Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଖାଉଟିଙ୍କ ପାଇଁ ଆଶ୍ବସ୍ତିକର ଖବର: କମିଲା ଖାଇବା ତେଲର ମୂଲ୍ୟ

ନୂଆଦିଲ୍ଲୀ: ଦେଶର ଖାଉଟିମାନଙ୍କୁ ସୁଲଭ ମୂଲ୍ୟରେ ଖାଇବା ତେଲ ଯୋଗାଇ ଦେବାକୁ ସରକାର ତେଲ ଉପରୁ ମୌଳିକ ଆମଦାନୀ ଶୁଳ୍କ ହ୍ରାସ କରିଛନ୍ତି। ଏହି ମର୍ମରେ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି (ନଂ.୩୯/୨୦୨୩) ୨୦୨୩ ଜୁନ ୧୪ତାରିଖରେ ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି ଅନୁସାରେ ରିଫାଇନ୍ ହୋଇଥିବା ସୋୟାବିନ୍ ତେଲ (ଏଚ୍ଏସ୍ କୋଡ-୧୫୦୭୯୦୧୦) ଓ ରିଫାଇନ ହୋଇଥିବା ସୂର୍ଯ୍ୟମୁଖୀ ତେଲ (ଏଚ୍ଏସ୍ କୋଡ ୧୫୧୨୧୯୧୦)ଉପରୁ ମୌଳିକ ଆମଦାନୀ ଶୁଳ୍କକୁ ୧୭.୫% ଶତାଂଶରୁ ୧୨. ୫ ଶତାଂଶକୁ ହ୍ରାସ କରାଯାଇଛି। ଏହି ଆଦେଶ ତତ୍କାଳ ଅର୍ଥାତ୍ ଆଜିଠାରୁ ଲାଗୁ ହୋଇଛି। ୨୦୨୪ ମାର୍ଚ୍ଚ ୩୧ ଯାଏ ଏହା ବଳବତ୍ତର ରହିବ।

ଘରୋଇ ବଜାରରେ ଖାଇବା ତେଲ ମୂଲ୍ୟକୁ ହ୍ରାସ କରିବାକୁ କେନ୍ଦ୍ର ସରକାର ପୂର୍ବରୁ ଯେଉଁ ସବୁ ନିଷ୍ପତ୍ତି ନେଇଥିଲେ ଏହି ଶୁଳ୍କ ହ୍ରାସ ତାହାକୁ ଆହୁରି ସୁଦୃଢ କରିବ। ମୌଳିକ ଆମଦାନୀ ଶୁଳ୍କ ଏପରି ଏକ ଟିକସ ଯାହା ଘରୋଇ ବଜାରରେ ଖାଇବା ତେଲ ମୂଲ୍ୟକୁ ମହଙ୍ଗା କରେ। ଫଳରେ ଖାଉଟିଙ୍କୁ ଅଧିକ ଅର୍ଥ ଦେଇ ଖାଇବା ତେଲ କିଣିବାକୁ ହୋଇଥାଏ। ରିଫାଇନଡ୍ ସୋୟାବିନ୍ ଓ ସୂର୍ଯ୍ୟମୁଖୀ ତେଲର ଆମଦାନୀ ଉପରୁ ମୌଳିକ ଆମଦାନୀ ଶୁଳ୍କ ହ୍ରାସ ହେବା ଫଳରେ ଘରୋଇ ବଜାରରେ ଏହି ଦୁଇ ତେଲର ଖୁଚୁରା ମୂଲ୍ୟ କମିବ। ଏହା ଫଳରେ ଖାଉଟି ଉପକୃତ ହେବେ।

ସୂଚନାଯୋଗ୍ୟ ଯେ, ରିଫାଇନ୍ ହୋଇଥିବା ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲ ଉପରୁ ସରକାର ଏହା ପୂର୍ବରୁ ୨୦୨୧ ଅକ୍ଟୋବରରେ ମୌଳିକ ଆମଦାନୀ ଶୁଳ୍କ ୩୨.୫ ଶତାଂଶରୁ ୧୭.୫ ଶତାଂଶକୁ ହ୍ରାସ କରିଥିଲେ। ସେତେବେଳେ ଏହି ଦୁଇ ତେଲର ଆର୍ନ୍ତଜାତିକ ମୂଲ୍ୟ ଅତି ଅଧିକ ଥିବାରୁ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଥିଲେ। ସେତେବେଳେ ଉଚ୍ଚା ମୌଳିକ ଆମଦାନୀ ଶୁଳ୍ପ ଯୋଗୁଁ ଘରେଇ ବଜାରରେ ଏହି ତେଲର ଦାମ ବହୁ ଅଧିକ ଥିଲା।

ଦେଶରେ ଖାଇବା ତେଲର ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ପାଇଁ କେନ୍ଦ୍ର ଖାଉଟି କଲ୍ୟାଣ, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଓ ଏହାର ବିଭାଗ ସବୁ ତୀକ୍ଷ୍ଣ ନଜର ରଖିଛି। ଖାଇବା ତେଲର ମୂଲ୍ୟକୁ ନିୟମିତଭାବେ ଅନୁଧ୍ୟାନ କରାଯାଇ ଆବଶ୍ୟକ ସ୍ଥଳେ ହସ୍ତକ୍ଷେପ ମାଧ୍ୟମରେ ଏହାର ମୂଲ୍ୟକୁ ସ୍ଥିର ରଖିବାକୁ ଉଦ୍ୟମ କରାଯାଉଛି। ଘରୋଇ ବଜାରରେ ଖାଇବା ତେଲର ଅଭାବ ଯେପରି ନ ରହେ ତା’ ଉପରେ ମଧ୍ୟ କେନ୍ଦ୍ର ସରକାର ବିଶେଷ ଧ୍ୟାନ ରଖିଛନ୍ତି।