Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ଧାନ ଖଳାରେ ନିଆଁ ଲଗାଇଲେ ଦୁର୍ବୁତ୍ତ, ପାଉଁଶ ହେଲା ଲକ୍ଷାଧିକ ଟଙ୍କାର ଫସଲ

ସୀତାରାମ ଅଗ୍ରୱାଲ

ବାଣପୁର: ନୂଆବର୍ଷରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ଏକ ଅଘଟଣ ଘଟିଯାଇଛି।  ଶୀତ ରାତିରେ ଏକ ଧାନ ଖଳାରେ ଦୁର୍ବୁତ୍ତମାନେ ନିଆଁ ଲଗେଇଦେବା ଦ୍ୱାରା ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ ବାଣପୁର ବ୍ଲକ କୁମାରାଙ୍ଗ ପଞ୍ଚାୟତ ଅନ୍ତର୍ଗତ ପୁଞ୍ଜିଆମା ଗ୍ରାମର ଏକ ଧାନ ଖଳାରେ ଗତକାଲି ରାତ୍ରିରେ ଦୁର୍ବୁତ୍ତମାନେ ନିଆଁ ଲଗାଇଦେଇଛନ୍ତି। ଯାହାଫଳରେ ଏକାଧିକ ଧାନଗଦା ଜଳିପୋଡି ପାଉଁଶ ହୋଇଯାଇଛି। ଖବର ପାଇ ବାଣପୁର ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସ ଟିମ ସହ ସମ୍ପୃକ୍ତ ସ୍ଥାନରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ତେବେ ଉକ୍ତ ଗ୍ରାମର ପ୍ରଫୁଲ୍ଲ ସାହୁ, ରାଧାମୋହନ ମିଶ୍ର ଏବଂ ବୁଲୁ ବାରିକଙ୍କ ଛଅ ଗୋଟି ଧାନ ଗଦା ପୋଡି ନଷ୍ଟ ହୋଇଯାଇଥିବାର କହିଛନ୍ତି ଅଗ୍ନିଶମ ଅଧିକାରୀ ଶ୍ରୀ ଦାସ। ଗୋଟେ ପକ୍ଷରେ ଲଘୁଚାପ ବର୍ଷା ଲାଗି ପୂର୍ବରୁ ଲକ୍ଷାଧିକ ଟଙ୍କାର ଫସଲ ନଷ୍ଟ ହୋଇଥିବା ବେଳେ ବର୍ତ୍ତମାନ ପୁଣି ଏପରି ଅଘଟଣ ଲାଗି ବର୍ଷତମାମର ପରିଶ୍ରମର ଫସଲ ନଷ୍ଟ ହୋଯାଇଛି। ଏନେଇ ଗଣମାଧ୍ୟମ ସମ୍ମୁଖରେ ଚାଷୀ ପ୍ରଫୁଲ୍ଲ ସାହୁ କୋହଭରା କଣ୍ଠରେ କହିଛନ୍ତି।

ତେବେ ଚାଷୀମାନେ ଅତ୍ୟନ୍ତ ଗରିବ ହୋଇଥିବାବେଳେ ତାଙ୍କୁ ସରକାରୀ ସହାୟତା ପାଇଁ ସାଧାରଣରେ ଦାବି ହେଉଛି। ବାଣପୁର ତହସିଲଦାର ଏ ଦିଗରେ ଯଥାଶୀଘ୍ର ଦୃଷ୍ଟିଦିଅନ୍ତୁ ବୋଲି ଗ୍ରାମବାସୀ ମାନେ ନିବେଦନ କରିଛନ୍ତି।