ଆରମ୍ଭ ହେଲା ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି: ସର୍ବଦଳୀୟ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ ଆୟୋଗ

Published: Oct 28, 2021, 7:07 am IST

ଭୁବନେଶ୍ବର: ରାଜ୍ୟରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ସାଧାରଣ ନିର୍ବାଚନ-୨୦୨୨ ନିମନ୍ତେ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ। ଆୟୋଗ ସଚିବ ସମସ୍ତ ରାଜନୈତିକ ଦଳମାନଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି । ଏହି ବୈଠକ ଆସନ୍ତା ନଭେମ୍ବର ୬ ତାରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଭାଗୃହରେ ଅନୁଷ୍ଠିତ ହେବ।

ବର୍ତ୍ତମାନ ଜିଲ୍ଲା ପରିଷଦଗୁଡ଼ିକର କାର୍ଯ୍ୟକାଳ ୨୦୨୨ ମାର୍ଚ୍ଚ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ଶେଷ ହେବ। ନିୟମାନୁସାରେ କାର୍ଯ୍ୟକାଳ ୫ ବର୍ଷ ଶେଷ ହେବା ପୂର୍ବରୁ ସାଧାରଣ ନିର୍ବାଚନ ହେବା ଆବଶ୍ୟକ । ସଠିକ୍‌ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ରାଜ୍ୟ ନିର୍ବାଚନ ଆୟୋଗ ସମସ୍ତ ରାଜନୈତିକ ଦଳମାନଙ୍କର ଏକ ସର୍ବଦଳୀୟ ବୈଠକ ଡାକି ବିଚାରବିମର୍ଶ କରିବା ପାଇଁ ସ୍ଥିର କରିଛନ୍ତି ।

ସର୍ବଦଳୀୟ ବୈଠକରେ ସଂପୃକ୍ତ ରାଜନୈତିକ ଦଳଙ୍କର ସଭାପତି କିମ୍ବା ସଂପାଦକ କିମ୍ବା ଦଳ ତରଫରୁ ପ୍ରାଧିକୃତ ପ୍ରତିନିଧିମାନେ ବୈଠକରେ ଯୋଗ ଦେଇପାରିବେ। କୋଭିଡ୍‌-୧୯ କଟକଣା ଦୃଷ୍ଟିରୁ ପ୍ରତ୍ୟେକ ରାଜନୈତିକ ଦଳର ଜଣେ କିମ୍ବା ଦୁଇଜଣ ପ୍ରତିନିଧି ବୈଠକରେ ଯୋଗଦେବା ପାଇଁ ନିର୍ବାଚନ ଆୟୋଗଙ୍କ ସଚିବ ଅନୁରୋଧ କରିଛନ୍ତି।

Related posts