Categories
ଆଞ୍ଚଳିକ

ଜିଲ୍ଲା ଛାଡିବା ପୁର୍ବରୁ ମା’ ଭଗବତୀଙ୍କ ଆଶୀର୍ବାଦ ନେଲେ ଖୋର୍ଦ୍ଧା ବିଦାୟୀ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ

ବାଣପୁର (ସୀତାରାମ ଅଗ୍ରୱାଲ): ଜିଲ୍ଲା ଛାଡିବା ପୁର୍ବରୁ ମା’ ଭଗବତୀ ମନ୍ଦିର ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି ଖୋର୍ଦ୍ଧାର ବିଦାୟୀ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ। ଶ୍ରୀ ଚକ୍ରବର୍ତ୍ତୀ ଆଜି ପୂର୍ବାହ୍ନରେ ହଠାତ ମା’ ଭଗବତୀ ମନ୍ଦିର ପହଞ୍ଚି ମା’ ଙ୍କ ଦର୍ଶନ କରିଥିଲେ।  ମା’ ଙ୍କ ପୂଜାର୍ଚ୍ଚନା କରିବା ସହ ଜଗତର ମଙ୍ଗଳ କାମନା କରି ଜିଲ୍ଲାବାସୀଙ୍କଠାରୁ ବିଦାୟ ନେବାପାଇଁ ପ୍ରସ୍ତୁତ ହେଉଛନ୍ତି ଜିଲ୍ଲାପାଳ। ଆସନ୍ତାକାଲି ନୂତନ ଜିଲ୍ଲାପାଳ ଚଞ୍ଚଳ ରାଣା ଦାୟିତ୍ୱ ଗ୍ରହଣ କରିବେ।

ତେବେ ଶ୍ରୀ ଚକ୍ରବର୍ତ୍ତୀଙ୍କ କାର୍ଯ୍ୟକାଳ ମଧ୍ୟରେ ମା’ ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ନିଜକୁ ଭାଗ୍ୟବାନ ମନେ କରିଛନ୍ତି ବିଦାୟୀ ଜିଲ୍ଲାପାଳ। ତତସହିତ ଜିଲ୍ଲାରେ ଦୀର୍ଘ ଦେଢ଼ ବର୍ଷ ଧରି କାର୍ଯ୍ୟକାଳ ମଧ୍ୟରେ ଏକାଧିକ ସ୍ମୃତି ସାଉଁଟିଛନ୍ତି ବିଦାୟୀ ଜିଲ୍ଲାପାଳ।

ସୂଚନା ଥାଉକି ଖୋର୍ଦ୍ଧା ଜିଲ୍ଲାରେ କାର୍ଯ୍ୟରେ ଯୋଗଦେବା ଦିନଠାରୁ ଜିଲ୍ଲାର ଉନ୍ନତି ପାଇଁ ଅହରହ କାର୍ଯ୍ୟ କରୁଥିବାର ଶ୍ରୀ ଚକ୍ରବର୍ତ୍ତୀଙ୍କୁ ଦେଖିବାକୁ ମିଳିଛି। ଏପରିକି ବିଳମ୍ବିତ ରାତ୍ରି ଏବଂ ଛୁଟି ଦିନରେ ମଧ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଖୋଲା ଥାଏ। ଜଣେ ଦାଇତ୍ୱବାନ, କର୍ତ୍ତବ୍ୟନିଷ୍ଠ, ସଚ୍ଚୋଟ ଓ ଶକ୍ତ ଅଧିକାରୀ ଭାବେ ଜଣାଶୁଣା ଶ୍ରୀ ଚକ୍ରବର୍ତ୍ତୀ ନିଜର କାର୍ଯ୍ୟକାଳ ମଧ୍ୟରେ ଜିଲ୍ଲାବାସୀଙ୍କ ଆସ୍ଥାଭାଜନ ହୋଇପାରିଛନ୍ତି। ଜିଲ୍ଲାର ବିଭିନ୍ନ ମେଡିକାଲ ଅଚାନକ ପରିଦର୍ଶନ ହେଉ ଅବା ବିଭିନ୍ନ ସ୍ଥାନକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ ଏବଂ ଜନ ଅଭିଯୋଗ ଶୁଣାଣି ହେଉ ଏହା ଜିଲ୍ଲାପାଳଙ୍କୁ ଜନସାଧାରଣଙ୍କ ନିକଟବର୍ତ୍ତୀ କରିପାରିଛି।

ଶ୍ରୀ ଚକ୍ରବର୍ତ୍ତୀ ବର୍ତ୍ତମାନ ମାଇନର ମିନେରାଲ୍ସ ଭୁବନେଶ୍ୱରର ନିର୍ଦ୍ଦେଶକ ଭାବେ ନୂତନ ଦାଇତ୍ୱ ଗ୍ରହଣ କରିବେ। ଗତକାଲି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବିଦାୟୀ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।