Categories
ଆଞ୍ଚଳିକ

ବିଜେଡିର ରଣପୁର ବ୍ଲକ୍ ଓ ଏନ.ଏ.ସି ର ନୂତନ ସଭାପତି ଚୟନ

ରଣପୁର: ନୟାଗଡ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ରଣପୁର ବ୍ଲକ୍ ଓ ଏନଏସି ର ବିଜେଡି ସଭାପତି ଚୟନ ପ୍ରକ୍ରିୟା ଶେଷ ହୋଇଯାଇଛି। ସୂଚନା ଅନୁଯାୟୀ ରଣପୁର ନିର୍ବାଚନ ମଣ୍ଡଳୀର ୩୭ଟି ପଂଚାୟତ କୁ ନେଇ ରଣପୁର ବ୍ଲକ୍ ଗଠିତ ହୋଇଥିବା ବେଳେ ୧୫ ଟି ଓାର୍ଡ କୁ ନେଇ ରଣପୁର ଏନଏସି ଗଠିତ ହୋଇଅଛି। ସାଧାରଣ ନିର୍ବାଚନ-୨୦୨୪ ନିକଟତର ହୋଇଥିବା ବେଳେ ଦଳର ସାଂଗଠନିକ ସ୍ଥିତି ସୁଦୃଢ କରିବା ଲକ୍ଷ୍ୟରେ ବିଜେଡି ଦଳ ତରଫରୁ ବ୍ଲକ୍ ସଭାପତି ଭାବେ ଦଳର ବରିଷ୍ଠ ସଂଗଠକ ସଚ୍ଚୀକାନ୍ତ ଷଡଙ୍ଗୀଙ୍କୁ ଚୟନ କରାଯାଇଛି।

ଏହି ପଦବୀରେ ପୂର୍ବରୁ ପାଣ୍ଡବ ସେଠୀ ଦାୟିତ୍ୱ ତୁଲାଇ ଆସୁଥିଲେ। ସେହିଭଳି ରଣପୁର ଏନଏସି ର ସଭାପତି ଭାବେ ବିଜେଡି ଯୁବ ସଂଗଠକ ଲିଙ୍ଗରାଜ ନାୟକଙ୍କୁ ଚୟନ କରାଯାଇଛି। ସେ ଏଥି ପୂର୍ବରୁ ଏହି ପଦବୀରେ ରହି ଦଳର ସାଂଗଠନିକ ଦାୟିତ୍ୱ ତୁଲାଇ ଆସୁଥିଲେ।

ନୂତନ ଭାବେ ଚୟନ ହୋଇଥିବା ଉଭୟ ସଭାପତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ଥାନୀୟ ସାଂସଦ ପିନାକୀ ମିଶ୍ର ଓ ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।