Categories
ଆଜିର ଖବର ଜାତୀୟ ଖବର ଧର୍ମ ରାଜ୍ୟ ଖବର

ଆରମ୍ଭ ହେଲା ପ୍ରଭୃ ଲିଙ୍ଗରାଜଙ୍କ ରଥ ଟଣା, ରାମେଶ୍ବର ମନ୍ଦିର ଯିବେ ମହାଦେବ

ଭୁବନେଶ୍ବର: ଆଜି ଅପରାହ୍ନରେ ଆରମ୍ଭ ହୋଇଛି ପ୍ରଭୃ ଲିଙ୍ଗରାଜଙ୍କ ରଥଟଣା। ହଜାରହଜାର ଭକ୍ତଙ୍କ ଗହଣରେ ପ୍ରଭୃ ଶ୍ରୀଲିଙ୍ଗରାଜ ଋକୁଣା ରଥରେ ବିଜେ କରି ରାମେଶ୍ବର ମନ୍ଦିରକୁ ଗମନ କରିଛନ୍ତି। ଡାହୁକର ଡାକରା ପରେ ଭକ୍ତମାନେ ପ୍ରଭୃଙ୍କ ରଥକୁ ଟାଣିଟାଣି ନେଇଛନ୍ତି। ଆଜି ପ୍ରଭୃଙ୍କ ରଥଯାତ୍ରା ଥିବାରୁ ପୁରୁଣା ଭୁବନେଶ୍ବରର ରଥରୋଡ ଲୋକାରଣ୍ୟ ହୋଇଉଠିଛି।

ସୁରକ୍ଷିତ ଭାବେ ପ୍ରଭୃ ରାମେଶ୍ବର ମନ୍ଦିରରେ ପହଞ୍ଚିବା ପାଇଁ ମନ୍ଦିର ପ୍ରଶାସନ ତଥା ପୋଲିସ ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ୧୨ ପ୍ଲାଟୁନ ଫୋର୍ସ, ୨ ଜଣ ଅତିରିକ୍ତ ଡିସିପି, ୬ ଜଣ ଏସପି, ୧୫ ଜଣ ଇନିସପେକ୍ଟର ମୁତୟନ ହୋଇଛନ୍ତି। ଏହାସହିତ ୫୦ରୁ ଅଧିକ ସବଇନିସପେକ୍ଟର ଓ ଟ୍ରାଫିକ୍ ଅଧିକାର ନିୟୋଜିତ ଅଛନ୍ତି।

ଅନ୍ୟପଟେ ପ୍ରବଳ ଖରା ଓ ହିଟୱେଭକୁ ଆଖିରେ ରଖି ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି। ସମସ୍ତଙ୍କ ପାଇଁ ଆବଶ୍ୟକ ପିଇବା ପାଣି ବ୍ୟବସ୍ଥା ସହ ଭକ୍ତଙ୍କ ଉପରେ ପାଣି ସ୍ପ୍ରେ କରାଯାଉଛି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ବୁଧବାରରେ ପ୍ରଭୃ ଲିଙ୍ଗରାଜଙ୍କ ରଥଯାତ୍ରା, ଜାଣନ୍ତୁ କେତେବେଳେ କଣ ହେବ

ଭୁବନେଶ୍ବର: ଆସନ୍ତାକାଲି ବୁଧବାରରେ ପ୍ରଭୃ ଲିଙ୍ଗରାଜଙ୍କ ରଥଯାତ୍ରା ଅନୁଷ୍ଠିତ ହେବ। ସେଥିପାଇଁ ମନ୍ଦିର ପ୍ରଶାସନ ଏବଂ ସେବାୟତଙ୍କ ବୈଠକରେ ନୀତି ନିର୍ଘଣ୍ଟ ହୋଇଯାଇଛି। ସେହି ଅନୁସାରେ ଭୋର ୫ଟାରେ ଠାକୁରଙ୍କ ଆଳତି, ଅବକାଶ ନୀତି ସମ୍ପନ୍ନ ହୋଇ ୫ଟା ୩୦ରୁ ଘଣ୍ଟାଏ ପର୍ଯ୍ୟନ୍ତ ଠାକୁରଙ୍କ ସାହାଣ ମେଲା ଦର୍ଶନ ରହିବ।

ସକାଳ ୭ଟାରୁ ୮ଟା ମଧ୍ୟରେ ସ୍ନାନ, ବେଶ, ଦ୍ୱାରପାଳ ଓ ସୂର୍ଯ୍ୟଦେବଙ୍କ ପୂଜା ବିଧିମତେ କରାଯିବ। ଶ୍ରୀଜିଉଙ୍କ ବଲ୍ଲଭ, ମା’ ଗୋପାଳୁଣୀ ଠାକୁରାଣୀଙ୍କ ବଲ୍ଲଭ ଆଦି ସମାପନ ପରେ ପୂର୍ବାହ୍ନ ୯ଟା ୧୫ ସୁଦ୍ଧା ସକାଳ ଧୂପ ନୀତି ସରିବ। ଭୋଗ ମଣ୍ଡପ ନୀତି ୯ଟା ୪୫ରେ ଆରମ୍ଭ ହୋଇ ଘଣ୍ଟାକ ଭିତରେ ସରିବ।

ଏହାପରେ ଅନ୍ୟାନ୍ୟ ପୂଜାନୀତି ସମ୍ପନ୍ନ ହୋଇ ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ଟା ମଧ୍ୟରେ ମହାପ୍ରଭୁଙ୍କ ଯାତ୍ରା ପୂଜା ସମାପନ ହେବ। ସାଢ଼େ ୧୨ଟାରୁ ସାଢ଼େ୧ଟା ମଧ୍ୟରେ ମହାପ୍ରଭୁ ରଥକୁ ପହଣ୍ଡି ବିଜେ କରିବେ। ଅପରାହ୍ନ ୩ଟା ୩୦ରେ ରଥଟଣା ହୋଇ ସାଢ଼େ ୭ଟା ମଧ୍ୟରେ ପ୍ରଭୃ ରାମେଶ୍ବର ମନ୍ଦିରକୁ ବିଜେ କରିବେ ବୋଲି ନିଷ୍ପତ୍ତି ହୋଇଛି।