Categories
ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ସୋଆରେ ବିଶ୍ୱସ୍ତରୀୟ ଆଥଲେଟ୍ ଲାଓ ଚିନ୍ ମେଙ୍ଗଙ୍କ ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର: କ୍ରୀଡା ଓ କ୍ରୀଡାବିତ୍‌ମାନଙ୍କୁ ଉତ୍ସାହିତ କରିବା ସହ କ୍ରୀଡ଼ାକୁ ନେଇ ନିଜର କ୍ୟାରିୟର ଗଢ଼ିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ମାଲେସିଆର ପ୍ରଖାତ ଆଥଲେଟ୍ ତଥା ଟ୍ରେନର ଲାଓ ଚିନ୍ ମେଙ୍ଗ। ଏହି ଅବସରରେ ପିରିଓଡାଇଜେସନ ଓ ପ୍ଲାନିଂ ଟ୍ରେନିଂର କର୍ମଶାଳାର ଆୟୋଜନ କରାଯାଇଛି। ବୁଧବାର ଏହି କର୍ମଶାଳାର ଶୁଭାରମ୍ଭ ହୋଇଛି।

ଏହି କର୍ମଶାଳାରେ ବିଭିନ୍ନ ଅନୁଷ୍ଠାନରୁ ଆସିଥିବା କୋଚମାନଙ୍କୁ କିଭଳି କୋଚିଂ ଓ ଟ୍ରେନିଂ ଦିଆଯିବ ସେ ନେଇ ମାଲେସିଆର ଏହି ପ୍ରଖାତ ଟ୍ରେନର ଆଲୋକପାତ କରିଛନ୍ତି। ଗ୍ରାସ ରୁଟର ଖେଳାଳିଙ୍କୁ କିଭଳି ଶାରୀରିକ ଓ ମାନସିକ ସ୍ତରରେ ସଶକ୍ତ କରାଯାଇପାରିବ ଓ ବିନା ଚାପରେ ଖେଳାଳି କିଭଳି ନିଜକୁ ଖାପଖୁଆଇ ପାରିବେ ସେ ନେଇ ଟ୍ରେନିଂ ଦେବେ ଲାଓ ଚିନ୍ ମେଙ୍ଗ।

ଉଦ୍‌ଘାଟନୀ ଉତ୍ସବରେ ସୋଆର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ଯୋଗ ଦେଇ କହିଥିଲେ ଯେ କେବଳ ଶିକ୍ଷା ନୁହେଁ, ବରଂ ପ୍ରତ୍ୟେକ ବ୍ୟକ୍ତିଙ୍କର ଶିକ୍ଷା ସହିତ ଶାରୀରିକ ବିକାଶ ହେବା ମଧ୍ୟ ଜରୁରୀ। ଏହି ଅବସରରେ ବିଶ୍ୱବିଦ୍ୟାଳୟର ଉପ-କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ କହିଥିଲେ ଯେ ବର୍ତମାନ ରାଜ୍ୟ କ୍ରୀଡା ଦିଗରେ ବେଶ ସଫଳତା ପାଇଛି। ତେଣୁ ଯୁବ ଖେଳାଳିଙ୍କୁ କ୍ରୀଡାରେ ସାମିଲ କରି ସେମାନଙ୍କର ଶାରୀରିକ ଓ ମାନସିକ ବିକାଶ କରିବା ଫଳରେ ଯୁବ ଖେଳାଳିଙ୍କୁ କ୍ରୀଡା ଦିଗରେ ବେଶି ଭଲ ପ୍ରଶିକ୍ଷଣ ଦେଇ ଭଲ ଖେଳାଳି ସୃଷ୍ଟି କରିବାରେ ସହାୟକ ହୋଇପାରିବ।

ସେହିପରି ଅନ୍ୟତମ ଅତିଥି ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ କହିଥିଲେ ଯେ ଏହି କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ରୂପରେଖ ଦେବା ନିମନ୍ତେ ବିଶ୍ୱବିଦ୍ୟାଳୟରେ କ୍ରୀଡ଼ାକୁ ଅଧିକ ପ୍ରୋତ୍ସାହନ ଦିଆଯିବ।

ଟ୍ରେନର ଲାଓ ଚିନ ମେଙ୍ଗଙ୍କ ପ୍ରଶିକ୍ଷଣ ଆଗାମୀ ଦିନରେ ଓଡିଆ ଖେଳାଳିଙ୍କ ନିମନ୍ତେ ବେଶ ସହାୟକ ହେବ। ଶେଷରେ ସ୍ପୋଟର୍ସ ଅଫିସର ସୁନିତା ବର୍ମା ଏହି କର୍ମଶାଳାର ଉଦ୍‌ଘାଟନୀ ଉତ୍ସବରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ୪ ଦିନ ଧରି ଜାରୀ ରହିବ।