Categories
ଆଜିର ଖବର ଆଞ୍ଚଳିକ

ବାଣପୁରରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର: କରୋନା କଟକଣା ସତ୍ତ୍ୱେ ସଂଗ୍ରହ ହେଲା ୪୩ ୟୁନିଟ୍

ସୀତାରାମ ଅଗ୍ରୱାଲ
ବାଣପୁର: ରାଜ୍ୟରେ କରୋନା ମହାମାରୀ ସମୟରେ ରକ୍ତର ଅଭାବ ପରିଲିକ୍ଷିତ ହେଉଛି। ରକ୍ତର ଅଭାବ ଯୋଗୁଁ ବିଭିନ୍ନ ରୋଗରେ ପୀଡିତ ଥିବା ଅନେକ ଲୋକଙ୍କ ଜୀବନ ଚାଲିଯାଉଛି। ଲକଡାଉନ ସମୟରେ ଲୋକେ ଘରେ ରହୁଥିବା ବେଳେ ରୋଗୀଙ୍କ ପାଇଁ ରକ୍ତର ବହୁତ ଆବଶ୍ୟକତା ପଡୁଛି। ତେବେ ଏଭଳି କଟକଣା ସମୟରେ ନିଜ ଜୀବନକୁ ବାଜି ଲଗାଇ ରକ୍ତଦାନ କରୁଥିବା ବ୍ୟକ୍ତି ବହୁତ କମ ଦେଖିବାକୁ ମିଳନ୍ତି।

ତେଣୁ ଏହାକୁ ଲକ୍ଷ୍ୟ କରି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ କିଛି ସଂଗଠନ ରକ୍ତ ଦାନ ଶିବିର କରି ଚର୍ଚ୍ଚାକୁ ଆସିଛନ୍ତି। ସ୍ଵାମୀ ବିବେକାନନ୍ଦ ସେବା ସଂଘ, ବାଣପୁର, ‘ଦି ବ୍ଲଡ଼ ଡୋନର୍ସ ଓଡିଶା’ ଏବଂ ବଜରଙ୍ଗ ଦଳ, ଚିଲିକା ପ୍ରଖଣ୍ଡ ପକ୍ଷରୁ ଏକ ରକ୍ତଦାନ ଶିବିର ବାଣପୁର ବ୍ଲକ ଅନ୍ତର୍ଗତ ବୋରିଗାଁ ଗ୍ରାମରେ ଆଜି ଅନୁଷ୍ଠିତ ହୋଇଯାଇଛି। କରୋନା କଟକଣା ନିୟମ ଉକ୍ତ ଶିବିର ପାଇଁ ଚ୍ୟାଲେଞ୍ଜ ଥିଲେ ମଧ୍ୟ ଏହି ରକ୍ତଦାନ ଶିବିରକୁ ସଫଳ କରିବା ପାଇଁ ବହୁ ସଂଗଠନ ସହଯୋଗର ହାତ ବଢେଇଥିଲେ।

ସର୍ବପ୍ରଥମେ ମା’ ଶୂଳିଆ ଦେବୀ ସେବକ ସଂଘ, ବୋରିଗାଁର ସଦସ୍ୟ ମାନେ ରକ୍ତଦାନ ଶିବିର କେନ୍ଦ୍ରକୁ ସଫା କରିବା ସହ ସାଜଶଯ୍ୟା କରିଥିଲେ। ପରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ବାଣପୁର-ବାଲୁଗାଁ) ଶାଖା ଦ୍ଵାରା ରକ୍ତଦାନ ଶିବିର କେନ୍ଦ୍ରକୁ ଭଲ ଭାବେ ବିଶୋଧନ କରାଯାଇଥିଲା।

ଏହା ପରେ ସ୍ଵାମୀ ବିବେକାନନ୍ଦ ସେବା ସଂଘ ଏବଂ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନେ ରକ୍ତଦାନ ଶିବିରରେ ଉପସ୍ଥିତ ରହି ସାମାଜିକ ଦୁରତ୍ଵକୁ ଧ୍ୟାନ ଦେବା ସହ କ୍ରମାଗତ ସାନିଟାଇଜ ମଧ୍ୟ କରୁଥିଲେ। ସଂକ୍ରମଣକୁ ରୋକିବା ପାଇଁ ବାରମ୍ବାର ଶଯ୍ୟାକୁ ସାନିଟାଇଜ କରାଯାଉଥିଲା। ଏଥିରେ ‘ଦି ବ୍ଲଡ଼ ଡୋନର୍ସ ଓଡିଶା’ ର ସଦସ୍ୟମାନେ ଧ୍ୟାନପୂର୍ବକ ରକ୍ତ ସଂଗ୍ରହ କରିବା ପାଇଁ ସ୍ୱାସ୍ଥ୍ୟ କର୍ମୀଙ୍କୁ ସହଯୋଗ କରିଥିଲେ।

ତେବେ ଏହି ଶିବିର ପାଇଁ ଅଧିକ ଦାତା ସ୍ଵେଚ୍ଚାକୃତ ଭାବେ ରକ୍ତ ଦେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ମଧ୍ୟ ନିୟମ ମୁତାବକ ନିର୍ଦ୍ଦିଷ୍ଟ ସଂଖ୍ୟକ ୟୁନିଟ ରକ୍ତ ସଂଗ୍ରହ ପାଇଁ ନିର୍ଦ୍ଦେଶ ରହିଥିଲା। ଫଳରେ କିଛି ରକ୍ତ ଦାତା ନିରାଶ ହୋଇ ଫେରିଯାଇଥିବା ଦେଖିବାକୁ ମିଳିଥିଲା। ଉକ୍ତ ରକ୍ତଦାନ ଶିବିରରେ ମୋଟ ୪୩ ଟି ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।