ପ୍ରଥମ ନିର୍ବାଚନ କମିଶନରଙ୍କ ବିୟୋଗରେ ରାଜ୍ୟ ନିର୍ବାଚନ କମିଶନର କାର୍ଯ୍ୟାଳୟରେ ଶୋକସଭା

Published: Feb 13, 2022, 12:04 am IST

ଭୁବନେଶ୍ୱର: ରାଜ୍ୟର ପ୍ରଥମ ନିର୍ବାଚନ କମିଶନର ଶ୍ରୀ ଦେବେନ୍ଦ୍ର କୁମାର ମିଶ୍ରଙ୍କ ବିୟୋଗରେ ଆଜି ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାରଙ୍କ ଦ୍ୱାରା ୧୯୯୪ ମସିହାରେ ରାଜ୍ୟ ନିର୍ବାଚନ ଆୟୋଗ ଗଠନ କରାଯାଇଥିଲା ଓ ଶ୍ରୀ ଦେବେନ୍ଦ୍ର କୁମାର ମିଶ୍ରଙ୍କୁ ପ୍ରଥମ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରାଯାଇଥିଲା ।

ସାମ୍ବିଧାନିକ ବିଧିବ୍ୟବସ୍ଥା ସହ ନିର୍ବାଚନ ଆୟୋଗ ପାଇଁ ସ୍ୱର୍ଗତ ମିଶ୍ର ନିର୍ବାଚନ ପରିଚାଳନା ନିମନ୍ତେ ଅନେକ ନିୟମ କାନୁନ୍‌ ତିଆରି କରିବା ସହ ନିର୍ବାଚନ ଆୟୋଗର ଭିତ୍ତିଭୂମି ସୁଦୃଢ଼ କରିବା ଦିଗରେ ବ୍ୟାପକ କାର୍ଯ୍ୟ କରିଥିଲେ । ଏହି ଅବସରରେ ନିର୍ବାଚନ ଆୟୋଗ ତରଫରୁ ଏକ ଶୋକସଭା ଆୟୋଜନ କରାଯାଇ ସ୍ୱର୍ଗତ ମିଶ୍ରଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା ।

ନିର୍ବାଚନ ଆୟୋଗର ସଚିବ ରବିନ୍ଦ୍ରନାଥ ସାହୁ, ସ୍ୱତନ୍ତ୍ର ସଚିବ ରଘୁରାମ ଆର୍‌. ଆୟାର, ଉପସଚିବ ଆଜାଦ୍‌ହିନ୍ଦ୍‌ ପାଣିଗ୍ରାହୀ, ଆଇନ୍‌ ଅଧିକାରୀ ମାଧୁରୀ ମିଶ୍ରଙ୍କ ସମେତ ଆୟୋଗର ସମସ୍ତ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Related posts