Categories
ବିଶେଷ ଖବର ରାଜ୍ୟ ଖବର

ରେଙ୍ଗାଲୀ ଜଳସେଚନ ପ୍ରକଳ୍ପ ଅଗ୍ରଗତି ସଂପର୍କରେ ଉନ୍ନୟନ କମିଶନରଙ୍କ ସମୀକ୍ଷା

ଭୁବନେଶ୍ବର: ରେଙ୍ଗାଲୀ ଦକ୍ଷିଣ ପାର୍ଶ୍ୱ କେନାଲ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରିତା ଅଗ୍ରଗତି ସଂପର୍କରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳ ସଂପଦ ବିଭାଗ  ଶ୍ରୀମତୀ ଅନୁ ଗର୍ଗ ଆଜି ଅପରାହ୍ନରେ ରାଜୀବ ଭବନ ସ୍ଥିତ ଜଳସଂପଦ ବିଭାଗ ସମ୍ମିଳନୀ କକ୍ଷରେ ସମୀକ୍ଷା କରିଛନ୍ତି।

ନିର୍ମାଣାଧିନ ରେଙ୍ଗାଲୀ  ଦକ୍ଷିଣ ପାର୍ଶ୍ୱ  ଜଳସେଚନ ପ୍ରକଳ୍ପ କିପରି ଶୀଘ୍ର ସଂପୂର୍ଣ୍ଣ କରାଯାଇ ଏହାଦ୍ୱାରା ଅଧିକରୁ ଅଧିକ ଚାଷୀ ଉପକୃତ ହେବେ, ସେ ସଂପର୍କରେ ଏକ ସମୀକ୍ଷା ବୈଠକ କରି ରହିଥିବା ସମସ୍ୟାର ସମାଧାନ କରିବାକୁ ରାଜ୍ୟ କୃଷି ଓ କୃଷକ ସଶକ୍ତକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ  ବିଭାଗ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ପରାମର୍ଶ ଦେଇଥିଲେ।

ଅନୁଷ୍ଠିତ ବୈଠକରେ ଜଳସଂପଦ ବିଭାଗ ସର୍ବୋଚ୍ଚ ମନ୍ତ୍ରୀ, ରେଙ୍ଗାଲୀ ଜଳସେଚନ ପ୍ରକଳ୍ପ ମୁଖ୍ୟ ଯନ୍ତ୍ରୀ, ଆଠଗଡ଼ ଉପଜିଲ୍ଲାପାଳ, ବିଭାଗୀୟ ବରିଷ୍ଠ ଅଧିକାରୀ ଓ ସଂପୃକ୍ତ  ଅନ୍ୟ ଯନ୍ତ୍ରୀମାନଙ୍କ ଉପସ୍ଥିତିରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ,  ନିର୍ମାଣାଧିନ ପ୍ରକଳ୍ପ କେତେ ଶେଷ ହୋଇଛି, ଅବଶିଷ୍ଟ କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ  କ’ଣ ସବୁ  ସମସ୍ୟା ରହିଛି, ସେ ସଂପର୍କରେ  ପୁଙ୍ଖାନୁପୁଙ୍ଖ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ପାଇଁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ।

ବୈଠକରୁ ଜଣାଯାଇଛି ଯେ, ଅନୁଗୋଳ ଜିଲ୍ଲାର ସମଲ ବ୍ୟାରେଜ୍‌ରୁ ବାହାରିଥିବା ରେଙ୍ଗାଲୀ ଦକ୍ଷିଣ ପାର୍ଶ୍ୱ କେନାଲରୁ ଗୋନ୍ଦିଆ, ଦର୍ପଣ, ନରସିଂହପୁର ଓ ଆଠଗଡ଼ ଶାଖା କେନାଲ୍  ସୃଷ୍ଟି ହୋଇଛି। ଏହାଦ୍ୱାରା  ଅନୁଗୋଳ, ଢ଼େଙ୍କାନାଳ, କଟକ, ଯାଜପୁର ଆଦି  ୪ଟି ଜିଲ୍ଲାର ୧୪ ବ୍ଲକରେ ମୋଟ ୮୪,୪୦୬ ହେକ୍ଟର ଚାଷ ଉପଯୋଗୀ ସେଚାଂଚଳକୁ କେନାଲ ଯୋଗେ ଜଳ ପ୍ରବାହ ଲକ୍ଷ୍ୟ ରହିଥିବା ବେଳେ ଏହି ସବୁ ଅଂଚଳରେ ୧୯,୬୮୬ ହେକ୍ଟରକୁ ଉଠାଜଳସେଚନ ମାଧ୍ୟମରେ ଜଳସେଚନ ଲକ୍ଷ୍ୟ ରହିଛି।

ରେଙ୍ଗାଲୀ ଦକ୍ଷିଣ ପାର୍ଶ୍ୱ ଜଳସେଚନ ପ୍ରକଳ୍ପ ମୁଖ୍ୟ କେନାଲର ଦୈର୍ଘ୍ୟ ୯୫.୦୪ କି.ମି. ହୋଇଥିବା ବେଳେ ଏହାର ନିର୍ମାଣ  କାର୍ଯ୍ୟ ସରିଛି। ଏହାର ଶାଖା କେନାଲଗୁଡିକର  ମୋଟ ଦୈର୍ଘ୍ୟ ୧୯୬.୬୬ କି.ମି ହୋଇଥିବା ବେଳେ ସେଥିରୁ ୧୩୬.୮୮ କି.ମିର ଖନନ କାର୍ଯ୍ୟ ସରିଛି। ଅବଶିଷ୍ଟ କେନାଲ ଖନନ ପାଇଁ ତ୍ୱରିତ ପଦକ୍ଷେପ ନିମନ୍ତେ ବୈଠକରେ ଆଲୋଚନା କରାଯାଇଥିଲା।

ଜଳସେଚନ ଉପଯୋଗୀ ସେଚାଞ୍ଚଳ ମଧ୍ୟରୁ  ପୂର୍ବରୁ କେନାଲ ଯୋଗେ ୧୭,୬୦୬ ହେକ୍ଟର ସେଚ ସାମର୍ଥ୍ୟ ସୃଷ୍ଟି କରାଯାଇଥିବା ବେଳେ ଆଗାମୀ ଡିସେମ୍ବର ସୁଦ୍ଧା ଆଉ ୧୦,୦୦୦ ହେକ୍ଟର ଓ ମାର୍ଚ୍ଚ ମାସ ସୁଦ୍ଧା ଆଉ ୧୬,୩୩୪ ଏହିପରି ଏହି ମୋଟ ୪୩,୯୪୦ ହେକ୍ଟର ସେଚାଂଚଳକୁ ସେଚ ସାମର୍ଥ ସୃଷ୍ଟି ଲକ୍ଷ୍ୟ ଧାର୍ଯ୍ୟ ରହିଛି।

ନିର୍ମାଣାଧିନ ଅବଶିଷ୍ଟ ଅଂଶରୁ କେତେକ କ୍ଷେତ୍ରରେ ଜମି ଅଧଗ୍ରହଣରେ ବିଳମ୍ବ ଘଟିଥିବା ଓ ପରିବେଶ ମଞ୍ଜୁରୀ ଜନିତ ସମସ୍ୟା ରହିଛି। ସେ ସବୁ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯାଇ ନିର୍ମାଣାଧିନ କେନାଲ କାର୍ଯ୍ୟକୁ ସଂପୂର୍ଣ୍ଣ କରାଯିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ପରିସଂଖ୍ୟାନ ଅନୁଯାୟୀ ମୋଟ କେନାଲ ଦୈର୍ଘ୍ୟର  ୮୦.୩୭% ଜମି ଅଧିଗ୍ରହଣ ପୂର୍ବକ ଖନନ କାର୍ଯ୍ୟ କରାଯାଇଥିବା ବେଳେ ବେଳେ ସ୍ଥାନୀୟ  ସମସ୍ୟା ରହିଥିବା ୮.୪୬ ପ୍ରତିଶତ କାର୍ଯ୍ୟ ସମାଧାନ କରାଯାଇ  କରାଯିବ।

ସେହିପରି ୧୧.୧୭% ସଂରକ୍ଷିତ ଜଙ୍ଗଲ ଓ ଜଙ୍ଗଲ ମଂଜୁର ଅର୍ନ୍ତଭୁକ୍ତ ରହିଥିବେ ବେଳେ ସେଥିରୁ  ୮୭୪.୫୯୫୭ ହେକ୍ଟର ଷ୍ଟେଜ୍-୨  ଜଙ୍ଗଲ ଜମି ମଂଜୁରୀ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ତରଫରୁ ମିଳିସାରିଛି । ଅବଶିଷ୍ଟ ୨୫୧.୧୭ ହେକ୍ଟର ଜଙ୍ଗଲ ଜମି ପରିବେଶ ଅନୁମୋଦନ ପାଇଁ ପକ୍ରିୟା ଜାରି ରହିଛି।

କ୍ଷତିପୂରଣ ବନୀକରଣ (କମ୍ପେନେସେଟୋରୀ ଆଫରେଷ୍ଟେସନ) ଜରିଆରେ ଏହି ସମସ୍ୟାର ସମାଧାନ କରାଯାଇ ପରିବେଶ ମଂଜୁରୀ ନିମନ୍ତେ ପଦକ୍ଷେପ ନିଆଯାଇଛି। କଟକ ଜିଲ୍ଲାରେ ଜମି ଅଧିଗ୍ରହଣ ସମସ୍ୟା ରହିଥିବା ପ୍ରସଙ୍ଗରେ କଟକ ଜିଲ୍ଲାପାଳଙ୍କୁ ସମସ୍ୟାର ଅନୁଧ୍ୟାନ କରି ଉଚିତ ପଦକ୍ଷେପ ନେବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି ।

ଅନୁଗୋଳ ଜିଲ୍ଲାର ଶତ ପ୍ରତିଶତ, ଢେଙ୍କାନାଳ ଜିଲ୍ଲାର ୫୮%, କଟକ ଜିଲ୍ଲାର ୧୭% ସେଚାଂଚଳରେ ସେଚ ସାମର୍ଥ ସୃଷ୍ଟି କରାଯାଇଥିବା ବେଳେ କେତେକ ଅଂଚଳକୁ ପରୀକ୍ଷାମୂଳକ ଭାବେ  ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି। ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ କାର୍ଯ୍ୟ କରି ରେଙ୍ଗାଲୀ ଦକ୍ଷିଣ ପାର୍ଶ୍ୱ ଜଳସେଚନ କେନାଲ ଯୋଗେ ସେଚ ସୁବିଧା ଯୋଗାଇବା ସଂପର୍କରେ ଆଲୋଚନା ପୂର୍ବକ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ।