Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ହଟହଟା ହେଲେ ଜଳସେଚନ ବିଭାଗର ଦୁଇ ଯନ୍ତ୍ରୀ, ଉଭୟଙ୍କୁ ତିନି ଘଣ୍ଟା କାଦୁଅରେ ଚଲାଇଲେ ଗ୍ରାମବାସୀ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ସମୟ ପୂର୍ବରୁ ରାସ୍ତା କାର୍ଯ୍ୟ ଶେଷ ହୋଇନଥିବାରୁ ଗ୍ରାମବାସୀ ଉତକ୍ଷିପ୍ତ ହୋଇଛନ୍ତି। ଉତକ୍ଷିପ୍ତ ଗ୍ରାମବାସୀ ବିଭାଗୀୟ ଏସଡିଓ ଓ କନିଷ୍ଠ ଯନ୍ତ୍ରୀଙ୍କୁ କାଦୁଅ ରାସ୍ତାରେ ତିନି ଘଣ୍ଟା ଚଲାଇଥିବା ଜଣାପଡିଛି। ଖୋର୍ଦ୍ଧା ଜଳସେଚନ ବିଭାଗର ଅପାରଗତା ଯୋଗୁଁ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ବ୍ଲକରେ ଏଭଳି ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଲେଣ୍ଡୁ ଗ୍ରାମ ପଞ୍ଚାୟତ ମଲାଗୁଣି ନଦୀରେ ଲଗାଣ ବର୍ଷା ଯୋଗୁଁ ଫୁଲିଉଠିଛି। ଫଳରେ ଏହାର ପାଣି ଭଗବତୀପଡା ଗାଁ ରାସ୍ତାରେ ପ୍ରବାହିତ ହେଉଛି। ଗୋଳବାଇ- କଣାସ ରାସ୍ତାକୁ ସଂଯୋଗ କରୁଥିବା ଭଗବତୀପଡା ରାସ୍ତା ହେଉଛି ଏକମାତ୍ର ରାସ୍ତା, ଯେଉଁଥିରେ ହଜାର ହଜାର ଲୋକ ଯାତାୟାତ କରନ୍ତି।

ପୂର୍ବରୁ ଜଳସେଚନ ବିଭାଗ ପକ୍ଷରୁ ନାଳ ସାଇଟରେ ସିମେଣ୍ଟ କଂକ୍ରିଟ ପାଚେରୀ କାମ ହେଉଥିବା ଯୋଗୁଁ ସେହି ରାସ୍ତା ଟିକୁ ସଂପୂର୍ଣ୍ଣ କଟାଯାଇଥିଲା। କିନ୍ତୁ ଏହାର ସ୍ଥାୟୀଭାବେ ମରାମତି ନକରାଯାଇ କେବଳ ମାଟି ପକାଇ ଛାଡି ଦିଆଯାଇଥିଲା। ଫଳରେ ଲଗାଣ ବର୍ଷା ଯୋଗୁଁ ଉକ୍ତ ରାସ୍ତାଟି କାଦୁଅ ଫିଟିଯାଇଥିଲା। ଲୋକଙ୍କୁ ଚାଲିକି ଯିବା ପାଇଁ ସଂମ୍ଭବ ହୋଇପାରୁନାହିଁ। ରାସ୍ତରେ ପାଣିକାଦୁଅ ପୂର୍ଣ୍ଣ ହୋଇରହିଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ରାସ୍ତା ମରାମତି ପାଇଁ ସ୍ଥାନୀୟ ଭଗବତୀପଡା ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ। ହେଲେ ବିଭାଗୀୟ ଅଧିକାରୀ ରଜ ପୂର୍ବରୁ ସାରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କାମ ସଂପୂର୍ଣ୍ଣ ହୋଇପାରିନଥିଲା।

ଲଗାଣ ବର୍ଷା ଯୋଗୁଁ ମଲାଗୁଣି ନଦୀ ପାଣି ରାସ୍ତା ଉପର ଦେଇ ଯାଉଥିବାରୁ ଆଜି ଜଳସେଚନ ବିଭାଗର ରାଜୁଆ ଡିଭିଜନର ଏସଡିଓ ଓ କନିଷ୍ଠ ଯନ୍ତ୍ରୀ ଉକ୍ତ ସ୍ଥାନକୁ ପରିଦର୍ଶନ ପାଇଁ ଆସିଥିଲେ। ସେହି ସମୟରେ ଭଗବତୀପଡା ଗ୍ରାମବାସୀ ରାସ୍ତା କାମ ସଂପର୍କରେ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ସେମାନେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ। ଯାହାଦ୍ୱାରା ଗ୍ରାମବାସୀ ଉତ୍ୟକ୍ତ ହୋଇ ବିଭାଗୀୟ ଅଧିକାରୀଙ୍କୁ ସେହି କାଦୁଅ ପଚପଚ ରାସ୍ତାରେ ଚଲାଇଥିଲେ।

ଏଭଳି ପରିସ୍ଥିତିରେ ଗ୍ରାମବାସୀ ହଇରାଣ ହେଉଥିବାରୁ ଶୀଘ୍ର ରାସ୍ତା କାମ ସଂପୂର୍ଣ୍ଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ନଚେତ ଏହି ରାସ୍ତା ପାଇଁ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।