Categories
ଆଜିର ଖବର ଜାତୀୟ ଖବର

‘ସକ୍ଷମ’ ଶିକ୍ଷା ସୂଚନା ପରିଚାଳନା ପ୍ରଣାଳୀ ଶୁଭାରମ୍ଭ କଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଲର୍ଣ୍ଣିଂ ମ୍ୟାନେଜମେଣ୍ଟ ଇନ୍‌ଫରମେସନ ସିଷ୍ଟମ (ଏଲଏମଆଇଏସ), ସକ୍ଷମ (ଷ୍ଟିମୁଲେଟିଂ ଆଡ୍‌ଭାନ୍‌ସଡ ନଲେଜ୍ ଫର ସଷ୍ଟେନେବଲ୍ ହେଲ୍ଥ ମ୍ୟାନେଜମେଣ୍ଟ) ର ଶୁଭାରମ୍ଭ କରିଛନ୍ତି।  ଏହି ଡିଜିଟାଲ୍ ଲର୍ଣ୍ଣିଂ ପ୍ଲାଟଫର୍ମକୁ ଜାତୀୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଂସ୍ଥାନ (ଏନଆଇଏଚଏଫଡବ୍ଲୁ), ନୂଆ ଦିଲ୍ଲୀ ଦ୍ବାରା ବିକଶିତ କରାଯାଇଛି।

ଦେଶର ସମସ୍ତ ସ୍ବାସ୍ଥ୍ୟ ସହିତ ସମ୍ପର୍କିତ ପେଶାଦାରମାନଙ୍କ ପାଇଁ ସକ୍ଷମ ଅନଲାଇନ୍ ପ୍ରଶିକ୍ଷଣ ଏବଂ ଶିକ୍ଷା ପ୍ରଦାନ କରିବା ପାଇଁ ଏକ ସମର୍ପିତ ୟୁନିଫାଏଡ୍‌ ପ୍ଲାଟଫର୍ମ ଅଟେ। ଏହି ଡିଜିଟାଲ୍ ଲର୍ଣ୍ଣିଂ ପ୍ଲାଟଫର୍ମ ଗ୍ରାମୀଣ ଏବଂ ଦୂର ଦୂରାନ୍ତର କ୍ଷେତ୍ରରେ ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ତୃତୀୟକ ଯତ୍ନ ଠାରୁ ନେଇ ମହାନଗରର କର୍ପୋରେଟ୍ ହସ୍‌ପିଟାଲ୍ ର ସ୍ବାସ୍ଥ୍ୟ ପେଶାଦାରଙ୍କୁ ସମନ୍ବିତ ଭାବରେ ଦକ୍ଷତା ପ୍ରଦାନ ସୁନିଶ୍ଚିତ କରିବ।

ବର୍ତ୍ତମାନ ସକ୍ଷମ : ଏଲଏମଆଇଏସ୍ 200 ରେ ଅଧିକ ନାଗରିକ ସ୍ବାସ୍ଥ୍ୟ ଏବଂ 100 ରୁ ଅଧିକ ନୈଦାନିକ ଚିକିତ୍ସାକୁ ଭର୍ଚୁଆଲ୍ ମାଧ୍ୟମରେ ଚଲାଉଛି। ସ୍ବାସ୍ଥ୍ୟ ପେଶାଦାର ମଧ୍ୟ https://lmis.nihfw.ac.in/ ମାଧ୍ୟମରେ ପୋର୍ଟାଲ୍ ରେ ପଞ୍ଜୀକୃତ କରିପାରିବେ ଏବଂ ଆବଶ୍ୟକ ତାଲିମ ନେବା ଏବଂ ଆବଶ୍ୟକ ମୂଲ୍ୟାଙ୍କନ ମାନଦଣ୍ଡ ପାଇବା ପରେ ପ୍ରମାଣପତ୍ର ପାଇପାରିବେ।

ବିଶେଷ ସଚିବ (ସ୍ବାସ୍ଥ୍ୟ) ଏମ ଗୋପାଳକୃଷ୍ଣନ୍, ସଂଯୁକ୍ତ ସଚିବ (ସ୍ବାସ୍ଥ୍ୟ) ଡାକ୍ତର ମନସ୍ବୀ କୁମାର, ନିର୍ଦ୍ଦେଶକ, ଏନଆଇଏଚଏଫଡବ୍ଲୁ, ଡା. ଧୀରଜ ସାହ, ଉପ ନିର୍ଦ୍ଦେଶକ ଏନଆଇଏଚଏଫଡବ୍ଲୁ ନିଧି କେସରବାନୀ, ଡିନ୍ ଏନଆଇଏଚଏଫଡବ୍ଲୁ ଡା. ବିକେ ତିୱାରୀ, ଡା. ସଞ୍ଜୟ ଗୁପ୍ତା, ଡା ପୁଷ୍ପାଞ୍ଜଳି, ଡା. ଡି.କେ. ଯାଦବ ତଥା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଏନଆଇଏଚଏଫଡବ୍ଲୁର ଅନେକ ବରିଷ୍ଠ ଅଧିକାରୀ ଏହି ଅବସରରେ ଉପସ୍ଥିତ ରହିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଚିନ୍ତା ବଢାଉଛି ଗରମ!, ଚିଠି ଲେଖି ରାଜ୍ୟଗୁଡ଼ିକୁ ସତର୍କ କରାଇଲା କେନ୍ଦ୍ର

ନୂଆଦିଲ୍ଲୀ: ସାରା ଦେଶରେ ଉତ୍ତାପ ବୃଦ୍ଧି ପାଇବାରେ ଲାଗିଛି। ଧୀରେ ଧୀରେ ତାପମାତ୍ରା ବୃଦ୍ଧି ପାଉଛି। ଏହି ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଉତ୍ତାପ ଜନିତ ରୋଗ ସମ୍ପର୍କରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ସତର୍କ କରାଇ ଦେଇଛନ୍ତି। ସେ ସମସ୍ତଙ୍କୁ ‘ନ୍ୟାସନାଲ ଆକ୍ସନ ପ୍ଳାନ’ ପ୍ରତି ଧ୍ୟାନ ଦେବାକୁ କହିଛନ୍ତି। କୁହାଯାଇଛି ଯେ, ଦେଶର କେତେକ ସ୍ଥାନରେ ତାପମାତ୍ରା ଏକ ଉଚ୍ଚ ସ୍ତରରେ ପହଞ୍ଚିସାରିଛି। ଏଭଳି ପରିସ୍ଥିତିରେ ଉତ୍ତାପ ଦ୍ଵାରା ହେଉଥିବା ରୋଗ ମଧ୍ୟ ବୃଦ୍ଧି ପାଇବାରେ ଲାଗିବ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସମସ୍ତ ରାଜ୍ୟକୁ ସତର୍କ କରିସାରିଛି।

ଚିଠିରେ ଦର୍ଶାଯାଇଛି ଯେ, ମାର୍ଚ୍ଚ ୧ ତାରିଖ ୨୦୨୩ ଠାରୁ ସମସ୍ତ ରାଜ୍ୟ ତଥା ଜିଲ୍ଲାରେ ଜାତୀୟ ଜଳବାୟୁ ପରିବର୍ତ୍ତନ ଏବଂ ମାନବ ସ୍ୱାସ୍ଥ୍ୟ (NPCCHH) ଅଧୀନରେ ଥିବା ଉତ୍ତାପ ଜନିତ ରୋଗ ଉପରେ ପ୍ରତିଦିନ ମନିଟରିଂ ଇଣ୍ଟିଗ୍ରେଟେଡ୍ ସ୍ୱାସ୍ଥ୍ୟ ସୂଚନା ପ୍ଲାଟଫର୍ମ (IHIP) ରେ କରାଯିବ।

Categories
ବିଶେଷ ଖବର

ଟିକାକରଣରେ ଉଲ୍ଲେଖନୀୟ ହ୍ରାସ ଘଟିଥିବା ଯୋଗୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଉଦ୍‌ବେଗ ପ୍ରକଟ

ନୂଆଦିଲ୍ଲୀ: ରାଜ୍ୟ ଏବଂ କେନ୍ଦ୍ରଶାସିତ କ୍ଷେତ୍ରରେ କୋଭିଡ-୧୯ ଟିକାକରଣର ମାତ୍ରା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଛି ଏବଂ ମନ୍ତ୍ରଣାଳୟ ପକ୍ଷରୁ ସେହିସବୁ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରଗୁଡ଼ିକୁ ପୁଣି ଉଲ୍ଲେଖନୀୟ ଭାବେ ଟିକାକରଣ ମାତ୍ରାକୁ ବୃଦ୍ଧି କରିବା ସହ ସଂପୂର୍ଣ୍ଣ ଟିକାକରଣର ଲକ୍ଷ୍ୟ ହାସଲ ଏବଂ ସମସ୍ତ ଯୋଗ୍ୟ ହିତଧାରକଙ୍କୁ ଟିକାକରଣ କରାଯିବା ପାଇଁ ପରାମର୍ଶ ଦିଆଯାଇଛି। ଏହି ପରାମର୍ଶ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ କ୍ଷେତ୍ରଙ୍କୁ ଜଣାଇ ଦିଆଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟସଚିବ ରାଜେଶ ଭୂଷଣ କହିଛନ୍ତି। ଆଜି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରର ସ୍ୱାସ୍ଥ୍ୟ ସଚିବ ଏବଂ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନର ପରିଚାଳନା ନିର୍ଦ୍ଦେଶକମାନଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ କୋଭିଡ ଟିକାକରଣ ସଂପର୍କରେ ସମୀକ୍ଷା କରିବା ଅବସରରେ ଶ୍ରୀ ଭୂଷଣ ଏହି ପରାମର୍ଶ ଦେଇଥିବା ଜଣାଯାଇଛି।

କୋଭିଡ ଟିକାକରଣକୁ ସାରା ଦେଶରେ ମିଶନ ମୋଡ୍‌ରେ ତ୍ୱରାନ୍ୱିତ କରିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି। ଏ ଦିଗରେ କୌଣସି ପ୍ରକାର କୋହଳ ମନୋଭାବ ପ୍ରଦର୍ଶନ ନ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜ୍ୟ ଏବଂ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ଆସନ୍ତା ଜୁନ୍‌-ଜୁଲାଇ ମାସରେ ’ହର ଘର ଦସ୍ତଖ ଅଭିଯାନ-୨’କୁ ଦୁଇମାସ ଧରି ବ୍ୟାପକ ଭାବେ କାର୍ଯ୍ୟକାରୀ କରାଯିବା ଲାଗି ସେମାନେ ଯୋଜନା ପ୍ରସ୍ତୁତ କରନ୍ତୁ। ଏଥିପାଇଁ ବିସ୍ତୃତ ଭାବେ ଜିଲ୍ଲା, ବ୍ଲକ୍‌ ଏବଂ ଗ୍ରାମ୍ୟସ୍ତରୀୟ ଯୋଜନାମାନ ପ୍ରସ୍ତୁତ କରାଯିବା ଉଚିତ୍‌। ‘ହର ଘର ଦସ୍ତଖ ୨.୦’ ଅଭିଯାନର ମୂଳ ଲକ୍ଷ୍ୟ ହେଲା – ଟିକାକରଣ କରାଯିବା ଏବଂ ସମସ୍ତ ଯୋଗ୍ୟ ଲୋକଙ୍କୁ ପ୍ରଥମ, ଦ୍ୱିତୀୟ ଏବଂ ବୁଷ୍ଟର ଡୋଜ୍‌ ଟିକା ପ୍ରଦାନ ଘର ଘର ବୁଲି ଅଭିଯାନ ମାଧ୍ୟମରେ ସଂପାଦନ କରିବା।

ବିଶେଷକରି ବୃଦ୍ଧ ବ୍ୟକ୍ତିମାନଙ୍କୁ ଘରେ ଏହି ଅଭିଯାନ ମାଧ୍ୟମରେ ଟିକାକରଣ କରାଯାଇପାରିବ। ସେହିଭଳି ସ୍କୁଲ/କଲେଜ ମାନଙ୍କରେ ଏବଂ ସ୍କୁଲରେ ପାଠ ପଢୁନଥିବା ପିଲା (ବିଶେଷକରି ୧୨-୧୮ବର୍ଷ ଆୟୁ ବର୍ଗର ଶିଶୁମାନେ), ଜେଲ୍‌, ଇଟାଭାଟି ଆଦିରେ କାମ କରୁଥିବା ପିଲାମାନଙ୍କୁ ଏହା ଦିଆଯାଇପାରିବ। ସେହିଭଳି ୬୦ବର୍ଷ ଆୟୁବର୍ଗରୁ ଅଧିକ ଲୋକମାନଙ୍କୁ ସବ୍‌ ଅପ୍ଟିମାଲ ମାତ୍ରାରେ ସାମିଲ କରାଯାଇ ହେବ। ଏହି ଟିକା ପ୍ରଦାନ କରାଗଲେ ସେମାନେ ସଂକ୍ରମଣ ବିପଦମୁକ୍ତ ହୋଇପାରିବେ। କେତେକ ରାଜ୍ୟରେ ୧୨ରୁ ୧୪ ବର୍ଷ ଆୟୁବର୍ଗର ପିଲାମାନଙ୍କୁ ଟିକାଦାନ ମାତ୍ରା ମନ୍ଥର ହୋଇଥିବା ପ୍ରସଙ୍ଗ ମଧ୍ୟ ଆଲୋଚନା କରାଯାଇଥିଲା। ତେଣୁ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ଶ୍ରୀ ଭୂଷଣ ପରାମର୍ଶ ଦେଇଥିଲେ ଯେ ଟିକାକରଣକୁ ସକ୍ରିୟଭାବେ ମନିଟର କରିବା ଲାଗି ସେମାନେ ମାଇକ୍ରୋ ଯୋଜନା ଆଧାରରେ ସମସ୍ତ ଯୋଗ୍ୟ ହିତାଧିକାରୀମାନଙ୍କ ତାଲିକା ପ୍ରସ୍ତୁତ କରନ୍ତୁ। ସେହିଭଳି ୧୮ରୁ ୫୯ ବର୍ଷ ଆୟୁବର୍ଗର ଲୋକମାନେ ଯେଉଁ ବୁଷ୍ଟର ଡୋଜ ଟିକା ଘରୋଇ ହସ୍ପିଟାଲମାନଙ୍କରେ ନିୟମିତ ଭାବେ ନେଉଛନ୍ତି ତାହା ମଧ୍ୟ ରାଜ୍ୟ ପ୍ରଶାସନ ସମୀକ୍ଷା କରିବା ଉଚିତ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏହି ସମୀକ୍ଷା ବୈଠକ ବେଳେ ସ୍ପଷ୍ଟଭାବେ ଗୁରୁତ୍ୱାରୋପ କରିବା ସହ କହିଛନ୍ତି ଯେ ଦେଶବ୍ୟାପୀ କୋଭିଡ ଟିକାକରଣ ଯେଉଁ ମାତ୍ରାରେ ଜାରି ରହିଛି ସକ୍ରିୟ ଯୋଗାଯୋଗ ବ୍ୟବସ୍ଥା ଏବଂ ରଣନୀତି ଗ୍ରହଣ ଦ୍ୱାରା ତାହାକୁ ଆହୁରି ତ୍ୱରାନ୍ୱିତ କରାଯାଇପାରିବ। ସ୍ଥଳବିଶେଷରେ କ୍ଷେତ୍ରୀୟ ଯୋଗାଯୋଗ ନିମନ୍ତେ ଯାହା ସବୁଠାରୁ ଉତ୍ତମ ବ୍ୟବସ୍ଥା ବୋଲି ବିବେଚନା କରାଯିବ ତାହା ଗ୍ରହଣ କରାଗଲେ ସେଥିରୁ ଇପସିତ ସୁଫଳ ମିଳିପାରିବ। ଅତୀତରେ ଏହା ହାସଲ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୧୯୧ କୋଟିରୁ ଅଧିକ ଡୋଜ୍‌ କୋଭିଡ ପ୍ରତିଷେଧକ ଟିକା ଦିଆଯିବା ଏକ ପ୍ରଶଂସନୀୟ କାର୍ଯ୍ୟ ବୋଲି ସେ ଉଲ୍ଲେଖ କରିଥିଲେ।

ରାଜ୍ୟୱାରି ଟିକାକରଣର ଯେଉଁ ତଥ୍ୟ ଉପଲବ୍ଧ ରହିଛି ତାହାକୁ ଯୋଗ୍ୟ ହିତାଧିକାରୀମାନଙ୍କ ସହ ତୁଳନା କରିବାକୁ ଶ୍ରୀ ଭୂଷଣ ପରାମର୍ଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ସେ ସୂଚୀତ କରିଥିଲେ ଯେ ଯେଉଁ ଟିକାର ଆୟୁସୀମା ଶେଷ ହୋଇଆସୁଛି ସେଗୁଡ଼ିକୁ ସେମାନେ ତୁରନ୍ତ ବ୍ୟବହାର କରିବା ଉଚିତ୍‌। କୋଭିଡ-୧୯ ପ୍ରତିଷେଧକ ଟିକା ଏକ ମୂଲ୍ୟବାନ ରାଷ୍ଟ୍ରୀୟ ସମ୍ପଦ ବୋଲି ଉଲ୍ଲେଖ କରି ସେ କହିଛନ୍ତି ଯେ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନେ ଏଭଳି କୋଭିଡ-୧୯ ଟିକା କୌଣସି ମତେ ଯେଭଳି ନଷ୍ଟ ନ ହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ସକ୍ରିୟ ପରିଚାଳନା ଦ୍ୱାରା ଏହା ସୁନିଶ୍ଚିତ କରାଯିବା ଉଚିତ ଏବଂ ’ଫାଷ୍ଟ ଏକ୍ସପାୟାରି- ଫାଷ୍ଟ ଆଉଟ୍‌’ ନୀତିରେ ଯେଉଁ ଟିକା ଡୋଜର ଏକ୍ସପାୟାରି ତାରିଖ ପାଖେଇ ଆସୁଛି ସେଗୁଡ଼ିକୁ ପ୍ରଥମେ ଟିକାକରଣ ପାଇଁ ବ୍ୟବହାର କରାଯିବା ଜରୁରି। ୨୦୨୧ ମସିହା ଡିସେମ୍ବର ମାସଠାରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଆବଶ୍ୟକତା ଅନୁସାରେ ସେମାନଙ୍କୁ ପ୍ରତିଷେଧକ ଡୋଜ୍‌ ଟିକା ଯୋଗାଇ ଦିଆଯାଉଛି। ତେଣୁ ସେମାନେ ବଳକା ଅବ୍ୟବହୃତ ଟିକାଡୋଜ୍‌ ଗୁଡ଼ିକୁ ମେ, ଜୁନ ଏବଂ ଜୁଲାଇ ମାସ ମଧ୍ୟରେ ଶେଷ କରିବା ଆବଶ୍ୟକ।

ସମୀକ୍ଷା ବୈଠକ ବେଳେ ଏହି ପ୍ରସଙ୍ଗ ଉଠିଥିଲା ଯେ କେତେକ ରାଜ୍ୟରେ କତିପୟ ବ୍ୟକ୍ତିବିଶେଷ ଯେଉଁମାନେ କି ବିଦେଶ ଗସ୍ତରେ ଯିବାକୁ ଇଛୁକ ଏବଂ ଦ୍ୱିତୀୟ ଡୋଜ ଟିକା ନେବାର ୯୦ ଦିନ ମଧ୍ୟରେ ବୁଷ୍ଟର ଡୋଜ୍‌ ଟିକା ନେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ସେମାନଙ୍କୁ ନିଜର ବିଦେଶ ଯାତ୍ରା ସଂପର୍କିତ ପ୍ରମାଣପତ୍ର ଦେଖାଇବାକୁ ପରାମର୍ଶ ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ କୌଣସି ପରିସ୍ଥିତିରେ କୌଣସି କୋଭିଡ-୧୯ ଟିକାକରଣ କେନ୍ଦ୍ର ଅଥବା ରାଜ୍ୟ ସରକାର ଯେଉଁମାନେ ବିଦେଶ ଯାତ୍ରା ପୂର୍ବରୁ ବୁଷ୍ଟର ଡୋଜ ଟିକା ନେବାକୁ ଚାହୁଁଛନ୍ତି ସେମାନଙ୍କୁ ତଥ୍ୟଗତ ପ୍ରମାଣ ଦେବାକୁ ବାଧ୍ୟ କରିପାରିବେ ନାହିଁ। ଏହି ପରିପ୍ରେକ୍ଷୀରେ ରାଜ୍ୟ ଓ କେନ୍ଦ୍ରଶାସିତ ସରକାରମାନଙ୍କୁ ପୂର୍ବରୁ ମଧ୍ୟ ଅବଗତ କରାଯାଇ ସାରିଛି।

Categories
ବିଶେଷ ଖବର ସ୍ବାସ୍ଥ୍ୟ

ବୁଷ୍ଟର ଡୋଜ ଏବଂ କିଶୋରମାନଙ୍କ ଟୀକାକରଣ: ରାଜ୍ୟଗୁଡିକ ସହ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପ୍ରସ୍ତୁତି ସମୀକ୍ଷା

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଆଜି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଏକ କର୍ମଶାଳାରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ୧୫-୧୮ ବର୍ଷ ବୟସ୍କ ପିଲାମାନଙ୍କ ଟିକାକରଣ କାର୍ଯ୍ୟକାରୀ କରିବା ନେଇ ଆଲୋଚନା କରାଯାଇଥିଲା। ସେହିପରି ଦୁର୍ବଳ ବର୍ଗର ଲୋକମାନଙ୍କ ପାଇଁ ପ୍ରତିଷେଧକ ଡୋଜ ଦିଆଯିବା ନିମନ୍ତେ ହୋଇଥିବା ପ୍ରସ୍ତୁତି ମଧ୍ୟ ସମୀକ୍ଷା କରାଯାଇଥିଲା। ଏହି ଦୁର୍ବଳ ବର୍ଗଙ୍କ ମଧ୍ୟରେ ସ୍ୱାସ୍ଥ୍ୟସେବା କର୍ମୀ, ସମ୍ମୁଖ ଯୋଦ୍ଧା ଏବଂ ୬୦ ବର୍ଷରୁ ଅଧିକ ବୟସ୍କ ଲୋକମାନେ ସାମିଲ ରହିଛନ୍ତି ଯେଉଁମାନେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୫ ଡିସେମ୍ବର ୨୦୨୧ରେ କରିଥିବା ଘୋଷଣା ଅନୁଯାୟୀ ୧୫-୧୮ ବର୍ଷ ବୟସ୍କ ପିଲାମାନଙ୍କ ପାଇଁ ସୋମବାର ୩ ଜାନୁଆରୀ, ୨୦୨୨ ତାରିଖ ଠାରୁ ଟିକାକରଣ ଆରମ୍ଭ କରାଯିବ। ଅନ୍ୟପକ୍ଷରେ ଦୁର୍ବଳ ବର୍ଗଙ୍କୁ ତୃତୀୟ ଡୋଜ୍‌ ପ୍ରତିଷେଧକ ଟିକା ସୋମବାର ୧୦ ଜାନୁଆରୀ, ୨୦୨୨ ଠାରୁ ଦିଆଯିବ। ଏ ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଡିସେମ୍ବର ୨୭, ୨୦୨୧ରେ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଥିଲା।

୧୫-୧୮ ବର୍ଷ ବୟସ୍କ ପିଲାମାନଙ୍କ ଟିକାକରଣ ସନ୍ଦର୍ଭରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ କେତେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। ଏହି ବୟସବର୍ଗର ଜନସଂଖ୍ୟାକୁ କେବଳ ’କୋଭାକ୍ସିନ’ ହିଁ ଦିଆଯିବ। ଏଥିନିମନ୍ତେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ‘କୋଭାକ୍ସିନ’ର ଅତିରିକ୍ତ ଡୋଜ୍‌ ଯୋଗାଇ ଦିଆଯିବ। କେନ୍ଦ୍ର ସରକାର ଆସନ୍ତା କିଛିଦିନ ମଧ୍ୟରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ‘କୋଭାକ୍ସିନ’ ଯୋଗାଣ ସାରଣୀ ଯୋଗାଇଦେବେ। ଏହାର ସମ୍ଭାବ୍ୟ ହିତାଧିକାରୀ ଜାନୁଆରୀ ୧ ତାରିଖ ଠାରୁ କୋୱିନ ପ୍ଲାଟଫର୍ମରେ ଅନଲାଇନ ପଞ୍ଜୀକରଣ କରାଇପାରିବେ କିମ୍ବା ଜାନୁଆରୀ ୩ ତାରିଖ ଠାରୁ ଟିକାକରଣ ଆରମ୍ଭ ହେବା ପରେ ନିଜେ ଟିକା କେନ୍ଦ୍ରକୁ ଯାଇ ୱାକ୍‌ଇନ ଅଫଲାଇନ ପଞ୍ଜୀକରଣର ଲାଭ ନେଇପାରିବେ। ଯେଉଁମାନଙ୍କର ଜନ୍ମ ୨୦୦୭ କିମ୍ବା ତା’ପୂର୍ବରୁ ହୋଇଛି କେବେଳ ସେହିମାନେ ହିଁ ଏହି ଶ୍ରେଣୀ ଅଧୀନରେ ଟିକା ନେବା ପାଇଁ ଯୋଗ୍ୟ ଅଟନ୍ତି।

୧୫-୧୮ ବର୍ଷ ବୟସ ବର୍ଗଙ୍କ ଟିକାକରଣ ସଂକ୍ରାନ୍ତରେ ସମସ୍ତ ନିର୍ଦ୍ଧାରିତ ପ୍ରୋଟୋକଲ ପାଳନ କରାଯିବ। ହିତାଧିକାରୀମାନଙ୍କୁ ଅଧ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ। ଏହି ସମୟରେ ଏଇଏଫଆଇ ପାଇଁ ସେମାନଙ୍କର ଅନୁଧ୍ୟାନ କରାଯିବ। ୨୮ ଦିନ ପରେ ହିଁ ସେମାନେ ଦ୍ୱିତୀୟ ଡୋଜ୍‌ ନେବା ପାଇଁ ଯୋଗ୍ୟ ହେବେ। ରାଜ୍ୟମାନେ ୧୫-୧୮ ବର୍ଷ ବୟସ୍କ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ ଟିକାକରଣ କେନ୍ଦ୍ର ପ୍ରତିଷ୍ଠା କରିପାରିବେ। ଏ ସମ୍ପର୍କରେ ରାଜ୍ୟମାନଙ୍କୁ ସୂଚନା ଦିଆଯାଇଛି ଯାହାକି କୋୱିନ ପ୍ଲାଟଫର୍ମରେ ପ୍ରଦର୍ଶିତ କରାଯାଇଛି। ସ୍ୱତନ୍ତ୍ର ସମର୍ପିତ ଟିକାକରଣ କେନ୍ଦ୍ର ପ୍ରତିଷ୍ଠା ହେବା ଫଳରେ ଟିକାକରଣରେ କୌଣସି ଦ୍ୱନ୍ଦ୍ୱ ରହିବ ନାହିଁ। ୧୫-୧୮ ବର୍ଷ ପିଲା ଏବଂ ଅନ୍ୟ ବୟସ ବର୍ଗର ପିଲାମାନଙ୍କୁ ଟିକା ଦେବା କ୍ଷେତ୍ରରେ ଯେପରି କୌଣସି ଭ୍ରମ ସୃଷ୍ଟି ନହେବ ତାହା ସୁନିଶ୍ଚିତ କରିବା ଲାଗି ରାଜ୍ୟମାନଙ୍କୁ ଭିନ୍ନ ଟିକାକରଣ ଦଳ ଓ ଭିନ୍ନ ଧାଡ଼ି ବ୍ୟବସ୍ଥା କରିବା ପାଇଁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଥିଲା। ପିଲାଙ୍କ ପାଇଁ ଅଲଗା ଓ ବୟସ୍କଙ୍କ ପାଇଁ ଅଲଗା ଧାଡ଼ି ରହିବ। ଯାହାଫଳରେ ଟିକାକରଣ କ୍ଷେତ୍ରରେ ଦ୍ୱନ୍ଦ୍ୱାତ୍ମକ ସ୍ଥିତିକୁ ଦୂର କରାଯାଇ ଏହାକୁ ସୁବ୍ୟବସ୍ଥିତ କରାଯାଇପାରିବ।

ଟିକାର ପ୍ରତିଷେଧକ ଡୋଜ୍‌ ପ୍ରଦାନ କରାଯିବାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କେତେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିଥିଲେ। ହିତାଧିକାରୀ ଦ୍ୱିତୀୟ ଡୋଜ କୋଭିଡ ପ୍ରତିଷେଧକ ଟିକା ନେବାର ୯ ମାସ (୩୯ ସପ୍ତାହ) ପରେ ପ୍ରତିଷେଧକ ଡୋଜ୍‌ ନେବାକୁ ଯୋଗ୍ୟ ହୋଇପାରିବେ। ପୂର୍ବରୁ କୌଣସି ରୋଗରେ ପୀଡ଼ିତ ହିତାଧିକାରୀମାନଙ୍କୁ ଟିକା ନେବା ଲାଗି ଡାକ୍ତରୀ ପ୍ରମାଣପତ୍ର ଦେବାକୁ ପଡ଼ିବ ନାହିଁ। ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେଉଥିବା ମିଥ୍ୟା ସୂଚନାକୁ ଖଣ୍ଡନ କରି ସ୍ୱାସ୍ଥ୍ୟ ସଚିବ ସ୍ପଷ୍ଟ ଭାବେ କହିଥିଲେ ଯେ କେନ୍ଦ୍ର ସରକାର ଏ ସଂକ୍ରାନ୍ତରେ କୌଣସି ନିର୍ଦ୍ଦେଶ ଜାରି କରିନାହାନ୍ତି। ପ୍ରତିଷେଧକ ଟିକା ନେବାକୁ ଆସିବା ସମୟରେ ଡାକ୍ତରଙ୍କ ସୁପାରିସପତ୍ର/ପ୍ରମାଣପତ୍ର ସାଙ୍ଗରେ ଆଣିବା ବାଧ୍ୟତାମୂଳକ ନୁହେଁ। ସେ ଏହା ମଧ୍ୟ କହିଥିଲେ ଯେ ପ୍ରତିଷେଧକ ଡୋଜ ନେବା ଲାଗି ଯୋଗ୍ୟ ହୋଇଥିବା ସବୁ ଲୋକମାନଙ୍କୁ କୋୱିନ ଏକ ରିମାଇଣ୍ଡର ବାର୍ତ୍ତା ପଠାଇବ ଏବଂ ପ୍ରତିଷେଧକ ଟିକା ସେମାନଙ୍କ ଡିଜିଟାଲ ଟିକାକରଣ ପ୍ରମାଣପତ୍ରରେ ମଧ୍ୟ ପ୍ରତିଫଳିତ ହେବ।

୧୫ରୁ ୧୮ ବର୍ଷ ବୟସ୍କ ହିତାଧିକାରୀଙ୍କ ଟିକାକରଣ ପାଇଁ ସ୍ୱାସ୍ଥ୍ୟ କର୍ମୀ ଏବଂ ଟିକାକରଣ ଦଳର ସଦସ୍ୟମାନଙ୍କୁ ପ୍ରଶିକ୍ଷଣ ଦେବା ଲାଗି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ପରାମର୍ଶ ଦିଆଯାଇଛି। ଏହି ବୟସ ବର୍ଗଙ୍କ ଟିକାକରଣ ପାଇଁ ନିର୍ଦ୍ଧାରିତ ସମର୍ପିତ ଅଧିବେଶନ ସ୍ଥଳୀ ଚିହ୍ନଟ କରିବା ଲାଗି ମଧ୍ୟ କୁହାଯାଇଛି। ଚିହ୍ନଟ କରାଯାଇଥିବା ଅଧିବେଶନ ସ୍ଥଳୀରେ କୋଭାକ୍ସିନ ବିତରଣ ଲାଗି ଅଗ୍ରୀମ ଆକାରରେ ଉଚିତ୍‌ ଯୋଜନା ପ୍ରସ୍ତୁତ କରିବା ପାଇଁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଟିକା ଦିଆଯିବା ସମୟରେ ଟିକାର ମିଶ୍ରଣକୁ ଏଡ଼ାଇବା ପାଇଁ ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର, ଭିନ୍ନ ଅଧିବେଶନ ସ୍ଥଳ, ଭିନ୍ନ ଧାଡ଼ି (ସେହି କେନ୍ଦ୍ରରେ ବୟସ୍କଙ୍କ ଟିକାକରଣ କରାଯାଉଥିଲେ) ଏବଂ ଭିନ୍ନ ଟିକାକରଣ ଦଳ ପ୍ରସ୍ତୁତ ରଖିବାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ କୁହାଯାଇଥିଲା। କୋୱିନ ଟିକା ଉପଯୋଗ କରୁଥିବା ହିତାଧିକାରୀଙ୍କ ଜିଲ୍ଲାୱାରୀ ଆକଳନ କରି ଟିକା ଡୋଜର ଆବଶ୍ୟକତା ସମ୍ପର୍କରେ ସୂଚନା ଦେବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଯେଉଁସବୁ ସ୍ଥାନରେ ୧୫ରୁ ୧୮ ବର୍ଷ ବୟସ ବର୍ଗଙ୍କୁ ଟିକା ଦିଆଯିବ ସେ ସମ୍ପର୍କରେ ପ୍ରଚାର ପ୍ରସାର କରିବା ଲାଗି କୁହାଯାଇଥିଲା। ଏସବୁ ହିତାଧିକାରୀମାନଙ୍କୁ ଟିକା ଦିଆଯିବାକୁ ରାଜ୍ୟମାନଙ୍କୁ ଯଥେଷ୍ଟ ସଂଖ୍ୟାରେ ଟିକା ଯୋଗାଇ ଦିଆଯିବ।

ଏହି ବୈଠକରେ ଅତିରିକ୍ତ ସଚିବ (ସ୍ୱାସ୍ଥ୍ୟ) ଡ. ମନୋହର ଅଗ୍ନାନୀ, ଯୁଗ୍ମ ସଚିବ (ସ୍ୱାସ୍ଥ୍ୟ) ବିଶାଳ ଚୌହାନଙ୍କ ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ (ସ୍ୱାସ୍ଥ୍ୟ) ଏବଂ ରାଜ୍ୟ ନିରୀକ୍ଷଣ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଚିନ୍ତା ବଢାଉଛି ଓମିକ୍ରନ୍, ସମସ୍ତ ରାଜ୍ୟକୁ କଠୋର ନିର୍ଦ୍ଦେଶନାମା ଜାରି କରିବାକୁ କହିଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ମିଳିବା ଏବଂ ଏହାର ମାମଲା ଅନ୍ୟ ଦେଶରେ ମିଳିବା ପରେ ବିଶ୍ୱବ୍ୟାପୀ ଚିନ୍ତା ବଢିଛି। ଏହି ପରିପ୍ରେକ୍ଷୀରେ ମନିଟରିଂ ବୃଦ୍ଧି ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ନୂତନ ଭାରିଆଣ୍ଟ ଓମିକ୍ରନ୍ ସମ୍ବନ୍ଧରେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଏକ ଚିଠି ଲେଖିବାବେଳେ ତୀବ୍ର ନିରାକରଣ, ନୀରିକ୍ଷଣ ବ୍ୟବସ୍ଥା ବୃଦ୍ଧି ଏବଂ କରୋନା ଟୀକାକରଣକୁ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ନିର୍ଦ୍ଦେଶ ଦେଇଛନ୍ତି।

କରୋନାର ନୂତନ ଭାରିଆଣ୍ଟକୁ ନେଇ ଆତଙ୍କିତ ହେବାର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଉଚ୍ଚ ପଦାଧିକାରୀଙ୍କ ସହ ଏକ ବୈଠକ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଅନ୍ତର୍ଜାତୀୟ ବିମାନର ଢିଲାକୁ ସମୀକ୍ଷା କରିବା ସହିତ କରୋନା ଟୀକାକରଣ ଏବଂ କୋଭିଡ ପରିସ୍ଥିତି ଉପରେ ଆଲୋଚନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନାଜନିତ ମୃତ୍ୟୁକୁ ରୋକିବାରେ ପ୍ରଥମ ଡୋଜ ୯୬.୬% ପ୍ରଭାବଶାଳୀ, ଉଭୟ ଡୋଜର ପ୍ରଭାବ ୯୭.୭%: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୩ ହଜାରରୁ ଅଧିକ କରୋନା ମାମଲା ରୁଜୁ ହୋଇଥିବା ବେଳେ ସେଥିମଧ୍ୟରୁ ପ୍ରାୟ ୩୨ ହଜାର ମାମଲା କେରଳ ରାଜ୍ୟରୁ ଆସିଛି। ଗତ ସପ୍ତାହରେ ରିପୋର୍ଟ ହୋଇଥିବା ମାମଲା ମଧ୍ୟରୁ କେବଳ କେରଳରୁ ୬୮.୫୯% ରିପୋର୍ଟ କରାଯାଇଥିଲା। ଆଜି ଏକ ଗଣମାଧ୍ୟମ ସମ୍ମିଳନୀରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆମେ ଦ୍ୱିତୀୟ ତରଙ୍ଗର ମଝିରେ ଅଛୁ, ଏହା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଦେଶର ୩୮ ଟି ଜିଲ୍ଲାରେ ୧୦୦ ରୁ ଅଧିକ ମାମଲା ରୁଜୁ ହୋଇଥିବାବେଳେ ଜୁନ୍ ୩୦ ରେ ୧୦୮ ଟି ଜିଲ୍ଲା ଥିଲା।

ରାଜେଶ ଭୂଷଣ କହିଛନ୍ତି ଯେ, ମଝିରେ ସକ୍ରିୟ ମାମଲା ହ୍ରାସ ପାଇଥିଲା, ପରେ ବୃଦ୍ଧି ପାଇଥିଲା କିନ୍ତୁ ବର୍ତ୍ତମାନ ଏହା ହ୍ରାସ ପାଉଛି। ଦେଶରେ କେବଳ ଗୋଟିଏ ରାଜ୍ୟ କେରଳ, ଯେଉଁଠାରେ ମୋଟ ସକ୍ରିୟ ମାମଲାର ୬୧% ରହିଛି। ସେହିଭଳି ମହାରାଷ୍ଟ୍ରରେ ସକ୍ରିୟ ମାମଲା ୫୦ ହଜାରରୁ ଏକ ଲକ୍ଷ ମଧ୍ୟରେ ରହିଥିବା ବେଳେ ୧୦ ହଜାରରୁ ୫୦ ହଜାର ମଧ୍ୟରେ ସକ୍ରିୟ ମାମଲା ବର୍ତ୍ତମାନ ୪ ଟି ରାଜ୍ୟରେ ଏବଂ ୧୦ ହଜାରରୁ କମ୍ ସକ୍ରିୟ ମାମଲା ୩୦ ଟି ରାଜ୍ୟରେ ଅଛି। ୩୫ ଟି ଜିଲ୍ଲାରେ ସାପ୍ତାହିକ ପଜେଟିଭ ହାର ୧୦% ଅଧିକ ରହୁଛି।

ଟୀକାକରଣ ବିଷୟରେ ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେ, ୧୮ ବର୍ଷରୁ ଅଧିକ ୫୮% ଲୋକଙ୍କୁ ପ୍ରଥମ ଡୋଜ ଦିଆଯାଇଥିବାବେଳେ ୧୮% ଉଭୟ ଡୋଜ ଦିଆଯାଇଛି। ଆଇସିଏମଆର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି ଯେ, ମୃତ୍ୟୁ ହାରକୁ ରୋକିବା ପାଇଁ ପ୍ରଥମ ଡୋଜ ୯୬.୬% ପର୍ଯ୍ୟନ୍ତ ସକ୍ଷମ ହୋଉଥିବା ବେଳେ ଦ୍ଵିତୀୟ ଡୋଜ ପରେ ଏହା ୯୭.୫% କୁ ବୃଦ୍ଧି ପାଉଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଓଡ଼ିଶା ସହ ପୂର୍ବ ଭାରତର ୫ଟି ରାଜ୍ୟର କରୋନା ମୁକାବିଲା ନେଇ କେନ୍ଦ୍ର ସରକାର କଲେ ସମୀକ୍ଷା

ନୂଆଦିଲ୍ଲୀ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ବୁଧବାର ଦିନ ଏକ ଉଚ୍ଚସ୍ତରୀୟ ବୈଠକରେ ପୂର୍ବ ଭାରତର ପାଞ୍ଚଟି ରାଜ୍ୟରେ କରୋନା ମହାମାରୀ ମୁକାବିଲା ସଂପର୍କରେ ସମୀକ୍ଷା କରିଛନ୍ତି । ଏହି ପାଞ୍ଚଟି ରାଜ୍ୟ ହେଲେ ଓଡ଼ିଶା, ଆସାମ, ପଶ୍ଚିମ ବଙ୍ଗ, ବିହାର ଓ ଝାଡ଼ଖଣ୍ଡ ।

ଏହି ସମୀକ୍ଷା ବୈଠକରେ ଉପରୋକ୍ତ ରାଜ୍ୟମାନଙ୍କରେ କୋଭିଡ଼ ୧୯ ମହାମାରୀ ପରିଚାଳନା ତଥା କଣ୍ଟେନମେଣ୍ଟ ପାଇଁ କି କି ପ୍ରକାର ପଦକ୍ଷେପମାନ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଏବେ ଲକ୍ଷ୍ୟ କରାଯାଇଛି ଯେ ମହାମାରୀ କରୋନା ପୂର୍ବାଞ୍ଚଳ ରାଜ୍ୟମାନଙ୍କ ଦିଗରେ ଗତି କରୁଛି ଏବଂ ସେହିସବୁ ରାଜ୍ୟରେ ପ୍ରତିଦିନ ନୂତନ ସଂକ୍ରମିତ ଓ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ଏହି ସମୀକ୍ଷା ବୈଠକରେ ଯେଉଁ ପାଞ୍ଚଟି ପ୍ରମୁଖ ତଥା ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ଆଲୋଚନା କରାଯାଇଥିଲା ସେଗୁଡ଼ିକ ହେଲା ସଂପୃକ୍ତ ରାଜ୍ୟମାନଙ୍କରେ କୋଭିଡ଼ ୧୯ ମହାମାରୀ ଯୋଗୁ ଉତ୍ପନ୍ନ ସ୍ଥିତିର ମୁକାବିଲା ନିମନ୍ତେ ଆବଶ୍ୟକ ଚିକିତ୍ସା ସାମଗ୍ରୀ ତଥା ଚାଲେଞ୍ଜର ମୁକାବିଲା । ଏହିସବୁ ରାଜ୍ୟମାନଙ୍କରେ ଏବେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ତଥା ମୃତ୍ୟୁ ସଂଖ୍ୟା ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଇଛି ।

କୋଭିଡ଼ ଜନିତ ପରିସ୍ଥିତିର ମୁକାବିଲା ସକାଶେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମାନବ ସମ୍ବଳର ଆବଶ୍ୟକତା ତଥା କ୍ଲିନିକାଲ ପରିଚାଳନା ଉପରେ ସର୍ବାଧିକ ଗୁରୁତ୍ୱ ଆରୋପ କରାଯାଇଥିଲା । ହସପିଟାଲରେ ଚିକିତ୍ସିତ ହେଉଥିବା କୋଭିଡ଼ ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଣ ନିମନ୍ତେ ସଂପୃକ୍ତ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି ।

ଏଥି ସହିତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ (ସିଏଚଓ) ମାନଙ୍କୁ କାର୍ଯ୍ୟ ଆଧାରିତ ପେମେଣ୍ଟ ପ୍ରଦାନ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଓ ନିରାମୟ କେନ୍ଦ୍ର (ଏଚଡ଼ବ୍ଲୁସି)ମାନଙ୍କରେ ପ୍ରଦାନ କରାଯିବାକୁ ପରାମର୍ଶ ଦିଆଯାଇଛି । ସେହିଭଳି ଏଏନଏମ ତଥା ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଉପଯୁକ୍ତ ସମୟରେ ସେମାନଙ୍କ ପ୍ରୋତ୍ସାହନ ରାଶି ପ୍ରଦାନ ନିମନ୍ତେ କୁହାଯାଇଛି । ଏଥିପାଇଁ ରାଜ୍ୟମାନଙ୍କ ଏନଏଚଏମ ପାଣ୍ଠିକୁ ଉପଯୋଗ କରିବା ସକାଶେ ପରାମର୍ଶ ଦିଆଯାଇଛି ।

ଏହା ବ୍ୟତିତ କେନ୍ଦ୍ର ସରକାର ନିକଟରେ ଅନେକ ଗୁଡ଼ିଏ ନିଷ୍ପତ୍ତି ଗ୍ରହଣ କରିଛନ୍ତି ଯେଉଁଥିରେ ଏମବିବିଏସ ପାଠ୍ୟକ୍ରମର ଅନ୍ତିମ ବର୍ଷର ଛାତ୍ରଛାତ୍ରୀମାନଙ୍କ ସେବାକୁ ଚିକିତ୍ସାସେବାରେ ଉପଯୋଗ କରାଯିବା, ଯେଉଁ ଛାତ୍ରଛାତ୍ରୀମାନେ ଏବେ ସୁଦ୍ଧା ନିଟ୍‍ ପରୀକ୍ଷା ଦେବାକୁ ଅଛି, ଯାହାକି ଘୁଞ୍ଚାଇ ଦିଆଯାଇଛି, ସେମାନଙ୍କ ସେବା; ଫାଇନାଲ୍‍ ବର୍ଷର ନର୍ସିଂ ଛାତ୍ରଛାତ୍ରୀଙ୍କ ସେବା; ଏବଂ ଇଣ୍ଟର୍ଣ୍ଣମାନଙ୍କ ସେବାକୁ କୋଭିଡ଼ ସଂପର୍କୀତ ଚିକିତ୍ସା ସେବା ପାଇଁ ଉପଯୋଗ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଦେଶର ସମସ୍ତ ଜିଲ୍ଲା ଯେଉଁଠାରେ କରୋନା ପଜିଟିଭିଟି ହାର ୨୦ ପ୍ରତିଶତ ଉପରେ ରହିଛି ତାହାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବ୍‍ ସାଇଟ୍‍ରେ ପ୍ରଦର୍ଶିତ କରାଯାଇଛି । ଏହି ତାଲିକା ପରିବର୍ତ୍ତନଶୀଳ ଏବଂ ନିୟମିତ ଆଧାରରେ ଏହାକୁ ଅପ୍‍ଡେଟ୍‍ କରାଯିିବ । ସଂପୃକ୍ତ ରାଜ୍ୟମାନେ ସେହିସବୁ ଜିଲ୍ଲାମାନଙ୍କରେ ଟେଷ୍ଟିଂ, ସଂକ୍ରମିତ ଲୋକଙ୍କୁ ଘରେ ସଙ୍ଗରୋଧ ବାସ, କୌଣସି ସ୍ଥାନରେ ଅଯଥାରେ ଭିଡ଼ ନଜମାଇବା ଓ ଲୋକମାନଙ୍କ ମଧ୍ୟରେ ଅବାଧ ମିଳାମିଶା ଯଦ୍ୱାରା ସଂକ୍ରମଣ ବୃଦ୍ଧି ପାଇବ ସେଭଳି କାର୍ଯ୍ୟକୁ ରୋକିବା ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବେ ।

ଏହା ବ୍ୟତୀତ ଅନ୍ୟାନ କଣ୍ଟେନମେଣ୍ଟ୍‍ କାର୍ଯ୍ୟ ଆଦି ମଧ୍ୟ କରିବା ନିମନ୍ତେ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି । ଏହି ସମୟରେ ରାଜ୍ୟ ଭିତରେ ଲୋକମାନଙ୍କ ଚଳାଚଳ ଉପରେ ମଧ୍ୟ କଡ଼ାକଡ଼ି ଭାବେ ନିଷେଧାଦେଶ ଜାରି କରିବା ନିମନ୍ତେ କୁହାଯାଇଛି । ଏହି ସମୟକୁ ହସପିଟାଲରେ ସଂସାଧନ ବୃଦ୍ଧି ଯେଉଁଥିରେ ଅସ୍ଥାୟୀ ହସପିଟାଲ ନିର୍ମାଣ ହୋଟେଲମାନଙ୍କୁ ହସପିଟାଲରେ ପରିଣତ କରିବା ନିମନ୍ତେ ଅଧିଗ୍ରହଣ ଓ କ୍ଷେତ୍ରୀୟ ହସପିଟାଲ ସ୍ଥାପନ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ରାଜ୍ୟମାନଙ୍କୁ ଏହା ନିର୍ଦ୍ଦିଷ୍ଟ ଭାବେ ସୂଚୀତ କରାଯାଇଛି ଯେ ଗତ ବର୍ଷ ସେମାନଙ୍କୁ ଏକ ଆଡଭାଇଜରୀ ପ୍ରଦାନ କରାଯାଇଥିଲା ଯେଉଁଥିରେ ହସପିଟାଲରେ ଦାଖଲ ହୋଇଥିବା ରୋଗୀମାନଙ୍କ କ୍ଲିନିକାଲ ପରିଚାଳନା ନିମନ୍ତେ ଅକ୍ସିଜେନ୍‍ ବ୍ୟବହାରର ସାମଗ୍ରିକ ନିୟମାବଳୀ ସୂଚୀତ କରାଯାଇଥିଲା । ଏହା ପ୍ରତ୍ୟେକ ରାଜ୍ୟଙ୍କ ପାଇଁ ଭିନ୍ନ ଭିନ୍ନ ଥିଲା । ବିଭିନ୍ନ ବର୍ଗର ରୋଗୀମାନଙ୍କ ସକାଶେ ହସପିଟାଲରେ କ୍ଲିନିକାଲ କେୟାର ସକାଶେ ଅକ୍ସିଜେନ୍‍ ଆବଶ୍ୟକର ମାତ୍ରା ଭିନ୍ନ ହୋଇଥାଏ ଯାହାକି ଏହି ଆଡ଼ଭାଇଜରୀରେ ସୂଚୀତ କରାଯାଇଥିଲା ।

କେତେକ ରାଜ୍ୟଙ୍କୁ ଛାଡ଼ି ଅନ୍ୟ ରାଜ୍ୟମାନେ ଏହି ନିର୍ଦ୍ଦେଶାବଳୀକୁ ନିଷ୍ଠାର ସହ କାର୍ଯ୍ୟକାରୀ କରିଛନ୍ତି । ଏହି ନିର୍ଦ୍ଦେଶାବଳୀକୁ ବିଧିବଦ୍ଧ ଭାବେ ପାଳନ କରିିବା ସକାଶେ ରାଜ୍ୟମାନଙ୍କୁ ପୁଣି ଥରେ ସୂଚୀତ କରାଯାଇଛି । ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଏ ପିଏସଏ ପ୍ଲାଣ୍ଟ୍‍ ସ୍ଥାପନ ନିମନ୍ତେ, ୧୦୦୦ ପିଏସଏ ପ୍ଲାଣ୍ଟ୍‍ ନିମନ୍ତେ ସାରା ଦେଶରେ ଯୋଜନା ପ୍ରସ୍ତୁତ କରାଯାଇଛି । ରାଜ୍ୟମାନଙ୍କୁ ଏଭଳି ପିଏସଏ ପ୍ଲାଣ୍ଟ୍‍ ନିମନ୍ତେ ସ୍ଥାନ ନିରୂପଣ କରିବାକୁ ପରାମର୍ଶ ଦିଆଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଡିଆରଡ଼ିଓ ଏବଂ ସିଏସଆଇଆର ରାଜ୍ୟମାନଙ୍କୁ ଏହି ପ୍ରୟାସରେ ସହଯୋଗ କରିବେ ।

ବୈଠକରେ ରାଜେଶ ଭୂଷଣଙ୍କ ବ୍ୟତୀତ ନୀତି ଆୟୋଗର ସ୍ବାସ୍ଥ୍ୟ ସଦସ୍ୟ ଡକ୍ଟର ବିନୋଦ କୁମାର ପଲ୍‍,ସ୍ୱାସ୍ଥ୍ୟ ଗବେଷଣା ସଚିବ ତଥା ଆଇସିଏମଆର ମହା ନିର୍ଦ୍ଦେଶକ ଡକ୍ଟର ବଳରାମ ଭାର୍ଗବ ଏବଂ ଡିଜିଏଚଏସ ଡକ୍ଟର  ସୁନୀଲ କୁମାର, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ଆରତୀ ଆହୁଜା, ଏନସିଡିସିର ନିର୍ଦ୍ଦେଶକ ଡକ୍ଟର ସୁଜିତ କେ ସିଂହ ତଥା ପ୍ରମୁଖ ସଚିବ ଏନଏଚଏମର ମିଶନ ନିର୍ଦ୍ଦେଶକ ଏବଂ ସଂପୃକ୍ତ ରାଜ୍ୟମାନଙ୍କ ସର୍ଭେଲାନ୍ସ ଅଧିକାରୀମାନେ ଉପସ୍ଥିତ ଥିଲେ ।