ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ

Published: Nov 2, 2020, 1:27 pm IST

ଭୁବନେଶ୍ବର : ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ ହୋଇଯାଇଛି । ଘରେ ବସିଥିବାବେଳେ ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । 72 ବର୍ଷ ବୟସରେ ଜଟଣୀସ୍ଥିତ ଘରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ତାଙ୍କ ପତ୍ନୀ ।

କେବଳ ନିର୍ଦ୍ଦେଶକ ନୁହେଁ ବରଂ ଚିତ୍ରନାଟ୍ୟ ଲେଖକ, ସଙ୍ଗୀତ ନିର୍ଦ୍ଦେଶକ, ଅଭିନେତା ଆଦି ଭାବେ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ ରାଜୁ ମିଶ୍ର । ପୁନରେ ଫିଲ୍ମ ଏଣ୍ଡ୍‌ ଟେଲିଭିଜନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆରେ ଚିତ୍ରାେତ୍ତଲନରେ ସ୍ବର୍ଣ୍ଣପଦକ ଲାଭ କରିଥିଲେ ।

ଓଡ଼ିଆ ଚଳଚ୍ଚିତ୍ରରେ ‘ଉଲ୍‌କା’ରେ ଅଭିନୟ କରିବା ସହ ରାଜୁ ମିଶ୍ର ଚିତ୍ରୋତ୍ତଳକ ଓ ସଙ୍ଗୀତକାର ଭାବରେ କାର୍ଯ୍ୟ କରିଥିଲେ । ସେ 20ରୁ ଉର୍ଦ୍ଧ୍ବ ଓଡ଼ିଆ ଓ ହିନ୍ଦୀ ଚଳଚ୍ଚିତ୍ରରେ କାର୍ଯ୍ୟ କରିଛନ୍ତି । ‘ଜୋର୍‌ ଯା’ର ମୁଲକ ତା’ର’ ତାଙ୍କର ପ୍ରଥମ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ଥିଲା ।

ଓଡ଼ିଆ ସିନେଜଗତର ଏକ ସୁପରିଚିତ ନାମ ହେଉଛି ରାଜୁ ମିଶ୍ର । ଅନେକ ଲୋକପ୍ରିୟ ଭେଟିଦେଇଛନ୍ତି ରାଜୁ ମିଶ୍ର । ତାଙ୍କ ନିର୍ଦ୍ଦେଶିତ ହିଟ୍‌ ଫିଲ୍ମ ମଧ୍ୟରେ ରହିଛି ଚକା ଆଖି ସବୁ ଦେଖୁଛି, ଆସୁଛି ମୋ କାଳିଆ ସୁନା, ପୁଅ ମୋର କଳା ଠାକୁର, ଜୀବନ ମୃତ୍ୟୁ, ହରି ଭାଇ ହାରେନା ପୁଅ ମୋର କଳାଠାକୁର, ସାଗର ଗଙ୍ଗା, ରୂପା ଗାଁର ସୁନା କନିଆ, ମମତା ମାଗେ ମୂଲ, ସତ ମିଛ ପରି ବହୁ ଲୋକପ୍ରିୟ ଫିଲ୍ମ । ଚଳଚ୍ଚିତ୍ର ଜଗତରେ ଉଲ୍ଲେଖନୀୟ ପ୍ରତିପାଦନ ପାଇଁ ଜୟଦେବ ସମ୍ମାନରେ ସମ୍ମାନିତ ହେବା ସହ ଅନେକ ପୁରସ୍କାର ଲାଭ କରିଛନ୍ତି ରାଜୁ ମିଶ୍ର । ତାଙ୍କ ବିୟୋଗରେ ଓଡ଼ିଆ ସିନେ ଜଗତରେ ଶୋକର ବାତାବରଣ ଖେଳି ଯାଇଛି ।

Related posts