Categories
ଆଜିର ଖବର ରାଜ୍ୟ ଖବର

କାର୍ଯ୍ୟ ବନ୍ଦ ଚେତାବନୀ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କଲା ମିଳିତ ଅମଲା ସଂଘ

ଖୋର୍ଦ୍ଧା: ଶୁକ୍ରବାର ଦିନ ଜିଲ୍ଲା ସ୍ତରୀୟ ଅମଲାମାନେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରା କରିଛନ୍ତି। ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଦାବି ମୁତାବକ ଅମଲାମାନଙ୍କର ଶିକ୍ଷା ଗତ ଯୋଗ୍ୟତା ଆଧାରରେ ଦରମା ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି। ଅମଲାମାନଙ୍କର ଲେବୁଲ-୪ ରୁ ଲେବୁଲ-୯ କୁ ଉନ୍ନୀତ କରିବା ପାଇଁ ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି।

ଅମଲାମାନେ ଦୀର୍ଘଦିନ ହେବ ସରକାରଙ୍କ ନିକଟରେ ନିଜ ନିଜର ଦାବି ଉପସ୍ଥାପନ କରିଥିଲେ ମଧ୍ୟ ସରକାରଙ୍କର ନୀରବତା ସମସ୍ତ ଜିଲ୍ଲା ସ୍ତରୀୟ ଅମଲାଙ୍କ ମନରେ ନୈରାଶ୍ୟ ଭାବ ସୃଷ୍ଟି କରିଛି।

ରାଜ୍ୟ ପ୍ରଶାସନର ମୌଳିକ ସେବା ପ୍ରଦାନରେ ଜିଲ୍ଲାସ୍ତରୀୟ ଅମଲାମାନଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ହୋଇଥିଲେ ମଧ୍ୟ ସରକାରଙ୍କର ବୈମାତୃକ ମନୋଭାବ ଶାନ୍ତିପ୍ରିୟ ଅମଲା ମାନଙ୍କୁ ରାଜରାସ୍ତାକୁ ଓଲାଇବାକୁ ବାଧ୍ୟ କରିଛି ବୋଲି ମିଳିତ ଅମଲା ମଞ୍ଚର ରାଜ୍ୟ ଅଧ୍ୟକ୍ଷ ନାରାୟଣ ଦାଶ କ୍ଷୋଭ ପ୍ରକାଶ କରି କହିଛନ୍ତି।

ଓଡିଶା ଅମଲା ସଂଘ, ଓଡିଶା ରାଜସ୍ଵ ଅମଲା ସଂଘ, ନିଷ୍ଫଳ ଓଡିଶା ଟ୍ରେଜରି ଅମଲା ସଂଘ, ଓଡିଶା ଉପନିବନ୍ଧକ ଅମଲା ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ଏହି ଶୋଭା ଯାତ୍ରାରେ ଅଂଶ ଗ୍ରହଣ କରିଥିଲେ।

ଖୋର୍ଦ୍ଧା ମିଳିତ ଅମଲା ମଞ୍ଚର ଅଧକ୍ଷ ଅଶୋକ କୁମାର ପଣ୍ଡା, ଆବାହକ ସନ୍ତୋଷ କୁମାର ନିଶଙ୍କ ଉପସ୍ଥିତ ରହି ସମବେତ ଅମଲା ମାନଙ୍କୁ ସମ୍ବୋଧିତ କରିଥିଲେ।

ଏହି ଅବସରରେ ଖୋର୍ଦ୍ଧା ଜିଲାର ସମସ୍ତବରିଷ୍ଠ କର୍ମଚାରୀ ନେତା ସେମାନକର ସାରଗର୍ଭକ ଭାଷଣ ମାଧ୍ୟମରେ ସରକାର ଯଦି କନିଷ୍ଠ ସହାୟକ ମାନଙ୍କର ଦରମା ଲେବୁଲ-୯ କୁ ଉନ୍ନୀତ କରିବା ପାଇଁ ଶୀଘ୍ର ପଦକ୍ଷେପ ନ ନିଅନ୍ତି ତେବେ ଶାନ୍ତିପ୍ରିୟ ଅମଲା ରାଜରାସ୍ତାକୁ ଓଲ୍ଲାଇବାକୁ ବାଧ୍ୟ ହେବ। ଏବଂ ଏଥିରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦେଇଥିଲେ।

ଆଗାମୀ ଦିନରେ ସମସ୍ତ ଜିଲ୍ଲା ସ୍ତରୀୟ ଅମଲା ସମୂହ ଛୁଟିରେ ଯାଇ ସରକାରଙ୍କର ଶାସନ କଳକୁ ସଂପୂର୍ଣ୍ଣ ଭାବରେ ବନ୍ଦ କରିଦେବେ ବୋଲି ମଧ୍ୟ ଚେତାବନୀ ଦେଇଥିଲେ।