Categories
ଆଜିର ଖବର ରାଜ୍ୟ ଖବର

ପୁଣି ରୋଗୀମୃତ୍ୟୁକୁ ନେଇ ଗୁରୁଦେବ ହସ୍‌ପିଟାଲ୍‌ରେ ତୁମୁଳକାଣ୍ଡ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତକିଛି ଦିନ ତଳେ ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ବ୍ରହ୍ମପୁରର ଗୁରୁଦେବ ହସ୍‌ପିଟାଲ୍ ଚର୍ଚ୍ଚାର ପରିସର ମଧ୍ୟରେ ରହି ହସ୍‌ପିଟାଲ୍‌ରେ ତାଲା ଝୁଲିଥିଲା ବର୍ତ୍ତମାନ ତାଲା ଖୋଲିବା ପରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ହସ୍‌ପିଟାଲ୍ ପରିସରରେ ତୁମୁଳକାଣ୍ଡ ହୋଇଛି।

ଗତକାଲି ଗୋଳନ୍ଥରା ଥାନ ଗୋବିନ୍ଦନଗରର ନବୀନ ସାହୁଙ୍କ ପତ୍ନୀ ସଂଗୀତା ସାହୁଙ୍କ ମୃତ୍ୟୁ ଘଟିଥିଲା। ମେଡ଼ିକାଲ୍‌ର ଦାୟିତ୍ୱହୀନତା ଯୋଗୁଁ ତାଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିଛି ବୋଲି ନବୀନ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। କ୍ଲିନିକ୍ କର୍ମଚାରୀମାନେ ସଂଗୀତାକୁ ଠିକ୍ ଭାବେ ଦେଖାଶୁଣା ନ କରିବା ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ଏତଲାରେ ଦର୍ଶାଯାଇଛି। ସଂପୃକ୍ତ ଡ଼ାକ୍ତର, କ୍ଲିନିକ୍ ମାଲିକ ଏବଂ କର୍ମଚାରୀଙ୍କ ନାମରେ ଏତଲା ଦିଆଯାଇଛି।

ସୂଚନାଯୋଗ୍ୟ ସଂଗୀତା ନିଜର ଶାରୀରିକ ସମସ୍ୟା ନେଇ ବ୍ରହ୍ମପୁର ସହରର ଜଣେ ବରିଷ୍ଠ ମହିଳା ଡ଼ାକ୍ତର ସହ ଯୋଗାଯୋଗ କରିବାରୁ ସେ ଗୁରୁଦେବ ହସ୍‌ପିଟାଲ୍‌ରେ ଭର୍ତ୍ତି ହେବାକୁ କହିଥିଲେ। ତାଙ୍କର ଅପରେସନ୍ ଜରୁରୀ ଥିବା କହି ଡ଼ାକ୍ତର ଆସିବା ପୂର୍ବରୁ ତାଙ୍କୁ ଅପରେସନ ଥିଏଟରକୁ ନିଆଯାଇଥିଲା। କିନ୍ତୁ ସଂଗେ ସଂଗେ ମେଡ଼ିକାଲ୍‌ର କର୍ମଚାରୀମାନେ କ’ଣ ଭୁଲ କଲେ ସଂଗୀତାଙ୍କ ଅବସ୍ଥା ଶୋଚନୀୟ ହେବା ସହ ତାଙ୍କୁ ଏମ୍‌କେସିଜିକୁ ରେଫେର କରିଦିଆଗଲା। କିନ୍ତୁ ସେଠାରେ ପହଞ୍ଚିଲା ବେଳେକୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ତେବେ ଆଜି ହସ୍‌ପିଟାଲ୍ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ କରି ବିଜେପିର କର୍ମୀଙ୍କ ସହ ରୋଗୀଙ୍କ ସଂପର୍କୀୟ ହସ୍‌ପିଟାଲ୍ ସାମ୍ନାରେ ମୃତଦେହ ରଖି ରାସ୍ତାରୋକ ସହ ପାଟିତୁଣ୍ଡ କରିଥିଲେ। ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ଗୁରୁଦେବ ମାଲିକଙ୍କୁ ଗିରଫ, ମେଡ଼ିକାଲକୁ ବନ୍ଦ କରିବା ସହ ଡ଼ାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ବିକ୍ଷୋଭ କରାଯାଇଥିଲା। ପରେ ମେଡ଼ିକାଲ୍ କର୍ମକର୍ତ୍ତା ପୋଲିସ୍ ଏବଂ ପରିବାର ଲୋକଙ୍କ ମଧ୍ୟରେ ଆଲୋଚନା ହେବା ଦ୍ୱାରା ପରିସ୍ଥିତି ଶାନ୍ତ ପଡ଼ିଥିଲା।

ତେବେ ଏଠାରେ ଗୋଟିଏ କଥା ସ୍ପଷ୍ଟ ଯେ ଗୁରୁଦେବ ହସ୍‌ପିଟାଲ୍ ନାମରେ ଏଭଳି ଗୁରୁତର ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ କାହିଁକି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟ କରିଛି। ଗୁରୁଦେବ ହସ୍‌ପିଟାଲ୍‌ର ସହ ପ୍ରଶାସନର ଥିବା ମଧୁଚନ୍ଦ୍ରିକା ଏଠି ସ୍ପଷ୍ଟ ବାରି ହୋଇ ପଡ଼ୁଛି। ଅନଭିଜ୍ଞ କର୍ମଚାରୀ ଏବଂ ଡ଼ାକ୍ତରଙ୍କ ଅବହେଳା ଯୋଗୁଁ ବାରମ୍ବାର ରୋଗୀ ମୃତ୍ୟୁ ଘଟୁଥିଲେ ମଧ୍ୟ ଏହି ମଣିଷ ମରା ମେଡ଼ିକାଲ୍‌କୁ ପ୍ରଶାସନ କିଭଳି ଖୋଲିବାକୁ ପୁଣିଥରେ ଅନୁମତି ଦେଲା ତାହା ସାଧାରଣରେ ଚର୍ଚ୍ଚା ହେଉଛି।