Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ପ୍ରାକ୍ ଗର୍ଭଧାରଣ ଏବଂ ପ୍ରସୂତି ପୂର୍ବ ଲିଙ୍ଗ ନିରୂପଣ ଅଧିନିୟମ ବୈଠକ ଅନୁଷ୍ଠିତ

ଖୋର୍ଦ୍ଧା: ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ପ୍ରାକ୍ ଗର୍ଭଧାରଣ ଏବଂ ପ୍ରସୂତି ପୂର୍ବ ଲିଙ୍ଗ ନିରୂପଣ ଅଧିନିୟମ ବୈଠକ ସଂକ୍ରାନ୍ତୀୟ ଉପଦେଷ୍ଟା କମିଟି ବୈଠକ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଅଲଟ୍ରାସାଉଣ୍ତ ପାଇଁ ଅନୁମତି ପ୍ରାପ୍ତ କ୍ଲିନିକ ଗୁଡିକରେ ଯୋଗ୍ୟତାପ୍ରାପ୍ତ ଡାକ୍ତର ନିଯୁକ୍ତ, ଅଲଟ୍ରାସାଉଣ୍ତ ସହ ଇକୋ କାର୍ଡିଓଗ୍ରାଫି ନିମନ୍ତେ ଆବଶ୍ୟକୀୟ ଡାକ୍ତର ନିୟୋଜିତ ଉପରେ ବୈଠକରେ ଆଲୋଚନା ହୋଇଛି।

ଭୃଣ ନିରୂପଣ ସଂକ୍ରାନ୍ତୀୟ ଅଭିଯୋଗ ଆସିବା ପରେ ତୁରନ୍ତ ବିହିତ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ବୈଠକରେ ମତ ପ୍ରକାଶ ପାଇଛି। ବିଭିନ୍ନ ସମୟରେ ସଂପୃକ୍ତ ସଂସ୍ଥା ଉପରେ ଅଚାନକ ଯାଞ୍ଚ କରିବାକୁ ବୈଠକରେ ମଧ୍ୟ ଆଲୋଚନା ହୋଇଛି। ଲିଙ୍ଗ ଅନୁପାତ କମ ରହିଲେ ସଂପୃକ୍ତ ଅଞ୍ଚଳରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଶ୍ରୀ ପାଢୀ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି। ଭୃଣ ନିରୂପଣ ସଂକ୍ରାନ୍ତୀୟ ଅଭିଯୋଗ ପାଇଁ ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉପଦେଷ୍ଟା କମିଟି କାର୍ଯ୍ୟକୁ ବ୍ୟାପକ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଆର୍ତ୍ତବନ୍ଧୁ ନାୟକ, ଏଡିପିଏଚଓ ଡଃ ରଘୁନାଥ ନାୟକ, ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟ ପଦ୍ମଚରଣ ଦାସ, ଜେ.ପି. ତ୍ରିପାଠୀ, ଅନୁପମା ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ସୁଧାଂଶୁ ଶତପଥି ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିବା ବେଳେ ଡିପିଏମ ପ୍ରକାଶ ଚନ୍ଦ୍ର ବାନାର୍ଜୀ ଧନ୍ୟବାଦ ପ୍ରଦାନ କରିଥିଲେ।