Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ମହାରାଷ୍ଟ୍ରରେ ବ୍ଲାକ ଫଙ୍ଗସ୍ ରୋଗୀଙ୍କ ସଂଖ୍ୟା ୮ ହଜାରରେ ପହଞ୍ଚିଲା, ୨୧ ଜଣ ଡେଲଟା ପ୍ଲସ ଆକ୍ରାନ୍ତ ଚିହ୍ନଟ

ମୁମ୍ବାଇ, ମହାରାଷ୍ଟ୍ରରେ ମ୍ୟୁକର୍ମାଇକୋସିସ୍ ବା ବ୍ଲାକ ଫଙ୍ଗସ୍ ରୋଗୀଙ୍କ ସଂଖ୍ୟା ୭ ହଜାର ୯୯୮ କୁ ବୃଦ୍ଧି ପାଇଛି। ଏଥିସହିତ ଏହି ରୋଗରେ ରାଜ୍ୟରୁ ୭୨୯ ଜଣଙ୍କର ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି।

ବର୍ତ୍ତମାନ ରାଜ୍ୟରେ ୪ ହଜାର ୩୯୮ ବ୍ଲାକ ଫଙ୍ଗସ୍ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ନାଗପୁରରେ ସର୍ବାଧିକ ୧ ହଜାର ୨୯୬ ଆକ୍ରାନ୍ତ, ପୁଣେରେ ୧ ହଜାର ୧୮୭ ଏବଂ ଔରଙ୍ଗାବାଦରେ ୯୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଗତ କାଲି ଗୋଟିଏ ଦିନରେ ମହାରାଷ୍ଟ୍ରରେ ୬ ହଜାର ୨୭୦ ନୂତନ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସମୟରେ ୧୩ ହଜାର ୭୫୮ ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ବର୍ତ୍ତମାନ ରାଜ୍ୟରେ ୧ ଲକ୍ଷ ୨୪ ହଜାର କରୋନା ପଜେଟିଭ ଚିକିତ୍ସିତ ହେଉଛନ୍ତି। ଗତକାଲି ଗୋଟିଏ ଦିନରେ କୋଭିଡ ସଂକ୍ରମଣରେ ୯୪ ଜଣଙ୍କର ମୃତ୍ୟୁ ହୋଇଛି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ମୁମ୍ବାଇରେ ୫୧୮ ଏବଂ ପୁଣେରେ ୧୪୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହି ସମୟରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ସୂଚନା ଦେଇଛନ୍ତି ଯେ ରାଜ୍ୟର ସମସ୍ତ ଜିଲ୍ଲାରେ ୧୮ ବର୍ଷରୁ ଅଧିକ ବୟସର ସମସ୍ତ ଲୋକଙ୍କୁ ଟିକାକରଣ ଆରମ୍ଭ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ମହାରାଷ୍ଟ୍ରରେ କୋଭିଡର ଡେଲଟା ପ୍ଲସ୍ ଭାଇରସ ଦ୍ୱାରା ପ୍ରଭାବିତ ୨୧ ରୋଗୀଙ୍କୁ ଚିହ୍ନଟ କରାଯାଇଛି।  ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି ଯେ ରତ୍ନଗିରିରୁ ୭ ଜଣ, ଜଲଗାଓଁ ଏବଂ ମୁମ୍ବାଇର ୨ ଜଣ ରୋଗୀ ଏବଂ ଥାନେ, ପାଲ ଘର ଏବଂ ସିନ୍ଧୁଦର୍ଗ ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଟୋପ ସୂଚନା ଦେଇଛନ୍ତି ଯେ ମେ ୧୫ ରୁ ଡେଲଟା ପ୍ଲସକୁ ଚିହ୍ନିବା ପାଇଁ ପ୍ରତ୍ୟେକ ଜିଲ୍ଲା ଠାରୁ ୧୦୦ ଟି ନମୁନା ସଂଗ୍ରହ କରାଯାଇଥିଲା। ସେ କହିଛନ୍ତି ଯେ ବିଭିନ୍ନ ଜିଲ୍ଲାରୁ ସଂଗ୍ରହ ହୋଇଥିବା ସାତ ହଜାର ୫୦୦ ନମୁନା ମଧ୍ୟରୁ ୨୧ ଜଣ ରୋଗୀ ଚିହ୍ନଟ ହୋଇଥିଲେ।