Categories
ବିଶେଷ ଖବର ରାଜ୍ୟ ଖବର

ଓଡିଶାର ଦୁଇଟି ଏନଏସି ରେ ହେବ ନିର୍ବାଚନ, ଘୋଷଣା ହେଲା ତାରିଖ

ଭୁବନେଶ୍ୱର: ଓଡିଶାର ଦୁଇଟି ଏନଏସି ପାଇଁ ନିର୍ବାଚନ ହେବ। ସେଥିପାଇଁ ଓଡିଶା ରାଜ୍ୟ ନିର୍ବାଚନ କମିଶନର ତାରିଖ ଘୋଷଣା କରିଛନ୍ତି। ଏହି ଦୁଇଟି ଏନଏସି ହେଲା ବରଗଡ ଜିଲ୍ଲାର ଅତାବିରା ଓ ଢେଙ୍କାନାଳର ହିନ୍ଦୋଳ ଏନଏସି। ଆସନ୍ତା ଏପ୍ରିଲ ୩ ତାରିଖରେ ଏହି ଦୁଇଟିରେ ନିର୍ବାଚନ ହେବ। ଏପ୍ରିଲ ୫ ତାରିଖରେ ଭୋଟ ଗଣତି ହେବ।

ଏହି ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କୁ ନେଇ ଏକ ସର୍ବଦଳୀୟ ବୈଠକ କରାଇଛନ୍ତି । ଅତାବିରା ଓ ହିନ୍ଦୋଳ ଅଧିସୂଚିତ କ୍ଷେତ୍ର ପରିଷଦର କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୧୨ ତାରିଖରେ ଶେଷ ହେବ। ତା’ପୂର୍ବରୁ ନିର୍ବାଚନ ପକ୍ରିୟା ଶେଷ କରିବାକୁ ରାଜ୍ୟ ନିର୍ବାଚନ ଆୟୋଗ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି ।

ରାଜ୍ୟ ନିର୍ବାଚନ କମିଶନର ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଉପସ୍ଥିତ ଥିବା ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ଶ୍ରୀ ପାଢ଼ୀ ହେବାକୁ ଥିବା ନିର୍ବାଚନ ସଂପର୍କରେ ବିସ୍ତୃତ ଭାବେ ଅବଗତ କରାଇଛନ୍ତି । ଅତାବିରା ଅଧିସୂଚିତ କ୍ଷେତ୍ର ପରିଷଦର ସମୁଦାୟ ୧୨ ଗୋଟି ୱାର୍ଡର ୧୬ଗୋଟି ବୁଥ୍‌ ଥିବାବେଳେ ଭୋଟରଙ୍କ ସଂଖ୍ୟା ହେଉଛି ୧୩୫୨୦ ଜଣ । ସେହିପରି ହିନ୍ଦୋଳ ଅଧିସୂଚିତ କ୍ଷେତ୍ର ପରିଷଦର ସମୁଦାୟ ୧୬ ଗୋଟି ୱାର୍ଡର ୧୬ ଗୋଟି ବୁଥ୍‌ ରହିଥିବାବେଳେ ସମୁଦାୟ ଭୋଟରଙ୍କ ସଂଖ୍ୟା ହେଉଛି ୯୮୭୭ ଜଣ ।

ଉଭୟ ଅଧିସୂଚିତ କ୍ଷେତ୍ର ପରିଷଦର ସଂରକ୍ଷଣ କାର୍ଯ୍ୟ ଶେଷ ହୋଇଛି ଓ ଉଭୟ କ୍ଷେତ୍ର ପରିଷଦର ଅଧ୍ୟକ୍ଷ ପଦ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ହୋଇରହିଛି । ଉଭୟ ଅଧିସୂଚିତ କ୍ଷେତ୍ର ପରିଷଦରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ କାଉନ୍‌ସିଲର ଏବଂ ଅଧ୍ୟକ୍ଷ ପଦ ନିମନ୍ତେ ପ୍ରାର୍ଥୀ ପତ୍ର ଦାଖଲ କରିବେ ସେମାନେ ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଠଭୂମି, ସଂପତ୍ତି ଓ ଶିକ୍ଷାଗତ ଯୋଗ୍ୟତା ସଂପର୍କରେ ସତ୍ୟପାଠ ଦାଖଲ କରିବେ ।

ଅସଂପୂର୍ଣ୍ଣ ସତ୍ୟପାଠ କିମ୍ବା ସତ୍ୟପାଠ ଦାଖଲ ନକରିବା ଦ୍ୱାରା ସଂପୃକ୍ତ ପ୍ରାର୍ଥୀଙ୍କର ପ୍ରାର୍ଥିପତ୍ର ନାକଚ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ସର୍ବଦଳୀୟ ବୈଠକରେ ପ୍ରକାଶ କରିଛନ୍ତି । ଯଦି କେହି ମିଥ୍ୟା ସତ୍ୟପାଠ ଦାଖଲ କରିବା ଜଣାଯାଏ, ସେମାନଙ୍କ ବିରୁଦ୍ଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାଜ୍ୟ ନିର୍ବାଚନ ଆୟୋଗ ପ୍ରାର୍ଥୀପତ୍ର ମନୋନୟନ ପ୍ରମାଣପତ୍ର ସହିତ ଜାତିଗତ ପ୍ରମାଣପତ୍ର ଦାଖଲ ବାଧ୍ୟତାମୂଳକ କରିଛନ୍ତି ।

ଯେଉଁ ପ୍ରାର୍ଥୀମାନେ ସଂରକ୍ଷିତ ସ୍ଥାନରୁ ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି, ସେମାନେ ସେମାନଙ୍କର ଜାତିଗତ ପ୍ରମାଣପତ୍ର ମନୋନୟନ ପତ୍ର ସହ ଦାଖଲ କରିବେ, ନଚେତ ସେମାନଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯିବ ଓ ନିର୍ବାଚନ ଫିସ୍‌ରେ ଛାଡ଼ ପାଇଁ ସେମାନେ ବିବେଚିତ ହେବେ ନାହିଁ ବୋଲି ରାଜ୍ୟ ନିର୍ବାଚନ କମିଶନର ଶ୍ରୀ ପାଢ଼ୀ ବୈଠକରେ ସୂଚନା ଦେଇଛନ୍ତି । କାଉନ୍‌ସିଲର ପଦ ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ନିର୍ବାଚନୀ ଖର୍ଚ୍ଚ ୫୦ ହଜାର ଟଙ୍କା ଓ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ନିର୍ବାଚନୀ ଖର୍ଚ୍ଚ ୨ ଲକ୍ଷ ଟଙ୍କା ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଛି ।

ନିର୍ବାଚନ ସମୟରେ କାଉନ୍‌ସିଲର ପଦ ନିମନ୍ତେ ଜଣେ ପ୍ରାର୍ଥୀ (ତିନି ଚକିଆ ଓ ଚାରିଚକିଆ ଯାନ) ମୋଟରେ ୨ ଗୋଟି ଯାନ ବ୍ୟବହାର କରିପାରିବେ ଓ ଅଧ୍ୟକ୍ଷ ପଦବୀ ନିମନ୍ତେ ନିର୍ବାଚନ ଲଢ଼ୁଥିଲେ ଜଣେ ପ୍ରାର୍ଥୀ (ଦୁଇ ଚକିଆ ଓ ଚାରିଚକିଆ ଯାନ) ମୋଟରେ ୪ ଗୋଟି ଯାନ ବ୍ୟବହାର କରିପାରିବେ ବୋଲି ରାଜ୍ୟ ନିର୍ବାଚନ କମିଶନର ସର୍ବଦଳୀୟ ବୈଠକରେ ପ୍ରକାଶ କରିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ଏହି ସର୍ବଦଳୀୟ ବୈଠକରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ବିଜୟ କୁମାର ଦାଶ, ଆୟୋଗର ଯୁଗ୍ମ ସଚିବ ଆଜାଦ୍‌ ହିନ୍ଦ୍‌ ପାଣିଗ୍ରାହୀ, ଅଇନ୍‌ ଅଧିକାରୀ ମାଧୁରୀ ମିଶ୍ର, ଭାରତୀୟ ଜନତା ପାର୍ଟିର ଡ. ଜତୀନ୍‌ ମହାନ୍ତି ଓ ଜୟନ୍ତ କୁମାର ଜେନା, ଭାରତୀୟ ଜାତୀୟ କଂଗ୍ରେସର ଶିବାନନ୍ଦରାୟ, ବିଜୁ ଜନତା ଦଳର ବିଧାୟକ ଅନନ୍ତ ନାରାୟଣ ଜେନା, ବହୁଜନ ସମାଜ ପାର୍ଟିର ରାଜ୍ୟ ସାଧାରଣ ସଂପାଦକ ମଧୁସୂଦନ ଯାଦବ, ସମାଜବାଦୀ ପାର୍ଟି, ଓଡ଼ିଶାର ସୁଦର୍ଶନ ପ୍ରଧାନ ଉପସ୍ଥିତ ଥିଲେ।

ସେହିପରି ଆମ୍‌ ଆଦ୍‌ମି ପାର୍ଟିର ରାଜ୍ୟ ସାଧାରଣ ସଂପାଦକ ସୌମ୍ୟରଞ୍ଜନ ସ୍ୱାଇଁ, କଳିଙ୍ଗ ସେନାର ରାଜ୍ୟ ସାଧାରଣ ସଂପାଦକ ମନୋଜ କୁମାର ନାୟକ, କମୁ୍ୟନିଷ୍ଟ ପାର୍ଟି ଅଫ୍‌ ଇଣ୍ଡିଆର ରାଜ୍ୟ ସଂପାଦକ ଜୟନ୍ତ ଦାଶ, ସମତାକ୍ରାନ୍ତି ଦଳର ପ୍ରଭାସ ସାମନ୍ତରାୟ, କୃପା ପାର୍ଟିର ବିଶ୍ୱନାଥ ରାଉତ ଓ ମୋ ଦଳର ଅଶୋକ କୁମାର ମହନ୍ତି ପ୍ରମୁଖ ସର୍ବଦଳୀୟ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର

ତ୍ରିପୁରାରେ ବମ୍ପର ଭୋଟ୍, ବିଧାନସଭା ନିର୍ବାଚନରେ ​​୮୬ ପ୍ରତିଶତ ମତଦାନ

ନୂଆଦିଲ୍ଲୀ: ତ୍ରିପୁରାରେ ଗତକାଲି ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​ଲୋକମାନେ ମତଦାନରେ ଭାଗ ନେଇଥିଲେ। ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ରାଜ୍ୟରେ ମୋଟ ୮୬.୧୦ ପ୍ରତିଶତ ଲୋକ ଭୋଟ୍ ଦେଇଛନ୍ତି, ଯାହା ସର୍ବାଧିକ।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ବିଭିନ୍ନ ପ୍ରସଂଗ ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଲେ ବିଜେପି ସଭାପତି ସମୀର ମହାନ୍ତି

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନର ବିଭିନ୍ନ ପ୍ରସଂଗକୁ ନେଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳ ନିର୍ବାଚନ ଆୟୋଗଙ୍କୁ ଭେଟିଛନ୍ତି। ଏଥିରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଯେପରି ବ୍ୟାପକ ଅନିୟମିତତା ଓ ହିଂସାକାଣ୍ଡ ଘଟିଛି ତାହା ରୋକା ଯାଉ ବୋଲି ଦାବୀ କରାଯାଇଛି।

ଭୋଟ କେନ୍ଦ୍ରରେ ସରକାରୀ କଳ ଓ ପ୍ରିଜାଇଡିଂ ଅଫିସରମାନଙ୍କୁ ବ୍ୟବହାର କରାଯାଇ ଶାସକ ବିଜେଡି ସପକ୍ଷରେ ବ୍ୟାପକ ମାତ୍ରାରେ ଭୋଟଦାନକୁ ପ୍ରଭାବିତ କରାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ପ୍ରିଜାଇଡିଂ ଅଫିସରମାନେ ଶାସକ ବିଜେଡିର କର୍ମୀ ଭଳି କାର୍ଯ୍ୟ କରୁଛନ୍ତି ବୋଲି ବିଜେପି କହିଛି। ଭୋଟଦାନ ଶେଷ ହେବା ପରେ ନିୟମ ମୁତାବକ ଭୋଟଦାନ ସଂପର୍କରେ ବିସ୍ତୃତ ସୁଚନାକୁ ଫର୍ମ-୧୧ ଜରିଆରେ ପ୍ରଦାନ କରିବା କଥା, କିନ୍ତୁ ତାହା ନ କରି ସାଧା କାଗଜରେ ଲିଖିତ ଦେଇଛନ୍ତି । ଯାହାର କୈାଣସି ମୂଲ୍ୟ ନାହିଁ ।

ଅଧିକାଂଶ ସ୍ଥାନରେ ନିର୍ବାଚନ କମିଶନଙ୍କ କୈାଣସି ନିର୍ଦ୍ଦେଶ ନାହିଁ ବୋଲି କହି ପ୍ରିଜାଇଡିଂ ଅଫିସରମାନେ ଖସି ଯାଇଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ଗତ କାଲି ଘଟିଯାଇଥିବା ନିର୍ବାଚନୀ ହିଂସାକାଣ୍ଡ କାରଣରୁ ଭୋଟରମାନେ ଭୟଭୀତ ଅଛନ୍ତି। ଗତ କାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ପୁରୀ, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ବଲାଙ୍ଗୀର, ନୟାଗଡ, ସୁନ୍ଦରଗଡ, ନୁଆପଡା, କନ୍ଧମାଳ, ଝାରସୁଗୁଡା, କୋରାପୁଟ ଜିଲ୍ଲା ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ହୋଇଥିବା ହିଂସାକାଣ୍ଡରେ ଶାସକ ଦଳର କର୍ମୀମାନେ ସିଧାସଳଖ ସମ୍ପୃକ୍ତି ରହିଛି ।

ନିର୍ବାଚନ ସମୟରେ ହୋଇଥିବା ବ୍ୟାପକ ହିଂସାକାଣ୍ଡର ସମସ୍ତ ତଥ୍ୟ ଓ ପ୍ରମାଣ ମଧ୍ୟ ନିର୍ବାଚନ କମିଶନଙ୍କୁ ପ୍ରଦାନ କରାଯାଇଛି । ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ସମେତ ହିଂସାକାଣ୍ଡକୁ ରୋକିବାର ଦାୟୀତ୍ୱ ହେଉଛି ରାଜ୍ୟ ନିର୍ବାଚନ କମିଶନଙ୍କର ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ପ୍ରଥମ ଥର ପାଇଁ ପଂଚାୟତ ନିର୍ବାଚନରେ ସମସ୍ତ ପର୍ଯ୍ୟାୟ ଭୋଟଦାନ ସମାପ୍ତ ହେବା ପରେ ଭୋଟ ଗଣତି କରାଯିବ । ତେଣୁ ଭୋଟବାକ୍ସ ରହିବାକୁ ଥିବା ଷ୍ଟ୍ରଙ୍ଗ ରୁମର ସୁରକ୍ଷା ନିହାତି ଆବଶ୍ୟକ । ଏ ସଂପର୍କରେ ନିର୍ବାଚନ କମିଶନଙ୍କ ତରଫରୁ କୈାଣସି ନିର୍ଦ୍ଧିଷ୍ଟ ଗାଇଡଲାଇନ ଜାରୀ କରାଯାଇନାହିଁ । ବ୍ଲକ କାର୍ଯ୍ୟାଳୟ ବ୍ୟତୀତ ଆଉ କେଉଁ ସ୍ଥାନରେ ଭୋଟ ବାକ୍ସ ରହିବ? ଷ୍ଟ୍ରଙ୍ଗ ରୁମର ଚାବି କାହା ପାଖରେ ରହିବ ଏବଂ ଏହାର ସୁରକ୍ଷା ଦାୟୀତ୍ୱରେ କିଏ ରହିବେ, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ରାଜ୍ୟ ସଭାପତି ଶୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ଆଜି ଭାରତୀୟ ଜନତା ପାର୍ଟିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ସାକ୍ଷାତ କରି ଏହି ପ୍ରସଙ୍ଗରେ ଯଥାଶୀଘ୍ର ବିହୀତ ପଦକ୍ଷେପ ଗ୍ରହଣ କରିବାକୁ କମିଶନଙ୍କ ନିକଟରେ ଦାବୀ କରାଯାଇଛି ।

ଏହି ପ୍ରତିନିଧି ଦଳରେ ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍‌ତସିଂହାର, ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଓ ସହମୁଖ୍ୟ ସୁଜିତ୍ କୁମାର୍ ଦାସ, ଲିଗାଲ ସେଲର ଜୟନ୍ତ ଜେନା ଓ ରବିଶଂକର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଥମ ନିର୍ବାଚନ କମିଶନରଙ୍କ ବିୟୋଗରେ ରାଜ୍ୟ ନିର୍ବାଚନ କମିଶନର କାର୍ଯ୍ୟାଳୟରେ ଶୋକସଭା

ଭୁବନେଶ୍ୱର: ରାଜ୍ୟର ପ୍ରଥମ ନିର୍ବାଚନ କମିଶନର ଶ୍ରୀ ଦେବେନ୍ଦ୍ର କୁମାର ମିଶ୍ରଙ୍କ ବିୟୋଗରେ ଆଜି ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାରଙ୍କ ଦ୍ୱାରା ୧୯୯୪ ମସିହାରେ ରାଜ୍ୟ ନିର୍ବାଚନ ଆୟୋଗ ଗଠନ କରାଯାଇଥିଲା ଓ ଶ୍ରୀ ଦେବେନ୍ଦ୍ର କୁମାର ମିଶ୍ରଙ୍କୁ ପ୍ରଥମ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରାଯାଇଥିଲା ।

ସାମ୍ବିଧାନିକ ବିଧିବ୍ୟବସ୍ଥା ସହ ନିର୍ବାଚନ ଆୟୋଗ ପାଇଁ ସ୍ୱର୍ଗତ ମିଶ୍ର ନିର୍ବାଚନ ପରିଚାଳନା ନିମନ୍ତେ ଅନେକ ନିୟମ କାନୁନ୍‌ ତିଆରି କରିବା ସହ ନିର୍ବାଚନ ଆୟୋଗର ଭିତ୍ତିଭୂମି ସୁଦୃଢ଼ କରିବା ଦିଗରେ ବ୍ୟାପକ କାର୍ଯ୍ୟ କରିଥିଲେ । ଏହି ଅବସରରେ ନିର୍ବାଚନ ଆୟୋଗ ତରଫରୁ ଏକ ଶୋକସଭା ଆୟୋଜନ କରାଯାଇ ସ୍ୱର୍ଗତ ମିଶ୍ରଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା ।

ନିର୍ବାଚନ ଆୟୋଗର ସଚିବ ରବିନ୍ଦ୍ରନାଥ ସାହୁ, ସ୍ୱତନ୍ତ୍ର ସଚିବ ରଘୁରାମ ଆର୍‌. ଆୟାର, ଉପସଚିବ ଆଜାଦ୍‌ହିନ୍ଦ୍‌ ପାଣିଗ୍ରାହୀ, ଆଇନ୍‌ ଅଧିକାରୀ ମାଧୁରୀ ମିଶ୍ରଙ୍କ ସମେତ ଆୟୋଗର ସମସ୍ତ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ଆଜି ପଞ୍ଚାୟତ ନିର୍ବାଚନ ପାଇଁ ହେବ ସର୍ବଦଳୀୟ ବୈଠକ, ଜାଣନ୍ତୁ କେତେବେଳେ

ଭୁବନେଶ୍ବର: ରାଜ୍ୟରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ସାଧାରଣ ନିର୍ବାଚନ-୨୦୨୨ ନିମନ୍ତେ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ। ଆୟୋଗ ସଚିବ ସମସ୍ତ ରାଜନୈତିକ ଦଳମାନଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି । ଏହି ବୈଠକ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଭାଗୃହରେ ଅନୁଷ୍ଠିତ ହେବ।

ବର୍ତ୍ତମାନ ଜିଲ୍ଲା ପରିଷଦଗୁଡ଼ିକର କାର୍ଯ୍ୟକାଳ ୨୦୨୨ ମାର୍ଚ୍ଚ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ଶେଷ ହେବ। ନିୟମାନୁସାରେ କାର୍ଯ୍ୟକାଳ ୫ ବର୍ଷ ଶେଷ ହେବା ପୂର୍ବରୁ ସାଧାରଣ ନିର୍ବାଚନ ହେବା ଆବଶ୍ୟକ । ସଠିକ୍‌ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ରାଜ୍ୟ ନିର୍ବାଚନ ଆୟୋଗ ସମସ୍ତ ରାଜନୈତିକ ଦଳମାନଙ୍କର ଏକ ସର୍ବଦଳୀୟ ବୈଠକ ଡାକି ବିଚାରବିମର୍ଶ କରିବା ପାଇଁ ସ୍ଥିର କରିଛନ୍ତି ।

ସର୍ବଦଳୀୟ ବୈଠକରେ ସଂପୃକ୍ତ ରାଜନୈତିକ ଦଳଙ୍କର ସଭାପତି କିମ୍ବା ସଂପାଦକ କିମ୍ବା ଦଳ ତରଫରୁ ପ୍ରାଧିକୃତ ପ୍ରତିନିଧିମାନେ ବୈଠକରେ ଯୋଗ ଦେଇପାରିବେ। କୋଭିଡ୍‌-୧୯ କଟକଣା ଦୃଷ୍ଟିରୁ ପ୍ରତ୍ୟେକ ରାଜନୈତିକ ଦଳର ଜଣେ କିମ୍ବା ଦୁଇଜଣ ପ୍ରତିନିଧି ବୈଠକରେ ଯୋଗଦେବା ପାଇଁ ନିର୍ବାଚନ ଆୟୋଗଙ୍କ ସଚିବ ଅନୁରୋଧ କରିଛନ୍ତି।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ଆରମ୍ଭ ହେଲା ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି: ସର୍ବଦଳୀୟ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ ଆୟୋଗ

ଭୁବନେଶ୍ବର: ରାଜ୍ୟରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ସାଧାରଣ ନିର୍ବାଚନ-୨୦୨୨ ନିମନ୍ତେ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ। ଆୟୋଗ ସଚିବ ସମସ୍ତ ରାଜନୈତିକ ଦଳମାନଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି । ଏହି ବୈଠକ ଆସନ୍ତା ନଭେମ୍ବର ୬ ତାରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଭାଗୃହରେ ଅନୁଷ୍ଠିତ ହେବ।

ବର୍ତ୍ତମାନ ଜିଲ୍ଲା ପରିଷଦଗୁଡ଼ିକର କାର୍ଯ୍ୟକାଳ ୨୦୨୨ ମାର୍ଚ୍ଚ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ଶେଷ ହେବ। ନିୟମାନୁସାରେ କାର୍ଯ୍ୟକାଳ ୫ ବର୍ଷ ଶେଷ ହେବା ପୂର୍ବରୁ ସାଧାରଣ ନିର୍ବାଚନ ହେବା ଆବଶ୍ୟକ । ସଠିକ୍‌ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ରାଜ୍ୟ ନିର୍ବାଚନ ଆୟୋଗ ସମସ୍ତ ରାଜନୈତିକ ଦଳମାନଙ୍କର ଏକ ସର୍ବଦଳୀୟ ବୈଠକ ଡାକି ବିଚାରବିମର୍ଶ କରିବା ପାଇଁ ସ୍ଥିର କରିଛନ୍ତି ।

ସର୍ବଦଳୀୟ ବୈଠକରେ ସଂପୃକ୍ତ ରାଜନୈତିକ ଦଳଙ୍କର ସଭାପତି କିମ୍ବା ସଂପାଦକ କିମ୍ବା ଦଳ ତରଫରୁ ପ୍ରାଧିକୃତ ପ୍ରତିନିଧିମାନେ ବୈଠକରେ ଯୋଗ ଦେଇପାରିବେ। କୋଭିଡ୍‌-୧୯ କଟକଣା ଦୃଷ୍ଟିରୁ ପ୍ରତ୍ୟେକ ରାଜନୈତିକ ଦଳର ଜଣେ କିମ୍ବା ଦୁଇଜଣ ପ୍ରତିନିଧି ବୈଠକରେ ଯୋଗଦେବା ପାଇଁ ନିର୍ବାଚନ ଆୟୋଗଙ୍କ ସଚିବ ଅନୁରୋଧ କରିଛନ୍ତି।