କରୋନାଜନିତ ମୃତ୍ୟୁକୁ ରୋକିବାରେ ପ୍ରଥମ ଡୋଜ ୯୬.୬% ପ୍ରଭାବଶାଳୀ, ଉଭୟ ଡୋଜର ପ୍ରଭାବ ୯୭.୭%: କେନ୍ଦ୍ର ସରକାର

Published: Sep 9, 2021, 7:30 pm IST

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୩ ହଜାରରୁ ଅଧିକ କରୋନା ମାମଲା ରୁଜୁ ହୋଇଥିବା ବେଳେ ସେଥିମଧ୍ୟରୁ ପ୍ରାୟ ୩୨ ହଜାର ମାମଲା କେରଳ ରାଜ୍ୟରୁ ଆସିଛି। ଗତ ସପ୍ତାହରେ ରିପୋର୍ଟ ହୋଇଥିବା ମାମଲା ମଧ୍ୟରୁ କେବଳ କେରଳରୁ ୬୮.୫୯% ରିପୋର୍ଟ କରାଯାଇଥିଲା। ଆଜି ଏକ ଗଣମାଧ୍ୟମ ସମ୍ମିଳନୀରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆମେ ଦ୍ୱିତୀୟ ତରଙ୍ଗର ମଝିରେ ଅଛୁ, ଏହା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଦେଶର ୩୮ ଟି ଜିଲ୍ଲାରେ ୧୦୦ ରୁ ଅଧିକ ମାମଲା ରୁଜୁ ହୋଇଥିବାବେଳେ ଜୁନ୍ ୩୦ ରେ ୧୦୮ ଟି ଜିଲ୍ଲା ଥିଲା।

ରାଜେଶ ଭୂଷଣ କହିଛନ୍ତି ଯେ, ମଝିରେ ସକ୍ରିୟ ମାମଲା ହ୍ରାସ ପାଇଥିଲା, ପରେ ବୃଦ୍ଧି ପାଇଥିଲା କିନ୍ତୁ ବର୍ତ୍ତମାନ ଏହା ହ୍ରାସ ପାଉଛି। ଦେଶରେ କେବଳ ଗୋଟିଏ ରାଜ୍ୟ କେରଳ, ଯେଉଁଠାରେ ମୋଟ ସକ୍ରିୟ ମାମଲାର ୬୧% ରହିଛି। ସେହିଭଳି ମହାରାଷ୍ଟ୍ରରେ ସକ୍ରିୟ ମାମଲା ୫୦ ହଜାରରୁ ଏକ ଲକ୍ଷ ମଧ୍ୟରେ ରହିଥିବା ବେଳେ ୧୦ ହଜାରରୁ ୫୦ ହଜାର ମଧ୍ୟରେ ସକ୍ରିୟ ମାମଲା ବର୍ତ୍ତମାନ ୪ ଟି ରାଜ୍ୟରେ ଏବଂ ୧୦ ହଜାରରୁ କମ୍ ସକ୍ରିୟ ମାମଲା ୩୦ ଟି ରାଜ୍ୟରେ ଅଛି। ୩୫ ଟି ଜିଲ୍ଲାରେ ସାପ୍ତାହିକ ପଜେଟିଭ ହାର ୧୦% ଅଧିକ ରହୁଛି।

ଟୀକାକରଣ ବିଷୟରେ ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେ, ୧୮ ବର୍ଷରୁ ଅଧିକ ୫୮% ଲୋକଙ୍କୁ ପ୍ରଥମ ଡୋଜ ଦିଆଯାଇଥିବାବେଳେ ୧୮% ଉଭୟ ଡୋଜ ଦିଆଯାଇଛି। ଆଇସିଏମଆର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି ଯେ, ମୃତ୍ୟୁ ହାରକୁ ରୋକିବା ପାଇଁ ପ୍ରଥମ ଡୋଜ ୯୬.୬% ପର୍ଯ୍ୟନ୍ତ ସକ୍ଷମ ହୋଉଥିବା ବେଳେ ଦ୍ଵିତୀୟ ଡୋଜ ପରେ ଏହା ୯୭.୫% କୁ ବୃଦ୍ଧି ପାଉଛି।

Related posts