Categories
ଆଞ୍ଚଳିକ

ଶ୍ରୀ ଲିଙ୍ଗରାଜ ମନ୍ଦିର ନିକଟରେ ଭକ୍ତ ଓ କାଉଡିଆମାନଙ୍କ ପାଇଁ ଜଳପାନ ଶିବିର

ଭୁବନେଶ୍ୱର: ଶ୍ରୀ ଲିଙ୍ଗରାଜ ମନ୍ଦିର ପ୍ରାଙ୍ଗଣ ନିକଟରେ ଭକ୍ତ ଓ କାଉଡିଆମାନଙ୍କ ପାଇଁ ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ଏଲିଟ ପକ୍ଷରୁ ଜଳପାନ ଓ ଖାଦ୍ୟ ଶିବିର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅଧୀନରେ ରବିବାର ସନ୍ଧ୍ୟା ୭ଟା ଠାରୁ ଆରମ୍ଭ କରି ରାତି ସାରା ପ୍ରାୟ ୧୦୦୦ ରୁ ଅଧିକ ଭକ୍ତ ଓ କାଉଡିଆ ମାନଙ୍କୁ ଖାଦ୍ୟ ଓ ପାନୀୟ ଜଳ ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟରେ ରୋଟାରୀ ଇଣ୍ଟରନ୍ୟାସନାଲ ଡିଷ୍ଟ୍ରିକ୍ଟ ୩୨୬୨ ର ଗଭର୍ଣ୍ଣର ଜୟଶ୍ରୀ ମହାନ୍ତି, ପ୍ରଥମ ଜେଣ୍ଟେଲମ୍ୟାନ ତନ୍ମୟ ମହାନ୍ତି, ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଇଲେକ୍ଟ ଯଜ୍ଞାଶିଷ ମହାପାତ୍ର, ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ନୋମିନି ମନୋଜ କୁମାର ତ୍ରିପାଠୀଙ୍କ ସହ ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ଏଲିଟ ର ସଭାପତି ସୁବ୍ରତ କୁମାର ଦାସ, ସଚିବ ସୌରିନ୍ଦ୍ର ଦାଶ ଏବଂ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ ତଥା ଉତ୍ସାହିତ କରିଥିଲେ।

Categories
ଆଞ୍ଚଳିକ

ଚିଲିକା- ବାଲୁଗାଁ ରୋଟାରୀ କ୍ଲବର ଅଷ୍ଟମ ଅଧିଷ୍ଠାନ ଉତ୍ସବ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଚିଲିକା- ବାଲୁଗାଁ ରୋଟାରୀ କ୍ଲବର ଅଷ୍ଟମ ଅଧିଷ୍ଠାନ ଉତ୍ସବ ଆଜି ସ୍ଥାନୀୟ ଦିଗନ୍ତିକା ହୋଟେଲ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଭଗବତୀ କଳାନିକେତନର ଓଡିଶୀ ଗୁରୂ ହରପ୍ରିୟା ବାରିକଙ୍କ ସଂଯୋଜନାରେ ଶିକ୍ଷାର୍ଥୀ ସୁଶ୍ରୀ ବାରିକ, ଅର୍ପିତା ଦାସ ଓ କାବ୍ୟା କୁଞ୍ଜଲ ନାୟକ ଓଡିଶୀ ନୃତ୍ୟ ପରିବେଷଣ କରିବା ପରେ ରୋଟାରୀ କ୍ଲବର ବରିଷ୍ଠ ସଦସ୍ୟ ପଞ୍ଚାନନ ପ୍ରଧାନଙ୍କ ସଂଯୋଜନାରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।

ମୁଖ୍ୟ ଅତିଥି ତଥା ରୋଟାରୀ ଜିଲ୍ଲା ଗଭର୍ଣ୍ଣର ଜୟଶ୍ରୀ ମହାନ୍ତି, ମୁଖ୍ୟବକ୍ତା ତଥା ପୂର୍ବତନ ରୋଟାରୀ ଡିଜି ଶିବବ୍ରତ ଦାସ, ସମ୍ମାନିତ ଅତିଥି ତଥା ରୋଟାରୀ ଜିଲ୍ଲା ସେବା ପ୍ରକଳ୍ପ ଅଧ୍ୟକ୍ଷ ରୋଟାରୀଆନ ତନ୍ମୟ ମହାନ୍ତି ଯୋଗଦେଇ ପ୍ରଥମେ ଶ୍ରୀଜଗନ୍ନାଥଙ୍କ ଫଟୋରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉତ୍ସବ ଉଦଘାଟନ କରିଥିଲେ। ଏହାପରେ ଜାତୀୟ ସଂଗୀତ ଗାନ କରାଯିବା ପରେ ପ୍ରାକ୍ତନ ସଭାପତି ରୋଟାରୀଆନ ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ରୋଟାରୀ ବେଲ ବଜାଇ ଅନୁଷ୍ଠାନିକ ଭାବେ ଅଧିଷ୍ଠାନ ଦିବସ କାର୍ଯ୍ୟକ୍ରମ ଆରମ୍ଭ କରିବା ସହ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ।

ପ୍ରାକ୍ତନ ସମ୍ପାଦିକା ଭାରତୀ ପୁଷ୍ପା ସିଂ ରାଠୋର ଗତ ରୋଟାରୀ ବର୍ଷର କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ।

ଏହି ଅବସରରେ ପ୍ରାକ୍ତନ ସଭାପତି ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଚଳିତ ବର୍ଷ ସଭାପତି ଅକ୍ଷୟ କୁମାର ମହାପାତ୍ରଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ବେଳେ ପ୍ରାକ୍ତନ ସମ୍ପାଦିକା ଭାରତୀ ପୁଷ୍ପସିଂହ ରାଠୋର ଚଳିତ ବର୍ଷ ସମ୍ପାଦକ ତ୍ରିଲୋଚନ ବାରିକଙ୍କୁ ସମ୍ପାଦକୀୟ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ନୂତନ ରୋଟାରାକ୍ଟ ସଭାପତି ନିବେଦିତା ଜେନା ଓ ସମ୍ପାଦକ ଜ୍ୟୋତିର୍ମୟ ମଙ୍ଗରାଜ ମଧ୍ୟ ସେମାନଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିଥିଲେ। ଅନୁଷ୍ଠାନିକ ଭାବେ ଚଳିତ ବର୍ଷ ରୋଟାରୀଆନ ଅକ୍ଷୟ କୁମାର ମହାପାତ୍ର ସଭାପତି ଭାବେ ଓ ସମ୍ପାଦକ ଭାବେ ରୋଟାରୀଆନ ତ୍ରିଲୋଚନ ବାରିକ ଅଧିଷ୍ଠିତ ହେବା ପରେ ନିଜର ଅଭିଭାଷଣ ଓ ଆଗାମୀ ଦିନର ପ୍ରସ୍ତାବିତ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ।

ଏହାପରେ ପୂର୍ବତନ ସଭାପତି ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ଓ ସମ୍ପାଦିକା ଭାରତୀ ପୁଷ୍ପା ସିଂ ରାଠୋରଙ୍କୁ ମୁଖ୍ୟ ବକ୍ତା ଶିବବ୍ରତ ଦାସ ସମ୍ବର୍ଦ୍ଧିତ କରିଥିଲେ। ମୁଖ୍ୟ ଅତିଥି ରୋଟାରୀଆନ ଜୟଶ୍ରୀ ମହାନ୍ତି, ମୁଖ୍ୟବକ୍ତା ରୋଟାରୀଆନ ଶିବବ୍ରତ ଦାସ ଓ ସମ୍ମାନିତ ଅତିଥି ରୋଟାରୀଆନ ତନ୍ମୟ ମହାନ୍ତି ଅଭିଭାଷଣ ଦେଇ ଚଳିତ ବର୍ଷ ପରିବେଶ ସୁରକ୍ଷା, କମ୍ପ୍ୟୁଟର ଶିକ୍ଷା, ସ୍ୱାସ୍ଥ୍ୟ ସେବା ଓ ଦକ୍ଷତା ବିକାଶ ବିକାଶ କାର୍ଯ୍ୟକ୍ରମରେ ଯୁବକ ଯୁବତୀ ମାନଙ୍କୁ ସାମିଲ କରିବାର ପ୍ରକଳ୍ପ ହାତକୁ ନେଇ ନେବାକୁ ଅନୁରୋଧ କରିଥିଲେ।

ଏଥିସହ ଅଂଚଳର ବିକାଶ ପାଇଁ କ୍ଲବ ଯେଉଁ ପ୍ରକଳ୍ପ ପାଇଁ ଆବେଦନ କରିବ ତାହା ଡିଜି ଯୋଗାଇଦେବେ ବୋଲି ପ୍ରତିଶୃତି ଦେଇଥିଲେ।

ଏହି ଅବସରରେ ବିଶିଷ୍ଟ ସମାଜସେବୀ ସୁକାନ୍ତ ବିଶ୍ୱାଳଙ୍କୁ ରୋଟାରୀ କ୍ଲବ ପକ୍ଷରୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିବା ସହ ମୁଖ୍ୟ ଅତିଥି,ମୁଖ୍ୟ ବକ୍ତା,ଓ ସମ୍ମାନିତ ଅତିଥିଙ୍କୁ ନୂତନ ସଭାପତି ଅକ୍ଷୟ କୁମାର ମହାପାତ୍ର ଉପହାର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ଅଧିଷ୍ଠାନ ଦିବସର ବିଭିନ୍ନ କାର୍ଯ୍ୟକ୍ରମକୁ ପୂର୍ବତନ ସଭାପତି ସତ୍ୟନ୍ଦ୍ର ସ୍ୱାଇଁ, ନମିତା ଝା, ଗଜେନ୍ଦ୍ର ସେଠୀ, ରାଜକିଶୋର ପ୍ରଧାନ, ହେମନ୍ତ ସାହୁ, ଡକ୍ଟର ଅକ୍ଷୟ କୁମାର ମିଶ୍ର, ସବିତା ପାତ୍ର ପରିଚାଳନା କରିବା ବେଳେ ରୋଟାରୀଆନ ଡକ୍ଟର ମାନସ ମୋହନ ବଳିୟାରସିଂହ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରୋଟାରୀ କ୍ଲବ ଆଞ୍ଜେଲାର ଅଧିଷ୍ଠାନ ଉତ୍ସବ: ‘ସଡ଼କ ସୁରକ୍ଷା ଯୋଜନା’କୁ ମୁଖ୍ୟ ପ୍ରକଳ୍ପ ଭାବେ ଗ୍ରହଣ

ଭୁବନେଶ୍ୱର: ରୋଟାରୀ କ୍ଲବ ଭୁବନେଶ୍ୱର ‘ଆଞ୍ଜେଲା’ର ତୃତୀୟ ଅଧିଷ୍ଠାନ ଉତ୍ସବ ସ୍ଥାନୀୟ ରୋଟାରୀ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ସଭାପତି ଚୁମୁକୀ ଘୋଷାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରିଆନ ଜୟଶ୍ରୀ ମହାନ୍ତି, ମୁଖ୍ୟ ବକ୍ତା ଭାବେ ରୋଟାରିଆନ ଆଶୁତୋଷ ରଥ (ଦି.ଏସ୍‌.ଜି) ଓ ସମ୍ମାନିତ ଅତିଥି ଭାବେ ରୋଟାରିଆନ ପ୍ରତିଭା ମହାପାତ୍ର (ଏ.ଜି) ଯୋଗ ଦେଇ ଶିକ୍ଷା, ସ୍ୱାସ୍ଥ୍ୟ, ସଚେତନତା ଓ ସ୍ୱାବଲମ୍ବନଶୀଳତା ଦିଗରେ ସମାଜସେବାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦେଇଥିଲେ।

ପୂର୍ବତନ ସଭାପତି ଶ୍ରୀମତୀ ଘୋଷାଲ ସ୍ୱାଗତ ଭାଷଣ ଦେବା ସହ ବିଗତ ବର୍ଷର କାର୍ଯ୍ୟଧାରା ବିବରଣୀ ଉପସ୍ଥାପିତ କରିଥିଲେ। ୨୦୨୩-୨୪ ବର୍ଷ ପାଇଁ ଶିକ୍ଷାବିତ ତଥା ସମାଜସେବୀ ଅମୀୟବାଳା ପରିଡ଼ା ସଭାପତି ଓ ତୃପ୍ତିରେଖା ଭଞ୍ଜଦେଓ ସମ୍ପାଦିକା ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ରାସ୍ତା ଦୁର୍ଘଟଣା ହ୍ରାସ ତଥା ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକୁ ମୁଖ୍ୟ ପ୍ରକଳ୍ପ ଭାବେ ଗ୍ରହଣ କରିବା ପାଇଁ କ୍ଲବର ପ୍ରସ୍ତାବକୁ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ତଥା ଉପସ୍ଥିତ ବରିଷ୍ଠ ରୋଟାରୀ ସଦସ୍ୟମାନେ ସମର୍ଥନ କରିବା ସହିତ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ମତବ୍ୟକ୍ତ କରିଥିଲେ। ୨୦୨୩-୨୪ ବର୍ଷର ନିର୍ଦ୍ଦେଶକ ମଣ୍ଡଳୀ ପାଇଁ ସବିତା ମହାନ୍ତି, ମମତା ବାଜପେୟୀ, ସୁରଭି ଦାସ, ପ୍ରଜ୍ଞା ମଧୁମିତା, ସୁସ୍ମିତା ମହାନ୍ତି, ସୁମିତ୍ରା ମିଶ୍ର, ଅମିତା ମିଶ୍ର ତଥା ଅର୍ପିତା ମହାନ୍ତି ପ୍ରମୁଖ ମନୋନୀତ ହୋଇଥିଲେ।

ଏହି ଅବସରରେ ବିଶିଷ୍ଟ ସମାଜସେବୀ ଇପ୍ସିତା ସାହୁ, ପ୍ରଜ୍ଞା ପ୍ରଣମିତା, ସୁଜାତା ସାହୁ, କଳ୍ପନା ତ୍ରିପାଠୀ ଓ ବନସ୍ମିତା ଦାସ ପ୍ରମୁଖ ୫ଜଣ ସଦସ୍ୟା ନୂତନ ଭାବେ ଶପଥ ଗ୍ରହଣ କରିଥିଲେ। ଏହାପରେ କ୍ଲବର ପତ୍ରିକା ‘ଆସ୍ଥା’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ପରିବେଶର ସୁରକ୍ଷା ନିମନ୍ତେ ସମସ୍ତ ଅତିଥି ମାନଙ୍କୁ ଚାରାଗଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ ସୁନାମଧନ୍ୟ କଣ୍ଠଶିଳ୍ପୀ ବବିରାଜଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ କରାଯାଇଥିଲା।

Categories
ଆଞ୍ଚଳିକ

ଚିଲିକା -ବାଲୁଗାଁ ରୋଟାରୀ କ୍ଲବ ପକ୍ଷରୁ ରାଷ୍ଟ୍ର ନିର୍ମାତା ପୁରସ୍କାର ସମାରୋହ

ବାଲୁଗାଁ: ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଚିଲିକା -ବାଲୁଗାଁ ରୋଟାରୀ କ୍ଲବ ପକ୍ଷରୁ ବାଲୁଗାଁ ଉଚ୍ଚବିଦ୍ୟାଳୟ ପରିସରରେ କ୍ଲବର ସଭାପତି ରୋଟାରିଆନ ଡକ୍ଟର କୈଳାଶ ଚନ୍ଦ୍ର ମହାରଣାଙ୍କ ସଭାପତିତ୍ୱରେ ରାଷ୍ଟ୍ର ନିର୍ମାତା ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଯାଇଛି।  ଜଗତର ନାଥ ଜଗନ୍ନାଥଙ୍କ ମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉକ୍ତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ତଥା ରୋଟାରୀ ଜିଲ୍ଲା ସାଧାରଣ ସଚିବ ରୋଟାରିଆନ ମନୋଜ କୁମାର ତ୍ରିପାଠୀ ଉଦଘାଟନ କରିବା ପରେ ଜାତୀୟ ସଂଗୀତ ଗାନ କରାଯାଇଥିଲା।

ପ୍ରାରମ୍ଭରେ ସଭାପତି ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ଅନୁଷ୍ଠାନିକ ଭାବେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଏହାପରେ ସମ୍ମାନିତ ଅତିଥି ତଥା ବାଣପୁର ବ୍ଲକର ସହ ଶିକ୍ଷାଧିକାରୀ ସନ୍ଧ୍ୟାରାଣୀ ହରିଚନ୍ଦନ, ବାଲୁଗାଁ ଉଚ୍ଚ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପୀନାଥ ପ୍ରଧାନ, କ୍ଲବ ଉପଦେଷ୍ଟା ରୋଟାରିଆନ ମୃଣାଲ କାନ୍ତି ନାୟକ ରୋଟାରୀ କ୍ଲବ ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ରାଷ୍ଟ୍ର ନିର୍ମାତା ପୁରସ୍କାରର ଗୁରୁତ୍ୱ, ଦାୟିତ୍ୱବଦ୍ଧତା ଓ ସମାଜରେ ଶିକ୍ଷକ ମାନଙ୍କର ନିଷ୍ଠାପରତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରୋଟାରିଆନ ମନୋଜ କୁମାର ତ୍ରିପାଠୀ ସମଗ୍ର ବିଶ୍ୱରେ ଶାନ୍ତି, ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ରୋଟାରୀ ଇଣ୍ଟର ନ୍ୟାସନାଲ କ୍ଲବର କାର୍ଯ୍ୟକ୍ରମ ସହିତ ଶିକ୍ଷକ ମାନେ କିପରି ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ଶିକ୍ଷାର୍ଥୀ ମାନଙ୍କ ଜୀବନ ଧାରା ବିକଶିତ କରନ୍ତି ତାହା ଉପସ୍ଥାପିତ କରିଥିଲେ।

ଡକ୍ଟର ରଶ୍ମି ରଞ୍ଜନ ନାଥ ଶିଶୁ ମନସ୍ତତ୍ଵ, ଶିକ୍ଷାୟତନ ଓ ଶିକ୍ଷକ ମାନଙ୍କ ଦାୟିତ୍ୱ ବୋଧ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହାପରେ ଟାଙ୍ଗୀ, ବାଣପୁର ଓ ଚିଲିକା ବ୍ଲକର କୃତୀ ଶିକ୍ଷକ ପ୍ରସନ୍ନ ଶ୍ରୀଚନ୍ଦନ, ଧର୍ମାନନ୍ଦ ବେହେରା, ପ୍ରମିଳା ବେହେରା, ନୀଳାଦ୍ରି ଭୂଷଣ ଦାଶ, ବବିତା ସାମନ୍ତରାୟ, ଗୋପୀନାଥ ପ୍ରଧାନ, ଜ୍ୟୋତ୍ସ୍ନା ରାଣୀ ପାଇକରାୟ, ଓ ଦିଲ୍ଲୀପ କୁମାର ମହାପାତ୍ରଙ୍କ ସମେତ ନିକଟରେ ଓଡିଶା ପ୍ରଶାସନିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଅଲାଇଡିହଗ୍ରାମର ଦୃଷ୍ଟି ବାଧିତ ଅଧ୍ୟାପକ ପ୍ରସନ୍ନ କୁମାର ପଣ୍ଡାଙ୍କୁ ଅତିଥିମାନେ ପୁରସ୍କାର, ଉତ୍ତରୀୟ ଓ ପୁଷ୍ପ ବୃକ୍ଷ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

ଏହାପରେ ପ୍ରସନ୍ନ କୁମାର ପଣ୍ଡା ଏକ ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ କରି ଶିକ୍ଷକ ସମାଜ ଓ ଯୁବ ପିଢ଼ିଙ୍କୁ ପ୍ରଭାବିତ କରିଥିଲେ।

ରୋଟାରିଆନ ପଞ୍ଚାନନ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ସମାରୋହଙ୍କୁ ସମ୍ପାଦିକା ଭାରତୀ ପୁଷ୍ପା ସିଂ ରାଠୋର, ପ୍ରାକ୍ତନ ସଭାପତି ଜାନକୀ ବଲ୍ଲଭ ପଟ୍ଟନାୟକ, ସତ୍ୟନ୍ଦ୍ର ସ୍ୱାଇଁ ସୁରେନ୍ଦ୍ର ସ୍ୱାଇଁ, ଗଜେନ୍ଦ୍ର ସେଠୀ, ଡକ୍ଟର ଅକ୍ଷୟ ମିଶ୍ର, ଶ୍ରୀକାନ୍ତ ପାଇକରାୟ ପ୍ରମୁଖ ପରିଚାଳନା କରିଥିଲେ।

ଧନ୍ୟବାଦ ପ୍ରଦାନ କରିଥିଲେ ବରିଷ୍ଠ ରୋଟାରିଆନ ତଥା ପ୍ରାକ୍ତନ ଆଇ ଏଫ ଏସ ଅଧିକାରୀ ଆଶୁତୋଷ ସାମନ୍ତ ସିଂହାର। ରୋଟାରାକ୍ଟ ସଭାପତି ବବୁଲ ରଣସିଂ ଓ ସଭ୍ୟମାନେ ଏହି ସମାରୋହରେ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ରୋଟାରୀ କ୍ଲବ ମିଡୋଜର ଅଷ୍ଟମ ଅଧିଷ୍ଠାନ ଦିବସ ପାଳିତ

ଭୁବନେଶ୍ୱର: ରୋଟାରୀ କ୍ଲବ ମିଡୋଜର ଅଷ୍ଟମ ଅଧିଷ୍ଠାନ ଦିବସ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ବର ମହାନଗର ନିଗମର ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ସଭାପତି ରୋଟାରିଆନ ଶାନ୍ତନୁ ମହାପାତ୍ର ଓ ସମ୍ପାଦକ ରୋଟାରିଆନ ବିକାଶ ଗରାବଡୁଙ୍କୁ ଶୁଭେଚ୍ଛା ଜଣାଇବା ସହିତ ରୋଟାରୀ କ୍ଲବର ସାମାଜିକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ।

ଏହି ଅବସରରେ କ୍ଲବ ର ଉପଦେଷ୍ଟା ଓ ପୂର୍ବତନ ଗଭର୍ଣ୍ଣର ରୋଟାରିଆନ ଅଶ୍ବିନୀ କର ମିଡୋଜ କ୍ଲବ ର ଅତୀତ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ଓ ସାମାଜିକ ଦାୟିତ୍ଵ ବିଷୟରେ ସମସ୍ତ ଙ୍କୁ ଅବଗତ କରାଇଥିଲେ। ନୂତନ ଭାବରେ ଯୋଗଦାନ କରି ଥିବା ଦୁଇ ଯୁବ ରୋଟାରିଆନ  ଆଦିତ୍ୟ ପ୍ରସାଦ ପାଢି ଓ ସୂରଜ ରାଜଙ୍କୁ ଅନୁଷ୍ଠାନିକ ଭାବରେ କ୍ଲବକୁ ସ୍ଵାଗତ କରାଯାଇଥିଲା।

ଏହି ଅବସରରେ ଗତ ରୋଟାରୀ ବର୍ଷର ସଭାପତି ସନ୍ତୋଷ କୁମାର ସେନାପତି ପୂର୍ଵ ବର୍ଷ ହୋଇଥିବା ସାମାଜିକ କାର୍ଯ୍ୟ ସମ୍ପର୍କରେ ଉପସ୍ଥାପନା କରିବା ସହିତ କ୍ଲବର ସବୁ ସଭ୍ୟଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ସମ୍ପାଦକ ରୋଟାରିଆନ ବିକାଶ ଗରାବଡୁଙ୍କ ଦ୍ଵାରା ଏକ ୱାଟର ପିଉରିଫାୟାର ବରମୁଣ୍ଡା ସ୍ଥିତ ଏକ ବୃଦ୍ଧାଶ୍ରମକୁ ପ୍ରଦାନ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ରୋଟାରୀ ଜୋନାଲ ଚେୟାର ରୋଟାରିଆନ ରମେଶ ସାହୁ, ଡିଷ୍ଟ୍ରିକ୍ଟ ସେକ୍ରେଟାରୀ ପି ବିଜୟ କୁମାର ଓ ଅନ୍ୟ ରୋଟାରୀ କ୍ଲବର ବହୁ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ। ଏହି ସଭାରେ ଯୁବ ଶିଳ୍ପୀ ପ୍ରିୟଙ୍କା ସାହାଣୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମକୁ ରୋଟାରିଆନ ଡଃ ଇଶା ମିଶ୍ର ସୂଚାରୁ ରୂପରେ ସମ୍ପାଦନ କରିଥିବା ବେଳେ ମନୋନୀତ ସଭାପତି ରୋଟାରିଆନ ଗୋପାଳ ଅଗ୍ରୱାଲ ଧନ୍ୟବାଦ ଜ୍ଞାପନ କରିଥିଲେ।

Categories
ଆଞ୍ଚଳିକ

ରୋଟାରୀ କ୍ଲବ ଭୁବନେଶ୍ୱର ଫେଲୋସିପ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦକା ନିକଟ କଣ୍ଟାବାଡ ଠାରେ ରୋଟାରୀ କ୍ଲବ ଭୁବନେଶ୍ୱର ଫେଲୋସିପ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଜରିଆରେ ପ୍ରାୟ ୧ହଜାର ଫଳ ଚାରା ଲଗାଯାଇଛି। ବିଭିନ୍ନ ଭେରାଇଟିର ଆମ୍ବ ଓ ପିଜୁଳି ଆଦି ଚାରା ରୋପଣ କରାଯାଇଛି।

ଗଭର୍ଣ୍ଣର ପ୍ରଭୂଦତ୍ତ ସୁବୁଦ୍ଧି, ଅତିରିକ୍ତ ଗଭର୍ଣ୍ଣର ରିତୁ ଅଗ୍ରୱାଲ, ପିଡିଜି ଶିବବ୍ରତ ଦାସ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଖାରବେଳ କଳିଙ୍ଗନଗରର, ଭୁବନେଶ୍ୱର ରୋଟାରୀ କ୍ଲବ ଫେଲୋସିପ ସଭାପତି ବିମ୍ବାଧର ବେହେରା ଓ କ୍ଲବର ସଦସ୍ୟଙ୍କ ସହ ସ୍ଥାନୀୟ ଅଧିବାସୀମାନେ କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ଆଠଗଡ଼ରେ ରୋଟାରୀ କ୍ଲବ ଉଦ୍‌ଘାଟିତ

ଭୁବନେଶ୍ୱର: ଆଠଗଡ଼ ଶ୍ରୀରାମ ମଣ୍ଡପଠାରେ ରୋଟାରୀ କ୍ଲବ ଆଠଗଡ଼ର ଆନୁଷ୍ଠାନିକ ଉଦ୍‌ଘାଟନ ଉତ୍ସବରେ ଯୋଗଦେଇ ଆନ୍ତର୍ଜାତିକ ରୋଟାରୀ ଜିଲ୍ଲା ୩୨୬୨ର ଜିଲ୍ଲା ଗଭର୍ଣ୍ଣର ଶାନ୍ତନୁ କୁମାର ପାଣି କହିଲେ ଯେ, ସେବା କ୍ଷେତ୍ରରେ ରୋଟାରୀ ସଂସ୍ଥାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ବିଶ୍ୱରୁ ପୋଲିଓ ରୋଗର ନିରାକରଣ ପାଇଁ ରୋଟାରୀର କାର୍ଯ୍ୟକ୍ରମ ବିଶ୍ୱବାସୀଙ୍କ ଦ୍ୱାରା ଆଦୃତ ହୋଇଛି। ଆଠଗଡ଼ର ସାଧାରଣ ଜନତାଙ୍କୁ ବିଶ୍ୱବାସୀଙ୍କ ସହ ଯୋଡ଼ିବାରେ ରୋଟାରୀ କ୍ଲବ ଆଠଗଡ଼ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ ନୂତନ କ୍ଲବର ସଦସ୍ୟ ସଦସ୍ୟାମାନଙ୍କୁ ଆହ୍ୱାନ ଦେଇଥିଲେ।

ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ସଂସ୍କୃତ ବିଦ୍ୱାନ ତଥା ପୂର୍ବତନ କୁଳପତି ପ୍ରଫେସର ଡଃ ହରେକୃଷ୍ଣ ଶତପଥୀ କହିଲେ ଯେ, ମାନବ ସେବା ହିଁ ମାଧବ ସେବା। ଏହି ମାନସିକତାରେ ଯଦି ଆମେ ସାଧାରଣ ଜନତାର ସେବା କରିବା, ତେବେ ଇତିହାସରେ ନିଶ୍ଚିତଭାବେ ରୋଟାରୀ କ୍ଲବ ଆଠଗଡ଼ର ନାମ ରହିବ। ରୋଟାରୀ ଏଭଳି ଏକ ସଂସ୍ଥା ଯେ, ବିଶ୍ୱରେ ବହୁ ବିଶିଷ୍ଟ ଲୋକଙ୍କ ଠାରୁ ଆରମ୍ଭ କରି ତଳେ ଥିବା ସାଧାରଣ ଜନତାଙ୍କୁ ଏକତ୍ରିତ କରିବାରେ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିଛି। ସାରା ବିଶ୍ୱରେ ରୋଟାରୀର କୋଟି କୋଟି ସଦସ୍ୟା ଓ ସଦସ୍ୟା ଉତ୍ସର୍ଗୀକୃତ ଭାବେ ସାଧାରଣ ଜନତାର ସେବା କରୁଛନ୍ତି। ନବଗଠିତ କ୍ଲବର ଉପଦେଷ୍ଟା ତଥା ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟ୍ରାଲର ସଭାପତି ବିଶିଷ୍ଟ ସମାଜସେବୀ, ସଂସ୍କୃତ ବିଦ୍ୱାନ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଆଠଗଡ଼ ମାଟିର ଐତିହ୍ୟ ଓ ଗଡ଼ଜାତ ପ୍ରଜା ଆନ୍ଦୋଳନ ଓ ଅଂଶୁପା ହ୍ରଦ ଉପରେ ନିଜର ବକ୍ତବ୍ୟ ରଖିବା ସହ ସହରର ଗ୍ରାମୀଣ ପରିବେଶ ମଧ୍ୟରେ ରୋଟାରୀ ସଂସ୍ଥାର ସେବାମୂଳକ କାର୍ଯ୍ୟକ୍ରମକୁ ପହଞ୍ଚାଇବା ଆମର ମୂଳ ଲକ୍ଷ୍ୟ ବୋଲି କହିଥିଲେ।

ଆଜିର ଏହି କାର୍ଯ୍ୟକ୍ରମକୁ ଡଃ ଜ୍ଞାନେନ୍ଦ୍ର ଆରମ୍ଭ କରି ନୂତନ ସଭାପତି ମାନସ ସାହୁଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ଚାର୍ଟର ସେକ୍ରେଟାରୀ ବରୁଣ ରାଜ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଆଗାମୀ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ। ଶିକ୍ଷକ ନିରାକାର ମହାପାତ୍ର ଅତିଥି ପରିଚୟ ଓ ରୋଟାରୀୟାନ ରବୀନ୍ଦ୍ର କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ଗଭର୍ଣ୍ଣର ଶ୍ରୀ ପାଣି ସଭାପତି ଶ୍ରୀ ସାହୁଙ୍କୁ ରୋଟାରୀ ସ୍ୱୀକୃତି ପତ୍ର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାର ପ୍ରଥମ ମହିଳା ଶ୍ରୀମତୀ ଝରଣା ପାଣି ଓ ଆଠଗଡ଼ର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟ୍ରାଲର ବାର୍ଷିକ ଉତ୍ସବ

ଭୁବନେଶ୍ୱର: ଆନ୍ତର୍ଜାତିକ ରୋଟାରୀ ଜିଲ୍ଲା ୩୨୬୨ ଅନ୍ତର୍ଗତ ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟ୍ରାଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ଗଭର୍ଣ୍ଣର ଇଂ ଶାନ୍ତନୁ କୁମାର ପାଣି କହିଲେ ଯେ, ସେବାର ଅନ୍ୟ ନାମ ରୋଟାରୀ। ସାରା ପୃଥିବୀରେ ଆନ୍ତର୍ଜାତିକ ରୋଟାରୀ ଅନୁଷ୍ଠାନ ସାଧାରଣ ଜନତାକୁ ବିଭିନ୍ନ ସେବା ଦେଇଆସୁଛି। ଜଳଦାନ ସେବା ଠାରୁ, ଚକ୍ଷୁଦାନ, ରକ୍ତଦାନ, ଶରୀର ଦାନ ସବୁରେ ଅଗ୍ରଭାଗରେ ରୋଟାରୀର ସମର୍ପିତ କାର୍ଯ୍ୟକର୍ତ୍ତାମାନେ ନିଃସ୍ୱାର୍ଥପର ଭାବେ ବର୍ଷ ବର୍ଷ ହେବ କାର୍ଯ୍ୟ କରୁଛନ୍ତି।

ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସଭାରେ ବାରିପଦା ରୋଟାରୀର ସମର୍ପିତ କାର୍ଯ୍ୟକର୍ତ୍ତା ନିରଜ ପଣ୍ଡା ବିଶ୍ୱରୁ ପୋଲିଓମୁକ୍ତ ନିରାକରଣରେ ରୋଟାରୀର ଭୂମିକା ବିଷୟରେ ମତବ୍ୟକ୍ତ କରିଥିଲେ। କ୍ଲବ ମେଣ୍ଟର ପିପି ଶୁଭେନ୍ଦୁ ପରିଡ଼ା ରୋଟାରୀକୁ ଏକ ସାମାଜିକ ଆନ୍ଦୋଳନ ବୋଲି କହିଥିଲେ। କ୍ଲବର ପ୍ରତିଷ୍ଠାତା ସଭାପତି ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ କରୋନା ସମୟରେ ରୋଟାରୀ ପକ୍ଷରୁ ସଚେତନତା ରଥ ଓ ମାସ୍କ ବଣ୍ଟନ ସହ ଅର୍ଥନୈତିକ ଦୁର୍ବଳ ଶ୍ରେଣୀଙ୍କୁ ରାସନ ପ୍ରଦାନରେ ଏକ ଅଗ୍ରଣୀ ଭୂମିକା ନେଇଥିଲେ ବୋଲି କହିଥିଲେ।

ବୁଦ୍ଧିଜୀବୀ ସ୍ୱାଗତ ରାଉତରାୟ ସ୍ୱାଗତ ଭାଷଣ ଓ କ୍ଲବ ସମ୍ପାଦକ ଶିକ୍ଷାବିତ୍ ଜ୍ୟୋତିଶଙ୍କର ମହାନ୍ତି ବାର୍ଷିକ ବିବରଣୀ ସହ ଭବିଷ୍ୟତ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ। ଟୋରାରୀ ଜିଲ୍ଲାର ପ୍ରଥମ ମହିଳା ଡଃ ଝରଣା ପାଣିଙ୍କୁ ଡଃ ନିବେଦିତା ପଟ୍ଟନାୟକ ସମ୍ବର୍ଦ୍ଧିତ କରିବା ପରେ ଶ୍ରୀମତୀ ମିତ୍ରା ରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଆଜିର ଉତ୍ସବରେ ଡଃ କରୁଣାକର ପ୍ରଧାନ ଓ ଶ୍ରୀମତୀ ମହାନ୍ତିଙ୍କୁ ରୋଟାରୀର ସଭ୍ୟଭୁକ୍ତ କରାଯାଇଥିଲା।

ଡଃ ଜ୍ଞାନେନ୍ଦ୍ର ରୋଟାରୀ କ୍ଲବ ଭୁବନେଶ୍ୱରର ସଭାପତି ଇଂ ସୁଧାଂଶୁ ଶେଖର ହରିଚନ୍ଦନ, ଆଡ଼ଭୋକେଟ ଶାନ୍ତନୁ କୁମାର ସାହୁ ଓ ଶ୍ରୀ ସୁଖଧାମ ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ଦେବଜାନୀ ରାୟଙ୍କୁ ଉତ୍ତରୀୟ ଓ ରୋଟାରୀ ବ୍ୟାଚ୍ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷାବିତ୍ ରୋଟାରିଆନ ଡଃ ଏଲୋରା ରାୟ ସଂଯୋଜନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରୋଟାରୀ ଆନ୍ଦୋଳନ ବ୍ୟାପକ ହେଲେ ସମାଜରୁ କୁସଂସ୍କାର ହଟିବ: ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟ୍ରାଲର ଅଧିଷ୍ଠାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ରୋଟାରିଆନ ତଥା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ ଯେ, ସମାଜସେବା କ୍ଷେତ୍ରରେ ସାରା ବିଶ୍ୱରେ ରୋଟାରୀ ଅନୁଷ୍ଠାନ ଯଥେଷ୍ଟ ସୁନାମ ଅର୍ଜନ କରିଛି। ପୋଲିଓ ଭଳି ଏକ ରୋଗ ବିରୁଦ୍ଧରେ ରୋଟାରୀ ଯେଉଁ ସଂକଳ୍ପ ନେଇ କାର୍ଯ୍ୟ କଲା ତାହା ସାରା ବିଶ୍ୱ ଜାଣିଛି । ବର୍ତ୍ତମାନ ସମୟ ଆସିଛି, କୁସଂସ୍କାର ବିରୁଦ୍ଧରେ ରୋଟାରିଆନମାନେ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ।

ମୁଖ୍ୟବକ୍ତା, ଭାରତବର୍ଷର ଅନନ୍ୟ ସଂସ୍କୃତ ବିଦ୍ୱାନ ପ୍ରଫେସର ହରେକୃଷ୍ଣ ଶତପଥୀ କହିଲେ ଯେ, ସେବା ଏକ ଅନ୍ତର୍ନହିତ ଇଚ୍ଛାଶକ୍ତିର ପରିପ୍ରକାଶ। ରୋଟାରୀରେ କାର୍ଯ୍ୟ କରୁଥିବା ସଦସ୍ୟ ସଦସ୍ୟା ମାନଙ୍କର ନିସ୍ୱାର୍ଥପର ସେବାର ସେ ବହୁ ଉଦାହରଣ ଦେଇଥିଲେ। ସମ୍ମାନିତ ଅତିଥି ଦିବ୍ୟଜୀବନ ସଂଘର ସନ୍ଥ, ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀ, ପୂର୍ବ ପ୍ରଶାସକ ତଥା ପୂର୍ବ ଜିଲ୍ଲା ଗଭର୍ଣ୍ଣର ନରେନ୍ଦ୍ର କୁମାର ମିଶ୍ର କହିଥିଲେ ଯେ, ସେବାର, କିଛି ପ୍ରକାର ଭେଦ ନାହିଁ । ମନୋବୃତ୍ତି ଉପରେ ନିର୍ଭର କରେ। ତୁଷାର୍ତ୍ତକୁ ଜଳ ଦେବା ଯେପରି ସେବା, ରୋଗୀର ସୁସ୍ଥ କଥା ବୁଝିବା ମଧ୍ୟ ସେବା।

ଆଜିର ଅଧିଷ୍ଠାନ ଉତ୍ସବରେ ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ ସଭାପତି ଦାୟିତ୍ୱ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କୁ ୨୦୨୧-୨୨ ବର୍ଷ ପାଇଁ ଅର୍ପଣ କରିଥିଲେ। ରୋଟାରୀ ଏଡିଜି ସୁବ୍ରତ କୁମାର ମିଶ୍ର, ନୂତନ ସଦସ୍ୟା ଭାବେ, ଚଳଚ୍ଚିତ୍ର ତଥା ନାଟ୍ୟ ନିର୍ଦ୍ଦେଶିକା ଶ୍ରୀମତୀ ବିୟୋତପ୍ରଜ୍ଞା ତ୍ରିପାଠୀଙ୍କୁ ଗ୍ରହଣ କରାଗଲା ବୋଲି ଘୋଷଣା କରିବା ପରେ ଡଃ ନିବେଦିତା ପଟ୍ଟନାୟକ, ଶ୍ରୀମତୀ ତ୍ରିପାଠୀଙ୍କୁ ରୋଟାରୀ ପଦକ ପ୍ରଦାନ କରିଥିଲେ। ନିର୍ବାଚିତ ସଭାପତି ଡଃ ସøରେନ୍ଦ୍ର କୁମାର ମହାପାତ୍ର ଅତିଥି ପରିଚୟ, ପୂର୍ବତନ ସମ୍ପାଦକ ଶେଖର ସାମନ୍ତରାୟ ବିବରଣୀ ପାଠ ଓ ସମ୍ପାଦକ ଜ୍ୟୋତିପ୍ରକାଶ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମତୀ ଆରତୀ ଜ୍ଞାନେନ୍ଦ୍ର, ଶ୍ରୀମତୀ ନମିତା ମହାପାତ୍ର, ମିତ୍ରା ରାୟ, ସ୍ୱାଗତ ରାଉତରାୟ, ପୂର୍ବତନ ଆଇ.ଜି. ଅରୁଣ କୁମାର ଉପାଧ୍ୟାୟ, ପଣ୍ଡିତ ବିନୋଦ ବିହାରୀ ଦାସ, ମନୋଜ ରଥ ଓ ଡଃ ମନୋଜ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ରୋଟାରୀ କ୍ଲବ ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତଦାନ: ବାଲୁଗାଁ ଏସଡିପିଓ ରକ୍ତଦାନ କରି ଶିବିରକୁ କଲେ ଉଦଘାଟନ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର-ବାଲୁଗାଁ ରୋଟାରୀ କ୍ଲବ ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବାଲୁଗାଁ ସ୍ଥିତ ଶ୍ରୀ ଶ୍ରୀ ଉମାମହେଶ୍ୱର ବଣିକ ସଂଘ ଗୃହ ଠାରେଏହି ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଶିବିରରେ ରୋଟାରିକ୍ଲବର ସଭ୍ୟ ଓ ସ୍ଥାନୀୟ ଜନସାଧାରଣମାନେ ରକ୍ତ ଦାନ କରିଥିଲେ।

ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଉକ୍ତ ଶିବିରକୁ ଉଦଘାଟନ କରିବା ସହ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ବାଲୁଗାଁ ଥାନା ଅଧିକାରୀ ରମାକାନ୍ତ ମହାଲିକ ଉପସ୍ଥିତ ରହି ଉତ୍ସାହିତ କରିଥିଲେ। ରୋଟାରୀ କ୍ଲବ ବାଣପୁର-ବାଲୁଗାଁର ସଭାପତି ରୋଟାରୀୟାନ ଅଶୋକ କୁମାର ପାତ୍ର ଏବଂ ସମ୍ପାଦକ ରୋଟାରୀୟାନ ଜିତେନ୍ଦ୍ର କୁମାର ପାତ୍ରଙ୍କ ତତ୍ତ୍ଵାବଧାନରେ ୪୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

ବ୍ରହ୍ମପୁର ଏମ କେ ସି ଜି ଟେକିନିସିଆନ ପ୍ରଦୀପ କୁମାର ସୁବୁଦ୍ଧିଙ୍କ ସହିତ ଛଅ ଜଣ କର୍ମକର୍ତ୍ତାଙ୍କ ଦ୍ଵାରା ରକ୍ତ ସଂଗ୍ରହ କରାଯାଇଥିଲା। ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟାପକ ଲକ୍ଷ୍ମୀଧର ସୁବୁଦ୍ଧି, ଜାତୀୟ ସେବା ଯୋଜନାର ଯୁବ ବନ୍ଧୁ ମାନେ ଉକ୍ତ କାର୍ଯ୍ୟରେ ଭାଗ ନେଇଥିଲେ। କ୍ଲବର ପୂର୍ବତନ ସଭାପତି ବିଜୟ କୁମାର ନନ୍ଦ, ଓମ୍ ପ୍ରକାଶ ଅଗ୍ରୱାଲ, ରବି ନାରାୟଣ ନାୟକ, ଧିରେନ୍ଦ୍ରନାଥ ପାତ୍ର, ବିଜୟ କୁମାର ବେହେରା, ହିମାଂଶୁ କୁମାର ପାତ୍ର, ସୁନିଲ କୁମାର ପାତ୍ର, ଗୋପାଳ ଚନ୍ଦ୍ର ନାୟକ ଏବଂ କ୍ଲବର ପ୍ରଥମ ମହିଳା ଲକ୍ଷ୍ମୀପ୍ରିୟା ପାତ୍ର ପ୍ରମୁଖ ରୋଟରୀୟାନ ମାନେ ପରିଚାଳନାରେ ସହଯୋଗ କରିଥିଲେ।