Categories
ବିଶେଷ ଖବର ବ୍ୟକ୍ତିତ୍ୱ ମନୋରଂଜନ

ଓଡିଆ ଚଳଚିତ୍ର ଜଗତର ସବୁ କ୍ଷେତ୍ରରେ ରାଜ୍ କରିଥିବା ଜଣେ ନିର୍ଦ୍ଦେଶକ ହେଉଛନ୍ତି ରାଜୁ ମିଶ୍ର

ଦିଲ୍ଲୀପ ହାଲି

ଓଡିଆ ଚଳଚିତ୍ରର ଜଗତରେ ଏକ ନୂଆ ଯୁଗର ଅୟାରମ୍ଭ କରି ଯଦି ଦୀର୍ଘ ବର୍ଷ ଧରି କିଏ ରାଜ୍ କରିଥାଏ ତେବେ ସେ ହେଉଛନ୍ତି ରାଜୁ ମିଶ୍ର। ସିନେମାଟୋଗ୍ରାଫିରେ ନିଜର କ୍ୟାରିୟର ଆରମ୍ଭ କରି ସେ ନିର୍ଦ୍ଦେଶକ ସୋପାନକୁ ଯାଇ ପାରିଥିଲେ। ସେ ଏକାଧାରରେ ଥିଲେ ସିନେମାଟୋଗ୍ରାଫର, ସ୍କ୍ରିନ ପ୍ଲେ ଏବଂ କାହାଣୀ ଲେଖକ, ସଂଗୀତ ନିର୍ଦ୍ଦେଶକ, ଗାୟକ ଏବଂ ନିର୍ଦ୍ଦେଶକ। ସେ ଓଡିଆ ଚଳଚିତ୍ର ଜଗତରେ ଅନେକ ଅଭିନେତା ଓ ଅଭିନେତ୍ରୀଙ୍କୁ ସୁଯୋଗ ଦେଇ ସେମାନଙ୍କୁ ପ୍ରତିଷ୍ଠିତ କରାଇ ପାରିଛନ୍ତି। ସେମାନଙ୍କ ମଧ୍ୟରେ ଅପରାଜିତା ମହାନ୍ତି, ରଚନା ବାନାର୍ଜି, ଅଶ୍ରୁମୋଚନ ମହାନ୍ତି, ଚୈଧୁରୀ ବିକାଶ ଦାସ, ହର ପଟ୍ଟନାୟକ ପରି ଅନେକ।

ସେ ନିଜେ ଜଣେ ଚିତ୍ରଗ୍ରହଣକାରୀ ହୋଇଥିବାରୁ ଚରିତ୍ରମାନଙ୍କୁ କିପରି ପରଦାରେ ଉପସ୍ଥାପିତ ଯାଇପାରିବ ସେ କଳା କେବଳ ରାଜୁ ମିଶ୍ର ଜାଣିଥିଲେ। ଫଳରେ ଅନେକ ନୂଆ ପୁରୁଣା କଳାକାର ତାଙ୍କ ଚଳଚିତ୍ରରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଥିଲେ। ତାଙ୍କ ନିର୍ଦ୍ଦେଶିତ ଉଲକା ଚଳଚିତ୍ରରେ ମହାଶ୍ବେତା ରାୟ, ସାଗର ଗଂଗା ଚଳଚିତ୍ରରେ ରଚନା ବାନାର୍ଜି, ସତମିଛ ଚଳଚିତ୍ରରେ ଅପରାଜିତା ମହାନ୍ତି, ପଥର ଖସୁଛି ବଡ ଦେଉଳୁ ରେ ସିଦ୍ଧାନ୍ତ ମହାପାତ୍ରଙ୍କ ସହ ହାସ୍ୟ ଅଭିନେତା ହରିହର ମହାପାତ୍ର, ଅଭିନେତା ସୁନୀଲଙ୍କୁ ସେ ଦର୍ଶକଙ୍କ ସମ୍ମୁଖରେ ଲୋକପ୍ରିୟ କରାଇଥିଲେ।

ପୁଅ ମୋର କଳା ଠାକୁର ଚଳଚିତ୍ରରେ ହର ପଟ୍ଟନାୟକଙ୍କୁ ଖଳନାୟକ ଭୂମିକା ଦେଇ ସେ ସେତେବେଳେ ସିନେ ପ୍ରେମୀଙ୍କ ନିକଟରେ ଚର୍ଚ୍ଚାକୁ ଆସିଥିଲେ। ସେହିପରି ଆସିଛି ମୋ କାଳିଆ ସୁନାରେ ଶ୍ରୀରାମ ପଣ୍ଡାଙ୍କୁ ଏକ ଭିନ୍ନ ଚରିତ୍ରରେ ଛିଡା କରି ସେ ପ୍ରଶଂସିତ ହୋଇଥିଲେ। ତାଙ୍କର ଶେଷ ଚଳଚିତ୍ର କୋଟିଏରେ ଗୋଟିଏ ମନ ଚଳଚିତ୍ରରେ ପ୍ରତିଭା ପ୍ରଧାନ ପରି କଣ୍ଠଶିଳ୍ପୀଙ୍କୁ ଚଳଚିତ୍ରର ସମସ୍ତ ଗୀତ ବୋଲିବାର ସୁଯୋଗ ଦେଇଥିଲେ। ଏଥିରେ ତାଙ୍କର ପୁତୁରା ରୋହିତଙ୍କ ମଧ୍ୟ ମୁଖ୍ୟ ଭୂମିକାରେ ଅଣିଥିଲେ।

ରାଜୁ ମିଶ୍ର ବ୍ୟବସାୟିକ ଚଳଚିତ୍ର ସହିତ ଭିନ୍ନ ଧରଣର ଚଳଚିତ୍ର କରି ଓଡିଆ ସିନେ ଇତିହାସରେ ଏକ ନୂଆ ଧାରା ମଧ୍ୟ ସୃଷ୍ଟି କରିପାରିଛନ୍ତି। ତାଙ୍କ ନିର୍ଦ୍ଦେଶିତ ଲକ୍ଷ୍ମୀର ଅଭିସାର ଥିଲା ସେ ମଧ୍ୟରେ ଅନ୍ୟତମ। ବିଶିଷ୍ଠ ସାହିତ୍ୟିକ ମନୋଜ ଦାସଙ୍କ ଉପନ୍ୟାସକୁ ନେଇ ଏକ ଚଳଚିତ୍ର କରିବା ପରି ଏକ ଚ୍ୟାଲେଞ୍ଜ ନେଇଥିଲେ ରାଜୁ ମିଶ୍ର। ସେହିପରି 1983 ମସିହାରେ ମୟାମିରିଗ, 1995 ରେ ନିର୍ବାଚନ, 1994ରେ ଅରଣ୍ୟ ରୋଦନ ଥିଲା ବ୍ୟବସାୟିକ ଚଳଚିତ୍ରରୁ ଟିକିଏ ଅଲଗା କରି ଦେଖାଇବାର କଳା ଓ କୌଶଳ। ଆଉ ସେତେବେଳେ ଏସବୁ ଚଳଚିତ୍ର ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ବେଶ୍ ପ୍ରସଂଶିତ ହୋଇଥିଲା।

ମା ସୁମତୀ ଦେବୀ ଥିଲେ ଜଣେ ଭଲ ଗାୟିକା। ତାଙ୍କର ପୁତ୍ର ହିସାବରେ ସେ ସହି କଳାର ଭିନ୍ନ ଦିଗକୁ ଆବୋରି ନେଇ ନିଜକୁ ସୁପ୍ରତିଷ୍ଠିତ କରାଇପାରିଥିଲେ ରାଜୁ ମିଶ୍ର। ନିରାକାରପୁର କଲେଜରେ ଜଣେ ଛାତ୍ର ନେତା ହେବା ଏବଂ ପରେ ଜଣେ ମେଡିସିନ ରିପ୍ରେଜେଣ୍ଟିଭ ଭାବେ କାମ ଆରମ୍ଭ କରିଥିଲେ ସେ। ହେଲେ ସେସବୁରୁ ବାହାରି ନିଜକୁ କଳା ଭିତରେ ଡୁବାଇ ଦେଇଥିଲେ ରାଜୁ ମିଶ୍ର।

ସେତେବେଳେ ସିନେମାଟୋଗ୍ରାଫିର କୌଣସି ଗୁରୁତ୍ବ ନ ଥିଲେ ମଧ୍ୟ ସେ ପୁନେସ୍ଥିତ ଏଫଟିଆଇଆଇରେ ଯୋଗଦେଲେ। ଆଉ 1977 ମସିହାରେ ସେ ସେହି ପ୍ରତିଷ୍ଠିତ ଅନୁଷ୍ଠାନରୁ ଜଣେ ଶ୍ରେଷ୍ଠ ଛାତ୍ର ଭାବେ ପାଶ କରିଥିଲେ। ଆଉ ଓଡିଶାକୁ ହିଁ ନିଜର କଳାକ୍ଷେତ୍ର ଭାବେ ବାଛି ନେଇଥିଲେ। 1977 ମସିହାରୁ 2011 ପର୍ଯ୍ୟନ୍ତ ନିରବଛିନ୍ନ ଭାବେ ନିଜର କଳା ଚାତୁରି ଦେଖାଇ ଓଡିଆ ଚଳଚିତ୍ର ଜଗତରେ ଏକ ମାଇଲ ଖୁଣ୍ଟ ପ୍ରତିଷ୍ଠା କରିଛନ୍ତି।

ଅନେକ ହୁଏତ ଜାଣି ନ ଥିବେ ରାଜୁ ମିଶ୍ର କ୍ୟାଭେଣ୍ଡର ସିଗାରେଟ ବିଜ୍ଞାପନର ଅନ୍ୟତମ ପୁରଧା ଥିଲେ। ସେତେବେଳେ ଶ୍ରୀରାମ ପଣ୍ଡା କ୍ୟାଭେଣ୍ଡର ସିଗାରେଟ ପିଉଥିବାର ହୋଡିଂସ ସାରା ଭାରତର ବଡବଡ ସହରରେ ଲାଗିଥିଲା। ଶ୍ରୀରାମ ପଣ୍ଡାଙ୍କ ହାତରେ କ୍ୟାଭେଣ୍ଡର ସିଗାରେଟ ଧରାଇ ଫଟୋସେସନ କରିଥିଲେ ରାଜୁ ମିଶ୍ର। ସେ ସେତେବେଳେ ଶ୍ରୀରାମଙ୍କୁ ନେଇ କ୍ୟାଭେଣ୍ଡର ସିଗାରେଟର ଏକ ବିଜ୍ଞାପନ ଚଳଚିତ୍ର ମଧ୍ୟ କରିଥିଲେ। ଯାହା ସେତେବେଳେ ସମସ୍ତ ପ୍ରେକ୍ଷାଳୟରେ ଚଳଚିତ୍ର ପୂର୍ବରୁ ପ୍ରସାରିତ ହେଉଥିଲା।

ଦୀର୍ଘ କଳା ଜୀବନ ଭିତରେ ସେ ଅନେକ ପରିଶ୍ରମ କରିଛନ୍ତି ତାହା ସେତେବେଳେ ତାଙ୍କ ସହିତ କାମ କରୁଥିବା କଳାକାରଟିଏ ହିଁ ଜାଣିଛି। ସେହି ପରିଶ୍ରମ ପାଇଁ ସେ ଅନେକ ପ୍ରଶଂସା,ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ତାଙ୍କର ବିଭିନ୍ନ ଚଳଚିତ୍ର ଭିନ୍ନ ଭିନ୍ନ ବର୍ଗରେ ଅନେକ ଥର ରାଜ୍ୟ ଚଳଚିତ୍ର ପୁରସ୍କାର ହାସଲ କରିଛି। ସତମିଛ ଚଳଚିତ୍ରରେ ସେ ଚିତ୍ରଗ୍ରହଣକାରୀ ଏବଂ କାହାଣୀକାର ଭାବେ ରାଜ୍ୟ ପୁରସ୍କାର ହାସଲ କରିଛନ୍ତି।

ସେହିପରି ଅନ୍ତର୍ଜାତୀୟ ଚଳଚିତ୍ର ପୁରସ୍କାର, ଜାତୀୟ ଚଳଚିତ୍ର ପୁରସ୍କାର ଚୟନ କମିଟର ସଦସ୍ୟ ଓ ଅଧ୍ୟକ୍ଷ ହେବାର ଗୌରବ ହାସଲ କରିଥିଲେ ରାଜୁ ମିଶ୍ର। ସେ ଓଡିଆ ଚଳଚିତ୍ରରେ ପ୍ରଥମେ ଫୁଜି କଲର ଫିଲ୍ମସ ବ୍ୟବହାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟାନୂତ କରିଦେଇଥିଲେ। ସେତେବେଳେ ଏହି ଦକ୍ଷତା ପାଇଁ ଫୁଜି ଫିଲ୍ମସ ତରଫରୁ ତାଙ୍କୁ ବେଲିଜୟମ ଯିବା ପାଇଁ ଡକରା ଆସିଥିଲା। ସେ 1990 ମସିହାରେ ବେଲଜିୟମ ଯାଇ ସେଠାରେ ଏହାର ବ୍ୟବହାର କୌଶଳ ସଂପର୍କରେ ଅବଗତ କରାଇଥିଲେ।

1998 ମସିହାରେ ସିନେ କ୍ରିଟିକ ପୁରସ୍କାର, 2017ରେ ଅକ୍ଷୟ ସାହିତ୍ୟ ପୁରସ୍କାର ଏବଂ 2012 ମସିହାରେ ରାଜ୍ୟର ଚଳଚିତ୍ର କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାର ପାଇଛନ୍ତି ରାଜୁ ମିଶ୍ର। ତାଙ୍କର ବିୟୋଗ ଆଜି ଓଡିଆ ଚଳଚିତ୍ର ଜଗତକୁ ଏକ ବଡ କ୍ଷତିର ସମ୍ମୁଖୀନ ହୋଇଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ

ଭୁବନେଶ୍ବର : ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ ହୋଇଯାଇଛି । ଘରେ ବସିଥିବାବେଳେ ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । 72 ବର୍ଷ ବୟସରେ ଜଟଣୀସ୍ଥିତ ଘରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ତାଙ୍କ ପତ୍ନୀ ।

କେବଳ ନିର୍ଦ୍ଦେଶକ ନୁହେଁ ବରଂ ଚିତ୍ରନାଟ୍ୟ ଲେଖକ, ସଙ୍ଗୀତ ନିର୍ଦ୍ଦେଶକ, ଅଭିନେତା ଆଦି ଭାବେ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ ରାଜୁ ମିଶ୍ର । ପୁନରେ ଫିଲ୍ମ ଏଣ୍ଡ୍‌ ଟେଲିଭିଜନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆରେ ଚିତ୍ରାେତ୍ତଲନରେ ସ୍ବର୍ଣ୍ଣପଦକ ଲାଭ କରିଥିଲେ ।

ଓଡ଼ିଆ ଚଳଚ୍ଚିତ୍ରରେ ‘ଉଲ୍‌କା’ରେ ଅଭିନୟ କରିବା ସହ ରାଜୁ ମିଶ୍ର ଚିତ୍ରୋତ୍ତଳକ ଓ ସଙ୍ଗୀତକାର ଭାବରେ କାର୍ଯ୍ୟ କରିଥିଲେ । ସେ 20ରୁ ଉର୍ଦ୍ଧ୍ବ ଓଡ଼ିଆ ଓ ହିନ୍ଦୀ ଚଳଚ୍ଚିତ୍ରରେ କାର୍ଯ୍ୟ କରିଛନ୍ତି । ‘ଜୋର୍‌ ଯା’ର ମୁଲକ ତା’ର’ ତାଙ୍କର ପ୍ରଥମ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ଥିଲା ।

ଓଡ଼ିଆ ସିନେଜଗତର ଏକ ସୁପରିଚିତ ନାମ ହେଉଛି ରାଜୁ ମିଶ୍ର । ଅନେକ ଲୋକପ୍ରିୟ ଭେଟିଦେଇଛନ୍ତି ରାଜୁ ମିଶ୍ର । ତାଙ୍କ ନିର୍ଦ୍ଦେଶିତ ହିଟ୍‌ ଫିଲ୍ମ ମଧ୍ୟରେ ରହିଛି ଚକା ଆଖି ସବୁ ଦେଖୁଛି, ଆସୁଛି ମୋ କାଳିଆ ସୁନା, ପୁଅ ମୋର କଳା ଠାକୁର, ଜୀବନ ମୃତ୍ୟୁ, ହରି ଭାଇ ହାରେନା ପୁଅ ମୋର କଳାଠାକୁର, ସାଗର ଗଙ୍ଗା, ରୂପା ଗାଁର ସୁନା କନିଆ, ମମତା ମାଗେ ମୂଲ, ସତ ମିଛ ପରି ବହୁ ଲୋକପ୍ରିୟ ଫିଲ୍ମ । ଚଳଚ୍ଚିତ୍ର ଜଗତରେ ଉଲ୍ଲେଖନୀୟ ପ୍ରତିପାଦନ ପାଇଁ ଜୟଦେବ ସମ୍ମାନରେ ସମ୍ମାନିତ ହେବା ସହ ଅନେକ ପୁରସ୍କାର ଲାଭ କରିଛନ୍ତି ରାଜୁ ମିଶ୍ର । ତାଙ୍କ ବିୟୋଗରେ ଓଡ଼ିଆ ସିନେ ଜଗତରେ ଶୋକର ବାତାବରଣ ଖେଳି ଯାଇଛି ।