Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ନିଲାମ ହେବ ବିଦ୍ୟା ପିନ୍ଧିଥିବା ଶ୍ରୀଗଣିତ ଶାଢ଼ୀ

ଭୁବନେଶ୍ୱର: ବିଦ୍ୟା ବାଲାନ ପିନ୍ଧିଥିବା ସମ୍ବଲପୁରୀ ବାନ୍ଧ ‘ଶ୍ରୀଗଣିତ ଶାଢ଼ୀ’ ନିଲାମ ହେବ ।  ଅନଲାଇନରେ 15 ତାରିଖରୁ ନିଲାମ ଆରମ୍ଭ ହୋଇଥିବା ବେଳେ 20 ତାରିଖ ରାତି 10 ପର୍ଯ୍ୟନ୍ତ ସମୟ ଦିଆଯାଇଛି । ଆଗ୍ରହୀ ବ୍ୟକ୍ତି ବିଶେଷ ଏହାକୁ କିଣିବା ପାଇଁ ‘ଗୁଗୁଲ ଫର୍ମସ’ରେ ଆବେଦନ କରିପାରିବେ।  ଶାଢ଼ୀ ବିକ୍ରି ସମସ୍ତ ଅର୍ଥ ଏହାର ବୁଣାକାର ଭାଗବତ ମେହେରଙ୍କୁ ପ୍ରଦାନ କରାଯିବ। ‘ଉତ୍କଳ ଅମ୍ରିତା’ ବ୍ରାଣ୍ଡ ନାଁରେ ଏହାକୁ ବିଦ୍ୟା ବାଲାନଙ୍କ ପାଖେ ପହଞ୍ଚାଇଥିବା ସାବତ ଏକ୍ସପୋର୍ଟ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶିକା ଅନିତା ସାବତ ଓ ଅମ୍ରିତା ସାବତ ଏ ନେଇ ସୂଚନା ଦେଇଛନ୍ତି ।

ବିଦ୍ୟା ଶାଢ଼ି ପିନ୍ଧି ସୋସିଆଲ ମିଡିଆରେ ବୁଣାକାରଙ୍କୁ ବହୁତ ପ୍ରଶଂସା କରିଥିଲେ । ଏଥିସହ ଚୁକ୍ତି ମୁତାବକ ଶାଢ଼ୀଟି ପିନ୍ଧିବା ପରେ ଫେରାଇ ଦେଇଥିଲେ । ଶାଢ଼ୀଟି ଆସିବା ପରେ ଏହାକୁ କିଣିବା ପାଇଁ ଅନେକ ଆଗ୍ରହ ପ୍ରକାଶ କରିଥିଲେ । ଲୋକଙ୍କ ଭିତରେ ଏହି ଆଗ୍ରହରୁ ଏହାର ନିଲାମ କଥା ମନକୁ ଆସିଥିଲା । ବିଦ୍ୟା ଏହି ଶାଢ଼ୀଟି ପିନ୍ଧିବା ପରେ ଏହାର ଅନେକ ଦାବିଦାର ବାହାରୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଶାଢ଼ିର ପ୍ରକୃତ ବୁଣାକାରଙ୍କୁ ଶାଢ଼ୀ ନିଲାମର ସମସ୍ତ ଅର୍ଥ ଦେବାକୁ ମନସ୍ଥ କରି ଏଭଳି ନିଷ୍ପତ୍ତି ନିଆଯାଇଥିବାର ସୂଚନା ରହିଛି ।

ସୂଚନାଯୋଗ୍ୟ, ଚଳଚ୍ଚିତ୍ର ‘ଶକୁନ୍ତଳା’ର ରିଲିଜ୍‌ ପୂର୍ବଦିନ ବିଦ୍ୟା ଏହି ଶାଢୀ ପିନ୍ଧିବା ସହିତ ସୋସିଆଲ ମିଡିଆରେ ଏହାର ଭରପୂର ପ୍ରଶଂସା କରିଥିଲେ ।