Categories
ଆଜିର ଖବର ଜାତୀୟ ଖବର

‘ରାଜୀବ ଗାନ୍ଧୀ ଫାଉଣ୍ଡେସନ’ର FCRA ଲାଇସେନ୍ସ ବାତିଲ, ହୋଇପାରେ ସିବିଆଇ ଯାଞ୍ଚ

ନୂଆଦିଲ୍ଲୀ: ଗାନ୍ଧୀ ପରିବାର ସହ ଜଡିତ ରାଜୀବ ଗାନ୍ଧୀ ଫାଉଣ୍ଡେସନ (ଆରଜିଏଫ) ଏବଂ ରାଜୀବ ଗାନ୍ଧୀ ଚାରିଟେବୁଲ ଟ୍ରଷ୍ଟ (ଆରଜିସିଟି) ର ବୈଦେଶିକ ଯୋଗଦାନ ନିୟମାବଳୀ (ଏଫସିଆରଏ) ଲାଇସେନ୍ସକୁ କେନ୍ଦ୍ର ସରକାର ବାତିଲ କରିଛନ୍ତି। ବିଦେଶୀ ଦାନରେ ହୋଇଥିବା ଅନିୟମିତତା ସଂପର୍କରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଅଧିକାରୀ କହିଛନ୍ତି।

ସୂଚନାନୁସାରେ, RGF ଏବଂ RGCT ରେ ହୋଇଥିବା ଅନିୟମିତତା ଘଟଣାର ଅନୁସନ୍ଧାନ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ସିବିଆଇକୁ ହସ୍ତାନ୍ତର ହେବାର ସମ୍ଭାବନା ରହିଛି।

କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ଆରଜିଏଫର ମୁଖ୍ୟ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ୍ ଏହାର ସଦସ୍ୟ।

ସୋନିଆ ଗାନ୍ଧୀ ମଧ୍ୟ ଆରଜିସିଟିର ମୁଖ୍ୟ। ରାହୁଲ ଗାନ୍ଧୀ ଏବଂ ପୂର୍ବତନ ରାଜ୍ୟସଭା ସାଂସଦ ଡ ଅଶୋକ ଏସ ଗାଙ୍ଗୁଲି ସଦସ୍ୟ ଅଟନ୍ତି।

ଏହି ଅନିୟମିତତାକୁ ଯାଞ୍ଚ କରିବା ପାଇଁ ଗୃହ ମନ୍ତ୍ରଣାଳୟ ଦ୍ଵାରା ୨୦୨୦ ମସିହାରେ ଗଠିତ ଏକ ଆନ୍ତ ମନ୍ତ୍ରୀସ୍ତରୀୟ ସମିତିର ଅନୁସନ୍ଧାନ ପରେ ଏହି ପଦକ୍ଷେପ ନିଆଯାଇଛି।

୧୯୯୧ରେ RGF ପ୍ରତିଷ୍ଠା କରାଯାଇଥିଲା। ଆରଜିଏଫ୍ ୱେବସାଇଟ୍ ଅନୁଯାୟୀ, ୧୯୯୧ ରୁ ୨୦୦୯ ପର୍ଯ୍ୟନ୍ତ ମହିଳା, ଶିଶୁ ଏବଂ ଭିନ୍ନକ୍ଷମଙ୍କୁ ସହାୟତା ଯୋଗାଇବା ବ୍ୟତୀତ ସ୍ୱାସ୍ଥ୍ୟ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଏବଂ ଶିକ୍ଷା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ କାର୍ଯ୍ୟ କରିଥିଲା। ୨୦୧୦ ମସିହାରେ, ଫାଉଣ୍ଡେସନ୍ କେବଳ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲା।