Categories
ଜାତୀୟ ଖବର ବିଶେଷ ଖବର

ୟୁପିକୁ ନେଇ ଗାନ୍ଧୀ ପରିବାର ଅସନ୍ତୁଷ୍ଟ କି ? କ’ଣ ରହିଛି ରାହୁଲ-ପ୍ରିୟଙ୍କାଙ୍କ ରଣନୀତି

ନୂଆଦିଲ୍ଲୀ: ଡିସେମ୍ବର ୨୦ରୁ ଉତ୍ତରପ୍ରଦେଶରେ କଂଗ୍ରେସର ଉତ୍ତରପ୍ରଦେଶ (ୟୁପି) ଜୋଡୋ ଯାତ୍ରା ଆରମ୍ଭ ହୋଇଛି। ସାହାରନପୁରର ପ୍ରସିଦ୍ଧ ସିଦ୍ଧପୀଠ ଶକୁମ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା କରି ଯାତ୍ରା ଆରମ୍ଭ ହୋଇଛି। ୟୁପି କଂଗ୍ରେସ ରାଜ୍ୟ ସଭାପତି ଅଜୟ ରାୟ ଏହି ଯାତ୍ରାର ନେତୃତ୍ୱ ନେଉଛନ୍ତି।

କିନ୍ତୁ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ସ୍ଥାନୀୟ ଲୋକମାନେ ଖୋଜୁଛନ୍ତି। ଗତ କିଛିବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ୟୁପିରେ କଂଗ୍ରେସର ଏତେ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । କିନ୍ତୁ ଏଥିରେ ଗାନ୍ଧୀ ପରିବାରର କେହି ସାମିଲ ହୋଇନାହାନ୍ତି। ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି କାହିଁକି ଗାନ୍ଧୀ ପରିବାର ୟୁପିକୁ ଏତେ ଘୃଣା କରୁଛନ୍ତି ?

ନିକଟରେ ଅଖିଳ ଭାରତୀୟ କଂଗ୍ରେସ କମିଟି କାର୍ଯ୍ୟାଳୟରେ ୟୁପି କଂଗ୍ରେସ ନେତାମାନଙ୍କର ଏକ ବୈଠକ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ ଏବଂ ୟୁପି ଦାୟିତ୍ୱରେ ଥିବା ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କ ସହ ଅନୁଷ୍ଠିତ ହୋଇଥିଲା। ଏଥିରେ ଲୋକସଭା ନିର୍ବାଚନ ୨୦୨୪ ପାଇଁ ପ୍ରସ୍ତୁତିର ସମୀକ୍ଷା କରାଯାଇଥିଲା।

ଏହି ବୈଠକରେ ୟୁପିରୁ କଂଗ୍ରେସ ଅଧ୍ୟକ୍ଷ ଅଜୟ ରାୟଙ୍କ ସହ ଅନେକ ନେତା ଯୋଗ ଦେଇଥିଲେ। ପୂର୍ବ ଭଳି ରାଜ୍ୟରେ ଗାନ୍ଧୀ ପରିବାର ସଦସ୍ୟଙ୍କ ସକ୍ରିୟ ଉପସ୍ଥିତି ପାଇଁ ୟୁପି ନେତାମାନେ ଇଚ୍ଛା ପ୍ରକାଶ କରିଥିଲେ। ୟୁପି ଯୋଡୋ ଯାତ୍ରାରେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ଯୋଗଦାନ ପାଇଁ ମଧ୍ୟ ସେ ଅନୁରୋଧ କରିଥିଲେ। କିନ୍ତୁ ବୈଠକରେ ରାହୁଲ ଯାହା କହିଥିଲେ ତାହା କେଉଁଠି ନା କେଉଁଠି ସ୍ପଷ୍ଟ କରିଦେଇଛି ଯେ ଗାନ୍ଧୀ ପରିବାର ଦୃଷ୍ଟିରେ ଏବେ ଉତ୍ତରପ୍ରଦେଶର ସ୍ଥିତି ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀଙ୍କଠାରୁ ଆରମ୍ଭ କରି ରାହୁଲ ଆମେଠିରୁ ସାଂସଦ ହେବା ଭଳି ନାହିଁ ।

ରାହୁଲ ଗାନ୍ଧୀ କହିଛନ୍ତି ଯେ ୟୁପିରେ ଦଳୀୟ ନେତାଙ୍କ ମଧ୍ୟରେ ଉତ୍ସାହର ଅଭାବ ରହିଛି। ତେଲେଙ୍ଗାନାର ଉଦାହରଣ ଦେଇ ସେ କହିଛନ୍ତି ଯେ ୪ଜଣ ନେତା ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିଲେ ଏବଂ ସମସ୍ତେ ଦଳକୁ ଜିତାଇବା ପାଇଁ କଠିନ ପରିଶ୍ରମ କରିଥିଲେ। କିନ୍ତୁ ଅପରପକ୍ଷରେ ୟୁପିରେ ଏଭଳି ତିନିଜଣ ନେତା ନାହାନ୍ତି, ଯେଉଁମାନେ ମୁଖ୍ୟମନ୍ତ୍ରୀ ହେବା ପାଇଁ କିଛି ବି କରିବାର ସାମର୍ଥ୍ୟ ରଖିଛନ୍ତି।

ମୋଟାମୋଟି ଭାବେ ୟୁପିର ନେତାମାନେ କେବଳ କେନ୍ଦ୍ରୀୟ ନେତୃତ୍ୱ ଉପରେ ନିର୍ଭର କରିବାକୁ ଚାହୁଁଛନ୍ତି, ଯେଉଁ କାରଣରୁ ଦଳ ସେଠାରେ ଠିଆ ହୋଇପାରୁନାହିଁ କି ଜିତିପାରୁନାହିଁ। ରାହୁଲଙ୍କ ଏହି ବୟାନକୁ ନେଇ ଲକ୍ଷ୍ନୌରେ କ୍ଷମତା କରିଡରରେ ଜୋରଦାର ଚର୍ଚ୍ଚା ଚାଲିଛି। ରାଜନୈତିକ ବିଶ୍ଳେଷକମାନେ ଏହାକୁ ବିଭିନ୍ନ ଦୃଷ୍ଟିକୋଣରୁ ଦେଖୁଛନ୍ତି।

ରାହୁଳଙ୍କ ‘ନିଜେ କିଛି କରନ୍ତୁ’ ବାର୍ତ୍ତା

ରାହୁଲ ଗାନ୍ଧୀଙ୍କ ଏହି ବୟାନ ୟୁପିର କଂଗ୍ରେସ ନେତାମାନଙ୍କୁ କଡ଼ା ବାର୍ତ୍ତା ଦେଇଛି। ତାହା ହେଉଛି ପ୍ରଥମେ ଆପଣ ନିଜେ ସଂଗଠନ ଗଠନ କରନ୍ତୁ। କିଛି କରନ୍ତୁ ଏବଂ ତା’ପରେ କେନ୍ଦ୍ରୀୟ ନେତୃତ୍ୱ କିମ୍ବା ଗାନ୍ଧୀ ପରିବାରକୁ ଆଶା କରନ୍ତୁ। ତେବେ ରାହୁଲଙ୍କ ଯୁକ୍ତିର ମଧ୍ୟ ଏକ ଆଧାର ରହିଛି । ସେ ୧୯୯୯ ମସିହାରୁ ଲଗାତାର ଆମେଥିରୁ ସାଂସଦ ଥିଲେ ।

ସେ ୟୁପିରେ ଲଗାତାର ସକ୍ରିୟ ଥିଲେ କିନ୍ତୁ ସଂଗଠନ ଠିଆ ହୋଇପାରିନଥିଲା। ରାହୁଲ ଗାନ୍ଧିଙ୍କ ଗସ୍ତକୁ ଦେଖିଲେ ବିମାନବନ୍ଦରରୁ ତାଙ୍କ ସଭାସ୍ଥଳ ପର୍ଯ୍ୟନ୍ତ କଂଗ୍ରେସ ନେତାଙ୍କ ଭିଡ଼ ବେଶ୍ ଦୃଶ୍ୟମାନ ହେଉଥିଲା। ଯଦି ସେ ଆମେଠି ଗସ୍ତ କରିବାକୁ ଆସନ୍ତି, ତେବେ ଲକ୍ଷ୍ନୌରୁ ଆମେଠି ପର୍ଯ୍ୟନ୍ତ ସମସ୍ତ କଂଗ୍ରେସ ନେତାଙ୍କ ଭିଡ଼ ଜମିବ, କିନ୍ତୁ ସେ ଦିଲ୍ଲୀ ଫେରିବାମାତ୍ରେ ୟୁପି କଂଗ୍ରେସ କାର୍ଯ୍ୟାଳୟରେ ନୀରବତା ରହିବ।

ବିଶେଷଜ୍ଞଙ୍କ କହିବା ଅନୁସାରେ, ଗତ କିଛିବର୍ଷ ହେବ ରୀତା ବହୁଗୁଣା ଯୋଶୀ ୟୁପି କଂଗ୍ରେସ ସଭାପତି ଥିବା ସମୟରେ କଂଗ୍ରେସ ଟିକେ ଲଢ଼େଇ କରୁଥିବା ଦେଖିବାକୁ ମିଳିଥିଲା। ଅନେକ ପ୍ରସଙ୍ଗରେ ଦଳ ଲକ୍ଷ୍ନୌଠାରୁ ଆରମ୍ଭ କରି ସାରାରାଜ୍ୟରେ ସଫଳ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଲାଗୁଥିଲା କଂଗ୍ରେସ ସଂଗଠନ ପୁନର୍ଜୀବିତ ହେଉଛି। କିନ୍ତୁ ଏହା ପରେ ଫଳାଫଳ ମିଳିଥିଲା ଶୂନ।

ରାହୁଲଙ୍କ ପରେ ପ୍ରିୟଙ୍କା ଗାନ୍ଧୀ ଯେତେବେଳେ ୨୦୧୯ରୁ ୟୁପିରେ ସକ୍ରିୟ ହୋଇଥିଲେ, ପ୍ରାୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ସୋନଭଦ୍ରରୁ ଲକ୍ଷ୍ମୀପୁର ଖେରି ପର୍ଯ୍ୟନ୍ତ ପ୍ରିୟଙ୍କା ଗାନ୍ଧି ନିଜ ଆଭିମୁଖ୍ୟରେ ଦଳକୁ ପୁନରୁଦ୍ଧାର କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଦିଲ୍ଲୀ ଫେରିବାମାତ୍ରେ ଦଳ ପୁରୁଣା ବାଟକୁ ଫେରିଯାଉଥିଲା।

୨୦୧୯ରେ କଂଗ୍ରେସର ଖରାପ ପରାଜୟ ଏବଂ ଆମେଠିରୁ ରାହୁଲଙ୍କ ପରାଜୟ ଦଳୀୟ ନେତୃତ୍ୱଙ୍କୁ ଆଶ୍ଚର୍ଯ୍ୟ ଓ ନିରାଶ କରିଥିଲା। ଯେତେବେଳେ ରାହୁଲ ଗାନ୍ଧୀ ନିଜେ ୱାୟନାଡରୁ ବିଜୟୀ ହୋଇଥିଲେ, ସେତେବେଳେ ସେ ଦକ୍ଷିଣ ଭାରତ ଏବଂ ଉତ୍ତର ଭାରତର ରାଜନୀତି ମଧ୍ୟରେ ପାର୍ଥକ୍ୟ ବୁଝାଇବା ଆରମ୍ଭ କରିଥିଲେ। ରାହୁଲଙ୍କ ଏହି ବୟାନ ତାଙ୍କୁ ଆମେଥିର ପରାଜୟ ପରେ ଉପୁଜିଥିବା ନିରାଶାକୁ ଅନୁଭବ କରାଇଥିଲା।

୨୦୨୨ ବିଧାନସଭା ନିର୍ବାଚନରେ ଇତିହାସରେ ସବୁଠାରୁ ଖରାପ ପ୍ରଦର୍ଶନ

୨୦୧୯ରେ କଂଗ୍ରେସ କେବଳ ସୋନିଆ ଗାନ୍ଧୀଙ୍କ ରାଏବରେଲିରୁ ଲୋକସଭା ଆସନ ବଜାୟ ରଖିପାରିଥିଲା। ଏହାପରେ ପ୍ରିୟଙ୍କା ଗାନ୍ଧୀ ସାମ୍ନାକୁ ଆସି ଦଳକୁ ପୁନରୁଦ୍ଧାର କରିବା ପାଇଁ ବହୁ ଚେଷ୍ଟା କରିଥିଲେ। ସେ ମଧ୍ୟ ଲକ୍ଷ୍ନୌରେ କ୍ୟାମ୍ପ କରିବା ଆରମ୍ଭ କରିଥିଲେ, କିନ୍ତୁ କଂଗ୍ରେସକୁ ନିର୍ବାଚନରେ ଇତିହାସରେ ସବୁଠାରୁ ଖରାପ ପ୍ରଦର୍ଶନ ଦେଖିବାକୁ ପଡ଼ିଥିଲା।

ଏହି ନିର୍ବାଚନରେ କଂଗ୍ରେସ ୪୦୩ ଟି ବିଧାନସଭା ଆସନରୁ ୩୯୯ ଟି ଆସନରେ ପ୍ରାର୍ଥୀ ଦେଇଥିଲା । ଏମାନଙ୍କ ମଧ୍ୟରୁ ୩୮୭ ଜଣ ପ୍ରାର୍ଥୀ ଅମାନତ ହରାଇଥିଲେ ଏବଂ ଦଳ ମାତ୍ର ୨ଟି ଆସନରେ ବିଜୟୀ ହୋଇପାରିଥିଲା। ଏମାନଙ୍କ ମଧ୍ୟରେ ରାମପୁର ଖାସର ଆରାଧନା ମିଶ୍ର ମୋନା ଏବଂ ମହାରାଜଗଞ୍ଜର ଫରେଣ୍ଡାର ବୀରେନ୍ଦ୍ର ଚୌଧୁରୀ ରହିଛନ୍ତି।

ଏହି ନିର୍ବାଚନରେ ୟୁପିବାସୀ ଏକ ପ୍ରକାରରେ କଂଗ୍ରେସକୁ ଦର୍ପଣ ଦେଖାଇଥିଲେ। ସେମାନେ ତାଙ୍କୁ କହିଥିଲେ ଯେ ସେମାନେ ଜାଣିଥିବା କଂଗ୍ରେସ ଅତୀତର କଥା। ସେହିପରି ୨୦୨୨ ରେ ଏହି ପରାଜୟ ପରେ ପ୍ରିୟଙ୍କା ଗାନ୍ଧି ମଧ୍ୟ ୟୁପିଠାରୁ ନିଜକୁ ଦୂରେଇ ନେଇଛନ୍ତି।

ରାହୁଲ ଗାନ୍ଧି କ’ଣ ଦକ୍ଷିଣକୁ ନେଇ ଖୁସିରେ ଅଛନ୍ତି ?

ଉତ୍ତରପ୍ରଦେଶରେ ରାହୁଲ ଗାନ୍ଧୀ ନିଜେ ନିଜ ଆସନ ହରାଇଥିଲେ, ଦଳର ପ୍ରଦର୍ଶନ ଖରାପ ଥିଲା। ଅନ୍ୟପକ୍ଷରେ କର୍ଣ୍ଣାଟକ ଓ ତେଲେଙ୍ଗାନାରେ ବିଜୟ ପରେ ଦକ୍ଷିଣ ବନାମ ଉତ୍ତର ଭାରତର ରାଜନୀତିକୁ ନେଇ କଂଗ୍ରେସରେ ଚର୍ଚ୍ଚା ଜୋର ଧରିଛି। ରାହୁଲ ଗାନ୍ଧି ଏବେ ତେଲେଙ୍ଗାନାର ଉଦାହରଣ ଦେଉଛନ୍ତି। ତାଙ୍କର ଭାରତ ଯୋଡୋ ଯାତ୍ରାର ଆରମ୍ଭ ଏବଂ ଗୁରୁତ୍ୱପୂର୍ଣ୍ଣ ରହଣୀ ମୁଖ୍ୟତଃ ଦକ୍ଷିଣରେ ଥିଲା।

ୟୁପି ଭଳି ଏକ ବଡ଼ ରାଜ୍ୟରେ ତାଙ୍କର ଯାତ୍ରା କେବଳ ସୀମାନ୍ତ ଜିଲ୍ଲା ଦେଇ ଯାଇଥିଲା। ଏବେ ଗାନ୍ଧୀ ପରିବାର ମଧ୍ୟ ୟୁପି ଯୋଡୋ ଯାତ୍ରାଠାରୁ ବହୁ ଦୂରରେ ନଜର ଆସୁଛନ୍ତି। ଏଭଳି ସ୍ଥିତିରେ ରାହୁଲ ଗାନ୍ଧୀଙ୍କୁ ଦକ୍ଷିଣର ରାଜନୀତି ପସନ୍ଦ ଆସିବା ଆରମ୍ଭ ହୋଇଛି ଏବଂ ୨୦୨୪ ଲୋକସଭା ନିର୍ବାଚନରେ ମଧ୍ୟ ସେ ଆମେଠିଠାରୁ ଦୂରେଇ ରହିପାରିବେ ବୋଲି ଚର୍ଚ୍ଚା ଜୋର ଧରିଛି। ଏହା ଭିନ୍ନକଥା ଯେ ଯଦିଓ ୟୁପି କଂଗ୍ରେସ ନେତୃତ୍ୱ ଉଭୟ ରାହୁଲ ଏବଂ ପ୍ରିୟଙ୍କାଙ୍କୁ ନିର୍ବାଚନରେ ପ୍ରବେଶ କରିବାକୁ ଅନୁରୋଧ କରିଛନ୍ତି।

ଇଣ୍ଡି ମେଣ୍ଟକୁ ବଞ୍ଚାଇବା ପାଇଁ ରଣନୀତି ନୁହେଁ କି ?

ୟୁପିରେ କଂଗ୍ରେସ ନେତାମାନେ ନିଜେ ଦଳୀୟ ସଂଗଠନ ଗଠନ କରି ନିର୍ବାଚନରେ ଭଲ ପ୍ରଦର୍ଶନ କରିବା ଉଚିତ ବୋଲି ରାହୁଲ ଗାନ୍ଧୀ ତାଙ୍କ ବୟାନ ସହ ସଙ୍କେତ ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ଗାନ୍ଧୀ ପରିବାରର ଅନୁପସ୍ଥିତିରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସହ ସମନ୍ୱୟ ସହଜ ହେବ। ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ସହ ଅଖିଳେଶ ଯାଦବଙ୍କ ସମ୍ପର୍କ ଖରାପ ହୋଇଯାଇଥିଲା।

ସମାଜବାଦୀ ପାର୍ଟି ୟୁପିର ମୁଖ୍ୟ ବିରୋଧୀ ଦଳ

ଗତ ନିର୍ବାଚନର ପରିସଂଖ୍ୟାନରୁ ସ୍ପଷ୍ଟ ଜଣାପଡୁଛି ଯେ ଅନେକ ସ୍ଥାନରେ ସପାକୁ ଏକକାଳୀନ ମୁସଲମାନ ଭୋଟ ମିଳିଛି। ଗୋଟିଏ ପଟେ ବିଏସପି ଏହାର ମୁକାବିଲାରେ ବ୍ୟସ୍ତ ଥିବାବେଳେ କଂଗ୍ରେସ ମଧ୍ୟ ମୁସଲମାନମାନଙ୍କୁ ନିଜର ପୁରୁଣା ଶକ୍ତିଶାଳୀ ଭୋଟ ବ୍ୟାଙ୍କଭାବେ ବିବେଚନା କରୁଛି।

ରଣନୀତି ହେଉଛି ଗାନ୍ଧୀ ପରିବାରର ଅନୁପସ୍ଥିତିରେ ୟୁପି କଂଗ୍ରେସ ନେତାମାନେ ଯେଉଁ ଅଭିଯାନ ଚଳାଇବେ, ସମାଜବାଦୀ ପାର୍ଟି ସେତେଟା ଅସନ୍ତୁଷ୍ଟ ହେବ ନାହିଁ । ବର୍ତ୍ତମାନ କଂଗ୍ରେସ କେବଳ କିଛି ଗୁରୁତ୍ୱପୂର୍ଣ୍ଣ ଆସନକୁ ଟାର୍ଗେଟ କରିବ ଏବଂ ଭବିଷ୍ୟତରେ ଆଗାମୀ ରଣନୀତି ଉପରେ ବିଚାର କରିବ।

Categories
ଜାତୀୟ ଖବର ବିଶେଷ ଖବର

ପୁଣି ଥରେ କଂଗ୍ରେସ ଆରମ୍ଭ କରିପାରେ ଭାରତ ଯୋଡୋ ଯାତ୍ରା, ଏଥର ପୂର୍ବରୁ ପଶ୍ଚିମ

ନୂଆଦିଲ୍ଲୀ: ଭାରତ ଯୋଡ଼ୋ ଯାତ୍ରାର ସଫଳତା ପରେ କଂଗ୍ରେସ ପୁଣିଥରେ ଏହି ଯାତ୍ରା ଆରମ୍ଭ କରିବାକୁ ଚିନ୍ତା କରୁଛି। ଡିସେମ୍ବରରୁ ଫେବୃଆରୀ ମଧ୍ୟରେ ଦଳ ଏହି ଯୋଜନା କରିପାରେ ବୋଲି ସୂତ୍ରରୁ ପ୍ରକାଶ।

ଅର୍ଥାତ୍ ଏହି ତିନିମାସ ମଧ୍ୟରେ ଯେ କୌଣସି ସମୟରେ ଏହି ଯାତ୍ରା ଆରମ୍ଭ ହୋଇପାରିବ। ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଭାରତ ଯୋଡ଼ୋ ଯାତ୍ରା ୨.୦ ହାଇବ୍ରିଡ ମୋଡ଼ରେ ହେବ, ଯେଉଁଥିରେ ଅଂଶଗ୍ରହଣକାରୀମାନେ ଚାଲିବା ସହିତ ଗାଡ଼ି ବ୍ୟବହାର କରିବେ।

ପ୍ରଥମ ଭାରତ-ଜୋଡୋ ଯାତ୍ରା କେବେ ଆରମ୍ଭ ହେଲା ?

୨୦୨୨ ସେପ୍ଟେମ୍ବର ୭ରେ ତାମିଲନାଡୁର କନ୍ୟାକୁମାରୀରୁ ଭାରତ ଯୋଡ଼ୋ ଯାତ୍ରାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିଲା। ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଏହି ଯାତ୍ରା ଆରମ୍ଭ ହୋଇଥିଲା । ପାଖାପାଖି ୪,୦୮୦ କିଲୋମିଟର ଦୂରତା ଅତିକ୍ରମ କରି ୨୦୨୩ ଜାନୁଆରିରେ ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଏହି ଯାତ୍ରା ଶେଷ ହୋଇଥିଲା।

ଏହି ଯାତ୍ରା ୧୨୬ ଦିନରେ ୧୨ଟି ରାଜ୍ୟର ୭୫ଟି ଜିଲ୍ଲା ଦେଇ ଅତିକ୍ରମ କରି ଏହା ଭାରତର ଦୀର୍ଘତମ ପଦଯାତ୍ରାରେ ପରିଣତ ହୋଇଛି। କଂଗ୍ରେସ ନେତା ଏବଂ ଯାତ୍ରାରେ ଅଂଶଗ୍ରହଣ କରିଥିବା ଅନ୍ୟ ଅଂଶଗ୍ରହଣକାରୀମାନେ ସେହି ରାଜ୍ୟଗୁଡ଼ିକରେ ଜନସମାବେଶ ମଧ୍ୟରେ ତୃଣମୂଳ ସ୍ତରର ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ।

ଭାରତ ଯୋଡ଼ୋ ଯାତ୍ରାର ଉଦ୍ଦେଶ୍ୟ କ’ଣ ?

ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଚାଲିଥିବା ଏହି ଜନ ଆନ୍ଦୋଳନର ମୁଖ୍ୟ ଉଦ୍ଦେଶ୍ୟ ଥିଲା କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟିର ବିଭାଜନକାରୀ ରାଜନୀତି ବିରୋଧରେ ଭାରତକୁ ଏକାଠି କରିବା।

ବେକାରୀ ଓ ଅସମାନତା ଭଳି ଅନ୍ୟାନ୍ୟ ସାମାଜିକ-ଅର୍ଥନୈତିକ ସମସ୍ୟାକୁ ବୁଝିବା ଓ ସମାଧାନ କରିବା ମଧ୍ୟ ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିବେଚନା କରିଥିଲା। କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ୨୦୨୩ ସେପ୍ଟେମ୍ବରରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଦଳ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟ ଯୋଜନା କରୁଛି ଏବଂ ଏକ ଯୋଜନା ନିର୍ମାଣାଧୀନ ଅଛି।

କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ସଦସ୍ୟମାନେ ରାହୁଲ ଗାନ୍ଧିଙ୍କୁ ଆଉ ଏକ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କରିବାକୁ ଅନୁରୋଧ କରିଥିଲେ। ପ୍ରଥମ ଥର ଦକ୍ଷିଣରୁ ଉତ୍ତର ଦିଗକୁ ଯାତ୍ରା କରିଥିବାରୁ ଏଥର ଯାତ୍ରା ପୂର୍ବରୁ ପଶ୍ଚିମକୁ ଯିବ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଆସିବେ ରାହୁଳ ଏବଂ ପ୍ରିୟଙ୍କା ଗାନ୍ଧୀ, ସୂଚନା ଦେଲେ କଂଗ୍ରେସ ବିଧାୟକ

ଭୁବନେଶ୍ବର: ଓଡିଶା ଆସିବେ କଂଗ୍ରେସ ନେତା ରାହୁଳ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ଏହି ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ। ସେ କହିଛନ୍ତି ଯେ, ଉଭୟ ଅକ୍ଟୋବର ମାସ ଶେଷ ସପ୍ତାହ ବେଳକୁ ଆସିବେ। ତେବେ ଏ ନେଇ ତାରିଖ ଚୁଡାନ୍ତ ହୋଇ ନାହିଁ। ପିସିସି ସଭାପତିଙ୍କ ସହିତ ଆଲୋଚନା ପରେ ତାରିଖ ଚୁଡାନ୍ତ ହେବ ବୋଲି ସେ କହିଛନ୍ତି।

ବିଧାୟକ ପାଣିଗ୍ରାହୀଙ୍କ କହିବା ଅନୁସାରେ ଓଡିଶାର ପାଞ୍ଚଜଣ କଂଗ୍ରେସ ବିଧାୟକ ଦିଲ୍ଲୀ ଗସ୍ତ କରି ରାହୁଳ ଗାନ୍ଧିଙ୍କୁ ସାକ୍ଷାତ କରିଥିଲେ। ସେଥିରେ ସେ ଓଡିଶାର ସଂଗଠନ ସଂପର୍କରେ ଆଲୋଚନା କରିଥିଲେ। ସେ ଓଡିଶାର ତିନୋଟି ଜୋନ କରି ସେଠାରେ ସଭା କରିବା ପାଇଁ କହିଛନ୍ତି। ସେହି ଅନୁସାରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ଆଲୋଚନା ପରେ ଏହି ଗସ୍ତ ଚୁଡାନ୍ତ ହେବ।

Categories
ଜାତୀୟ ଖବର ବିଶେଷ ଖବର

ରାହୁଳ ଗାନ୍ଧି ଆଜି ସଂସଦକୁ ଫେରିବେ କି? ଜାରୀ ରହିଛି ସସପେନସ !!

ନୂଆଦିଲ୍ଲୀ: ଆଜି ରାହୁଳ ଗାନ୍ଧି ସଂସଦକୁ ଫେରିବେ କି ? ଏ ନେଇ ସସପେନସ ଲାଗି ରହିଛି। ବର୍ତ୍ତମାନ ସମସ୍ତଙ୍କର ନଜର ରହିଛି ସଂସଦୀୟ କାର୍ଯ୍ୟାଳୟ ଉପରେ। କାରଣ ସଂସଦର ସଚିବାଳୟ ଏ ନେଇ ନିଷ୍ପତି କରି ବିଜ୍ଞପ୍ତି ପ୍ରକାଶ କରିବ। ହେଲେ ସୁପ୍ରିମକୋର୍ଟ ରାୟ ପ୍ରକାଶ ପାଇବା ପରେ ମଧ୍ୟ ଏହି ସଚିବାଳୟ ତରଫରୁ କୌଣସି ବିଜ୍ଞପ୍ତି ପ୍ରକାଶ କରାଯାଇ ନାହିଁ।

ତେବେ ବିରୋଧୀଦଳର ନେତା ଅଧୀର ରଂଜନ ଚୈଧୁରୀଙ୍କ କହିବା କଥା ଯେ, କଂଗ୍ରେସ ତରଫରୁ ସୁପ୍ରିମକୋର୍ଟର ରାୟ ସଂସଦ ସଚିବାଳୟକୁ ଶନିବାର ଦିନ ପ୍ରଦାନ କରାଯାଇଛି। ସେମାନେ ଏ ନେଇ କୌଣସି ତଥ୍ୟ ପ୍ରଦାନ କରି ନାହାଁନ୍ତି। ହେଲେ ସଚିବାଳୟ ସୁତ୍ରରୁ ଜଣାପଡିଛି ଯେ, ସେମାନେ କୋର୍ଟ ରାୟ ପାଇବା ପରେ ତାହା ଉପରେ ତର୍ଜମା କରୁଛନ୍ତି। ବୋଧହୁଏ ଆଜି ଏ ନେଇ ସଂସଦ ତରଫରୁ ପଦକ୍ଷେପ ଗ୍ରହଣ କରାଯିବ।

ଅନ୍ୟପଟେ ଆଜି ସଂସଦରେ କଂଗ୍ରେସ ଦଳର ଏକ ବୈଠକ ଅଛି। ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଦଳ ତରଫରୁ କିପରି ପଦକ୍ଷେପ ନିଆଯିବ ସେ ନେଇ ଆଲୋଚନା ହେବ। ରାହୁଳ ଗାନ୍ଧି କିପରି ସଂସଦ ଭବନକୁ ଆସିବେ ସେ ନେଇ ଦଳ ଗୃହରେ ଦାବୀ କରିବ। ଏ ନେଇ କିଏ କଣ କହିବ ସେ ସଂପର୍କରେ ବିସ୍ତୁତ ଆଲୋଚନା ହେବ। ସେହିପରି ଆଜି ଇଣ୍ଡିଆ ର ମଧ୍ୟ ବୈଠକ ରହିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଚ୍ୟାମ୍ବରରେ ଏହି ବୈଠକ କରାଯିବ ବୋଲି ଜଣାପଡିଛି।

ତେବେ ରାହୁଳ ଗାନ୍ଧିଙ୍କ ସଂସଦକୁ ଫେରିବ ନେଇ ରାଜନୀତି ଜୋରଦାର ଆରମ୍ଭ ହୋଇଯାଇଛି। ଏ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ସୁପ୍ରିମୋ ଏମ କେ ଷ୍ଟାଲିନ ବିଜେପୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ରାହୁଳଙ୍କୁ ସାଂସଦ ପଦ ଫେରାଇ ଦେବାକୁ ବିଜେପି କାହିଁକି ଡେରୀ କରୁଛି ବୋଲି ପ୍ରଶ୍ନ କରିଛନ୍ତି।

ସେହିପରି ଟିଏମସି ସାଂସଦ ମହୁଆ ଚକ୍ରବର୍ତ୍ତି ମଧ୍ୟ ଏହାକୁ ନେଇ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ସୁପ୍ରିମୋକର୍ଟ ରାୟ ଦେବାର 48 ଘଣ୍ଟା ବିତିଯାଇଥିଲେ ମଧ୍ୟ କଣ ପାଇଁ ରାହୁଳ ଗାନ୍ଧିଙ୍କ ସାଂସଦ ପଦ ଫେରାଇ ଦିଆଯାଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ତେବେ ଯାହା ଜଣାପଡୁଛି ଆଜି ସଂସଦର ସଚିବାଳୟ କୌଣସି ପଦକ୍ଷେପ ଗ୍ରହଣ କରିପାରନ୍ତି।

 

Categories
ଜାତୀୟ ଖବର ବିଶେଷ ଖବର

ପୁଣି ସାଂସଦ ପଦ ଫେରିପାଇବେ ରାହୁଳ ଗାନ୍ଧି, ସୁପ୍ରିମକୋର୍ଟଙ୍କ ରାୟ ପରେ ବଢିଲା ଆଶା

ନୂଆଦିଲ୍ଲୀ: ମୋଦି ଉପନାମ ମାମଲାରେ ରାହୁଲ ଗାନ୍ଧିଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ସୁପ୍ରିମକୋର୍ଟ। ସର୍ବୋଚ୍ଚ ନ୍ୟାୟାଳୟ କଂଗ୍ରେସ ନେତାଙ୍କ ଦୋଷୀ ସାବ୍ୟସ୍ତ ଉପରେ ରୋକ୍ ଲଗାଇଛନ୍ତି। ଅଦାଲତ କହିଛନ୍ତି ଯେ ଯେ ପର୍ଯ୍ୟନ୍ତ ରାହୁଲଙ୍କ ଦୋଷୀ ସାବ୍ୟସ୍ତ ଆବେଦନ ବିଚାରାଧୀନ ରହିବ, ତାଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଯିବ।

ଏବେ ରାହୁଲ ସଂସଦର ମୌସୁମୀ ଅଧିବେଶନରେ ଭାଗ ନେଇପାରନ୍ତି ବୋଲି କୁହାଯାଉଛି। ରାହୁଲଙ୍କ ଓକିଲ କହିଛନ୍ତି ଯେ ରାହୁଲଙ୍କ ସଦସ୍ୟତା ପୁନରୁଦ୍ଧାର କରାଯାଇଛି। ଚଳିତ ଅଧିବେଶନରୁ ରାହୁଲଙ୍କୁ ସଂସଦ ଅଧିବେଶନରେ ଦେଖିବାକୁ ମିଳିବ ବୋଲି ତାଙ୍କ ଓକିଲ ଦାବି କରିଛନ୍ତି।

କେବେ ସଂସଦକୁ ଆସିବେ ରାହୁଲ ଗାନ୍ଧି ?

ସୁପ୍ରିମକୋର୍ଟଙ୍କ ରାୟ ପରେ ଏହାର ନକଲ ଲୋକସଭା ବାଚସ୍ପତିଙ୍କ ସଚିବାଳୟକୁ ଯିବ ବୋଲି ଅନୁମାନ କରାଯାଉଛି। ଏହାପରେ ଲୋକସଭା ବାଚସ୍ପତି ରାହୁଲ ଗାନ୍ଧିଙ୍କ ସଦସ୍ୟତା ନେଇ ନିଷ୍ପତ୍ତି ନେଇପାରନ୍ତି। ସଂସଦର ମୌସୁମୀ ଅଧିବେଶନରୁ ହିଁ ରାହୁଲ ଅଂଶଗ୍ରହଣ କରିପାରିବେ ବୋଲି ବିଶ୍ୱାସ କରାଯାଉଛି।

ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ମିଳିବା ପରେ ଲୋକସଭା ସଚିବାଳୟ ତାଙ୍କୁ ଅଯୋଗ୍ୟ ଘୋଷଣା କରିଥିଲା। ତେବେ ନିର୍ବାଚନ ଆୟୋଗ ୱାୟନାଡରେ ନିର୍ବାଚନ ଘୋଷଣା କରିନାହାନ୍ତି। ବାଚସ୍ପତି ଏ ନେଇ ନିର୍ବାଚନ କମିଶନଙ୍କୁ ଅବଗତ କରାଇବା ପରେ ବାଚସ୍ପତି ଏ ନେଇ ନିଷ୍ପତ୍ତି ନେବେ। ଯଦି ସବୁ କିଛି ଠିକ୍ ଠାକ୍ ରହେ ତେବେ ରାହୁଲ ସୋମବାର କିମ୍ବା ମଙ୍ଗଳବାର ସଂସଦ ଅଧିବେଶନରେ ଯୋଗ ଦେଇପାରନ୍ତି।

ଅନାସ୍ଥା ପ୍ରସ୍ତାବରେ ଭାଗ ନେବେ କି ରାହୁଲ ଗାନ୍ଧି ?

ଅଗଷ୍ଟ ୮ ଓ ୧୦ ତାରିଖରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଏବେ ଲୋକସଭା ବାଚସ୍ପତିଙ୍କୁ ରାହୁଲ ଗାନ୍ଧିଙ୍କ ସଦସ୍ୟତା ନେଇ ନିଷ୍ପତ୍ତି ନେବାକୁ ପଡ଼ିବ। ଅନୁମତି ମିଳିବାମାତ୍ରେ ରାହୁଲ ଗୃହକୁ ଯିବେ। ସୋମବାର କିମ୍ବା ମଙ୍ଗଳବାର ରାହୁଲ ଲୋକସଭାରେ ଉପସ୍ଥିତ ରହିବେ ବୋଲି ଅନୁମାନ କରାଯାଉଛି। ମଙ୍ଗଳବାର ଗୃହରେ ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ହେବ। ଯଦି ବାଚସ୍ପତି ସୋମବାର ସୁଦ୍ଧା ରାହୁଲଙ୍କ ସଦସ୍ୟତା ନେଇ ନିଷ୍ପତ୍ତି ନିଅନ୍ତି, ତେବେ ସେ ଅନାସ୍ଥା ପ୍ରସ୍ତାବର ବିତର୍କରେ ସାମିଲ ହୋଇପାରନ୍ତି।

କଂଗ୍ରେସରେ ଉତ୍ସବର ବାତାବରଣ

କଂଗ୍ରେସ ନେତାମାନେ ରାହୁଲ ଗାନ୍ଧିଙ୍କ ଦଣ୍ଡାଦେଶ ଉପରେ ରହିତାଦେଶକୁ ସ୍ୱାଗତ କରିବା ସହ ବିଜେପିକୁ ଟାର୍ଗେଟ କରିଛନ୍ତି। ରାହୁଲ ଗାନ୍ଧିଙ୍କ ଭିଣୋଇ ରବର୍ଟ ଭଦ୍ରା ଏହାକୁ ସ୍ୱାଗତ କରିବା ସହ ରାହୁଲଙ୍କୁ ହଇରାଣ କରିବାକୁ ଉଦ୍ୟମ ହୋଇଥିବା କହିଛନ୍ତି। କିନ୍ତୁ ଆମେ ଏହି ନିଷ୍ପତ୍ତିକୁ ସ୍ୱାଗତ କରୁଛୁ। ଅନ୍ୟପକ୍ଷରେ କଂଗ୍ରେସ ନେତା ଇମ୍ରାନ ପ୍ରତାପଗଡ଼ୀ କହିଛନ୍ତି ଯେ ରାହୁଲ ଗାନ୍ଧି ସଂସଦର ମୌସୁମୀ ଅଧିବେଶନରେ ଯୋଗ ଦେବେ ବୋଲି ସେ ଆଶା ରଖିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ; କର୍ଣ୍ଣାଟକରୁ ରାଜ୍ୟସଭାକୁ ଆସିବେ ସୋନିଆ

ଭୁବନେଶ୍ବର: କର୍ଣ୍ଣାଟକର ୪ଟି ଆସନ ପାଇଁ ରାଜ୍ୟସଭା ନିର୍ବାଚନକୁ ଆଉ ୮ ମାସ ବାକି ଥିବାବେଳେ ସୟଦ ନସିର ହୁସେନ ଓ ସୁପ୍ରିୟା ଶ୍ରୀନେତଙ୍କ ସହ ସୋନିଆ ଗାନ୍ଧି ଦଳୀୟ ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ପ୍ରବେଶ କରିପାରନ୍ତି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ଜୋର ଧରିଛି। କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଲୋକସଭା ନିର୍ବାଚନ ନ ଲଢ଼ି ରାଜ୍ୟସଭା ଦେଇ ସଂସଦକୁ ଯିବେ ବୋଲି କଂଗ୍ରେସ ମହଲରେ ଆଲୋଚନା ହେଉଛି ।

ଉଚ୍ଚସ୍ତରୀୟ ସୂତ୍ରରୁ ପ୍ରକାଶ ଯେ ନିକଟରେ ସୋନିଆଙ୍କ ବେଙ୍ଗାଲୁରୁ ଗସ୍ତ ସମୟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ପୂର୍ବତନ ଏଆଇସିସି ମୁଖ୍ୟଙ୍କୁ କର୍ଣ୍ଣାଟକରୁ ରାଜ୍ୟସଭା ଆସନ ଦେବାକୁ ପ୍ରସ୍ତାବ ଦେଇଥିଲେ । ସିଦ୍ଧରମୈୟାଙ୍କ ପ୍ରସ୍ତାବରେ ସୋନିଆ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ ମଧ୍ୟ କିଛି କାରଣ ରହିଛି ଯାହାକି ତାଙ୍କୁ ରାଜ୍ୟସଭାରେ ପ୍ରବେଶ କରିବାର ସମ୍ଭାବନାକୁ ସୂଚାଉଛି ।

ମୁଖ୍ୟତଃ, ଯଦି ସୋନିଆ ସିଦ୍ଧରମୈୟାଙ୍କ ପ୍ରସ୍ତାବକୁ ଗ୍ରହଣ କରନ୍ତି, ତେବେ ଏହା ତାଙ୍କୁ ୧୦, ଜନପଥ ସରକାରୀ ବାସଭବନକୁ ବଜାୟ ରଖିବାରେ ସାହାଯ୍ୟ କରିବ, ଯାହାକୁ ସେ ୧୯୮୯ ମସିହାରୁ ରହୁଛନ୍ତି। ଯେତେବେଳେ ରାଜୀବ ଗାନ୍ଧୀ ବିରୋଧୀ ଦଳ ନେତା ଥିଲେ ସେ ସମୟରେ ସେ ୧୦ ଜନପଥ ବାସଭବନକୁ ଆସିଥିଲେ।

ନିକଟ ଅତୀତରେ ଉଭୟ ପ୍ରିୟଙ୍କା ଗାନ୍ଧି ଏବଂ ରାହୁଲ ଗାନ୍ଧି ଲୁଟିଆନ୍ସ ଦିଲ୍ଲୀସ୍ଥିତ ସରକାରୀ ବାସଭବନ ଛାଡ଼ିଛନ୍ତି। ମୋଦି ଉପନାମ ମାନହାନୀ ମାମଲାରେ ହାରିବା ପରେ ଚଳିତ ବର୍ଷ ଏପ୍ରିଲରେ ରାହୁଲ ୧୨, ତୁଗଲକ କ୍ରିସେଣ୍ଟ ସରକାରୀ ବାସଭବନ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ସେହପରି ପ୍ରିୟଙ୍କା ୨୦୨୨ ଜୁଲାଇରେ ତାଙ୍କର ୩୪, ଲୋଧି ଇଷ୍ଟେଟ ବାସଭବନ ଖାଲି କରିଥିଲେ ଯାହା ସୁରକ୍ଷା କାରଣରୁ ତାଙ୍କୁ ୧୯୯୭ ରେ ଆବଣ୍ଟନ କରାଯାଇଥିଲା ।

ସୋନିଆ ବର୍ତ୍ତମାନକୁ ମିଶାଇ ପାଞ୍ଚଥର ଲୋକସଭାରୁ ସାଂସଦ ଅଛନ୍ତି (ଥରେ ଆମେଠିରୁ ଏବଂ ଚାରିଥର ରାଏବରେଲିରୁ) ଏବଂ ନିର୍ବାଚନୀ ଲଢ଼େଇରେ କେବେ ହାରିନଥିବାର ଏକ ଦୃଢ଼ ରେକର୍ଡ ରହିଛି। ତେବେ ୨୦୧୯ ପରେ ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ କାରଣରୁ ସୋନିଆ ନିଜ ନିର୍ବାଚନମଣ୍ଡଳୀକୁ ଯେତିକି ପସନ୍ଦ କରୁଥିଲେ ସେତିକି ସମୟ ଦେଇପାରି ନାହାନ୍ତି। ପ୍ରିୟଙ୍କା ଗାନ୍ଧି ୨୦୨୪ରେ ନିର୍ବାଚନ ଲଢ଼ି ବିଜୟୀ ହେଲେ ମଧ୍ୟ ୧୦, ଜନପଥ ସରକାରୀ ବାସଭବନ ବଜାୟ ରଖିବା ପ୍ରସଙ୍ଗର ସମାଧାନ କରିବ ନାହିଁ। ଯଦି ପ୍ରିୟଙ୍କା ନିର୍ବାଚନ ଜିତନ୍ତି ପ୍ରଥମ ଥର ସାଂସଦ ହେଉଥିବାରୁ ତାଙ୍କୁ ୧୦, ଜନପଥ ସରକାରୀ ବାସଭବନ ମିଳିବ ନାହିଁ ।

ସୂଚନାଯୋଗ୍ୟ, ୧୯୮୯ମସିହାରେ ରାଜୀବଙ୍କୁ ଲୁଟିୟନ୍ସ ଦିଲ୍ଲୀ ବଙ୍ଗଳାର ଯତ୍ନ ନେଉଥିବା କେନ୍ଦ୍ରୀୟ ପୂର୍ତ୍ତ ବିଭାଗ କର୍ମଚାରୀମାନେ ସେଠାକୁ ନ ଯିବାକୁ ପରାମର୍ଶ ଦେଇଥିଲେ। ୧୦, ଜନପଥକୁ ନେଇ ଅନେକ ଅନ୍ଧବିଶ୍ୱାସ ରହିଛି। କୁହାଯାଉଛି ଯେ ୧୦ ଜନପଥ ବାସଭବନ ଭିତରେ ଦୁଇଟି କବର ରହିଛି। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହା ଏକ ଘର ଭାବରେ ବିବେଚନା କରାଯାଉଥିଲା ଯାହା ସଞ୍ଜୟ ଗାନ୍ଧିଙ୍କ ପାଇଁ ଦୁର୍ଭାଗ୍ୟ ଆଣିଦେଇଥିଲା।

୧୯୭୫ ଜରୁରୀକାଳୀନ ପରିସ୍ଥିତି ସମୟରେ ୧୦, ଜନପଥ ଭାରତୀୟ ଯୁବ କଂଗ୍ରେସର କାର୍ଯ୍ୟାଳୟ ଥିଲା ଯେତେବେଳେ ଅମ୍ବିକା ସୋନି ଏହାର ସଭାପତି ଥିଲେ ଏବଂ ସଞ୍ଜୟ ଗାନ୍ଧୀ ଏହାର ପରାମର୍ଶଦାତା ଥିଲେ। ୧୯୭୭ ପରାଜୟର ଗମ୍ଭୀରତା ବହୁତ ବଡ଼ ଥିଲା। ରାଜେନ୍ଦ୍ର ପ୍ରସାଦ ରୋଡରେ ବହୁ ବର୍ଷ ପରେ ଯୁବ କଂଗ୍ରେସ କାର୍ଯ୍ୟାଳୟ ବନ୍ଦ ହୋଇ ଖୋଲିଥିଲା।

୧୯୮୯ରେ ରାଜୀବ ଯେତେବେଳେ ୧୦, ଜନପଥରେ ପ୍ରବେଶ କରିଥିଲେ, ସେତେବେଳେ ସେ କିଛି ଅଞ୍ଚଳରେ ରକ୍ତ ଚିହ୍ନ ଦେଖିଥିଲେ। ୧୯୭୭ରୁ ୧୯୮୯ ମଧ୍ୟରେ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର କାର୍ଯ୍ୟାଳୟ ଥିଲା। ଏହାପରେ ବକ୍ସରର ଜଣେ କଂଗ୍ରେସ ନେତା କେକେ ତେଓ୍ଵାରୀ ସେଠାରେ ରହିଥିଲେ। ତେଓ୍ଵାରୀ ଆଜି ପର୍ଯ୍ୟନ୍ତ ରାଜନୈତିକ ମହଲରେ ଅଛନ୍ତି ।

ପୁରୁଣା ଲୋକମାନେ ମନେପକାନ୍ତି ଲାଲ ବାହାଦୁର ଶାସ୍ତ୍ରୀ ମଧ୍ୟ ୧୦, ଜନପଥ (ପ୍ରଧାନମନ୍ତ୍ରୀ ଭାବରେ)ରେ ରହିଥିଲେ। ତାଙ୍କ ଆବାସିକ କମ୍ପ୍ଲେକ୍ସରେ ବର୍ତ୍ତମାନର ୧୦, ଜନପଥ ଥିବା କିଛି ଅଂଶ ଅନ୍ତର୍ଭୁକ୍ତ ଥିଲା । ପ୍ରଧାନମନ୍ତ୍ରୀ ହେବାର ୧୮ ମାସ ମଧ୍ୟରେ ଶାସ୍ତ୍ରୀଙ୍କ ଦେହାନ୍ତ ହୋଇଥିଲା ।

ବିଦାୟୀ ୪ ଜଣ ସାଂସଦ ଜିସି ଚନ୍ଦ୍ରଶେଖର, ସୟଦ ନସିର ହୁସେନ ଏବଂ ଡକ୍ଟର ଏଲ୍ ହନୁମନ୍ତୈୟା (ଅଖିଳ ଭାରତ କଂଗ୍ରେସ) ଏବଂ ରାଜୀବ ଚନ୍ଦ୍ରଶେଖରଙ୍କ କାର୍ଯ୍ୟକାଳ ଏପ୍ରିଲ ୨, ୨୦୨୪ରେ ଶେଷ ହେଉଛି । ବର୍ତ୍ତମାନର ବିଧାୟକ ସଂଖ୍ୟା ଅନୁଯାୟୀ, କର୍ଣ୍ଣାଟକର ୪ଟି ଆସନରୁ ୩ଟି ଆସନ ପାଇବ । ଏଆଇସିସି ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କ ସହ ଜଡ଼ିତ ଏଆଇସିସି ସଂଯୋଜକ ନାସିରଙ୍କୁ ଆଉ ଥରେ କାର୍ଯ୍ୟକାଳ ଦିଆଯିବ ଏବଂ କଂଗ୍ରେସ ସୋସିଆଲ ମିଡ଼ିଆ ମୁଖ୍ୟ ଶ୍ରୀନେତଙ୍କୁ ସୋନିଆଙ୍କ ସହ ରାଜ୍ୟସଭାକୁ ଅଣାଯିବ ବୋଲି ଚର୍ଚ୍ଚା ହେଉଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାହୁଳଙ୍କ ସାଂସଦ ସଦସ୍ୟତା ରଦ୍ଦ ପ୍ରତିବାଦରେ ସାରା ଓଡ଼ିଶାରେ କଂଗ୍ରେସର ସତ୍ୟାଗ୍ରହ

ଭୁବନେଶ୍ୱର: ସଂସଦରେ ରାହୁଲ ଗାନ୍ଧୀ ମାର୍ଚ୍ଚ ମାସ ୭ ତାରିଖ ୨୦୨୩ ମସିହାରେ ନରେନ୍ଦ୍ର ମୋଦି ଓ ଆଦାନୀଙ୍କ ସମ୍ପର୍କକୁ ନେଇ ଯେଉଁ ପ୍ରଶ୍ନ ପଚାରିଥିଲେ ଏବଂ ୨୦ ହଜାର କୋଟି ଟଙ୍କା ଆଦାନୀ ସଂପର୍କୀୟଙ୍କ ଦ୍ୱାରା ପରିଚାରଳିତ ସେଲ କମ୍ପାନୀ ମାଧ୍ୟମରେ ଯେଉଁ ୨୦ ହଜାର କୋଟି ଟଙ୍କା ଆଦାନୀ ଗ୍ରୁଫ ଅଫ କମ୍ପାନୀଜ୍‌କୁ ଆସିଛି ଏ ଟଙ୍କା କାହାର? ଏହା କେବେ ହେଲେ ଆଦାନୀଙ୍କୁ ନୁହେଁ ।

ଏହି ଝଡ଼କୁ ସାମନା କରିବା ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ସରକାର ରାହୁଲ ଗାନ୍ଧୀଙ୍କୁ ଭୟକରି ପ୍ରଥମଥର ପାଇଁ ସ୍ୱାଧୀନ ଭାରତ ବର୍ଷରେ ସରକାରୀ ଦଳ ସାଂସଦକୁ ଦୀର୍ଘଦିନ ଅଚଳ କରି ରଖିଲେ। ୨୦୧୯ ମସିହା ଅପ୍ରେଲ ମାସ ୧୩ ତାରିଖରେ କୋଲାରରେ ନିର୍ବାଚନୀ ସଭାରେ ଭାଷଣ ଦେଲାବେଳେ କହିଥିଲେ କାହିଁକି କେତେକ ଚୋରଙ୍କର ସାଙ୍ଗିଆ ମୋଦି ବୋଲି କିନ୍ତୁ ସେ କେବେହେଲେ ସବୁ ମୋଦି ନାମଧାରୀ ଚୋର ବୋଲି କହିନଥିଲେ ।

କିନ୍ତୁ ଏହି ଘଟଣାକୁ ନେଇ ୨୦୧୯ ଅପ୍ରେଲ ମାସ ବିଜେପି ବିଧାୟକ ପୂର୍ଣ୍ଣେସ ମୋଦି ସୁରଟର ଏକ ସେସନ କୋର୍ଟରେ ଏକ ମାନହାନୀ ମୋକଦ୍ଦମା ଦାୟର କରିଥିଲେ । ଏ ମକଦ୍ଦମା ଉପରେ ନିଜେ ଅଭିଯୋଗକାରୀ ଗୁଜୁରାଟ ହାଇକୋର୍ଟରୁ ଏ କେଶର ଶୁଣାଣିକୁ ବନ୍ଦ କରିବାପାଇଁ ଷ୍ଟେ ଆଣିଥିଲେ । କିନ୍ତୁ ଫେବୃଆରୀ ମାସ ୭ ତାରିଖ ଲୋକସଭାରେ ଆଦାନୀ ସଂପର୍କୀତ ପ୍ରଶ୍ନ ଉତ୍‌ଥାପନ ପରେ ସରକାର ଏହି ଶିଥିଳ ପଡ଼ିଥିବା ମାନହାନୀ ମକଦ୍ଦମାକୁ ନିଜର ଅମେଘ ଅସ୍ତ୍ରରୂପେ ବ୍ୟବହାର କଲେ ।

ପୁର୍ନେଶ ମୋଦି ୨୦୨୩ ମସିହା ଫେବୃଆରୀ ମାସ ୧୬ ତାରିଖରେ ହାଇକୋର୍ଟରୁ ଏହି ମକଦ୍ଦମାର ଷ୍ଟେ ହଟାଇବା ପାଇଁ ପ୍ରାର୍ଥନା କଲେ ଏବଂ କୋର୍ଟ ମଧ୍ୟ ଅନୁମୋଦନ କଲା । ୨୦୨୩, ଫେବୃଆରୀ,୨୭, ରୁ ଟ୍ରାଏଲ କୋର୍ଟର ଶୁଣାଣି ଆରମ୍ଭ ହେଲା ଏବଂ ମାର୍ଚ୍ଚ ୨୩, ୨୦୨୩ ରେ ରାହୁଲ ଗାନ୍ଧୀଙ୍କ ସର୍ବାଧିକ ୨ବର୍ଷ ଜେଲ ଦଣ୍ଡାଦେଶ କରାଗଲା ଯଦ୍ୱାରାକି ପିପୁଲ୍ସରିପ୍ରେଜେଂଟିଟେସନ ଆକ୍ଟ ୧୯୫୧ ଧାରା-୮ (୩) ଅନୁସାରେ ତାଙ୍କ ଲୋକସଭା ସଭ୍ୟପଦ ରଦ୍ଦ କରିଦିଆଗଲା ।

ବିଗତ ୯ ବର୍ଷ ଭିତରେ ଭାରତ ବର୍ଷର ସଂସଦୀୟ ଗଣତନ୍ତ୍ରର ପରମ୍ପରାକୁ ସଂପୂର୍ଣ୍ଣରୂପେ ଆଜି ଧୂଳିସାତ କରିଦିଆଯାଇଛି । ସମ୍ବିଧାନ ଓ ସାମ୍ବିଧାନିକ ଅନୁଷ୍ଠାନକୁ ଆଜି କରାୟତ କରିସାରିଲେଣି । ଯେଉଁମାନେ ସରକାର ଏବଂ ସରକାରଙ୍କର କାର୍ଯ୍ୟକଳାପ ବିରୋଧରେ ପ୍ରଶ୍ନ ଉଠାଉଛନ୍ତି ସେମାନଙ୍କ ଉପରେ ଇଡି, ସିବିଆଇ, ଆଇଟି ଓ ଅନ୍ୟାନ୍ୟ ବାଟରେ ତାଙ୍କ ଛନ୍ଦି ଦିଆଯାଉଛି । ବିରୋଧିଙ୍କୁ ଭୟଭୀତ କରାଉଛନ୍ତି ।

ଯେହେତୁ ରାହୁଲ ଗାନ୍ଧୀ କଂଗ୍ରେସ ଦଳ, ନରେନ୍ଦ୍ର ମୋଦି ଏବଂ ବିଜେପି ସରକାରର ଏ ଗଣତନ୍ତ୍ର ବିରୋଧି କାର୍ଯ୍ୟକୁ ଶାଣିତ ସ୍ୱରରେ ସବୁ ସ୍ତରରେ ପ୍ରଶ୍ନ କରୁଛି ତେଣୁ ରାହୁଲ ଗାନ୍ଧୀଙ୍କୁ ଏ ଦଣ୍ଡ ଦିଆଯାଇଛି । ଏହାକୁ ପ୍ରତିବାଦ କରି ଆଜି ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଏବଂ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଆଜି ପ୍ରଦେଶ କଂଗ୍ରେସର ସମସ୍ତ ନେତୃବର୍ଗ ଭୁବନେଶ୍ୱର ନାଲକୋ ଛକଠାରେ ଗାନ୍ଧୀ ମୈଦାନରେ ମହାତ୍ମା ଗାନ୍ଧୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ସକାଳ ୧୦ ଘଟିକାର ୫ ଘଟିକା ପର୍ଯ୍ୟନ୍ତ ସତ୍ୟାଗ୍ରହ ରଖିଥିଲେ ।

ଏହି ସତ୍ୟାଗ୍ରହରେ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ରାମଚନ୍ଦ୍ର ଖୁଂଟିଆ, ଅନନ୍ତ ପ୍ରସାଦ ସେଠୀ, ସୁରେଶ କୁମାର ରାଉତରାୟ, ଶରତ ରାଉତ, ଯୁଧିଷ୍ଠୀର ଜେନା, ବିଜୟ ପଟ୍ଟନାୟକ, ରବିନ୍ଦ୍ର ମଲ୍ଲିକ, ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, କିଶୋର ଜେନା, ବିଶ୍ୱଜିତ ଦାଶ, ମନୋରଞ୍ଜନ ଦାଶ, ବନ୍ଦିତା ପରିଡ଼ା, ୟାସିର ନୱାଜ, ସ୍ମୃତିରଞ୍ଜନ ଲେଙ୍କା, ମାନସ ଆଚାର୍ଯ୍ୟ, ପ୍ରକାଶ ଜେନା, ରଜନୀ ମହାନ୍ତି, ଶ୍ରୀନିବାସ ରାଉତରାୟ, ଜାନନୀ ବଲ୍ଲଭ ପଟ୍ଟନାୟକ, ପ୍ରଦୀପ୍ତ ଦାସ, ପ୍ରଶାନ୍ତ ଶତପଥି, ଲୋକନାଥ ମହାରଥି, ଦୀପକ କୁମାର ମହାପାତ୍ର ଯୋଗଦଇଥିଲେ।

ସେହିପରି ମିହିର ଆଚାର୍ଯ୍ୟ, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ସୁଶାନ୍ତ ତ୍ରିପାଠୀ, ସନ୍ଧ୍ୟା ମହାପାତ୍ର, ମଧୁସି୍ମତା ପଣ୍ଡା, ସସ୍ମିତା ବେହେରା, ମଧୁସ୍ମିତା ଆଚାର୍ଯ୍ୟ, ଜ୍ଞାନ ରଞ୍ଜନ ପଟ୍ଟନାୟକ, ତ୍ରିଲୋଚନ ମହାନ୍ତି, ଚିନ୍ମୟ ସୁନ୍ଦର ଦାସ, ପ୍ରକାଶ ମିଶ୍ର, ରସିକ ପଟ୍ଟନାୟକ, ସିକ୍ତା ପତି, ଗୀତାଞ୍ଜଳି ମହାନ୍ତି, ପ୍ରଭାବତୀ ପଟ୍ଟନାୟକ, ପ୍ରଣତି ମିଶ୍ର, ମନଜା ମଂଜରୀ ଦେବୀ, କୁସୁମ ପ୍ରଧାନ, ଶ୍ରୀୟାସ୍ମିତା ପଣ୍ଡା, ସୁଭଦ୍ରା ମିଶ୍ର, ଚୈତାଳୀ ପଟ୍ଟନାୟକ, ଜୟଶ୍ରୀ ପାତ୍ର, ସବିତା ଧିର, ସ୍ୱାଗତିକା ପଟ୍ଟନାୟକ, ଜାନକୀ ମଲ୍ଲିକ, ଉର୍ବଶୀ ମିଶ୍ର, ଦୀପକ କୁମାର ସାହୁ, ସାଗର ପରିଡ଼ା, ଆଶିଷ ମଲ୍ଲିକ, ଦେବୀ ପ୍ରସାଦ ବାହାଲିଆ, ମନୋଜ ସାହୁ, ନରୋତମ ନାୟକ, କୁଳମଣି ସାହୁ, ବିଶ୍ୱ ମହାନ୍ତି, କୈଳାସ ସାହୁ, ସାରଦା ନାୟକ ପ୍ରମୁଖ ଯୋଗଦେଇଥିଲେ ।

Categories
ଜାତୀୟ ଖବର ବିଶେଷ ଖବର

ନେପାଳ ପାର୍ଟିରେ ରାହୁଳ ଗାନ୍ଧୀଙ୍କ ସହିତ ଥିବା ସେ ଯୁବତୀ ଜଣଙ୍କ କିଏ ? ସତ୍ୟ ହେଲା ପ୍ରକାଶ

ନୂଆଦିଲ୍ଲୀ: ନିକଟରେ ବିଜେପି ମିଡିଆ ସେଲ ମୁଖ୍ୟ ଅମିତ ମାଲବ୍ୟ ଏକ ଭିଡିଓ ପୋଷ୍ଟ କରିଥିଲେ। ଯେଉଁଥିରେ ରାହୁଳ ଗାନ୍ଧୀ ଏକ ପାର୍ଟିରେ ଉପସ୍ଥିତ ଅଛନ୍ତି ଏବ ଜଣେ ମହିଳାଙ୍କ ସହିତ କଥା ହେଉଛନ୍ତି। ଏହା ହେଉଛି ନେପାଳର ଏକ ନାଇଟ କ୍ଲବ ଏବଂ ଦେଶରେ କଂଗ୍ରେସ ଅବସ୍ଥା ଖରାପ ଥିବା ବେଳେ ତାହାର ମୁଖ୍ୟ ନାଇଟ କ୍ଲବରେ ମଜ୍ଜା କରୁଛନ୍ତି। ଏହିପରି ତଥ୍ୟ ଉଲ୍ଲେଖ୍ୟ କରି ମାଲବ୍ୟ ନିଜ ସାମାଜିକ ଗଣମାଧ୍ୟମରେ ପ୍ରକାଶ କଲେ।

ଏହାପରେ ବିଜେପି କର୍ମି ଏବଂ ଅନ୍ୟମାନେ ସେହି ଭିଡିଓକୁ ଭାଇରାଲ କରିବାରେ ଲାଗିଲ।  ଏହାପରେ କଂଗ୍ରେସ ତରଫରୁ ସ୍ପଷ୍ଟି କରଣ ଦିଆଗଲା। କଂଗ୍ରେସର ସାଧାରଣ ସମ୍ପାଦକ ତଥା ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜୱାଲା କହିଛନ୍ତି ଯେ ଗାନ୍ଧୀ ଏକ ଘରୋଇ ବିବାହ ପାଇଁ ନେପାଳ ଯାଇଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ ବନ୍ଧୁ କିମ୍ବା ପରିବାର ସଦସ୍ୟଙ୍କ ବିବାହରେ ଯୋଗଦେବା ଅପରାଧ ନୁହେଁ। ଏହି ପ୍ରସଙ୍ଗରେ ତ୍ରୁଣମୂଳ କଂଗ୍ରେସ ସାଂସଦ ମହୁଆ ମିତ୍ର ମଧ୍ୟ ବିଜେପିକୁ ନିନ୍ଦା କରିଛନ୍ତି।

ତେବେ ଏହି ଘଟଣା ନେଇ ଦେଶର ପ୍ରତିଷ୍ଠିତ ମିଡିଆ ସଂସ୍ଥା ଇଣ୍ଡିଆ ଟୁଡେ ତରଫରୁ ସତ୍ୟାସତ୍ୟ ଯାଞ୍ଚ କରାଯାଇଥିଲା। ଏଥିରେ ଜଣାପଡିଥିଲା ଯେ, ପାଞ୍ଚ ଦିନିଆ ବ୍ୟକ୍ତିଗତ ଗସ୍ତରେ ଗାନ୍ଧୀ ସୋମବାର, ମଇ ୨ ତାରିଖରେ ନେପାଳରେ ପହଞ୍ଚିଥିଲେ। କାଠମାଣ୍ଡୁ ପୋଷ୍ଟ ଖବରକାଗଜ ଅନୁଯାୟୀ, ନେପାଳର ବନ୍ଧୁ ସୁନିମା ଉଦାସଙ୍କ ବିବାହ ଉତ୍ସବରେ ଯୋଗଦେବା ପାଇଁ କଂଗ୍ରେସ ନେତା ରାହୁଳ ଗାନ୍ଧୀ ନେପାଳ ରାଜଧାନୀ କାଠମାଣ୍ଡୁରେ ଅଛନ୍ତି ବୋଲି ପ୍ରକାଶ ପାଇଥିଲା।

ମୋ ଝିଅର ବିବାହରେ ଯୋଗଦେବା ପାଇଁ ଆମେ ଗାନ୍ଧୀଙ୍କୁ ନିମନ୍ତ୍ରଣ କରିଥିଲୁ ବୋଲି ସୁମନିମାଙ୍କ ପିତା ଭୀମ ଉଦାସ କହିଛନ୍ତି। ଭିମ ମିଆଁମାରରେ ନେପାଳର ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରିଥିଲେ। ତାଙ୍କ ଝିଅ ସୁନିମା ହେଉଛନ୍ତି ସିଏନଏନ ର ପୂର୍ବତନ ସାମ୍ବାଦିକା। ନିମା ମାର୍ଟିନ ଶେର୍ପା ନାମିତ ଜଣେ ଯୁବକଙ୍କୁ ସୁନିମା ବିବାହ କରୁଛନ୍ତି।

ଇଣ୍ଡିଆ ଟୁଡେ ଫ୍ୟାକ୍ଟ-ଚେକରେ ଦର୍ଶାଯାଇଛି ଯେ ଗାନ୍ଧୀଙ୍କ ସହ ଭିଡିଓରେ ଦେଖାଯାଇଥିବା ଜଣେ ମହିଳାଙ୍କୁ ନେପାଳରେ ଚାଇନାର ରାଷ୍ଟ୍ରଦୂତ ହୋ ୟାନକି ବୋଲି ଅନେକ ଚିହ୍ନଟ କରିଛନ୍ତି। ଯେଉଁମାନେ ଏହି ଦାବିକୁ ଟୁଇଟ୍ କରିଛନ୍ତି ସେମାନଙ୍କ ମଧ୍ୟରେ ଜଣେ ଟିଆରଏସ ନେତା ମଧ୍ୟ ଅଛନ୍ତି। ସମ୍ବାଦପତ୍ରରୁ ଜଣାପଡିଛି ଯେ ଗାନ୍ଧୀ ତାଙ୍କର ପାଞ୍ଚ କିମ୍ବା ଛଅ ଜଣ ପରିଚିତ ବ୍ୟକ୍ତିଙ୍କ ସହ ମେ ୨ ତାରିଖରେ ନାଇଟ୍ କ୍ଲବ୍ରେ ଥିଲେ। ଇଣ୍ଡିଆ ଟୁଡେ ଦ୍ୱାରା ନାଇଟ୍ କ୍ଲବକୁ କରାଯାଇଥିବା କଲରୁ ଜଣାପଡିଛି  ଯେ ସେମାନଙ୍କ ମଧ୍ୟରୁ କେହି ଚାଇନାର କୂଟନୀତିଜ୍ଞ ନୁହଁନ୍ତି।

ଏହି ମହିଳା ନିଶ୍ଚିତ ଭାବରେ ଚାଇନାର ଦୂତ ନୁହଁନ୍ତି। ସେ ବରର ଜଣେ ନେପାଳୀ ମହିଳା ବୋଲି ସେହି ପାର୍ଟିରେ ଯୋଗଦେଇଥିବା ଜଣେ ବରିଷ୍ଠ ସାମ୍ବାଦିକ କହିଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କଥାକୁ ଆଧାର କରି ଏହା ସ୍ପଷ୍ଟ ଯେ ଭାଇରାଲ ଭିଡିଓରେ ରାହୁଲ ଗାନ୍ଧୀଙ୍କୁ ଚୀନ୍ ରାଷ୍ଟ୍ରଦୂତଙ୍କ ସହ ପାର୍ଟି କରୁଥିବା ପ୍ରସଂଗ ମିଛ। ସେ ଉପସ୍ଥିତ ଥିବା ବିବାହରେ ବରର ଜଣେ ବନ୍ଧୁଙ୍କ ସହ କଥାବାର୍ତ୍ତା ହେଉଥିଲେ ବୋଲି ଇଣ୍ଡିଆ ଟୁଡେ ରିପୋର୍ଟ କରିଛି।

Categories
ଜାତୀୟ ଖବର ବିଶେଷ ଖବର

ନାଇଟ କ୍ଲବରେ ରାହୁଳ ଗାନ୍ଧୀଙ୍କ ଏକ ଭିଡିଓକୁ ନେଇ ବିଜେପିର ତୁମ୍ବିତୋଫାନ, କଂଗ୍ରେସର ଜବାବ

ନୂଆଦିଲ୍ଲୀ: କାଠମାଣ୍ଡୁର ଏକ ନାଇଟ୍ କ୍ଲବରେ ରାହୁଲ ଗାନ୍ଧୀଙ୍କ ପାର୍ଟିର ଏକ ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ରାହୁଳ ଗାନ୍ଧୀ ଏକ କ୍ଲବରେ ଛିଡା ହୋଇ ମୋବାଇଲ ଦେଖୁଥିବାର ଦେଖାଯାଇଛି। ତାଙ୍କ ପାଖରେ ଜଣେ ଯୁବତୀ ମଧ୍ୟ ରହିଛନ୍ତି। ସେ ସେହି ଯୁବତୀ ସହିତ କଥାବାର୍ତ୍ତା ମଧ୍ୟ ହେଉଛନ୍ତି।

ଏହି ଭିଡିଓଟି ବିଜେପି ମୁଖପାତ୍ର ଅମିତ ମାଲବୀୟ ତାଙ୍କ ଟୁଇଟରରେ ଦେବା ପରେ ତାହା ଭାଇରାଲ ହେବାରେ ଲାଗିଛି। ଅମିତ ମାଲବ୍ୟ ତାଙ୍କ ଟୁଇଟରେ ଉଲ୍ଲେଖ କରିଛନ୍ତି ଯେ, କଂଗ୍ରେସ ଯେତେବେଳେ ଦେଶରେ ବିପଦପୂର୍ଣ୍ଣ ସ୍ଥିତିରେ ରହିଛି, ସେତେବେଳେ ତାହାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନେପାଳର ନାଇଟ କ୍ଲବରେ ରାତି ବିତାଉଛନ୍ତି। ମାଲବ୍ୟ ଏପରି ଉଲ୍ଲେଖ କରିବା ପରେ ଦଳୀୟ କର୍ମିମାନେ ତାହାକୁ ଭାଇରାଲ କରିବାରେ ଲାଗିଛନ୍ତି। ଏହା ଉପରେ ବିଭିନ୍ନ ଲୋକ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ ଦେବାରେ ଲାଗିଛନ୍ତି।

ବଡଖବର: ପ୍ରଧାନମନ୍ତ୍ରୀଙ୍କୁ ବର୍ଲିନରେ ଗେରୁଆ ପତାକାରେ ସ୍ବାଗତ କରିବା ନେଇ ବିବାଦ, ଅଧିକ ପଢିବା ପାଇଁ ଏହା ଉପରେ କ୍ଲିକ କରନ୍ତୁ

ତେବେ ଏହାକୁ ନେଇ କଂଗ୍ରେସ ତରଫରୁ ମଧ୍ୟ ସ୍ପଷ୍ଟିକରଣ ଦିଆଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ଭାଇରାଲ ଭିଡିଓ ବିଷୟରେ ପଚରାଯାଇଥିବା ବେଳେ କଂଗ୍ରେସର ସାଧାରଣ ସମ୍ପାଦକ ରଣଦୀପ ସୁରଜୱାଲା ସ୍ପଷ୍ଟ କରିଛନ୍ତି ଯେ ରାହୁଲ ଗାନ୍ଧୀ କାଠମାଣ୍ଡୁରେ ଏକ ବନ୍ଧୁଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିଲେ। ବିନା କାରଣରେ ବିଜେପି କଂଗ୍ରେସ ନେତାଙ୍କ ପଛରେ ପଡିବା ପରିବର୍ତ୍ତେ ମୁଦ୍ରାସ୍ପିତି ପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ସେ ବିଜେପିକୁ ପରାମର୍ଶ ଦେଇଛନ୍ତି।

ସେ ଆହୁରି କହିଛନ୍ତି ଯେ, “ରାହୁଲ ଗାନ୍ଧୀ ତାଙ୍କ ବନ୍ଧୁଙ୍କ ବିବାହ ଉତ୍ସବରେ ଯୋଗଦେବା ପାଇଁ କାଠମାଣ୍ଡୁ ଯାଇଥିଲେ। ସେ ସେଠାରେ ଏକ ବ୍ୟକ୍ତିଗତ ଗସ୍ତରେ ଯାଇଥିଲେ। ହେଲେ ଦେଶରେ ବିଦ୍ୟୁତ୍ ସଙ୍କଟ, ମୁଦ୍ରାସ୍ଫୀତି ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ସେମାନେ କାହିଁକି ଦେଉ ନାହାଁନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି। କିନ୍ତୁ ରାହୁଲ ଗାନ୍ଧୀଙ୍କ ପାଇଁ ସେମାନଙ୍କର ସବୁ ସମୟ ଅଛି ବୋଲି ସୁରଜେୱାଲା କହିଛନ୍ତି।

ସେ କହିଛନ୍ତି ଯେ, ରାହୁଳ ଗାନ୍ଧୀ ତାଙ୍କର ନେପାଳର ଜଣେ ବନ୍ଧୁଙ୍କ ବାହାଘର ଉତ୍ସବରେ ଯୋଗଦେବା ପାଇଁ ଯାଇଥିଲେ। ସେଠାରେ ସେ ବାହାଘର ପାର୍ଟିରେ ଯୋଗ ଦେଇଥିଲେ। ଏହି ବାହାଘର ତାଙ୍କର ନେପାଳର ଜଣେ ସାମ୍ବାଦିକ ବନ୍ଧୁଙ୍କର ବୋଲି କଂଗ୍ରେସ କହିଛି। ଜଣେ ବନ୍ଧୁଙ୍କ ବାହାଘର ଉତ୍ସବରେ ଯୋଗ ଦେବା କଣ ଭୁଲ ବୋଲି କଂଗ୍ରେସ ପ୍ରଶ୍ନ କରିଛି।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଏକ ଫଟୋ ଦେଖାଇ ସୁରଜୱାଲା ଆହୁରି କହିଛନ୍ତି, “ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରି ପାକିସ୍ତାନ ଗସ୍ତରେ ଯାଇ ନାହାଁନ୍ତି। ବିନା ନିମନ୍ତ୍ରଣରେ ସେ କାହାର ଜନ୍ମଦିନରେ ଯୋଗଦେଇ ନାହାଁନ୍ତି। ରାହୁଲ ଗାନ୍ଧୀ ଜଣେ ବନ୍ଧୁଙ୍କ ବ୍ୟକ୍ତିଗତ ବିବାହ କାର୍ଯ୍ୟରେ ଭାଗ ନେବାକୁ ନେପାଳକୁ ଯାଇଥିଲେ। ” ଏଥିରେ ସଂଘ ପ୍ରେମୀଙ୍କୁ କାହିଁକି ବାଧୁଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି।