Categories
RajyasabhaElection ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ଓଡିଶାର ନିରଂଜନ ବିଶି

ନୂଆଦିଲ୍ଲୀ: ଆଜି ରାଜ୍ୟସଭା ସାଂସଦ ଭାବେ ଶପଥ ନେଇଛନ୍ତି ନିରଞ୍ଜନ ବିଶି। ଆଜି ରାଜ୍ୟସଭାରେ ତାଙ୍କୁ ସଭାପତି ତଥା ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁ ଶପଥ କରାଇଥିଲେ। ଆଜି ଦେଶର ବିଭିନ୍ନ ରାଜ୍ୟରୁ ରାଜ୍ୟସଭା ଉପନିର୍ବାଚନରେ ଜିତି ଥିବା ସାଂସଦଙ୍କୁ ଶପଥ ପାଠ କରାଯାଇଥିଲା।

ଓଡିଶାରେ ରାଜ୍ୟସଭାର ଗୋଟିଏ ଆସନ ପାଇଁ ଉପନିର୍ବାଚନରେ ହୋଇଥିଲେ। ଏଥିରେ ବିଜେଡିର ନିରଞ୍ଜନ ବିଶି ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ। ଫଳରେ ସେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ। ସେହିପରି ମାନସ ମଙ୍ଗରାଜ, ସୁଲତା ଦେଓ ଏବଂ ସସ୍ମିତ ପାତ୍ର ରାଜ୍ୟସଭା ନିର୍ବାଚନରେ ବିଜୟ ହୋଇଛନ୍ତି। ସେମାନଙ୍କ ଶପଥପାଠ ଆସନ୍ତା ମାସ 5 ତାରିଖରେ ହେବାର ସମ୍ଭାବନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ସାଂସଦ ମାନସ ମଙ୍ଗରାଜଙ୍କ ବାଣପୁର ଗସ୍ତ: ବିଭିନ୍ନ ସମସ୍ୟାଭିତ୍ତିକ କାର୍ଯ୍ୟ ବିଷୟରେ କଲେ ଆଲୋଚନା

ସୀତାରାମ ଅଗ୍ରୱାଲ

ବାଣପୁର: ନବନିର୍ବାଚିତ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଆଜି ସଂଧ୍ୟାବେଳେ ଜନ୍ମମାଟି ବାଣପୁର ଆସି ମା’ ଭଗବତୀଙ୍କ ଆଶୀର୍ବାଦ ଭିକ୍ଷା କାମନା କରିଥିଲେ। ଶ୍ରୀ ମଙ୍ଗରାଜ ମା’ଙ୍କ ପୂଜାର୍ଚ୍ଚନା କରିବା ସହ କିଛି ସମୟ ମନ୍ଦିର ବେଢାରେ ଅତିବାହିତ କରିଥିଲେ। ଏହି ସମୟରେ ମନ୍ଦିର ସେବାୟତମାନେ ମା’ ଭଗବତୀ ମନ୍ଦିରକୁ ୫ଟି ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ସାଂସଦ ଶ୍ରୀ ମଙ୍ଗରାଜଙ୍କ ନିକଟରେ ଦାବି କରିଥିଲେ।

ଅନୁରୂପ ଭାବେ ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ ବାଣପୁର ସହରର ଡ୍ରେନେଜ ବ୍ୟବସ୍ଥା ଓ ବଜାର ଉନ୍ନତିକରଣ ପାଇଁ ସାଂସଦଙ୍କୁ ଅନୁରୋଧ କରିଥିଲେ। ସାଂସଦ ଶ୍ରୀ ମଙ୍ଗରାଜ ଖୁବ ଶୀଘ୍ର ୫ଟି ସଚିବ ମା’ ଭଗବତୀ ମନ୍ଦିର ପରିଦର୍ଶନକୁ ଆସିବେ ଏବଂ ମନ୍ଦିରର ନିଶ୍ଚିତ ବିକାଶ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ଅନୁରୂପ ଭାବେ ସହରର ଡ୍ରେନେଜ ଓ ବଜାର ଉନ୍ନତିକରଣ କାର୍ଯ୍ୟ ପାଇଁ ସାଂସଦ ନିଜ ପାଣ୍ଠିରୁ ଖୁବଶୀଘ୍ର ବ୍ୟୟବରାଦ କରିବେ ବୋଲି କହିଥିଲେ।

ମନ୍ଦିର ଦର୍ଶନ ସାରି ଫେରିଲା ପରେ ବାଣପୁରକୁ ସବ ଡିଭିଜନ ମାନ୍ୟତା, ଗୋଦାବରୀଶ ମହାବିଦ୍ୟାଳୟକୁ ଅଟୋନୋମସ ମାନ୍ୟତା ଆଦି ମିଳିବା ପ୍ରସଙ୍ଗରେ ଗଣମାଧ୍ୟମ ପ୍ରଶ୍ନ କରିବାରୁ ଖୁବ ଶୀଘ୍ର ଉକ୍ତ ସମସ୍ୟା ପ୍ରତି ସରକାର ଦୃଷ୍ଟି ଦେବା ସହ ଉକ୍ତ ଦୁଇ ଦାବି ପୂରଣ ହେବ ବୋଲି ସାଂସଦ ଶ୍ରୀ ମଙ୍ଗରାଜ କହିଛନ୍ତି। ସାଂସଦଙ୍କ ଗସ୍ତ ସମୟରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ଆସନ୍ତାକାଲି ରାଜ୍ୟସଭା ସାଂସଦଙ୍କ ନିଲମ୍ବନ ପ୍ରସଙ୍ଗରେ ବିରୋଧୀ ଦଳଙ୍କ ସହ ବୈଠକ କରିବ କେନ୍ଦ୍ର

ନୂଆଦିଲ୍ଲୀ: ସଂସଦର ଚଳିତ ଶୀତ ଅଧିବେଶନରୁ ରାଜ୍ୟସଭାର ୧୨ ଜଣ ନିଲମ୍ବିତ ସାଂସଦଙ୍କ ପ୍ରସଙ୍ଗରେ କେନ୍ଦ୍ର ସରକାର ସୋମବାର ବିରୋଧୀ ଦଳର ନେତାଙ୍କ ସହ ଏକ ବୈଠକ ଡାକିଛନ୍ତି। କେନ୍ଦ୍ର କେବଳ ସେହି ଦଳର ନେତାମାନଙ୍କୁ ବୈଠକରେ ନିମନ୍ତ୍ରଣ କରିଛି, ଯାହାର ସାଂସଦମାନେ ନିଲମ୍ବିତ ହୋଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, କଂଗ୍ରେସ, ଟିଏମସି, ଶିବସେନା, ସିପିଏମ ଏବଂ ସିପିଆଇର ରାଜ୍ୟସଭା ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା।

ଏହି ବୈଠକରେ କେନ୍ଦ୍ର ସରକାର ସିପିଆଇକୁ ଡାକିନାହାଁନ୍ତି। ବାସ୍ତବରେ, ସିପିଆଇ ରାଜ୍ୟସଭାର ଏକମାତ୍ର ସାଂସଦ ଏବଂ ତାଙ୍କୁ ନିଲମ୍ବିତ କରାଯାଇଛି। ସେଥିପାଇଁ ତାଙ୍କୁ ଡକାଯାଇ ନାହିଁ।

ନିଲମ୍ବିତ ସାଂସଦଙ୍କ ମଧ୍ୟରେ କଂଗ୍ରେସର ସୟଦ ନାସିର ହୁସେନ୍, ଅଖିଳେଶ ପ୍ରସାଦ ସିଂ, ଫୁଲୋ ଦେବୀ ନେତାମ, ଛାୟା ବର୍ମା, ରିପୁନ ବୋରା ଏବଂ ରାଜାମଣି ପଟେଲ ଥିବା ବେଳେ ଶିବସେନାର ଅନିଲ ଦେଶାଇ, ପ୍ରିୟଙ୍କା ଚତୁର୍ବେଦୀ, ସିପିଆଇର ଏଲାରାମ କରିମ, ସିପିଆଇର ବିନୋଇ ବିଶ୍ୱମ ଏବଂ ତୃଣମୂଳ କଂଗ୍ରେସର ଡୋଲା ସେନ୍ ଏବଂ ଶାନ୍ତା ଛେତ୍ରୀ।

ରାଜ୍ୟ ସଭାର ସଭାପତି ଏହି ସାଂସଦମାନଙ୍କୁ ଅଗଷ୍ଟ ୧୧ ତାରିଖରେ ମୌସୁମୀ ଅଧିବେଶନରେ ରାଜ୍ୟସଭାରେ ହଙ୍ଗାମା ସୃଷ୍ଟି କରିଥିବାରୁ ନିଲମ୍ବିତ କରିଥିଲେ। ସେହି ଦିନ ହୋଇଥିବା ଘଟଣାକୁ ନେଇ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ କହିଥିଲେ ଯେ ସେଦିନ ଯାହା ଘଟିଲା ତାହା ଗଣତନ୍ତ୍ରର ମନ୍ଦିରକୁ ଅପବିତ୍ର କରିଦେଇଛି। ଦେଶର ଲୋକମାନେ ମଧ୍ୟ ସେମାନଙ୍କ ଆଚରଣରେ ଦୁଃଖିତ, ଯେଉଁଥିପାଇଁ ଆମେ ଏହି ନିଷ୍ପତ୍ତି ନେଇଛୁ।

Categories
ଜାତୀୟ ଖବର ବିଶେଷ ଖବର

ସାଂସଦ ରଂଜନ ଗୋଗୋଇଙ୍କ ବକ୍ତବ୍ୟକୁ ନେଇ ଝଡ, ଆସିଲା ସ୍ବାଧୀକାର ଭଂଗ ନୋଟିସ, ଜାଣନ୍ତୁ ସେ କଣ କହିଥିଲେ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ତଥା ରାଜ୍ୟସଭା ସାଂସଦ ରଂଜନ ଗୋଗୋଇଙ୍କ ବିରୋଧରେ ତ୍ରୁଣମୂଳ କଂଗ୍ରେସର ଦୁଇଜଣ ସାଂସଦ ସ୍ବାଧୀକାର ଭଂଗ ଅଭିଯୋଗ ଆଣିଛନ୍ତି। କାରଣ ହେଲା ସେ ଏନଡିଟିଭି ଚ୍ୟାନଲର ଏକ ସାକ୍ଷାତକାରରେ କହିଛନ୍ତି ଯେ, ସେ କୌଣସି ପାର୍ଟିର ସଦସ୍ୟ ନୁହଁନ୍ତି। ସେ ହେଉଛନ୍ତି ମନୋନିତ ସଦସ୍ୟ। ସେ ଯେତେବେଳେ ଅନୁଭବ କରିବେ ସେତେବେଳେ ରାଜ୍ୟସଭାକୁ ଯିବେ। ରାଜ୍ୟସଭାକୁ ସବୁବେଳେ ଯିବାର କିଛି ଆବଶ୍ୟକ ନାହଁ ବୋଲି ଗୋଗେଇ ସିଧାସିଧା କହିଛନ୍ତି।

ଏହି ସାକ୍ଷାତକାରରେ ତାଙ୍କୁ ପଚରାଯାଇଥିଲା ଯେ, ରାଜ୍ୟସଭାରେ ତାଙ୍କର ଉପସ୍ଥାନ ବହୁତ କମ ରହୁଛି। ଆପଣ ସାଂସଦ ହେବା ପରଠାରୁ 68 ବୈଠକ ହୋଇଛି। ସେଥିମଧ୍ୟରୁ ଆପଣ ମାତ୍ର 6ଟି ବୈଠକରେ ଯୋଗ ଦେଇଛନ୍ତି। ଏହାର ଉତ୍ତରରେ ଗୋଗୋଇ କହିଛନ୍ତି ଯେ, ଏହା ଠିକ୍ ଅଛି। ଏଥିରେ କିଛି ଅସୁବିଧା ନାହିଁ। ମୁଁ ପୂର୍ବରୁ ରାଜ୍ୟ ସଭାକୁ ଜଣାଇଥିଲି ଯେ କରୋନା ପାଇଁ ମୁଁ ବୈଠକକୁ ଆସିପାରିବି ନାହିଁ।

ଅନ୍ୟପକ୍ଷରେ ସେତେବେଳେ ପ୍ରତି ବୈଠକରେ ସାଂସଦମାନଙ୍କ ଆରଟିପିସିଆର ପରୀକ୍ଷା ହେବା ପରେ ଭିତରକୁ ପ୍ରବେଶ ଅନୁମତି ଦିଆଯାଉଥିଲା। ଏହା ମୋ ପାଇଁ ଆରାମଦାୟକ ନ ଥିଲା । ମହାମାରୀ ମଧ୍ୟରେ ଆଜି ମଧ୍ୟ ରାଜ୍ୟସଭାକୁ ଯିବା ପାଇଁ ମୁଁ ଉଚିତ ମନେ କରୁ ନାହିଁ ବୋଲି ଗୋଗୋଇ କହିଛନ୍ତି।

ସେହିପରି ଗୃହରେ ସାମାଜିକ ଦୂରତା ମାନିବାକୁ କୁହାଯାଇଛିି। ହେଲେ ତାହା ଠିକରେ ପାଳନ କରାଯାଉ ନାହିଁ। ବାସ୍ତବରେ, ଯେତେବେଳେ ମୁଁ ଅନୁଭବ କରେ ଯେ ମୁଁ ରାଜ୍ୟସଭାକୁ ଯିବା ଉଚିତ୍, ମୁଁ ଯିବି। ଯେତେବେଳେ ମୁଁ ଅନୁଭବ କରେ ଯେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଛି ଯାହା ଉପରେ ମୁଁ ମୋର ମତ ପ୍ରକାଶ କରିବା ଉଚିତ୍, ମୁଁ ଯିବି। ନଚେତ ସବୁବେଳେ ମୋର ଯିବାର କିଛି ଆବଶ୍ୟକ ନାହଁ ବୋଲି ଗୋଗୋଇ କହିଛନ୍ତି।

ଗୋଗେଇ କହିଛନ୍ତି ଯେ, CJI ପଦରୁ ଅବସର ଗ୍ରହଣ କରିବାର କିଛି ମାସ ପରେ ମୋତେ ମନୋନୀତ ସାଂସଦଙ୍କ ଭୂମିକା ଗ୍ରହଣ କରିବାକୁ ପଚରାଗଲା, ସେତେବେଳେ ସେ କହିଥିଲେ, ‘ରାଜ୍ୟସଭାର ଯାଦୁ କ’ଣ? ଯଦି ମୁଁ ଟ୍ରିବ୍ୟୁନାଲର ଚେୟାରମ୍ୟାନ୍ ହୋଇଥା’ନ୍ତି, ତେବେ ଭଲ ଦରମା ଏବଂ ସୁବିଧା ହୋଇଥାନ୍ତା। ମୁଁ ରାଜ୍ୟସଭାରୁ ଗୋଟିଏ ପଇସା ମଧ୍ୟ ନେଉନାହିଁ ବୋଲି ଗୋଗୋଇ କହିଛନ୍ତି।

ତେବେ ଏହାକୁ ନେଇ ବର୍ତ୍ତମାନ ରାଜନୀତି ଆରମ୍ଭ ହୋଇଯାଇଛି। ତ୍ରୁଣମୂଳର ଦୁଇଜଣ ସାଂସଦ ସ୍ବାଧୀକାରଭଂଗ ଅଭିଯୋଗ ଆଣିଥିବା ବେଳେ ଅନ୍ୟ ସଦସ୍ୟମାନେ ଏହାକୁ ସମାଲୋଚନା କରିବାରେ ଲାଗିଛନ୍ତି। କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି ଯେ, ଜଣେ ସାଂସଦଙ୍କର ଯେତେବେଳେ ଇଚ୍ଛା ହେବ ସେ ସେତେବେଳେ ଆସିବେ। ଏହା ସମସ୍ତ ସାଂସଦଙ୍କ ପ୍ରତି ଏ ଅପମାନ ବୋଲି ରମେଶ କହିଛନ୍ତି। ଅନ୍ୟ କେତେକ ବିରୋଧୀ ନେତା ଏହି ଘଟଣାକୁ ଏଥିକ୍ସ କମିଟରେ ଅଭିଯୋଗ କରିବେ ବୋଲି ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର

ସିବଲଙ୍କ ଘରେ ଭଙ୍ଗାରୁଜା କରିଥିବା କର୍ମୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେଉ: ଆନନ୍ଦ ଶର୍ମା

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ କପିଲ ସିବଲଙ୍କ ଘରେ ହଙ୍ଗାମା, ଭଙ୍ଗାରୁଜା ଏବଂ ଗୁଣ୍ଡାଗର୍ଦ୍ଦି କରିଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ରାଜ୍ୟସଭା ସାଂସଦ ଆନନ୍ଦ ଶର୍ମା ଦାବି କରିଛନ୍ତି। ସେ ଟୁଇଟ୍ କରି ଏହି ଘଟଣାକୁ ଦୃଢ ନିନ୍ଦା କରିବା ସହ ଏହି ଘଟଣାର ଖବର ମୋତେ ମର୍ମାହତ କରୁଛି ବୋଲି ସେ କହିଛନ୍ତି।

ସେ ଲେଖିଛନ୍ତି ଯେ, “କପିଲ ସିବଲଙ୍କ ଘରେ ହୋଇଥିବା ଆକ୍ରମଣ ଏବଂ ଗୁଣ୍ଡା ଗର୍ଦ୍ଦି ବିଷୟରେ ଶୁଣି ଆଶ୍ଚର୍ଯ୍ୟ ଏବଂ ନିରାଶ ହୋଇଥିଲି। ଏହି ନିନ୍ଦନୀୟ କାର୍ଯ୍ୟ ଦଳ ପାଇଁ ଅସମ୍ମାନ ଆଣିଥାଏ ଏବଂ ଏହାକୁ ଦୃଢ ନିନ୍ଦା କରାଯିବା ଉଚିତ।

ଅନ୍ୟ ଏକ ଟୁଇଟ୍‌ରେ ଶର୍ମା ଲେଖିଛନ୍ତି ଯେ, “ଅଭିବ୍ୟକ୍ତିର ସ୍ୱାଧୀନତାକୁ ସମର୍ଥନ କରିବାର କଂଗ୍ରେସର ଏକ ଇତିହାସ ରହିଛି। ମତ ଏବଂ ଧାରଣାର ଭିନ୍ନତା ଗଣତନ୍ତ୍ର ପାଇଁ ଅବିଚ୍ଛେଦ୍ୟ। ଅସହିଷ୍ଣୁତା ଏବଂ ହିଂସା କଂଗ୍ରେସର ମୂଲ୍ୟବୋଧ ଓ ସଂସ୍କୃତି ସହିତ ବିବାଦୀୟ ଅଟେ।” ସେ ଆହୁରି ଲେଖିଛନ୍ତି ଯେ, “ଦାୟୀ ଲୋକମାନଙ୍କୁ ଚିହ୍ନଟ ଏବଂ ଅନୁଶାସିତ କରାଯିବା ଉଚିତ୍। କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଏହି ଘଟଣାର ଧ୍ୟାନ କେନ୍ଦ୍ରିତ କରିବାକୁ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆନନ୍ଦ ଶର୍ମା ଅନୁରୋଧ କରିଛନ୍ତି।”

ଉଲ୍ଲେଖ ଯୋଗ୍ୟ ଯେ, କଂଗ୍ରେସ ନେତା କପିଲ ସିବଲ ଦଳର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ। ଯାହାକୁ ନେଇ ବୁଧବାର ଦିନ ଅନେକ କଂଗ୍ରେସ କର୍ମୀ ସିବଲଙ୍କ ବାସଭବନ ବାହାରେ ପ୍ରଦର୍ଶନ କରିଥିଲେ ଏବଂ ତାଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟିର ଜଣେ ବରିଷ୍ଠ ନେତା କହିଛନ୍ତି ଯେ, ସିବଲଙ୍କ ବିବୃତ୍ତିରେ କର୍ମୀମାନେ ଆହତ ହୋଇଥିଲେ ଏବଂ ଏହି କାରଣରୁ ସେମାନେ ଏହାକୁ ବିରୋଧ କରିଥିଲେ। ବିରୋଧ କରୁଥିବା ଲୋକମାନେ କପିଲ ସିବଲଙ୍କ ଘରେ ଟମାଟୋ ଫିଙ୍ଗି ତାଙ୍କ କାରକୁ ମଧ୍ୟ ନଷ୍ଟ କରିଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ମମତା ବାନାର୍ଜୀଙ୍କୁ ଝଟକା: ଇସ୍ତଫା ଦେଲେ ତୃଣମୂଳ କଂଗ୍ରେସ ଦଳର ସାଂସଦ ଦୀନେଶ ତ୍ରିବେଦୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଯେତେ ନିକଟ ହେଉଛି ତୃଣମୂଳ କଂଗ୍ରେସ ଦଳରୁ ବହୁ ବିଧାୟକ, ମନ୍ତ୍ରୀ, ସାଂସଦ ନିଜ ପଦବୀରୁ ଇସ୍ତଫା ଦେଉଛନ୍ତି। ଆଜି ଆଉ ଜଣେ ଦଳର ବରିଷ୍ଠ ନେତା ତଥା ସାଂସଦ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି। ସାଂସଦ ଦୀନେଶ ତ୍ରିବେଦୀ ଆଜି ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି। ଦୀନେଶ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରି ଆସିଛନ୍ତି।

ଦୀନେଶ ତ୍ରିବେଦୀ ଇସ୍ତଫା ଦେବା ପରେ କହିଛନ୍ତି ଯେ, ‘ମୋତେ ରାଜ୍ୟସଭାକୁ ପଠାଇଥିବା ଦଳ ପାଇଁ ମୁଁ କୃତଜ୍ଞ। ମୋ ରାଜ୍ୟରେ ହିଂସା ବଢୁଥିବା ବେଳେ ମୁଁ କିଛି କରିପାରୁନାହିଁ। ସେଥିପାଇଁ ମୋର ଅନ୍ତରାତ୍ମା ​​ମତେ ସାଂସଦରୁ ଇସ୍ତଫା ଦେବା ପାଇଁ କହିଛି, ହେଲେ ମୁଁ ପୂର୍ବ ପରି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ କାର୍ଯ୍ୟ ଜାରି ରଖିବି।

ତେବେ ଦୀନେଶ ତ୍ରିବେଦୀ ଟିଏମସିରେ ରହିବେ ନା ଅନ୍ୟ ଦଳରେ ସାମିଲ ହେବେ, ତାହା ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ।

Categories
ଜାତୀୟ ଖବର ବିଶେଷ ଖବର

ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରତ ଆଠ ସାଂସଦଙ୍କ ନିକଟରେ ହଠାତ ଜଣେ ପହଞ୍ଚି ସମସ୍ତଙ୍କୁ କରିଦେଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ଗତକାଲି ସଂସଦ ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଧରଣାରେ ବସିଥିବା ଆଠ ନିଳମ୍ବିତ ସାଂସଦଙ୍କୁ ଜଣେ ଆଶ୍ଚର୍ଯ୍ୟ ପରିଦର୍ଶକ ମିଳିଯାଇଥିଲେ। ସେମାନେ କେବେ ଭାବି ନ ଥିଲେ ଯେ, ତାଙ୍କ ଧାରଣା ସ୍ଥଳକୁ ସେ ବ୍ୟକ୍ତି ଜଣଙ୍କ ଏପରି ରାତିରେ ଆସିବେ। ତେବେ କେବେଳ ସେ ବ୍ୟକ୍ତିଙ୍କୁ ଦେଖିକି ନୁହେଁ ସେମାନେ ଆହୁରି ଏକ ଜିନିଷ ଦେଖି ଆଶ୍ଚର‌୍ୟ୍ୟ ହୋଇଗଲେ। ତାହା ହେଲା ସେ ବ୍ୟକ୍ତି ଜଣଙ୍କ ହାତରେ ଚା ଓ ବିସ୍କୁଟ ଧରି ସେମାନଙ୍କ ପାଖକୁ ଆସିଛନ୍ତି।

ଏପରି ପରିସ୍ଥିତିରେ ଧାରଣାରେ ବସିଥିବା ଆଠ ସାଂସଦ କଣ କରିବେ କିଛି ବୁଝିପାରିଲେ ନାହିଁ। ତେବେ ସେ ବ୍ୟକ୍ତି ଜଣଙ୍କ ବ୍ୟାଗରୁ ଚା ବିସ୍କୁଟ ବାହାର କରି ସମସ୍ତଙ୍କୁ ଖାଇବା ପାଇଁ ଅନୁରୋଧ କଲେ। ଏତେ ବଡ ବ୍ୟକ୍ତି ନିଜେ ଚା ପିଇବା ପାଇଁ କହୁଛନ୍ତି ଯେତେବେଳେ ସାଂସଦମାନଙ୍କ ମୁଣ୍ଡ ଖରାପ ହୋଇଗଲା। ଅମାନିଆ ସାଂସଦ ଶୃଙ୍ଖଳିତ ଛାତ୍ରଙ୍କ ପରି ସେମାନେ ସମସ୍ତେ ଚା ଓ ବିସ୍କୁଟ ଖାଇଲେ।

ତେବେ ସେ ବ୍ୟକ୍ତି ଜଣଙ୍କ ଆଉ କେହି ନୁହଁନ୍ତି ସେ ହେଉଛନ୍ତ ଖୋଦ୍ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ। ଯାହାଙ୍କୁ ସେମାନେ ଅଶାଳିନ ବ୍ୟବହାର ପ୍ରଦର୍ଶନ କରି ନିଳମ୍ବିତ ହୋଇଥିଲେ ସେ ହିଁ ତାଙ୍କ ଧାରଣାସ୍ଥଳରେ ଚା ଧରି ଉପସ୍ଥିତ। ଏପରି ପରିସ୍ଥିତିରେ ବିଶୃଙ୍ଖଳିତ ସାଂସଦ ଚୁପଚାପ ଏବଂ ନିଜକୁ ନିଜେ ଶୃଙ୍ଖଳିତ ହୋଇ ତାଙ୍କୁ ସମ୍ମାନିତ କଲେ।

ନିଲମ୍ବିତ ହୋଇଥିବା କଂଗ୍ରେସ ସାଂସଦ ରିପୁନ ବୋରା କହିଛନ୍ତି ଯେ ହରିବଂଶ ସେମାନଙ୍କୁ କହିଥିଲେ ଯେ ସେ ଜଣେ ସହକର୍ମୀ ଭାବରେ ସେମାନଙ୍କୁ ଭେଟିବାକୁ ଆସିଛନ୍ତି। କିନ୍ତୁ ଏପର‌୍ୟ୍ୟନ୍ତ କୈଣସି ସରକାରୀ ପ୍ରତିନିଧି ସେମାନଙ୍କୁ ଭେଟିବାକୁ ଆସି ନାହାଁନ୍ତି।

ନିଲମ୍ବିତ ହୋଇଥିବା ଆଠଜଣ ରାଜ୍ୟସଭା ସଦସ୍ୟ ଉଚ୍ଚ ସୁରକ୍ଷା ବଳୟ ଭିତରେ ଥିବା ସଂସଦ ପରିସରର ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ଧାରଣା ଦେଇଛନ୍ତି। ସେମାନେ ବିଛଣା ଧରି ଛାଉଣି ପକାଇ ରାତି ତମାମ ସେହିଠାରେ ଅଛନ୍ତି। ଗତ ରବିବାର ଦିନ ଗୃହ ଭିତରେ ସେମାନେ ଉପାଧ୍ୟକ୍ଷଙ୍କୁ ଅଶାଳିନ ଆଚରଣ ପ୍ରଦର୍ଶନ କରିଥିଲେ। ଏହି ଆଚରଣ ପାଇଁ ରାଜ୍ୟସଭା ଅଧ୍ୟକ୍ଷ ସୋମବାର ଦିନ ସେମାନଙ୍କୁ ନିଲମ୍ବନ କଲେ। ସେହି ନିଲମ୍ବନକୁ ବିରୋଧ କରି ଏହି ଆଠ ଜଣ ସାଂସଦ ଦିନରାତି ଧାରଣାରେ ବସି ରହିଛନ୍ତି।

ଏହି ବିରୋଧ କେବେ ଶେଷ ହେବ ବୋଲି ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ସଂଜୟ ସିଂ କହିଛନ୍ତି ଯେବେ ନିଲମ୍ବନ ପ୍ରତ୍ୟାହାର କରାଯିବା ଉପରେ ନିର୍ଭର କରୁଛି। ସମସ୍ତ ଆଠଜଣ ସଦସ୍ୟ ରାତିସାରା ଗାନ୍ଧୀ ମୂର୍ତ୍ତି ନିକଟରେ ବସି ଗୀତ ଗାଇ ସ୍ଲୋଗାନ ଦେଇଥିଲେ ଏବଂ ଧାରଣାରୁ ଉଠିବାକୁ ମନା କରିଦେଇଥିଲେ। ଏହି ଆଠ ଜଣ ସାଂସଦ ହେଉଛନ୍ତି – ତୃଣମୂଳ କଂଗ୍ରେସର ଡେରେକ ଓ’ବ୍ରାଇନ୍ ଏବଂ ଡୋଲା ସେନ୍, ରାଜୀବ ସତ୍ତାଭ, ରିପୁନ୍ ବୋରା, ଏବଂ କଂଗ୍ରେସର ସୟଦ ନାସିର୍ ହୁସେନ୍, ଆପର ସଞ୍ଜୟ ସିଂ ଏବଂ ସି.ପି.-ଏମ୍ ର କେ କେ ରାଗମ୍ ଏବଂ ଇ କରିମ୍।