Categories
ଆଞ୍ଚଳିକ

ବାଣପୁର: ବିଭିନ୍ନ ସଂଗଠନ ପକ୍ଷରୁ ପାଳିତ ହେଲା ରାଷ୍ଟ୍ରୀୟ ଯୁବ ଦିବସ

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ବାଣପୁରରେ ବିଭିନ୍ନ ସଂଗଠନ ପକ୍ଷରୁ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ ହୋଇଯାଇଛି। ସ୍ଵାମୀ ବିବେକାନନ୍ଦ ସେବା ସଂଘ ଏବଂ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ବାଣପୁର ଓ ବାଲୁଗାଁ ଶାଖା ଦ୍ୱାରା ‘ରାଷ୍ଟ୍ରୀୟ ଯୁବ ଦିବସ’ ପାଳିତ ହୋଇଯାଇଛି।

ବାଣପୁରସ୍ଥିତ କାଣ୍ଡି କମ୍ପ୍ଲେକ୍ସ କାର୍ଯ୍ୟାଳୟଠାରେ ସ୍ଵାମୀ ବିବେକାନନ୍ଦ ସେବା ସଂଘ ପକ୍ଷରୁ ଉକ୍ତ ଦିବସ ପାଳନ କରାଯାଇଥିବା ବେଳେ ବିବେକାନନ୍ଦ କେନ୍ଦ୍ର ପକ୍ଷରୁ ଅଚ୍ୟୁତରାଜପୁର କାର୍ଯ୍ୟାଳୟଠାରେ ଏହାକୁ ପାଳନ କରାଯାଇଛି।

 

ଉକ୍ତ ଉତ୍ସବକୁ ସ୍ଵାମୀ ବିବେକାନନ୍ଦ ସେବା ସଂଘର ସହ ସମ୍ପାଦକ ଶ୍ରୀକାନ୍ତ ପଲାଇଙ୍କ ନେତୃତ୍ଵରେ କରୋନା ଗାଇଡଲାଇନକୁ ମାନି କମ ସଂଖ୍ୟକ କାର୍ଯ୍ଯକର୍ତ୍ତାଙ୍କୁ ନେଇ ପାଳନ କରାଯାଇଥିଲା। ଏଥିରେ ନରେଶ ଜେନା, ଯମୁନା ନାୟକ, କଳୁଚରଣ ନାୟକ,ଟି ମୋହନ ଦାସ, ସନ୍ତୋଷ ସାହୁ ଯୋଗଦେଇଥିଲେ ଏବଂ ଆଗାମୀ ଦିନରେ ସମାଜ ହିତରେ କମକରିବାପାଇଁ ଶପଥ ନେଇଥିଲେ।

ସେହିଭଳି ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ବାଣପୁର ଓ ବାଲୁଗାଁ ଶାଖାର ଯୁବ ପ୍ରମୁଖ ଜିତୁ ସାମନ୍ତରାୟ ଉକ୍ତ କାର୍ଯ୍ଯକ୍ରମକୁ ପରିଚାଳନା କରିଥିବା ବେଳେ ନଗର ସମ୍ପର୍କ ପ୍ରମୁଖ ବୈରାଗୀ ଚରଣ ବଳ ସହଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବାଣପୁର ଓ ବାଲୁଗାଁର ଯୁବକମାନେ ଉପସ୍ଥିତ ରହି ପ୍ରତି ସପ୍ତାହରେ ସମାଜ ସେବା ପାଇଁ ଏକ ଘଣ୍ଟା ସମୟ ଦେବେ ବୋଲି ଶପଥ ନେଇଥିଲେ।

କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ ନଗର କାର୍ଯ୍ୟକର୍ତ୍ତା ପୁଷ୍ପାଞ୍ଜଳି, ଲକ୍ଷ୍ମୀ, ବର୍ଷା, ବିକାଶ, ସିଦ୍ଧାନ୍ତ ଓ ତୋଫାନ ଆଦି ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ରାଷ୍ଟ୍ରୀୟ ଯୁବ ଦିବସ ଅବସରରେ ଏବିଭିପି ପକ୍ଷରୁ ‘ରନ ନାଚୁଣୀ ରନ’ ମାରାଥନ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ନାଚୁଣୀ: ଆଜି ଯୁବପିଢ଼ିଙ୍କ ପ୍ରେରଣାର ଉତ୍ସ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଦିବସ। ଦେଶ ବିଦେଶରେ ସ୍ଵାମିଜୀଙ୍କ ଜନ୍ମ ଦିବସକୁ ରାଷ୍ଟ୍ରୀୟ ଯୁବ ଦିବସ ଭାବେ ବହୁ ଧୁମଧାମରେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ନାଚୁଣୀ ଶାଖା ଦ୍ୱାରା ଏକ ମିନି ମାରାଥନ ‘ରନ ନାଚୁଣୀ ରନ’ ର ଆୟୋଜନ କରାଯାଇଥିଲା। ଏହି ମାରାଥନ ନାଚୁଣୀ ମହାବିଦ୍ୟାଳୟ ସମ୍ମୁଖରୁ ବାହାରି ନାଚୁଣୀ ବଜାର ଦେଇ କଉଡ଼ିଖଣି ଛକ ନିକଟରେ ସମାପ୍ତ ହୋଇଥିଲା।

ଏହି ପ୍ରରିପ୍ରେକ୍ଷୀରେ ନାଚୁଣୀସ୍ଥିତ ନୀଳକଣ୍ଠେଶ୍ଵର ମନ୍ଦିର ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ଦାସ, ମୁଖ୍ୟ ବକ୍ତାରୂପେ ନାଚୁଣୀ ମହାବିଦ୍ୟାଳୟର କ୍ରୀଡା ଶିକ୍ଷକ ପ୍ରଦୀପ କୁମାର ସମନ୍ତସିଂହାର, ସମ୍ମାନିତ ଅତିଥି ଭାବେ ନାଚୁଣୀ ଅଞ୍ଚଳର ବିଶିଷ୍ଟ ସମାଜସେବୀ ସତ୍ୟନାରାୟଣ ସୁବୁଦ୍ଧି ଓ ଏବିଭିପି ନାଚୁଣୀ କଲେଜ କ୍ୟାମ୍ପସ ୟୁନିଟ ସଭାପତି ବିପ୍ଳବ ଗୁରୁ ଯୋଗଦେଇଥିଲେ। ଅତିଥିମାନେ ସ୍ୱାମୀ ବିବେକାନନ୍ଦ ଏବଂ ମା ସରସ୍ବତୀଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି ଦ୍ବୀପ ପ୍ରଜ୍ବଳନ କରିବାପରେ କାର୍ଯ୍ୟକର୍ତାଙ୍କ ଦ୍ୱାରା ପରିଷଦ ଗୀତ ଗାନ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା।

ଅତିଥିମାନେ ଯୁବ ଦିବସର ମହତ୍ୱ ଏବଂ ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ଉପରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ବିଦ୍ୟାର୍ଥୀମାନଙ୍କୁ ସ୍ୱାମୀ ବିବେକାନନ୍ଦଙ୍କ ପରି ନିଜକୁ ଗଢିତୋଳିବା ପାଇଁ ପରାମର୍ଶ ଦେଇଥିଲେ।

ପରିଶେଷରେ ‘ରନ ନାଚୁଣୀ ରନ ‘ ମିନି ମାରାଥନରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପଦକ ଏବଂ ପ୍ରମାଣପତ୍ର ଦେଇ ପୁରସ୍କୃତ କରିଥିଲେ। ଉକ୍ତ ମାରାଥନରେ ରାକେଶ କୁମାର ସାମନ୍ତରାୟ, ବାଙ୍କାନିଧି ଜେନା ଏବଂ ଅଶୋକ କୁମାର ଜଗଦ୍ଦେବ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ଏହି କାର୍ଯ୍ୟକ୍ରମକୁ ବ୍ୟବସ୍ଥା ପ୍ରମୁଖ ତଥା ବାଣପୁର-ବାଲୁଗାଁ ନଗର ସହ ସମ୍ପାଦକ ଶୁଭମ ତ୍ରିପାଠୀ ଏବଂ ବ୍ୟବସ୍ଥା ସହ ପ୍ରମୁଖ ତଥା ବାଣପୁର-ବାଲୁଗାଁ ନଗର ପାଠ୍ୟଚକ୍ର ପ୍ରମୁଖ ଆଶାତୀତ ସାହୁ ପରିଚାଳନା କରିଥିବାବେଳେ ଯଶକେତନ ସାହୁ, ବାଦଲ ସୁବୁଦ୍ଧି, ପ୍ରଭଞ୍ଜନ ସ୍ୱାଇଁ ଏବଂ ସତ୍ୟ ନାରାୟଣ ମହାପାତ୍ର ଆଦି କାର୍ଯ୍ୟକର୍ତା ସହଯୋଗ କରିଥିଲେ। ଅନୁରୂପ ଭାବେ ଆଜି ଏବିଭିପି ଦ୍ୱାରା ବାଣପୁରରେ ନଗର ସହ ସମ୍ପାଦକ ପ୍ରିୟାଂଶୁ ପ୍ରଧାନ ଏବଂ ଗମ୍ଭାରୀମୁଣ୍ଡା ଠାରେ ନଗର ସହ ସମ୍ପାଦକ ସୌମ୍ୟରଂଜନ ସାହୁଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ ଯୁବ ଦିବସ ଉପଲକ୍ଷେ ପୃଥକ ପୃଥକ ଭାବେ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଅଛି।