Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ବଡ ନିଷ୍ପତି, ଓଡିଶା ମାଟି ତଳେ ଥିବା ନୂଆ ଖଣିଜ ପଦାର୍ଥର କରାଯିବ ସର୍ବେକ୍ଷଣ

ଭୁବନେଶ୍ବର, ସମସ୍ତେ ଜାଣନ୍ତି ଯେ ଓଡିଶା ରାଜ୍ୟ ଖଣିଜ ସମ୍ପଦରେ ଭରପୁର। ହେଲେ ଓଡିଶାର ମାଟି ଭିତରେ କେତେ ଖଣିଜ ସଂପଦ ରହିଛି ତାହାର କୌଣସି ହିସାବ ନାହିଁ। ଏପରିକି ରାଜ୍ୟ ସରକାରଙ୍କ ପାଖରେ ଏ ନେଇ କୌଣସି ସଠିକ ସୂଚନା ମଧ୍ୟ ନାହିଁ। କାରଣ, କେବେ ବି ପୁରା ରାଜ୍ୟର ମାଟି ତଳେ କେତେ ଖଣିଜ ପଦାର୍ଥ ଅଛି ତାହାର କୌଣସି ଭୂତତ୍ବ ସର୍ବେକ୍ଷଣ କରାଯାଇ ନାହିଁ।

ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏବେ ସଂପୂର୍ଣ୍ଣ ଓଡିଶାର କେଉଁ ସ୍ଥାନରେ କଣ କଣ ଖଣିଜ ପଦାର୍ଥ ରହିଛି ତାହା ଅନୁସନ୍ଧାନ କରିବେ। ଏପରିକି କେତେ ପରିମାଣର ଏହି ପ୍ରାକୃତିକ ସଂପଦ ରହିଛି ତାହାର ମଧ୍ୟ ବ୍ୟବଛେଦ ହେବ। ଏଥିପାଇଁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ କମିଟ ଗଠନ କରାଯାଇଛି।

ବର୍ତ୍ତମାନ ରାଜ୍ୟରେ ଯେତିକି ଖଣି ଚାଲୁ ରହିଛି ସେଗୁଡିକର କେବଳ ପରିମାଣ ମପା ଯାଇଛି। କାରଣ ନୂଆ ଖଣିଜ ନିୟମ ଅନୁସାରେ ପ୍ରଥମେ କେତେ ପରିମାଣର ଖଣିଜ ପଦାର୍ଥ ରହିଛି ତାହା ମାପିବା ପରେ ନିଲାମ ଦିଆଯିବ। ଏଥିସହିତ କେବେଳ ନିର୍ଦ୍ଧିଷ୍ଠ କେତୋଟି ଜିଲ୍ଲାରେ ଖଣିଜ ପଦାର୍ଥ ଉପରେ ସର୍ବେକ୍ଷଣ କରାଯାଇଛି। ହେଲେ ପୁରା ଓଡିଶାର ସର୍ବେକ୍ଷଣ ଏ ପର୍ଯ୍ୟନ୍ତ କରାଯାଇ ନାହିଁ।

ସେହିପରି ବିଭିନ୍ନ ଖଣିଜ ପଦାର୍ଥରୁ ଓଡିଶାର ବର୍ତ୍ତମାନ ଲୁହାପଥର, କୋଇଲା , କ୍ରୋମାଇଟ ବକ୍ସାଇଟ ପରି ନିର୍ଦ୍ଧିଷ୍ଠ କେତେକ ପ୍ରକାରର ଖଣିଜ ସଂପଦ ରହିଛି। ହେଲେ ଏହାଛଡା ଅନ୍ୟ କିଛି ଖଣିଜ ପଦାର୍ଥ ଅଛି କି ନାହିଁ ତାହା ଜଣା ନାହିଁ। ସେଥିପାଇଁ ଏହି ସର୍ଭେ ଦ୍ବାରା ରାଜ୍ୟରେ ନୂଆ ଖଣିଜ ସଂପଦ ବିଷୟରେ ସୂଚନା ମିଳିପାରିବ ।

ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ବର୍ତ୍ତମାନ ରାଜ୍ୟର ପ୍ରାୟ 50 ପ୍ରତିଶତ ଖଣିଜ ସଂପଦର ଆକଳନ ବା ସର୍ଭେ କରାଯାଇପାରି ନାହିଁ। ଏପରିକି ଯେତିକି ସର୍ଭେ କରାଯାଇ ନିଲାମ କରାଯାଇଛି ତାହାର ମଧ୍ୟ କୌଣସି ପୁନଃସର୍ବେକ୍ଷଣ କରାଯାଇ ନାହିଁ। ଅର୍ଥାତ ନିଲାମ କରାଯାଉଥିବା ଖଣି ବର୍ତ୍ତମାନ କେତେ ଅଛି ଏବଂ ଏହା କେତେ ବର୍ଷ ପର୍ଯ୍ୟନ୍ତ ଯିବ ତାହାର କୌଣସି ସଠିକ ତଥ୍ୟ ନାହିଁ।

ଆନୁମାନିକ ହିସାବରୁ ଜଣାପଡିଛି ଯେ ବର୍ତ୍ତମାନ ଅନେକ ଖଣିର ଆୟୁଶ 40 ବର୍ଷ ମଧ୍ୟରେ ସରିଯିବ। ଫଳରେ ବର୍ତ୍ତମାନ ରାଜ୍ୟ ସରକାର ଯେଉଁ ଶିଳ୍ପ ସଂସ୍ଥାକୁ ଡାକି ଆଣିଛନ୍ତି ସେମାନଙ୍କୁ କଞ୍ଚାମାଲ ଯୋଗାଇବା ସମ୍ଭବ ହେବ ନାହିଁ। ସେଥିପାଇଁ ବର୍ତ୍ତମାନ ରାଜ୍ୟ ପାଇଁ ନୂଆ ଖଣି ସନ୍ଧାନର ଆବଶ୍ୟକତା ରହିଛି।

ଓଡିଶାର ଯେତିକି ଆୟ ରହୁଛି ସେଥିରୁ ସିଂହ ଭାଗ କେବଳ ଖଣିଜ ପଦାର୍ଥରୁ ମିଳିଥାଏ। ଏଥିସହିତ ଖଣି ସଂପର୍କିତ ସଂସ୍ଥାରେ ନିଯୁକ୍ତି ହାର ମଧ୍ୟ ଅଧିକ ରହିଛି। ଏପରିକି ପରୋକ୍ଷ ନିଯୁକ୍ତି ମଧ୍ୟ ଏହି ସଂସ୍ଥାଗୁଡିକରେ ସର୍ବାଧିକ ରହିଛି। ସେଥିପାଇଁ ଭବିଷ୍ୟତକୁ ନଜରରେ ରଖି ରାଜ୍ୟ ସରକାର ଏହି ନିଷ୍ପତି ନେଇଛନ୍ତି।

ଏଥର ସର୍ବେକ୍ଷଣ ସଂପୂର୍ଣ୍ଣ ଭାବେ ଅତ୍ୟାଧୁନିକ ବୈଜ୍ଞାନିକ ପଦ୍ଧତିରେ କରାଯିବ ବୋଲି ବୈଠକରେ ନିଷ୍ପତି ହୋଇଛି। ଏହି କାର୍ଯ୍ୟ ପାଇଁ କେଉଁ କେଉଁ ସଂସ୍ଥାର ଦକ୍ଷତା ରହିଛି ତାହାର ଏକ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଉଛି। ଯଦି ଆବଶ୍ୟକ ହୁଏ ତେବେ ବିଶ୍ବ ସ୍ତରର ସଂସ୍ଥାକୁ ମଧ୍ୟ ଏହି ସର୍ଭେ ପାଇଁ ଆହ୍ବାନ କରାଯିବ ବୋଲି ଜଣାପଡିଛି।