Categories
ଆଜିର ଖବର ରାଜ୍ୟ ଖବର

ରେଳପଥର ପ୍ରେରଣାପ୍ରଦ ମହିଳାଙ୍କୁ ପୂର୍ବତଟ ରେଳପଥ ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ଵର: ଆଜି ରେଳ ଅଡିଟୋରିୟମ ଠାରେ ପୂର୍ବତଟ ରେଳପଥ ଏବଂ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ର ମିଳିତ ସହଯୋଗରେ ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୩ ପାଳନ କରାଯାଇଥିଲା।

ଏହି ଅବସରରେ ଯୋଗଦାନ କରି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ରେଳବାଇ ମହିଳାମାନଙ୍କୁ ସେମାନଙ୍କର କର୍ତ୍ତବ୍ୟ ପାଳନ କରିବା ସମୟରେ ଆନ୍ତରିକତା ଏବଂ ନିଷ୍ଠା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ମହାପ୍ରବନ୍ଧକ ଏହି ଅବସରରେ ଦକ୍ଷ ମହିଳା କର୍ମଚାରୀଙ୍କୁ ମଧ୍ୟ ପ୍ରଶଂସା କରିଥିଲେ ଯେଉଁମାନେ କେବଳ ରେଳବାଇ ନୁହେଁ ଦେଶ ପାଇଁ ମଧ୍ୟ ଗୌରବ ଆଣିପାରିଛନ୍ତି। ଶ୍ରୀ ଶର୍ମା ଆହୁରି କହିଛନ୍ତି ଯେ, ଆମର ମୂଲ୍ୟବାନ ଯାତ୍ରୀମାନଙ୍କ ସୁରକ୍ଷା ଏବଂ ନିରାପତ୍ତା ପାଇଁ କଠିନ ପରିଶ୍ରମ କରୁଥିବା ଆମର ମହିଳା ଲୋକୋ ପାଇଲଟ, ଆସିଷ୍ଟାଣ୍ଟ ଲୋକୋ ପାଇଲଟ, ଗାର୍ଡ, ଟ୍ରାକମ୍ୟାନ୍ ଙ୍କ ସହିତ ସାଙ୍କେତିକ ଓ ଦୂରସଂଚାର ମହିଳା କର୍ମଚାରୀ, ସ୍ୱାସ୍ଥ୍ୟ କ୍ଷେତ୍ରରେ କର୍ତବ୍ୟରତ ମହିଳ କର୍ମଚାରୀ ଓ ରେଳବାଇ ସୁରକ୍ଷା ବଳ ମହିଳା କର୍ମଚାରୀମାନେ ମଧ୍ୟ ଏହି ରେଳବାଇକୁ ସର୍ବୋଚ୍ଚ ସ୍ତରକୁ ଆଣିବା ପାଇଁ କଠିନ ପରିଶ୍ରମ କରୁଛନ୍ତି।

ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୩ ଅବସରରେ ଉପସ୍ଥିତ ରେଳବାଇ ମହିଳା କର୍ମଚାରୀ ଓ ସେମାନଙ୍କର ପରିବାର ବର୍ଗଙ୍କୁ ସମ୍ବୋଧିତ କରି ଇକୋରୋ ସଭାପତି ଦିବ୍ୟା ଶର୍ମା କହିଛନ୍ତି ଯେ ମହିଳାମାନେ ପ୍ରଗତିର ପ୍ରତୀକ ! ମହିଳା ସଶକ୍ତିକରଣ ରାଷ୍ଟ୍ର ବିକାଶକୁ ସହାୟତା କରିବା ସହିତ ସଭ୍ୟତାକୁ ଅଗ୍ରଗତି କରିବାକୁ ଆଗେଇ ନେଇଥାଏ। ଶ୍ରୀମତୀ ଶର୍ମା ମଧ୍ୟ ପ୍ରତ୍ୟେକ ମହିଳା ଏବଂ ନାରୀତ୍ୱର ଅଦମ୍ୟ ଆତ୍ମାକୁ ପ୍ରଶଂସା କରିଥିଲେ।

ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପୂର୍ବତଟ ରେଳପଥ କେନ୍ଦ୍ରୀୟ ଚିକିତ୍ସାଳୟର ବରିଷ୍ଠ ପରାମର୍ଶଦାତା ଡଃ ଶ୍ରୀମତୀ ଅରୁନ୍ଧତୀ ସେନାପତି କହିଛନ୍ତି ଯେ ବିତ୍ପାତ ଓ ମହାମାରୀ ସମୟରେ ରେଳପଥ ମହିଳା କର୍ମଚାରୀମାନଙ୍କ ଉଲ୍ଲେଖନୀୟ ଓ ଉତ୍ସର୍ଗୀକୃତ ସେବା ଅତି ପ୍ରଶଂସନୀୟ। ସେ ମଧ୍ୟ ମହିଳା ମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ବିଶେଷ ଭାବରେ ରୋଗ ଚିହ୍ନଟ ଏବଂ ଏହାର ନିରାକରଣ ବିଷୟରେ ଆଲୋକପାତ କରିଥିଲେ।

ମହାପ୍ରବନ୍ଧକ ଶ୍ରୀ ଶର୍ମା ଏବଂ ଇକୋରୋ ସଭାପତି ଦିବ୍ୟା ଶର୍ମା ମଧ୍ୟ ଏହି ଅବସରରେ ୫୦ ଜଣ ରେଳବାଇ ମହିଳାଙ୍କୁ ସେମାନଙ୍କର କର୍ତ୍ତବ୍ୟ ପାଳନ କରିବା ସମୟରେ ଆନ୍ତରିକତା ଏବଂ ନିଷ୍ଠାପର ସେବା ସହିତ ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୩ ପାଳନ ପାଇଁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପୁରସ୍କୃତ କରାଯାଇଥିଲା। ରେଳବାଇର ମହିଳା କର୍ମଚାରୀ ମାନଙ୍କ ଦ୍ୱାରା ମହିଳା ସଶକ୍ତିକରଣ ସମ୍ବନ୍ଧରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା।

ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବଙ୍କ ସହିତ ବରିଷ୍ଠ ରେଳବାଇ ଅଧିକାରୀମାନେ ମଧ୍ୟ ଏହି ଅବସରରେ ଯୋଗଦାନ କରିଥିଲେ। ପୂର୍ବ ତଟ ରେଳପଥର ପ୍ରମୁଖ କାର୍ମିକ ଅଧିକାରୀ ତୁଷାର କାନ୍ତୀ ମଣ୍ଡଳ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ଉପମୁଖ୍ୟ କାର୍ମିକ ଅଧିକାରୀ ପ୍ରଖର ଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ।  ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୩ ପାଳନ ମଧ୍ୟ ପୂର୍ବତଟ ରେଳପଥର ସମସ୍ତ ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ୍, ୱାଲଟିୟର ଏବଂ ସମ୍ବଲପୁର ଠାରେ ପାଳନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

କାର୍ଯ୍ୟ ଦକ୍ଷତା ପାଇଁ ୨୮୫ କର୍ମଚାରୀଙ୍କୁ ସମ୍ମାନିତ କରିବ ପୂର୍ବତଟ ରେଳପଥ

ଭୁବନେଶ୍ବର: ପୂର୍ବ ତଟ ରେଳପଥ ଆଜି ଅପରାହ୍ନରେ ୨୮୫ ରେଳ କର୍ମଚାରୀଙ୍କୁ ସେମାନଙ୍କର ଅତ୍ସର୍ଗିକୃତ ସେବା, ପ୍ରଗତିଶୀଳ ମନୋଭାବ ସହ ସେମାନଙ୍କ କର୍ତ୍ତବ୍ୟ ପ୍ରତି ନିଷ୍ଠା ଏବଂ କାର୍ଯ୍ୟ ଦକ୍ଷତା ପାଇଁ ଭୁବନେଶ୍ୱରର ରେଳ ଅଡିଟୋରିୟମରେ ଆୟୋଜିତ ହେବାକୁ ଥିବା ୬୭ ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବରେ ସମ୍ମାନିତ କରିବ।

ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ଏହି ଉତ୍ସବରେ ଯୋଗଦେଇ ଦକ୍ଷ କର୍ମଚାରୀମାନଙ୍କୁ ସମ୍ମାନିତ କରିବେ। ବ୍ୟକ୍ତିଗତ ପୁରସ୍କାର ବ୍ୟତୀତ, ଶ୍ରେଷ୍ଠ ମେଜର୍ କ୍ଲିନ୍ ଷ୍ଟେସନ୍, ଶ୍ରେଷ୍ଠ ମାଇନର୍ କ୍ଲିନ୍ ଷ୍ଟେସନ୍, ସାମଗ୍ରିକ ଦକ୍ଷତା, ବୈଦ୍ୟୁତିକ ଅଣ ଟ୍ରାକ୍ସନ୍ ଶକ୍ତି ପରିଚାଳନା, ପରିବେଶ ଏବଂ ହାଉସ କିପିଙ୍ଗ ପରିଚାଳନା, ସର୍ଭେ ଏବଂ ନିର୍ମାଣ, ସ୍କ୍ରାପ୍ ନିଷ୍କାସନ, ଷ୍ଟୋର ଏବଂ କୋଚିଂ ଡିପୋ, ବାଣିଜ୍ୟିକ, ଅପରେଟିଂ, ସୁରକ୍ଷା, ନିରାପତ୍ତା, ୱାଗନ୍ ରକ୍ଷଣାବେକ୍ଷଣ, ସିଭିଲ୍ ଇଞ୍ଜିନିୟରିଂ, ଇଲେକ୍ଟ୍ରିକାଲ୍ ଟ୍ରାକ୍ସନ୍, ଫାଇନାନ୍ସ, ସିଗନାଲ୍ ଆଣ୍ଡ ଟେଲିକମ୍, ରାଜଭାଷା, କ୍ରୀଡା, ମେକାନିକାଲ୍, କାର୍ମୀକ ଏବଂ ଆଇନ ସମ୍ବନ୍ଧୀୟ କାର୍ଯ୍ୟଦକ୍ଷତା କ୍ଷେତ୍ରରେ ପୂର୍ବତଟ ରେଳପଥର ବିଭିନ୍ନ ରେଳବାଇ ୟୁନିଟ ଗୁଡିକୁ ପୁରସ୍କୃତ କରାଯିବ।

ପୂର୍ବତଟ ରେଳପଥର ସମସ୍ତ ତିନିଟି ରେଳମଣ୍ଡଳ ଯଥା ୱାଲଟିୟର, ଖୋର୍ଦ୍ଧା ରୋଡ଼ ଓ ସମ୍ବଲପୁର ସହିତ ସଵାରୀ ଡବା ମରାମତି କାରଖାନା ଏବଂ ଭୁବନେଶ୍ୱରସ୍ଥ ମୁଖ୍ୟାଳୟର କୃତି କର୍ମଚାରୀ ମାନେ ଏହି ବାର୍ଷିକ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

Categories
ଜାତୀୟ ଖବର ବିଶେଷ ଖବର

ଆଜି ଭୁବନେଶ୍ବରରେ କେନ୍ଦ୍ର ସରକାର ପାଳନ କରିବେ ବିଶ୍ବ ମତ୍ସ୍ୟପାଳନ ଦିବସ, ଯୋଗଦେବେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ଭାରତ ସରକାରଙ୍କ ମତ୍ସ୍ୟପାଳନ, ପଶୁପାଳନ ଏବଂ ଡାଏରୀ ମନ୍ତ୍ରଣାଳୟ ଅଧୀନ ମତ୍ସ୍ୟପାଳନ ବିଭାଗ ଏବଂ ଜାତୀୟ ମତ୍ସ୍ୟ ପାଳନ ବିକାଶ ବୋର୍ଡ ପକ୍ଷରୁ ଆଜି ଭୁବନେଶ୍ୱରର ମଞ୍ଚେଶ୍ୱରସ୍ଥିତ ରେଳ ଅଡିଟୋରିୟମରେ ‘ବିଶ୍ୱ ମତ୍ସ୍ୟପାଳନ ଦିବସ’ ସମାରୋହ ପାଳନ କରାଯିବ। ମାନ୍ୟବର କେନ୍ଦ୍ର ମତ୍ସ୍ୟପାଳନ, ପଶୁପାଳନ ଏବଂ ଡାଏରୀ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା, କେନ୍ଦ୍ର ମତ୍ସ୍ୟପାଳନ, ପଶୁପାଳନ ଏବଂ ଡାଏରୀ ରାଷ୍ଟ୍ର ମନ୍ତ୍ରୀ ଡ. ଏଲ ମୁରୁଗାନ, ମତ୍ସ୍ୟପାଳନ ସଚିବ ଜତିନ୍ଦ୍ର ନାଥ ସ୍ୱାଇଁ, ଏନଏଫଡିବିର ମୁଖ୍ୟ କାର୍ଯ୍ୟନିର୍ବାହୀ ଡକ୍ଟର ସି ସୁବର୍ଣ୍ଣା, ଭାରତ ସରକାରଙ୍କ ମତ୍ସ୍ୟପାଳନ ବିଭାଗ ଯୁଗ୍ମ ସଚିବ ସାଗର ମେହେରା, ଓଡ଼ିଶା ସରକାରଙ୍କ ମତ୍ସ୍ୟପାଳନ ବିଭାଗ କମିଶନର ତଥା ସଚିବ ଆର. ରଘୁ ପ୍ରସାଦ ପ୍ରମୁଖ ଏହି ସମାରୋହରେ ଯୋଗ ଦେବେ।

ଓଡ଼ିଶା ସରକାରଙ୍କ ସମେତ ଅନ୍ୟ ରାଜ୍ୟର ମତ୍ସ୍ୟପାଳନ ବିଭାଗର ବରିଷ୍ଠ ଅଧିକାରୀ, ଅନ୍ୟ ସମ୍ପୃକ୍ତ ବିଭାଗ/ମନ୍ତ୍ରଣାଳୟର ଅଧିକାରୀ, ଦେଶର ବିଭିନ୍ନ ସ୍ଥାନରୁ ମତ୍ସ୍ୟ ଚାଷୀ, ମତ୍ସ୍ୟଜୀବୀ, ଉଦ୍ୟୋଗୀ, ଅଂଶୀଦାର, ପେସାଦାର, ଅଧିକାରୀ ଏବଂ ବୈଜ୍ଞାନିକମାନେ ଏହି କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ।

ଏହି କାର୍ଯ୍ୟକ୍ରମ ଅବସରରେ ଦ୍ୱିତୀୟ ଥର ପାଇଁ ମତ୍ସ୍ୟପାଳନ କ୍ଷେତ୍ରରେ ଭାରତ ସରକାର ୨୦୨୦-୨୦୨୧ ବର୍ଷ ପାଇଁ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟମାନଙ୍କୁ ପୁରସ୍କୃତ କରିବେ। ଅନ୍ତର୍ଦେଶୀୟ, ସାମୁଦ୍ରିକ, ପାର୍ବତ୍ୟ ଏବଂ ଉତ୍ତର-ପୂର୍ବାଞ୍ଚଳ କ୍ଷେତ୍ର ବର୍ଗରେ ରାଜ୍ୟ, ଜିଲ୍ଲା ଓ ଅର୍ଦ୍ଧସରକାରୀ ସଂଗଠନମାନଙ୍କୁ ପୁରସ୍କୃତ କରାଯିବ। ସେହିପରି ଏହିସବୁ ବର୍ଗରେ ମତ୍ସ୍ୟ ଚାଷୀ, ଶ୍ରେଷ୍ଠ ହାଚେରୀ, ଶ୍ରେଷ୍ଠ ମତ୍ସ୍ୟପାଳନ ଉଦ୍ୟୋଗୀ, ଶ୍ରେଷ୍ଠ ମତ୍ସ୍ୟପାଳନ ସମବାୟ ସମିତି/ଏଫପିଓ, ଏଚଏଚଜି, ଶ୍ରେଷ୍ଠ ବ୍ୟକ୍ତିଗତ ଉଦ୍ୟୋଗୀ, ଶ୍ରେଷ୍ଠ ଅଭିନବ ଉପାୟ/ପ୍ରଯୁକ୍ତି/ଇନଫ୍ୟୁଜନ ଆଦିକୁ ମଧ୍ୟ ପୁରସ୍କୃତ କରାଯିବ।

ଏହି କାର୍ଯ୍ୟକ୍ରମ ଅବସରରେ ଅପରାହ୍ଣରେ ଏକ ବୈଷୟିକ ଅଧିବେଶନ ମଧ୍ୟ ଆୟୋଜନ କରାଯିବ ଯେଉଁଥିରେ ଆଇସିଏଆର-ସିଫାର ବୈଜ୍ଞାନିକମାନେ ମଧ୍ୟ ଅଂଶଗ୍ରହଣ କରିବେ। ଏ ସମସ୍ତ କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାରପ୍ରସାର ଲାଗି ଲାଇଭ୍ ଟେଲିକାଷ୍ଟ କରାଯିବ।

ଭାରତ ସରକାର ନୀଳ ବିପ୍ଳବ ଜରିଆରେ ଆର୍ଥିକ କ୍ରାନ୍ତି ଆଣିବା ଲାଗି ମତ୍ସ୍ୟପାଳନ କ୍ଷେତ୍ରର ରୂପାନ୍ତରଣ ପାଇଁ ସରକାର ସକ୍ରିୟ ଭାବେ ପ୍ରୟାସ କରୁଛନ୍ତି। ଏହି କ୍ଷେତ୍ରରେ ଉତ୍ପାଦନ ଏବଂ ଉତ୍ପାଦକତା ବୃଦ୍ଧି, ଗୁଣବତ୍ତାରେ ସୁଧାର ଏବଂ ବର୍ଜ୍ୟ ହ୍ରାସ ଆଦି ଜରିଆରେ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି। ଏ କ୍ଷେତ୍ରରେ ରହିଥିବା ସମ୍ଭାବନାକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୨୦୨୦ରେ “ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା (ପିଏମଏମଏସୱାଇ) ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଯୋଜନା ମାଧ୍ୟମରେ ପାଞ୍ଚ ବର୍ଷର ଅବଧି ମଧ୍ୟରେ ୨୦,୦୫୦ କୋଟି ଟଙ୍କା ଖର୍ଚ୍ଚ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ପିଏମଏମଏସୱାଇ ମାଧ୍ୟମରେ ମତ୍ସ୍ୟ ଉତ୍ପାଦନକୁ ବର୍ତ୍ତମାନର ୧୫.୦ ଏମଏମଟିରୁ ୨୦୨୪-୨୫ ସୁଦ୍ଧା ୨୨ ଏମଏମଟି ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି ଲକ୍ଷ୍ୟ ରଖାଯାଇଛି ଯାହାକି ଏହି କ୍ଷେତ୍ରରେ ଅତିରିକ୍ତ ୫୫ ଲକ୍ଷ ଲୋକଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦେବ।

ସାରା ବିଶ୍ୱରେ ଥିବା ମତ୍ସ୍ୟଜୀବୀ, ମତ୍ସ୍ୟ ଚାଷୀ ଏବଂ ସମ୍ପୃକ୍ତ ଅଂଶୀଦାରମାନଙ୍କ ପ୍ରତି ସମର୍ଥନ ଯୋଗାଇ ଦେବା ଲାଗି ପ୍ରତିବର୍ଷ ନଭେମ୍ବର ୨୧ ତାରିଖରେ ବିଶ୍ୱ ମତ୍ସ୍ୟପାଳନ ଦିବସ ପାଳନ କରାଯାଇଥାଏ। ପ୍ରଥମ ଥର ପାଇଁ ୧୯୯୭ ମସିହାରେ ଏହା ଆରମ୍ଭ କରାଯାଇଥିଲା। ଏହି ସମୟରେ ନୂଆଦିଲ୍ଲୀ ଠାରେ “ମତ୍ସ୍ୟଚାଷୀ ଏବଂ ମତ୍ସ୍ୟଜୀବୀମାନଙ୍କର ବିଶ୍ୱ ମଞ୍ଚ”ର ବୈଠକ ଆୟୋଜନ କରାଯାଇଥିଲା। ଏଠାରେ ୧୮ଟି ଦେଶର ପ୍ରତିନିଧିମାନଙ୍କୁ ନେଇ “ବିଶ୍ୱ ମତ୍ସ୍ୟ ପାଳନ ମଞ୍ଚ” ଗଠନ କରାଯାଇଥିଲା। ସେମାନେ ଦୀର୍ଘସ୍ଥାୟୀ ମତ୍ସ୍ୟଚାଷ କାର୍ଯ୍ୟ ଏବଂ ନୀତି ସପକ୍ଷରେ ଏକ ଘୋଷଣାନାମାରେ ସ୍ୱାକ୍ଷର କରିଥିଲେ। ଅତିଶୟ ମାଛଧରା, ବାସସ୍ଥଳୀ ଧ୍ୱଂସ ଏବଂ ଆମ ସାମୁଦ୍ରିକ ଓ ମଧୁର ଜଳ ଉତ୍ସର ଦୀର୍ଘସ୍ଥାୟିତ୍ୱ ପ୍ରତି ଅନ୍ୟ ଗମ୍ଭୀର ବିପଦ ପ୍ରତି ଧ୍ୟାନ ଆକର୍ଷଣ କରିବା ହେଉଛି ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଦୀର୍ଘସ୍ଥାୟୀ ଭଣ୍ଡାର ଓ ସୁସ୍ଥ ପରିବେଶ ସୁନିଶ୍ଚିତ କରିବା ଲାଗି ବିଶ୍ୱ ମତ୍ସ୍ୟପାଳନ କ୍ଷେତ୍ରର ପରିଚାଳନାରେ ପରିବର୍ତ୍ତନ ଆଣିବା ଉପରେ ଗୁରୁତ୍ୱାରୋପ କରିବା ଏହି ଦିବସ ପାଳନର ଲକ୍ଷ୍ୟ।