାହୀ ସଦସ୍ୟା ମାନେ ପ୍ରାର୍ଥୀ ମାନଙ୍କ ପାଖକୁ ଯାଇ ଅର୍ଥ ଦାବି କରୁଥିବା ଅନେକ ଅଭିଯୋଗ ହୋଇଛି।

ଅନେକ ଯୋଗ୍ୟ ପ୍ରାର୍ଥୀଙ୍କୁ ବାଦ ଦିଆଯାଇଥିବା ବେଳେ କମ ଦିନରେ ପୁରୁଣା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ରେ ସଦସ୍ୟା ହୋଇ ପଦବୀ ହାତେଇ ନେଇଥିବା ମଧ୍ୟ ଅଭିଯୋଗ ହୋଇଛି। ଅନ୍ୟ ପକ୍ଷରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ର ବ୍ଲକ ସ୍ତରୀୟ ମହାସଂଘ ରେ ଥିବା ସଭାପତି ଓ ସମ୍ପାଦକ ଙ୍କ ସ୍ବାକ୍ଷର ରେ ସମୁଦାୟ କାର୍ଯ୍ୟ ହେଉଥିବା କୁହାଯାଉଥିବା ବେଳେ ସେମାନଙ୍କୁ ଢାଳ କରି ବ୍ଲକ ସଂଯୋଜକ ଓ ଅନ୍ୟାନ୍ୟ ପଦାଧିକାରୀ ମାନେ ସେସବୁ କାରବାର କରୁଥିବା ଅଭିଯୋଗ ହେଉଛି। କେବଳ ନାମକୁ ମାତ୍ର ଇଂରାଜୀ ରେ ଦସ୍ତଖତ କରୁଥିବା ସେହି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ର ବ୍ଲକ ସ୍ତରୀୟ ମହାସଂଘ ରେ ଥିବା ସଭାପତି ଓ ସମ୍ପାଦକ କିପରି ଭାବେ ଏଟତେ ଗୁଡାଏ ଇଂରାଜୀ କାଗଜାତ ପ୍ରସ୍ତୃତ କରିବା ସହିତ ଯୁକ୍ତ ଦୁଇ ଓ ବିଏ ଇତ୍ୟାଦି ଉଚ୍ଚ ଶିକ୍ଷା ର ସାର୍ଟିଫିକେଟ ଗୁଡିକ ଯାଞ୍ଚ କଲେ ଏବଂ ପ୍ରାର୍ଥୀ ମାନଙ୍କ ଚୟନ ପ୍ରକ୍ରିୟା ସାରିଲେ ତାହା ମୁଖ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ଏସବୁ ପ୍ରକ୍ରିୟାରୁ ସ୍ପଷ୍ଟ ଯେ, ଯାହା ସବୁ ଅଭିଯୋଗ ହେଉଛି ସେସବୁ ଯଦିଓ ସତ୍ୟ ହୋଇଥାଏ ତେବେ ନିଶ୍ଚିତ ଭାବେ ବ୍ଲକ ସ୍ତରୀୟ ମହାସଂଘର ସଭାପତି ଓ ସମ୍ପାଦକ କେବଳ ସ୍ବାକ୍ଷର ଦେଇଥିବା ବେଳେ ବ୍ଲକ ସଂଯୋଜକ ଓ ଅନ୍ୟାନ୍ୟ ପଦାଧିକାରୀ ମାନେ ସେସବୁ କାରବାର କରୁଥାଇପାରନ୍ତି। ସରକାର ମିଶନ ଶକ୍ତି ମାଧ୍ୟମରେ ମହିଳା ମାନଙ୍କୁ ସଶକ୍ତି କରଣ କରିବାକୁ ଯୋଜନା କରୁଥିବା ବେଳେ କେତେକ ସ୍ଵାର୍ଥବାଦୀ ପଦଧିକାରୀଙ୍କ ଲାଭ ଖୋର ମନୋବୃତି ଯୋଗୁ ଯୋଜନାର ସଫଳ ରୂପାୟନ ହୋଇ ପାରୁ ନଥିବା ବୁଦ୍ଧିଜୀବି ମହଲରେ ଅଭିଯୋଗ ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ମିଶନ ଶକ୍ତି ପକ୍ଷରୁ ପୁରୁଷୋତ୍ତମପୁରରେ ଋଣ ମେଳା ଅନୁଷ୍ଠିତ

କୈଳାଶ ଚନ୍ଦ୍ର ଚୌଧୁରୀ

ପୁରୁଷୋତ୍ତମପୁର: ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଳକରେ ମିଶନ ଶକ୍ତି ପକ୍ଷରୁ ଋଣ ମେଳା ଅନୁଷ୍ଠିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ୮୩୩ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ୨୩ କୋଟି ୧୬ ଲକ୍ଷ ଟଙ୍କା ରୁଣ ପ୍ରଦାନ କରାଯାଇଛି। ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଖଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନ, ବ୍ଳକ ଅଧ୍ୟକ୍ଷା ପିଙ୍କି ବେହେରା ଓ ଏନ୍ ଏ ସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ ପ୍ରମୁଖ ଯୋଗ ଦେଇ ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ ସ୍ବାବଲମ୍ବୀ ହେବା ସହ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଲୋକ ପ୍ରତିନିଧି ଓ ସ୍ବେଚ୍ଛାସେବୀ ମାନେ ସହଯୋଗ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଚଳିତ ବର୍ଷ ଜନଜାତୀୟ ଗୌରବ ଦିବସ ସମାରୋହର ନେତୃତ୍ବ ନେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ଅର୍ଜ୍ଜୁନ ମୁଣ୍ଡା

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ବର୍ଷ ଆୟୋଜନ ହେବାକୁ ଥିବା ଜନଜାତୀୟ ଗୌରବ ଦିବସ ସମାରୋହର ନେତୃତ୍ବ ନେବେ। ଶନିବାର ଦିନ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା। ଶ୍ରୀ ମୁଣ୍ଡା କହିଛନ୍ତି ଯେ, ନଭେମ୍ବର ୧୫ ତାରିଖରେ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଉପଲକ୍ଷେ ଜନଜାତୀୟ ଗୌରବ ଦିବସ ପାଳନ କରାଯିବ। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲା ଅନ୍ତର୍ଗତ ଉଲିହାଟୁ ଗ୍ରାମରେ ଥିବା ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥାନକୁ ଗସ୍ତ କରିବେ ଏବଂ ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଏହି ଅବସରରେ ରାଷ୍ଟ୍ରପତି ସଡ଼କ ଓ ପରିବହନ ଏବଂ ଶକ୍ତି ମନ୍ତ୍ରଣାଳୟର ବିଭିନ୍ନ ପ୍ରକଳ୍ପକୁ ଉଦଘାଟନ କରିବେ ଏବଂ ଖୁଣ୍ଟି ଠାରୁ ଭର୍ଚୁଆଲ ମାଧ୍ୟମରେ ବିଭିନ୍ନ ଏକଲବ୍ୟ ବିଦ୍ୟାଳୟ ପାଇଁ ଶିଳାନ୍ୟାସ କରିବେ। ସେ ଖୁଣ୍ଟି ଏବଂ ଆଖପାଖ ଅଞ୍ଚଳର ଟ୍ରାଇଫେଡ ଏବଂ ଏନଆରଏଲଏମର ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଉଦବୋଧନ ଦେବେ।

କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଆହୁରି ସୂଚନା ଦେଇଥିଲେ ଯେ, ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡ଼ ନଭେମ୍ବର ୧୫ ତାରିଖରେ ନୂଆଦିଲ୍ଲୀର ସଂସଦ ଭବନ ପରିସରରେ ଥିବା ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବେ। ଏହି ଅବସରରେ ଅନ୍ୟ ସାଂସଦମାନେ ମଧ୍ୟ ଉପସ୍ଥିତ ରହିବେ।

ଅର୍ଜୁନ ମୁଣ୍ଡା କହିଥିଲେ ଯେ, ୧୫ରୁ ୨୨ ନଭେମ୍ବର ପର୍ଯ୍ୟନ୍ତ ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ବ୍ୟାପକ ସଂଖ୍ୟାରେ ଜାତୀୟ ଓ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ। କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ ଯେ କାଶ୍ମୀର ଠାରୁ କନ୍ୟାକୁମାରୀ ଏବଂ ଗୁଜରାଟ ଠାରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଦେଶର ବିଭିନ୍ନ ଗ୍ରାମ ଏବଂ ଉପାନ୍ତ ଅଞ୍ଚଳରେ ବ୍ୟାପକ ଆକାରରେ କାର୍ଯ୍ୟକ୍ରମ ଓ ସମାରୋହ ଆୟୋଜନ କରାଯିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ସେ କହିଥିଲେ ଯେ, ରାଜ୍ୟ ରାଜଧାନୀଗୁଡ଼ିକରେ ଯୁବଗୋଷ୍ଠୀଙ୍କ ଦ୍ବାରା ଶୋଭାଯାତ୍ରା ଆୟୋଜନ କରାଯିବ ଏବଂ ଆଦିବାସୀ କଳାକାରମାନେ ବିଭିନ୍ନ କାର୍ଯ୍ୟକ୍ରମ ପରିବେଶଣ କରିବେ। ସାରା ଦେଶରେ ସେମିନାର ଓ କର୍ମଶାଳା ଆୟୋଜନ କରାଯିବ; ପ୍ରବନ୍ଧ, ସଙ୍ଗୀତ, ନୃତ୍ୟ, କ୍ରୀଡ଼ା ଓ ଚିତ୍ରାଙ୍କନ ପ୍ରତିଯୋଗିତା, ସ୍ବଚ୍ଛତା ଅଭିଯାନ ଆୟୋଜନ ଲାଗି ଯୋଜନା କରାଯାଇଛି । ରାଜ୍ୟ ସରକାର ଏବଂ ରାଜ୍ୟ ଜନଜାତି ଗବେଷଣା ପ୍ରତିଷ୍ଠାନ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

ଶ୍ରୀ ଅର୍ଜୁନ ମୁଣ୍ଡା ଆହୁରି କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତ ସରକାର, ବିର୍ସା ମୁଣ୍ଡାଙ୍କ ଜୟନ୍ତୀ, ନଭେମ୍ବର ୧୫ ତାରିଖକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରିବା ଲାଗି ଘୋଷଣା କରିଥିଲେ । ରାଷ୍ଟ୍ରର ଇତିହାସ ଓ ସଂସ୍କୃତିରେ ଜନଜାତି ସମୁଦାୟର ଯୋଗଦାନ ସ୍ମୃତିରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ସେ କହିଥିଲେ ଯେ ଏଥର ଦ୍ବିତୀୟ ବର୍ଷ ପାଇଁ ଜନଜାତୀୟ ଗୌରବ ଦିବସ ପାଳନ କରାଯିବ । ସବୁ ଜନଜାତି ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ମାନ ଜଣାଇବା ଏବଂ ଜନଜାତି କ୍ଷେତ୍ର ଓ ସମୁଦାୟର ସାମାଜିକ-ଆଥିର୍କ ବିକାଶ ପାଇଁ ହେଉଥିବା ପ୍ରୟାସକୁ ତ୍ବରାନ୍ବିତ କରିବା ଲାଗି ଏହି ଦିବସ ଆୟୋଜନ କରାଯାଉଛି ।

ଜନଜାତୀୟ ଦିବସ ସମାରୋହ ପାଳନ ସମ୍ପର୍କରେ ଅଧିକରୁ ଅଧିକ ଲୋକଙ୍କୁ ସଚେତନ କରିବା ଏବଂ ସେମାନଙ୍କୁ ଏଥିରେ ସାମିଲ କରିବା ଲାଗି ଶ୍ରୀ ଅର୍ଜୁନ ମୁଣ୍ଡା ନିବେଦନ କରିଥିଲେ । ସେ ଆହୁରି କହିଥିଲେ ଯେ ସାରା ଦେଶରେ ୭୪୦ଟି ଇଏମଆରଏସ ସମ୍ପୂର୍ଣ୍ଣ କରିବା ଦିଗରେ ସୁଗମ ରୂପରେ କାର୍ଯ୍ୟ ଜାରି ରହିଛି ।

ଶ୍ରୀ ଅର୍ଜ୍ଜୁନ ମୁଣ୍ଡା କହିଥିଲେ ଯେ, ୨୦୪୭ରେ ଦେଶ ସ୍ବାଧୀନତାର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଉପାନ୍ତ ଅଞ୍ଚଳ, ଗ୍ରାମାଞ୍ଚଳରେ ରହୁଥିବା ଜନଜାତି ଲୋକମାନଙ୍କୁ ମୌଳିକ ସୁବିଧାସୁଯୋଗ, ନିଯୁକ୍ତି, ଶିକ୍ଷା ଆଦି ଯୋଗାଇ ଦେବା ପାଇଁ ଏକ ସଂକଳ୍ପ କରିବା ନିମନ୍ତେ ଜନଜାତୀୟ ଗୌରବ ଦିବସ ପାଳନ କରାଯାଉଛି ।

ଅଧିକ ସୂଚନା ଦେଇ ସେ କହିଥିଲେ ଯେ, ଜନଜାତୀୟ ଗୌରବ ଦିବସ ୨୦୨୨ ଭଳି ବିଶେଷ ଅବସରରେ ଟ୍ରାଇଫେଡ୍‌ ପକ୍ଷରୁ ଜନଜାତୀୟ ଉତ୍ପାଦକୁ ନେଇ ଏକ ସର୍ବଭାରତୀୟ କାର୍ଯ୍ୟକ୍ରମ ଆୟୋଜନ କରିବା ଲାଗି ନିଷ୍ପତ୍ତି ନିଆଯାଇଛି । ୧୫ରୁ ୨୭ ନଭେମ୍ବର ପର୍ଯ୍ୟନ୍ତ ଇନ୍ଦୋରସ୍ଥିତ ଗ୍ରାମୀଣ ହାଟ ଠାରେ ଏକ ଆଦି ମହୋତ୍ସବ ଆୟୋଜନ କରାଯିବ । ୧୫ରୁ ୨୧ ନଭେମ୍ବର ପର୍ଯ୍ୟନ୍ତ ଭୁବନେଶ୍ବରର ଏକାମ୍ର ହାଟ ଠାରେ ଆଦି ବଜାର ଆୟୋଜନ କରାଯିବ । ସେହିପରି ୧୫ରୁ ୨୧ ନଭେମ୍ବର ପର୍ଯ୍ୟନ୍ତ ଦକ୍ଷିଣ ଗୌହାଟୀ ଠାରେ ଲକ୍ଷୀଧର ବୋରା କ୍ଷେତ୍ର ଦିଗାଲି ପୁଖୁରୀ ଠାରେ ଆଉ ଏକ ଆଦି ବଜାର ଆୟୋଜନ କରାଯିବ । ପୁଡୁଚେରୀ ହସ୍ତଶିଳ୍ପ ବଜାର ଠାରେ ମଧ୍ୟ ଏହି ସମୟରେ ଏକ ଆଦି ବଜାର ଆୟୋଜିତ ହେବ । ଡେରାଡୁନର ଚକ୍ରତା ରୋଡ ସ୍ଥିତ ଫରେଷ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ ଠାରେ ୧୫ରୁ ୨୧ ନଭେମ୍ବର ପର୍ଯ୍ୟନ୍ତ ଆଦି ବଜାର ଏବଂ କୋଲକାତାସ୍ଥିତ ଇଣ୍ଡିଆନ ମ୍ୟୁଜିୟମ ଠାରେ ୧୫ରୁ ୨୪ ନଭେମ୍ବର ପର୍ଯ୍ୟନ୍ତ ଆଦି ଚିତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ଯୋଜନା ପ୍ରସ୍ତୁତି କରାଯାଇଛି ।

ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ସାରା ଦେଶର ୩୯୨ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯିବ । ନଭେମ୍ବର ୧୫ ତାରିକରେ ଏକ ପ୍ରବନ୍ଧ ରଚନା ପ୍ରତିଯୋଗିତା ଏବଂ ୧୬ ତାରିଖରେ ପୋଷ୍ଟର ତିଆରି ପ୍ରତିଯୋଗିତା ଆୟୋଜିତ ହେବ । ନଭେମ୍ବର ୧୭ ତାରିଖରେ  ନୃତ୍ୟ ପ୍ରତିଯୋଗିତା, ୧୮ ତାରିଖରେ ସ୍କିଟ୍ ପ୍ରତିଯୋଗିତା, ୧୯ ତାରିଖରେ କବିତା ଓ ସଙ୍ଗୀତ ପ୍ରତିଯୋଗିତା, ୨୧ ତାରିଖରେ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି ।

ବିଭିନ୍ନ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଠାରେ ସ୍ବାଧୀନତା ସଂଗ୍ରାମରେ ଯୋଗଦାନ ଦେଇଥିବା ସ୍ବାଧୀନତା ସଂଗ୍ରାମୀଙ୍କ ଉପରେ ଆଧାରିତ ସେମିନାର, ୱେବିନାର ଏବଂ ବିତର୍କ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

ରେଳବାଇ, ଶିକ୍ଷା ଓ ସଂସ୍କୃତି ଭଳି କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ପ୍ରସ୍ତୁତି କରାଯାଇଛି । ସାରା ଦେଶରେ ଆୟୋଜିତ ହେବାକୁ ଥିବା ଏସବୁ କାର୍ଯକ୍ରମରେ ଜନଜାତୀୟ ଗୌରବ ଦିବସର ମହତ୍ବ ଏବଂ ଜନଜାତିଙ୍କ ଗୌରବ ତଥା ଜନଜାତି ସ୍ବାଧୀନତା ସଂଗ୍ରାମୀମାନଙ୍କ ବିଷୟରେ ପ୍ରଚାରପ୍ରସାର କରାଯିବ ।

କାର୍ଯ୍ୟକ୍ରମର ହାଶଟ୍ୟାଗ୍‌ #JanjatiyaGauravDivas ରଖାଯାଇଛି ଏବଂ ଜନଜାତିଙ୍କ ସହ ଜଡ଼ିତ ଯୋଜନା ଏବଂ କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାର ନିମନ୍ତେ ଏହାକୁ ଉପଯୋଗ କରାଯିବ । ଏହା ସରକାରଙ୍କ ବିକାଶମୂଳକ ପ୍ରୟାସକୁ ମଧ୍ୟ ବ୍ୟାପକ ପ୍ରଚାର କରିବ ।