Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚାନ୍ଦପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବୃଦ୍ଧ ଗୁରୁତର

ଚାନ୍ଦପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ବୃଦ୍ଧ ଗୁରୁତର ଅବସ୍ଥାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। କିନ୍ତୁ ବୃଦ୍ଧଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଟାଙ୍ଗୀରୁ ଭୁବନେଶ୍ୱର ଏମ୍ସ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ରାଜ ଜଙ୍କିଆ ଗ୍ରାମର ଏଭଳି ଘଟଣା ଘଟିଛି।

ରାଜ ଜଙ୍କିଆ ଗ୍ରାମର ପବିତ୍ର ମୋହନ ରଣବିଜୁଳି (୬୦) ଆଜି ଏକ ବାଇକ୍ ରେ ଜଣେ ବନ୍ଧୁଙ୍କ ଘରକୁ ଦଶାହ କାର୍ଯ୍ୟରେ ଯୋଗ ଦେବାପାଇଁ ଯାଉଥିଲେ। ଏହି ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୫ ରୁ ୬ ଜଣ ଦୁର୍ବୁତ୍ତ ଲୁହା ରଡ ଏବଂ ଜଗ୍ ରଡ୍ ରେ ପବିତ୍ର ମୋହନ ରଣବିଜୁଳିଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ପବିତ୍ରଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ପହଞ୍ଚିବାରୁ ଦୁର୍ବୁତ୍ତ ମାନେ ତାଙ୍କୁ ଛାଡି ଚାଲିଯାଇଥିଲେ।

ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନସ ଯୋଗେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ତାଙ୍କ ମସ୍ତିଷ୍କରେ ଗଭୀର କ୍ଷତ ହୋଇଥିବାରୁ
କ୍ରମେ ସେଠାରେ ତାଙ୍କର ଅବସ୍ଥା ସଂକଟାପନ୍ନ ହୋଇଥିଲା। ପରେ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣାକୁ ନେଇ ରାଜ ଜଙ୍କିଆ ଗ୍ରାମରେ ଉତ୍ତେଜନା ଲାଗି ରହିଥିବାବେଳେ ଚାନ୍ଦପୁର ପୋଲିସ୍ ଘଟଣା ଉପରେ ତୀକ୍ଷ୍ନ ନଜର ରଖି ତଦନ୍ତ ଆରମ୍ଭ କରିଥିବାର ଜଣା ପଡିଛି।